ଓଡ଼ିଆ ଜାତିର ଜନକ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସ୍ମୃତି ଚାରଣ

ଭୁବନେଶ୍ଵର : ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଅଗ୍ରଣୀ ଅନୁଷ୍ଠାନ ଏଚ୍.ଡି.ଆଇ., ଫିନିକ୍ସ ସେବା, ମାଟିଭାଷା ଓ ହେଲମେଟର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ବିଶିଷ୍ଟ କବି କେଦାର ମିଶ୍ରଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାଷାବିତ୍ ଦେବୀ ପ୍ରସନ୍ନ ପଟ୍ଟନାୟକ, ଲେଖିକା ଶକୁନ୍ତଳା ବଳିଆରସିଂହ, ବିଶିଷ୍ଟ କଥାକାର ଅଧ୍ୟାପକ ବିଶ୍ୱରଞ୍ଜନ ଏବଂ ପ୍ରହଲ୍ଲାଦ ସିଂହ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଥିଲେ ।

ଓଡ଼ିଶାର ପ୍ରଥମ ବାରିଷ୍ଟର ତଥା ଜଣେ ନିଃସ୍ୱାର୍ଥପର ସମାଜସେବୀ ତଥା ଓଡ଼ିଶା ଶିଳ୍ପ ଜାଗରଣର ପୁରୋଧା ଭାବରେ ଏବଂ ସର୍ବୋପରି ଜଣେ ସ୍ୱାଭିମାନୀ ଓଡ଼ିଆ ହିସାବରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗରେ ମଧୁବାବୁଙ୍କ ଅବଦାନ ଅତୁଳନୀୟ । ନାରୀ ଜାଗରଣ ହେଉ କି ସ୍ୱାୟତ୍ତ ଶାଶନ ବ୍ୟବସ୍ଥା, ସବୁବେଳେ ଓଡ଼ିଶାର ବିକାଶ ପାଇଁ ସେ ଚିନ୍ତା କରୁଥିଲେ । ସମାଜ ପ୍ରତି ତଥା ଓଡ଼ିଆ ଜାତି ପ୍ରତି ତାଙ୍କର ତ୍ୟାଗ ପାଇଁ ସେ ସର୍ବଦା ପ୍ରତିଟି ଓଡ଼ିଆଙ୍କ ନମସ୍ୟ ହୋଇ ରହିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀ ଅନିନ୍ଦିତା ଦାସ ଉତ୍କଳ ଗୌରବଙ୍କ ଉଦ୍ଦେଶ୍ୟରେ ଓଡ଼ିଆ କବିମାନଙ୍କ ଦ୍ୱାରା ରଚିତ ପଦ୍ୟସମୂହ ଯଥା:- ଉଠରେ ଉଠରେ ଉତ୍କଳ ସନ୍ତାନ, ଏହି ସମ୍ମିଳନୀ କୋଟି ପ୍ରାଣ ସିନ୍ଧୁ ଧନ୍ୟ ଧନ୍ୟ ମଧୁସୂଦନ, ଆର୍ଯ୍ୟ ହେ ବୀର, ସୁମେରୁର ଶୃଙ୍ଗ ପଡ଼ିଲାକି ଟଳି ଆଦିକୁ ସଙ୍ଗୀତ ରୂପରେ ପରିବେଷଣ କରିଥିଲେ ଏବଂ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ବୁଦ୍ଧିଜୀବୀ, ଲେଖକ ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।

Related Posts

Leave a Reply

Your email address will not be published. Required fields are marked *