ସର୍ବେଶ୍ଵର ଦାଶଙ୍କ ଆତ୍ମଜୀବନୀ ‘ମୋ କାହାଣୀ’ର ଦ୍ଵିତୀୟ ଭାଗ ଉନ୍ମୋଚିତ

ଭୁବନେଶ୍ୱର : ‘ଶିକ୍ଷାସନ୍ଧାନ’ ତଥା ରେଭେନ୍ସା ଇଂରାଜୀ ବିଭାଗର ପୁରାତନ ଛାତ୍ର ସଂସଦର ଆନୁକୂଲ୍ୟରେ ରାଜ୍ୟର ବିଭିନ୍ନ ଅଗ୍ରଣୀ ସରକାରୀ କଲେଜରେ ଜଣେ ଛାତ୍ରବତ୍ସଳ ଅଧ୍ୟାପକ ତଥା ଅଧ୍ୟକ୍ଷ ଭାବରେ ସୁନାମ ଅର୍ଜନ କରିଥିବା ସର୍ବେଶ୍ଵର ଦାଶଙ୍କର ଅବର୍ତ୍ତମାନର ୧୪ ବର୍ଷ ପରେ ତାଙ୍କ ଆତ୍ମଜୀବନୀ, ‘ମୋ କାହାଣୀ’ର ଦ୍ଵିତୀୟ ଭାଗ ସ୍ଥାନୀୟ ଏକ ଘରୋଇ ହୋଟେଲରେ ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରେଭେନ୍ସା ବିଶ୍ଵବିଦ୍ୟାଳୟର କୁଳପତି ସଞ୍ଜୟ କୁମାର ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ସ୍ଵର୍ଗତ ଦାଶଙ୍କର ଅନେକ ଛାତ୍ର, ଅଧ୍ୟାପକ ତଥା ସାହିତ୍ୟିକମାନେ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଏକଦା ଏକ ଛାତ୍ର ଆନ୍ଦୋଳନ ସମୟରେ ସ୍ଵର୍ଗତ ଦାଶ ପୋଲିସ ଲାଠି ଓ ଗୁଳିମାଡ଼ରୁ ନିଜର ପ୍ରିୟ ଛାତ୍ରମାନଙ୍କୁ ବଞ୍ଚାଇବାକୁ ଯାଇ କଲେଜ ଗେଟ୍ ବାହାରକୁ ଆସି ଯାଇଥିଲେ । ରେଭେନ୍ସା କଲେଜର ସେ ତୁମୁଳ କାଣ୍ଡରେ ପୋଲିସ ମାଡ଼କୁ ନିଜ ଉପରକୁ ନେଇ ଶେଷରେ ରକ୍ତ ଜୁଡୁବୁଡୁ ହୋଇ ସଂଜ୍ଞାହୀନ ହୋଇ ପଡ଼ିଥିଲେ, ଯେଉଁ ଘଟଣା ବେଶ ଭଲ ଭାବରେ ବର୍ଣ୍ଣନା କରାଯାଇଛି ଉନ୍ମୋଚିତ ଆତ୍ମଜୀବନୀ ପୁସ୍ତକରେ ବୋଲି ପ୍ରକାଶକ ଅନିଲ ପ୍ରଧାନ ସୂଚନା ଦେଇଥିଲେ । ଏଥିସହିତ ସେ ରେଭେନ୍ସା ଇଂରାଜୀ ବିଭାଗ ଆଲୁମିନି ଆସୋସିଏସନ୍’ର ସମ୍ପାଦକ ପ୍ରଦୋଷ କୁମାର ମହାନ୍ତିଙ୍କ ସମେତ ଉପସ୍ଥିତ ବ୍ୟକ୍ତିଙ୍କୁ ଧନ୍ୟବାଦ ମଧ୍ୟ ଅର୍ପଣ କରିଥିଲେ । ସୂଚନାଥାଉ ଯେ ସ୍ଵର୍ଗତ ଦାଶଙ୍କ ଦ୍ଵାରା ଲିଖିତ ଆତ୍ମଜୀବନୀର ପ୍ରଥମ ଭାଗଟି ୨୦୦୯ ମସିହାରେ ପ୍ରକାଶ ପାଇଥିଲା । ଏହାପରେ ଏହାର ଦ୍ଵିତୀୟ ଭାଗଟି ବିଷୟରେ ସଠିକ ତଥ୍ୟ ନମିଳି ପାରିବାରୁ ତାହା ପ୍ରକାଶ କରିବା ସମ୍ଭବ ହୋଇ ପାରିନଥିଲା ।

Related Posts

Leave a Reply

Your email address will not be published. Required fields are marked *