ପ୍ରଥମ “ପ୍ରତିମା ପୁରସ୍କାର ଉତ୍ସବ ୨୦୨୩” ଆୟୋଜିତ

ଭୁବନେଶ୍ୱର : ବିଶିଷ୍ଟ ଶିକ୍ଷାବିତ୍, ଲେଖକ ଓ ସମାଜସେବୀ ପ୍ରତିମା ଦେବୀଙ୍କ ସ୍ମୃତିରେ ଗଠିତ ‘ପ୍ରତିମା ଫାଉଣ୍ଡେସନ୍‌’ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନଠାରେ ପ୍ରଥମ “ପ୍ରତିମା ପୁରସ୍କାର ଉତ୍ସବ ୨୦୨୩” ଆୟୋଜିତ ହୋଇଯାଇଛି । ଏହି ଅବସରରେ ପିଲାଙ୍କ ସହ ସ୍ମୃତି ଓ ବିକଳ୍ପ ଶିକ୍ଷା ପ୍ରୟୋଗର ପ୍ରକ୍ରିୟା ଓ ଅନୁଭବର ପ୍ରସଙ୍ଗ ସମ୍ମିଳିତ ପ୍ରତିମା ଦେବୀଙ୍କ ପୁସ୍ତକ “ସହଜ ମଣିଷ” ଉନ୍ମୋଚିତ ମଧ୍ୟ କରାଯାଇଛି ।

କବି କେଦାର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ାର ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁଖ୍ୟଅତିଥି ଏବଂ ହିନ୍ଦୀ କବି ଶେଫାଳି ନନ୍ଦନ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ଏହାସହିତ ଶିକ୍ଷା କ୍ଷେତ୍ରରେ ପ୍ରତିମା ଦେବୀଙ୍କ ଅବଦାନ ବିଷୟରେ ଅତିଥିମାନେ ଆଲୋଚନା କରିଥିଲେ ।

ଏହି ଅବସରରେ ବିଶିଷ୍ଟ ପ୍ରାବନ୍ଧିକ ଓ ଅନୁବାଦକ ଅସିତ ମହାନ୍ତିଙ୍କୁ ଓଡ଼ିଆ ପ୍ରବନ୍ଧ ଜଗତକୁ ତାଙ୍କର ଅବଦାନ ପାଇଁ “ପ୍ରଥମ ପ୍ରତିମା ସାହିତ୍ୟ ସମ୍ମାନ ୨୦୨୩”, ବିଶିଷ୍ଟ ଶିକ୍ଷାବିତ ତ୍ରିନାଥ ସାହୁଙ୍କୁ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ “ପ୍ରଥମ ପ୍ରତିମା ଶିକ୍ଷା ସମ୍ମାନ ୨୦୨୩” ଓ ଢୋକରା ଶିଳ୍ପୀ ବାସନ୍ତି ବେହେରାଙ୍କୁ ପାରମ୍ପରିକ କଳା କ୍ଷେତ୍ରକୁ ଅବଦାନ ପାଇଁ “ପ୍ରଥମ ପ୍ରତିମା ଶିଳ୍ପୀ ସମ୍ମାନ ୨୦୨୩” ଦେଇ ସମ୍ମାନିତ କରାଯାଇଛି । ସମ୍ମାନିତ ପ୍ରତିଭାମାନଙ୍କୁ ଫଳକ, ମାନପତ୍ର, ଉତ୍ତରୀୟ ଏବଂ ୫୦୦୦ ଟଙ୍କା ଲେଖାଏଁ ପୁରସ୍କାର ରାଶି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ମଧୁମିତା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନ୍‌ର ମ୍ୟାନେଜିଂ ଟ୍ରଷ୍ଟି ସୁମିତ୍ରା ପାଢ଼ୀ ସଙ୍ଗଠନର ଉଦ୍ଦେଶ୍ୟ ଓ ପ୍ରତିମା ଦେବୀଙ୍କ ଜୀବନ ସମ୍ପର୍କରେ ସୂଚନା ଦେବା ସହିତ ପ୍ରତିବର୍ଷ ମଇ ମାସ ୪ ତାରିଖ ଦିନ ପ୍ରତିମା ଦେବୀଙ୍କ ଜନ୍ମ ଦିବସରେ ଏହି ପୁରସ୍କାର ଉତ୍ସବ ପାଳନ କରିବାକୁ ସୂଚନା ପ୍ରଦାନ କରିଥିଲେ। ପରିଶେଷରେ ବିଶିଷ୍ଟ କବି ପବିତ୍ର ମୋହନ କର ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ସମାପନ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *