ବିମଳେନ୍ଦୁ ମହାନ୍ତିଙ୍କ ‘କ’ଣ ଶିଖାଇଲେ ମହାତ୍ମା ଗାନ୍ଧୀ’ ଲୋକାର୍ପିତ

ଭୁବନେଶ୍ୱର : ଓଡ଼ିଶାର ସମକାଳୀନ ଇତିହାସ ସମ୍ପର୍କରେ ଆମେ ବିଶେଷ କିଛି ଜାଣୁନା । ଜାଣିବାକୁ ଇଚ୍ଛା କଲେ କି ଚେଷ୍ଟା କଲେ ବି ସେଭଳି କିଛି ଇତିହାସ ପୁସ୍ତକ ଆମ ହସ୍ତଗତ ହୁଏନା । ଡ. ହରେକୃଷ୍ଣ ମହତାବ ଓ ନବୀନ ସାହୁଙ୍କ ଭଳି ଚାରି ପାଞ୍ଚ ଜଣ ଐତିହାସିକଙ୍କୁ ଛାଡ଼ିଦେଲେ ଓଡ଼ିଶା ଇତିହାସ ସମ୍ପର୍କରେ ବିଶେଷ କେହି ଲେଖିନାହାନ୍ତି । ‘ଆମ ଓଡ଼ିଶା’ ପକ୍ଷରୁ ଓଡ଼ିଶାର ଇତିହାସକୁ ନେଇ ଏକ ପୁସ୍ତକ ପ୍ରକାଶ ପାଇଥିଲେ ସୁଦ୍ଧା ତାହା ବି ବିଶେଷ ସୁଫଳ ଦେଇପାରି ନାହିଁ । ଇତିହାସ ଯଦି ଅତି ପରିମାଣରେ ଉତ୍ସାହିତ କରିବ ନାହିଁ, ଇତିହାସ ଯଦି ଉନ୍ମାଦନା କରିବ ନାହିଁ କିମ୍ବା ଇତିହାସ ଯଦି ନିଜ ଅତୀତ ସମ୍ପର୍କରେ ସଚେତନ କରିବ ନାହିଁ, ତେବେ ଉତ୍ତରପିଢି ଇତିହାସ ସହ ଯୋଡ଼ି ହୋଇପାରିବେ ନାହିଁ । ପାଠକ ମନରେ ଉତ୍ସାହ ସୃଷ୍ଟି କରିବା ଭଳି ଇତିହାସ ଲେଖାର ଭାଷା ଓ ଶୈଳୀ ହେବା ଆବଶ୍ୟକ । ଆଜି ‘ସମ୍ବାଦ ଭବନ’ ପରିସରରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିମଳେନ୍ଦୁ ମହାନ୍ତିଙ୍କ ପୁସ୍ତକ କଣ ଶିଖାଇଲେ ମହାତ୍ମା ଗାନ୍ଧୀ ଲୋକର୍ପଣ ଉତ୍ସବରେ ଏଭଳି ମତ ରଖିଛନ୍ତି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ।  

‘ଆମ ଓଡ଼ିଶା’ର ସମ୍ପାଦକ ସ୍ଵରାଜ ମିଶ୍ରଙ୍କ ସଭାପତିତ୍ଵରେ ଆୟୋଜିତ ଏହି ଲୋକର୍ପଣ ଉତ୍ସବରେ ଶ୍ରୀ ମହାନ୍ତିଙ୍କ ଏହି ପୁସ୍ତକ ଇତିହାସକୁ ଐତିହାସିକ ଛୋଟ ଏକ ଅବଦାନ ଭାବେ ଅଭିହିତ କରିଥିଲେ ଶ୍ରୀ ପଟ୍ଟନାୟକ । ଏହି ପୁସ୍ତକଟି ପିଲାମାନଙ୍କ ପାଇଁ ନୂଆପିଢିଙ୍କ ଆଗରେ ମହାତ୍ମା ଗାନ୍ଧୀଙ୍କୁ ପରିଚିତ କରିବାରେ ସାହାଯ୍ୟ କରିବ । ଏବେ ଇତିହାସର ପୁନାଲିଖନର ଚେଷ୍ଟା ଚାଲିଛି । ନୁଆ ଇତିହାସ ରଚନାରେ କିଛି ଆପତ୍ତି ରହିବା ଉଚିତ ନୁହେଁ । କିନ୍ତୁ କିଛି କଥାକୁ ଲିଭେଇ ନଦେଲେ ଜେ ଅନ୍ୟ କିଛି ନୁଆ ଲେଖି ହେବନି, ଏହି ଧାରଣାଟି ଆମ ସଭ୍ୟତା ପାଇଁ ବିପଦପୂର୍ଣ୍ଣ । ଅନ୍ୟକୁ ଛୋଟ କରି ନିଜକୁ ବଡ଼ କରିବାର ଯେଉଁ ପ୍ରବଣତା ଏବେ ଭାରତରେ ଦେଖାଦେଇଛି, ସେଥିପାଇଁ ଆଲୋକବର୍ତ୍ତିକା ଭଳି ‘କ’ଣ ଶିଖାଇଲେ ମହାତ୍ମା ଗାନ୍ଧୀ’ ପୁସ୍ତକ କାମ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।

ଉତ୍ସବରେ ବିଶିଷ୍ଟ କଥାକାର ଗୌରହରି ଦାସ ଯୋଗ ଦେଇ କହିଲେ, ସାଧାରଣ ବ୍ୟକ୍ତିଟିଏ ଯେ ଦିନେ ଅସାଧାରଣ ବ୍ୟକ୍ତିତ୍ଵର ଅଧିକାରୀ ହୋଇପାରେ ତାହା ଆମକୁ ମହାତ୍ମା ଗାନ୍ଧୀ ଶିଖାଇ ଯାଇଛନ୍ତି । ଲେଖକ ଶ୍ରୀ ମହାନ୍ତିଙ୍କଠାରୁ ସେମିତି କିଛି ଆମକୁ ଶିଖିବାର ଅଛି । ବୟସର ଅପରାହ୍ନରେ ବି ସେ ବିଭିନ୍ନ ଗବେଷଣା କରି ଓ ତଥ୍ୟ ସଂଗ୍ରହ କରି ସାରସ୍ଵତ ସାଧନା ଜାରି ରଖିଛନ୍ତି । ଶ୍ରୀ ମହାନ୍ତିଙ୍କ ଏହି ପୁସ୍ତକ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ବେଶ ଉପାଦେୟ ହେବ ବୋଲି ସେ କହିଛନ୍ତି । ପୁସ୍ତକର ସମୀକ୍ଷା କରି ବିଶିଷ୍ଟ ସ୍ତମ୍ଭକାର ଅସିତ ମହାନ୍ତି କହିଲେ, ଲେଖକ ଶ୍ରୀ ମହାନ୍ତିଙ୍କ ପୁସ୍ତକ ‘କ’ଣ ଶିଖାଇଲେ ମହାତ୍ମା ଗାନ୍ଧୀ’ ବେଶ ସୁଖପାଠ୍ୟ, ତଥ୍ୟାଭିତ୍ତିକ, ସରଳ ଭାଷାରେ ଲିଖିତ ଓ ସମସ୍ତ ପ୍ରକାର ପାଠକଙ୍କ ପାଇଁ ଉପାଦେୟ । ଏହା ସବୁ ବର୍ଗର ପାଠକଙ୍କୁ ସନ୍ତୁଷ୍ଟ କରିପାରିବ ଓ ଉତ୍ତରପିଢିଙ୍କ ନିକଟରେ ଗାନ୍ଧୀଜୀଙ୍କ ଅଧିକ ପରିଚିତ କରାଇବ ।

ଏହି ଅବସରରେ ଶ୍ରୀ ମହାନ୍ତି ନିଜ ପୁସ୍ତକ ସମ୍ପର୍କରେ ସୂଚନା ଦେଇ କହିଲେ, ଆମ ଓଡ଼ିଶା ପକ୍ଷରୁ ଗାନ୍ଧୀଜୀଙ୍କ ସମ୍ପର୍କରେ ୧୦ ଟି ପୁସ୍ତକ ପ୍ରକାଶିତ ହୋଇଥିଲା । ଯାହାକି ମୋତେ ଗାନ୍ଧୀଜୀଙ୍କୁ ନେଇ ଅଧିକା ଗବେଷଣା କରିବା ଓ ତାଙ୍କ ବିଷୟରେ ଲେଖିବାର ପ୍ରରଣା ଦେଇଥିଲା ।

ପ୍ରାରମ୍ଭରେ ମହୋବଧି ସୋସାଇଟିର ଉପସଭାପତି ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସ୍ଵାଗତ ଭାଷଣ ଦେଇଥିବାବେଳେ ଟ୍ରଷ୍ଟି ସୌମେନ୍ଦ୍ର ମହାପାତ୍ର, ସାହିତ୍ୟିକ ସୁରେନ୍ଦ୍ର କୁମାର ମହାରଣା ଓ ଶିକ୍ଷାବିତ ବଦ୍ରିନାଥ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଯୁବ ଲେଖକ କ୍ଷେତ୍ରବାସୀ ନାୟକ ଧନ୍ୟବାଦ ଜଣାଇଥିଲେ ।  

Related Posts

Leave a Reply

Your email address will not be published. Required fields are marked *