ପ୍ରକାଶ ତ୍ରିପାଠୀ
କାଲି ଅଧରାତିରେ ହଠାତ କଲିଂବେଲ ବାଜିଲା । ଏତେ ରାତିରେ କିଏ ଆସିପାରେ ! ନୀଳ ବେଡ଼ଲାଇଟର ଝାପ୍ସା ଆଲୁଅରେ ଘଣ୍ଟା ଆଡ଼େ ଚାହିଁଲି । ମସାରି ଭିତରୁ କିଛି ଦେଖାଗଲା ନାହିଁ । ତକିଆ ପାଖରୁ ମୋବାଇଲ ଫୋନ ନେଇ ଦେଖିଲି । ରାତି ସାଢ଼େ ଗୋଟେ । ପୁଣି ଥରେ କଲିଂବେଲ ବାଜିଲା । ମନେମନେ କହିଲି, “ଆରେ ଟିକେ ରୁହ । ଏତେ ବ୍ୟସ୍ତ କାହିଁକି ? ଦିଇଟା କବାଟ ଖୋଲି ଗେଟ ପାଖରେ ପହଞ୍ଚିବାକୁ ଅତିକମରେ ତ ପାଞ୍ଚ ମିନିଟ ଲାଗିବ ନା !”
ବୈଶାଖୀ ନିଘୋଡ଼ ନିଦରେ ଶୋଇଛି । ଏମିତି ଛୋଟମୋଟ ଶବ୍ଦରେ ତା’ ନିଦ ସହଜେ ଭାଙ୍ଗେନି । ଏଇଥିପାଇଁ ବେଳେବେଳେ ମୋତେ ତା’ ନିଦ ଉପରେ ଭାରି ରାଗ ଆସେ । ତଥାପି ନିଦରେ ସେ ଖୁବ ସୁନ୍ଦର ଲାଗେ । ମୁଁ ଚାହୁଁନଥିଲି ବୈଶାଖୀର ନିଦ ଭାଙ୍ଗୁ । ସେଥିପାଇଁ ଆଉଥରେ କଲିଂବେଲ ବାଜିବା ପୂର୍ବରୁ ମୁଁ ଯେମିତିହେଲେ ଗେଟ ପାଖରେ ପହଂଚିଯିବାକୁ ତରତର ହେଲି । ବେଡ଼ରୁମ କବାଟ ଖୋଲି ଡ୍ରଇଂରୁମକୁ ଆସିଲି । ଅଣ୍ଡାଳିଅଣ୍ଡାଳି ଲାଇଟ ଅନ୍ କଲି । ଖୁବ ଝାପ୍ସା ଲାଇଟ । ବୋଧେ ସିଙ୍ଗିଲି ଫେଜ୍ । ନହେଲେ ଏତେ ଡିମ୍ ଲାଇଟ ନଥାନ୍ତା । ଟର୍ଚ୍ଚ ଧରି ବାହାର ଗେଟ ପର୍ଯ୍ୟନ୍ତ ଆସିଲି । ଗେଟ ଖୋଲୁଖୋଲୁ କେହିଜଣେ ମୋତେ କୁଣ୍ଢାଇ ପକାଇଲା । କିଏ ମୋର ଏମିତି ଅନ୍ତରଙ୍ଗ ? ଏ କେମିତି ଆଗନ୍ତୁକ ? କଥା ନାହିଁ, ବାର୍ତ୍ତା ନାହିଁ, ରାତି ଅଧରେ ଏମିତି ଅତର୍କିତ ଆଲିଙ୍ଗନ ?
ତା’ ଆଲିଙ୍ଗନରେ କି ସମ୍ମୋହନ ଥିଲା କେଜାଣି, ମୁଁ ଶିହରିତ ହୋଇଉଠୁଥିଲି । ତା’ ବହୁବନ୍ଧନରୁ ଯେତେ ମୁକୁଳିବାକୁ ଚେଷ୍ଟା କରିଥିଲେ ବି ମୁଁ ନିଜକୁ ଶକ୍ତିହୀନ ଅନୁଭବ କରୁଥିଲି । କେଜାଣି କାହିଁକି ତା’ ଆଲିଙ୍ଗନରୁ ମୁକ୍ତ ହେବାକୁ ଆଦୌ ଇଛା ହେଉନଥିଲା । ବିତିଯାଉ କିଛି ମୁହୂର୍ତ୍ତ ।
ଇଏ ଆଉ ମୌସୁମୀ ନୁହେଁ ତ ! ଜୁନ ତେର ତାରିଖରେ ଆମ ସହରକୁ ଆସିବ ବୋଲି କିଛି ଦିନ ତଳେ ଫୋନ କରିଥିଲା । ହଁ, ଆଜି ତ ତେର ତାରିଖ । ଇଏ ନିଶ୍ଚିତ ମୌସୁମୀ ।
-ଆଉ ବେଶି ଫାଜିଲାମୀ କରନା ମୌସୁମୀ । ମୋତେ ମୁକ୍ତ କର ।
-କେତେ ଦିନ ପରେ ଦେଖା ହେଉଛି, ଏତେ ସହଜରେ ତୁମକୁ ଛାଡ଼ିବିନି ।
ଆହୁରି ଜୋରରେ ମୋତେ ଜାବୁଡି ଧରିଲା ମୌସୁମୀ ।
-ଧରିଥାଅ, ବୈଶାଖୀ ଯଦି ଉଠି ପଡ଼ିବ ତେବେ ? ତା ପରବର୍ତ୍ତୀ ଘଟଣା ପାଇଁ ମୋତେ ଦୋଷ ଦେବନି, କହି ଦଉଛି ।
ବୈଶାଖୀ କଥା ଶୁଣୁଶୁଣୁ ମୌସୁମୀର ହାତ କୋହଳ ହୋଇଗଲା । ସେ ଭଲ ଭାବେ ବୈଶାଖୀକୁ ଜାଣିଛି । ଅତୀତରେ ତା’ ସହିତ ମୌସୁମୀର ଥରେ ଦୁଇଥର ଆମ୍ନାସାମ୍ନା ହୋଇଛି ଓ ଫଳାଫଳ ଆଦୌ ଭଲ ନଥିଲା । ମୌସୁମୀ ସହ ମୋର ପୁରୁଣା ସମ୍ପର୍କ ବିଷୟରେ ବୈଶାଖୀ କିଛିକିଛି ଜାଣେ । ସେଥିପାଇଁ ସେ ମୌସୁମୀକୁ ଈର୍ଷା କରେ । ମୌସୁମୀକୁ ନେଇ ଆମ ଭିତରେ କେତେଥର ଝଗଡ଼ା ବି ହୋଇଛି । ହେଲେ ମୁଁ ସେସବୁକୁ ଚତୁରତା ଓ ସଫଳତାର ସହ ସମାଧାନ କରିଦେଇଛି । ମୌସୁମୀ ସହ ମୋର ଏବେବି ସମ୍ପର୍କ ଅଛି ବୋଲି ବୈଶାଖୀ ଜାଣିଥିଲେ ବି ତାର କୌଣସି ପ୍ରମାଣ ବୈଶାଖୀ ପାଖରେ ପହଞ୍ଚିବାକୁ ମୁଁ ଦେଇନାହିଁ କି ଦେବି ନାହିଁ ।
ମୌସୁମୀ ଯିବାକୁ ବାହାରିଲା । ତାକୁ ନେଇ ବୈଶାଖୀ ଓ ମୋ ଭିତରେ ରାତିଅଧରେ କିଛି ଗୋଟେ ଝଗଡ଼ା ହେବା ସେ ଚାହୁଁ ନଥିଲା ।
-କେତେ ଦିନ ରହିବ ? ପଚାରିଲି ।
-ତଥାପି କାମ ସରୁସରୁ ଅତିକମ୍ ରେ ଦୁଇମାସ ଲାଗିବ । କାଲି ଘରକୁ ଆସ । ଗପିବା, ମଜ୍ଜା କରିବା ।
ମୌସୁମୀ ତା’ ଗାଡ଼ି ପାଖକୁ ଗଲା । ମୁଁ ବି । ବିଦାୟ ଦେଇ ରୁମ୍ କୁ ଫେରିଲି ।
ବୈଶାଖୀ ଚେୟାର ଉପରେ ବସିଛି । ଚମକି ପଡ଼ିଲି । ମୌସୁମୀ ଓ ମୋ କଥାବାର୍ତ୍ତା ସେ ଶୁଣିଛି କି ?
-ରାତି ଅଧରେ ବାହାରକୁ କୁଆଡ଼େ ଯାଇଥିଲ । ଜୁଡୁବୁଡୁ ଓଦା ହୋଇଯାଇଛ, ବର୍ଷା ହେଉଛି କି ?
ବୈଶାଖୀକୁ ଉତ୍ତର ନଦେଇ ମୁଁ ମୋ ଦେହକୁ ଚାହିଁଲି । ସତେ ତ ! ପୁରା ଭିଜି ଯାଇଛି । ମୌସୁମୀ ମୋତେ ଜାବୁଡ଼ି ଧରିଥିଲା ତ, ସେଥିପାଇଁ ମୋର ଏ ଅବସ୍ଥା । ଦୁଇମାସ ଏଠି ରହିବ ମୌସୁମୀ । ଅଧିକ ପୁଲକିତ ହୋଇଉଠୁଥିଲି ମୁଁ ।
କୋଣାର୍କ, ପୁରୀ
ଲେଖକ ପରିଚୟ
ପେସା ସରକାରୀ ସେବା, ନିଶା ସାହିତ୍ୟ । କଲେଜ ପଢ଼ିବାଦିନୁ ଲେଖାଲେଖି ପ୍ରତି ଦୁର୍ବଳତା । ଆମ ସମୟର ଜଣେ ସୁପରିଚିତ ସ୍ତମ୍ଭକାର, ଗାଳ୍ପିକ ଓ ସମାଲୋଚକ ଭାବେ ପରିଚିତ ସେ । ତାଙ୍କ ରଚିତ ଗଳ୍ପ ସଂକଳନ ଭିତରେ ‘ବାଆଁ ହାତ’, ‘ନଷ୍ଟ’ ଓ ପ୍ରବନ୍ଧ ସଙ୍କଳନ ଭିତରେ ‘ତଥାପି ଈଶ୍ୱର’, ‘ଭାବିବାର କଥା’ ଓ ‘ଅପହୃତ ସମ୍ପର୍କ’ ବେଶ ଜନାଦୃତ । ତାଙ୍କ ଲେଖାଗୁଡ଼ିକ ସାଂପ୍ରତିକ ସାମାଜିକ ସମସ୍ୟା ତଥା ଭାରତୀୟ ସଂସ୍କୃତି ଓ ପରମ୍ପରା ଭିତ୍ତିକ । ବିଶେଷ କରି ସମସ୍ତଙ୍କ ପାଖରେ ସମୟର ଅଭାବକୁ ଉପଲବ୍ଧି କରି କ୍ଷୁଦ୍ର ଓ ମିନିଗଳ୍ପ ଲେଖିବାକୁ ସେ ପସନ୍ଦ କରନ୍ତି ।