ଶର୍ମିଷ୍ଠା ମହାନ୍ତି

ମନ ମୋର ବୁଲି ଆସେ ସ୍ମୃତି ନଦୀ ତୀରେ
ଯେଉଁଠି ଆମର ଶେଷ ଦେଖା ହୋଇଥିଲା
ଶେଷ କି ଆରମ୍ଭ ସେତ ସମୟର ଖେଳ
ଯୁଗ ଶେଷ ହେଲେ ପୁଣି ଯୁଗର ଆରମ୍ଭ …

ସେହି ଜନଶୂନ୍ୟ କୁହୁଡି ଘେରା ରଜନୀର କଥା
କୁହୁଡି ଆସ୍ତରଣ ଭିତରେ ମୁଁ ଦେଖୁଥିଲି
ତୁମର ସେ ଶାନ୍ତ ସୋମ୍ୟ ସହାସ୍ୟ ବଦନକୁ
ହେଲେ ହୃଦୟରେ ଭରାଥିଲା କୋହପୂର୍ଣ ବିସ୍ତୃତ ସାଗର …
ମୋ ଆଖିରେ ନଈଟିଏ ବହିଗଲା ଅମାନିଆ ଝରଣାଟେ ପରି
ସେହି କିଛି କ୍ଷଣର ସ୍ମୃତି,
ଆତ୍ମିୟତାରେ ପରିପୂର୍ଣ୍ଣ ଦୁଇ ହୃଦୟର କଥା ।

ତୁମ ପାଦ ସହ ମୋ ପାଦର ଗତି …
ମନ ଚାହୁଁ ନଥିଲା ତୁମଠୁ ଦୂରେଯିବା ପାଇଁ
ସମୟ ଯେ ଇଙ୍ଗିତ କରେ ଚାଲିଯିବା ପାଇଁ

ହାତଧରି କହିଥିଲ ସାଥୀ …
ଆଉକିଛି ସମୟ ଅଟକି ଯାଆନ୍ତନି ଏଠି
ମନ ବୁଝୁଥିଲା ଦୁଇ ହୃଦୟର କଥା
ଚାରି ଚକ୍ଷୁର ନୀରବ କାହାଣୀକୁ
କ୍ଷଣ ଭଙ୍ଗୁର ସମୟ….
ଇଛା ହେଉଥିଲା ସେଇ ଅମୀୟ ଆନନ୍ଦରେ ହଜିଯିବାକୁ…
ସେଇ ସ୍ୱର୍ଗୀୟ ପ୍ରେମଧାରାରେ ବହିଯିବାକୁ
ହେଲେ …

ମୋ ପାଖରେ ଥିଲା କେବଳ ତୁମେ ଛାଡିଯାଇଥିବା
ତୁମ ଓଠର ସେଇ ସ୍ମିତହାସ୍ୟ ଟିକକ ଯାହା…
ଯାହା ମୋତେ ବଂଚିବାକୁ ଦେଇଥିଲା ତମାମ୍ ଜୀବନ
ତୁମେ ଆସ ବା ନ ଆସ ସାଥୀ
କେବେ ପୁଣି ଭେଟେ ବା ନଭେଟେ ତୁମକୁ …

ଯେବେ ମୋର ଆଖିପତା ଲାଗି ଆସେ,
ତୁମେ ହିଁ ବ୍ୟାପ୍ତ ଥାଅ, ଏ ସାରା ମଣ୍ଡଳେ
ଆଜି ବି ପ୍ରତିକ୍ଷାର ପାଦଯୁଗଳ ସ୍ପଷ୍ଟ ଦିଶେ
ସେଇ ଅଭୁଲା ରାସ୍ତାରେ …

ହେଲେ ଜାଣେ ମୁଁ ଏତିକି
କେଇ ଯୁଗ ଗଲାପରେ
ଦ୍ୱାପର ଯେ ନିଶ୍ଚୟ ଆସିବ !!
ଦ୍ୱାପର ଯେ ନିଶ୍ଚୟ ଆସିବ !!

ପାରାଦ୍ଵୀପ, ମୋବାଇଲ – ୭୮୯୪୬୫୦୨୮୦

ଲେଖକ ପରିଚୟ

ସ୍କୁଲ ଜୀବନରୁ ସାହିତ୍ୟ ସାଧନାରେ ବ୍ରତୀ ମୁଁ । ‘ସ୍ମୃତି ନଦୀ ତୀରେ’, ‘ଜୀବନ ସୁଧା’, ‘ଅକୁହା ଛନ୍ଦ’, ‘ବଂଶୀର ବିଳାପ’ ନାମରେ ଅଦ୍ୟାବଧି ୪ ଟି କବିତା ପୁସ୍ତକ ପ୍ରକାଶିତ ହୋଇସାରିଛି । ଏକ ଉପନ୍ୟାସ ଓ ଗଳ୍ପ ସଂକଳନ ପ୍ରକାଶନ ଅପେକ୍ଷାରେ । ଏକାଧାରରେ ଶିକ୍ଷା, ସ୍ଵାସ୍ଥ୍ୟ, ସାହିତ୍ୟ ସହିତ ଅନେକ ସମାଜ ମଙ୍ଗଳ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ ମଧ୍ୟ କରିଆସୁଛି ।

Related Posts

One thought on “ସ୍ମୃତି ନଦୀ ତୀରେ

  1. ସ୍ମୃତି ନଦୀ ତୀରେ କବିତାଟି ବେଶ୍ ହୃଦୟସ୍ପର୍ଶୀ ।

Leave a Reply

Your email address will not be published. Required fields are marked *