ରବି କୁମାର ମହାନ୍ତି

ଶାଳ ଗଛ ଫାଙ୍କରେ
ଲାଲ୍ ଟହଟହ ସୁର୍ଯ୍ୟରୁ ଫାଳେ ଦିଶିଲାଣି,
ପେଟରେ ପେଟେ ଅନ୍ଧାର ପୁରେଇ
ପୋକତି ମାଇପ ପରି
ଧକଉଛି ଖଣ୍ଡେ ଦୁରରେ ଦିଶୁଥିବା ରୋଗୀଣା ଜଙ୍ଗଲ ।

ଭାଡିରୁ ଗଞ୍ଜା ଡାକିଲା କକ୍ କକ୍ କ
ହୋ ମାରାଣ୍ଡିଏ ହୋ
ଉଠ୍ ଉଠ୍ ଫର୍ଚ୍ଚା ପଡ଼ିଲାଣି
ହେଇପା ଠିକାଦାର ରଡ଼ି ଛାଡ଼ିଲାଣି
ଯା’ ଯା’ ତାଡ଼ିପକା ପାହାଡ଼,
ଫାଡ଼ିପକା ମାଟିର ଅନ୍ତବୁଜୁଳା
ରାସ୍ତା ଫିଟିବ ବସ୍ତିକୁ,
ସେହି ରାସ୍ତାରେ ବୋହି ନେବାକୁ ହେବ
ମୁର୍ଦାର …
ଅସହଜିଆ ତିରିଲାର ବଡ଼ପେଟକୁ
ଡାକ୍ତରଖାନାକୁ …

ମହୁଲ ଡାଳକୁ ଖରା ଛୁଇଁଲାଣି
ଏଥର ସକାଳ ଆସିବ
କେଜାଣି କେତେକାଳ ଏମିତି ଧାରେ ଆଲୁଅର
ଅପେକ୍ଷାରେ …
ବାସି ହାଣ୍ଡିଆର ସୁଆଦ ପରି
ଅସରନ୍ତି ଦିନ ବିତୁଥିବ
ବେଳେବେଳେ ଡଙ୍ଗରିଆ ପିଢାରେ ମେଘ ଆସି ବସେ
ଚକାପାରି …
ପାଣି ସୁଅରେ ଭସାଣ ହୁଏ ଠେକି, ମାଠିଆ,
ଗୃହସ୍ଥର ଜଞ୍ଜାଳ ….
ଟଳମଳ ଆଟିକାରେ ବହଳିଆ ପେଜ ପରି
ନିର୍ବୋଧ ମଣିଷ ମାନଙ୍କର
ଅଧାସିଝା କର୍ମଫଳ …
ଫି’ ସକାଳ
ଆସେ, ଫେର୍ ଯାଏ
ଛାଇ ଆଲୁଅର ଖେଳରେ
ଡଙ୍ଗରିଆର ଅଣ୍ଟାଭଙ୍ଗା କୁଡ଼ିଆ
ଯୁଗଯୁଗ ମୁହଁପୋତି
ଦିନ ଗଣୁଥାଏ ।
କିହୋ ମେସିନ ବି ତ ମାଟି ତାଡୁଛି,
ପଥର ଫଟଉଛି,
ଗଛବୃଛ କାଟି ସଫା କରିଦେଉଛି
ପେଟକାଟି ଛୁଆ କାଢିଲା ପରି
ବସୁଧା ଚିରି କେତେ ଦରବ
ଝିଙ୍କି ଆଣୁଛି,
ଯାଉନ …
ୟେ ନୀରିହ ଲୋକମାନଙ୍କୁ କାଇଁ
ତୁଚ୍ଛା ସ୍ଵପ୍ନର ଭେଳିକିରେ
ଆପଣା ଗରଜର
ଫିସାଦି କରୁଛ ?

ଜଣା କଥା ହେ ଏଇଟା
ବାଟଫାଟ କିଛି ନୁହେଁ,
ସୁଖ ବୋଲି କାଣିଚାଏ
ଡଙ୍ଗରିଆର କପାଳରେ ନାହିଁ
ସବୁବେଳେ ଏମିତି ସେ
ଆଉକାହାର ବୋଲ ମାନୁଥାଏ,
ପୋଷେ ଚାଉଳ ଅବା ତାଟିଆଏ ମାଣ୍ଡିଆ ପାଇଁ
ଆଉ କାହା ଇଶାରାରେ
ବଞ୍ଚିଥାଏ …
ପାହାଡ଼ ସେପଟେ ଭାସି ଯାଉଥିବା
କଳାହାଣ୍ଡିଆ ମଳେଇକୁ ଚାହିଁ,
ପାଣି ଟୋପେ ପାଇଁ
କେନ୍ଦୁପତ୍ର ସାଙ୍ଗେ ଛାତିର ଅର୍ଗଳିରୁ
ରକତର ଫୁଲ ତୋଳୁଥାଏ ।

ମାତୃନୀଡ଼, କମାରିଆ, ତିହିଡ଼ି, ମୋ – ୭୦୬୪୭୭୮୨୪୭

ଲେଖକ ପରିଚୟ

ପ୍ରାୟ ୩୦ ବର୍ଷ ହେବ ଲେଖାଲେଖି କରିଆସୁଛି । ପ୍ରଥମେ ଗପ ଓ ଶିଶୁସାହିତ୍ୟ ଲେଖୁଥିଲା ବେଳେ ଏବେ ପ୍ରାୟ କବିତା ଓ ଗୀତ ଲେଖୁଛି । ଆକାଶବାଣୀ କଟକର ଯୁବବାଣୀ, କିଶୋର ଚକ୍ର ଓ ଶିଶୁ ସଂସାରରେ ଅନେକ ଗପ ଓ କବିତା ପ୍ରଚାରିତ ହୋଇଥିବାବେଳେ ଗୋଟିଏ ଓଡ଼ିଆ ସିନେମା ଓ ତିନୋଟି କ୍ୟାସେଟରେ ଭଜନ ସହିତ ଆଧୁନିକ ଗୀତ ଲେଖିଛି । ଏଯାବତ ଦୁଇଟି କବିତା ସଂକଳନ ପ୍ରକାଶିତ । ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ୨୦୦ ରୁ ଉର୍ଦ୍ଧ କବିତା ପ୍ରକାଶିତ ।

Related Posts

Leave a Reply

Your email address will not be published. Required fields are marked *