ଜୀବନବ୍ୟାପୀ ସାହିତ୍ୟ ସାଧନା ପାଇଁ ଦେବ୍ରାଜ ଲେଙ୍କା ପାଇବେ ‘ତପସ୍ୟା ଶାଶ୍ୱତ ପୁରସ୍କାର’

ଭୁବନେଶ୍ଵର : ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାରଦିଗରେ ନୀରବଛିନ୍ନ କାର୍ଯ୍ୟ କରୁଥିବା ତପସ୍ୟା ଫାଉଣ୍ଡେସନ ପକ୍ଷରୁ ୨୦୨୨ ମସିହା ପାଇଁ ଓଡ଼ିଆ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି । ବର୍ଷିୟାନ ସାହିତ୍ୟିକ ଦେବ୍ରାଜ ଲେଙ୍କାଙ୍କୁ ‘ତପସ୍ୟା ଶାଶ୍ୱତ ପୁରସ୍କାର-୨୦୨୨’, ନିଗମାନନ୍ଦ ଷଡ଼ଙ୍ଗୀ ଓ ରଞ୍ଜନା ପାଢ଼ୀଙ୍କୁ ଯୁଗ୍ମ ଭାବେ ‘ତପସ୍ୟା ସୃଳନ ପୁରସ୍କାର-୨୦୨୨’ ଏବଂ ତରୁଣ ଲେଖକ ଯୀଶୁକ୍ରିଷ୍ଣ ଦାସଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର-୨୦୨୨’ରେ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଛି । ଏହି ପୁରସ୍କାର ବାବଦକୁ ଯଥାକ୍ରମେ ୫୦ ହଜାର, ୩୦ ହଜାର ଏବଂ ୨୦ ହଜାର ଟଙ୍କା ସମେତ ମାନଫଳକ ଏବଂ ଉପାୟନ ପ୍ରଦାନ କରାଯିବ ବୋଲି ତପସ୍ୟା ଫାଉଣ୍ଡେସନର ଟ୍ରଷ୍ଟି ଜୁଲି ମିଶ୍ର ସୂଚନା ଦେଇଛନ୍ତି ।

ଚଳିତ ବର୍ଷଠାରୁ ନୂତନ ଭାବେ ତପସ୍ୟା ଫାଉଣ୍ଡେସନ ଫେଲୋସିପ୍ ପ୍ରଦାନ କରାଯିବ ବୋଲି ମଧ୍ୟ ସ୍ଥିରୀକୃତ ହୋଇଛି । ଏହି ପରିପ୍ରେକ୍ଷୀରେ ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ରଙ୍କୁ ପ୍ରଥମ ଫେଲୋସିପ୍ ପ୍ରଦାନ କରାଯିବ । ‘ଭାରତୀୟ ଭକ୍ତି କବିତା’ ଶୀର୍ଷକ ପ୍ରକଳ୍ପରେ ସେ ଗବେଷଣା କରିବେ । ଫେଲୋସିପ୍ ବାବଦରେ ତାଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ ଏବଂ ଫାଉଣ୍ଡେସନ ଅର୍ଥରେ ଏହି ପ୍ରକଳ୍ପର ପୁସ୍ତକ ପ୍ରକାଶ କରାଯିବ ବୋଲି ଶ୍ରୀମତୀ ମିଶ୍ର ପ୍ରକାଶ କରିବା ସହିତ ପୁରସ୍କୃତ ହେବାକୁ ଥିବା ଲେଖକମାନଙ୍କୁ ଅଭିବାଦନ ଜଣାଇଛନ୍ତି ।

ସୂଚନାଥାଉ ଯେ ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ ଥିବା ତିନି ପୀଢ଼ିର ସାହିତ୍ୟିକଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ୨୦୧୮ ମସିହାରୁ ଏହି ‘ତପସ୍ୟା ଫାଉଣ୍ଡେସନ’ ପକ୍ଷରୁ ରୀତିମତ ପୁରସ୍କାର ପ୍ରଦାନ କରାଯାଉଛି ।

Related Posts

Leave a Reply

Your email address will not be published. Required fields are marked *