ସ୍ନେହାଶିଷ ତ୍ରିପାଠୀ
![](http://odishasahitya.com/wp-content/uploads/2023/04/ସ୍ନେହାଶିଷ-ତ୍ରିପାଠୀ-300x300.jpg)
ମୁଁ କେଉଁ ଏକ ଦୁର୍ଗମ ଇଲାକାର ମଫସଲି ଝିଅଟିଏ…
ନାଆଁ ମୋର ସୁନୟନା…।
ଛାତିରେ ଦୁଃଖର ପାହାଡ଼କୁ ଚାପି ରଖି ବି
ହସିପାରେ ମନଖୋଲା ହସ…
ପର ଦୁଃଖ ଦେଖି
ହୋଇପାରେ ମୁଁ ସମଦୁଃଖୀ…।
ଆପଣାର ହୋଇପାରେ
ତୁଣ୍ଡ ଖୋଲୁ ନଥିବା ପଶୁପକ୍ଷୀମାନଙ୍କର…
ମନର ଅବ୍ୟକ୍ତ ଭାବକୁ ନିଃସଙ୍କୋଚରେ ପ୍ରକାଶ କରିପାରେ ସେମାନଙ୍କ ନିକଟରେ…।
ବେଳେବେଳେ ଇଚ୍ଛା ହୁଏ…
ପାଠ ଦି’ ଅକ୍ଷର ପଢ଼ିଥା’ନ୍ତି କି…
ଦେଶଦୁନିଆ ବିଷୟରେ କିଛି ଜାଣିଥାନ୍ତି…
ହେଲେ ପୁଣି ଭାବେ…
ଏଁ…! ପାଠ ପଢିଲେ ଘର କାମ କିଏ କରିବ…?
ରୋଗୀଣା ବୋଉଟାର ସେବା କିଏ କରିବ…?
ବୁଢ଼ା ବାପାଟା କଥା କିଏ ବୁଝିବ…?
ପାଠ ପଢିବାର ଆଶା ମଉଳିଯାଏ ମନରୁ…।
ପୁଣି କେବେ ପୂର୍ଣ୍ଣମୀ ରାତିରେ ଚାନ୍ଦକୁ ଦେଖି ମନେମନେ ହସେ…
ଆଉ ଭାବେ, କେବେ ଆସିବ ମୋ ମନର ମଣିଷ ପକ୍ଷୀରାଜ ଘୋଡ଼ାରେ ଚଢ଼ି…
ନେଇଯିବ ମୋତେ ତା’ ସପନ ରାଇଜକୁ…!
ପୁଣି ଛନକା ପଶେ ମନରେ…
ନା ବାବା ନା…
ଯଦି ସତସତିକା କିଏ ମୋ ମନ ଚୋରି କରିନିଏ…?
ଯଦି ସତସତିକା କିଏ ନେଇଯାଏ ମୋତେ ସପନ ରାଇଜକୁ…?
ମୁଁ ତ ଏ ମଫସଲକୁ ପୁରା ଭୁଲିଯିବି…!
ନା…ଦରକାର ନାହିଁ ମୋର ରାଜକୁମାର…
ଦରକାର ନାହିଁ ମୋର ପକ୍ଷୀରାଜ ଘୋଡ଼ା…
ଦରକାର ନାହିଁ ମୋର ସପନ ରାଇଜ…।
ଏଇ ନିପଟ ମଫସଲ ହିଁ ମୋ ସ୍ଵର୍ଗ…
ଏଇ ନିପଟ ମଫସଲ ହିଁ ମୋ ସ୍ଵର୍ଗ…।
କାଶିପୁର, ବାସୁଦେବପୁର, ଭଦ୍ରକ
ଲେଖକ ପରିଚୟ
ପିଲାବେଳୁ ପ୍ରଚୁର ଗପ ପଢ଼େ । କବିତା ଆଡ଼କୁ ସେତେ ଧ୍ୟାନ ଯାଇନି । ହେଲେ ଫେସବୁକ୍ ରେ ନୃସିଂହ ଚରଣ ଷଡ଼ଙ୍ଗୀ, ଗିରିଜା କୁମାର ବଳୀୟାରସିଂହ ଭଳି ସୁନାମଧନ୍ୟ କବିଙ୍କ ସହିତ କେତେକ ଯୁବକବିଙ୍କ ପଢି କବିତା ଆଡ଼କୁ ଆକୃଷ୍ଟ ହେଲି । ଏମିତିକି ପ୍ରଶିକ୍ଷକ/ପ୍ରଶିକ୍ଷିକାମାନେ ଟିଚିଙ୍ଗ୍ଗ ଡେମୋ ଦେଲାବେଳେ ବିଭିନ୍ନ ଗଳ୍ପ ଓ କବିତା ମାଧ୍ୟମରେ ଶିକ୍ଷାକୁ ଆନନ୍ଦଦାୟୀ କରାଇପାରୁଛନ୍ତି, ଯାହା ଦେଖି ଆହୁରି ପ୍ରଭାବିତ ହେଲି । ଅତଏବ ପ୍ରାୟ ଦୁଇ ବର୍ଷ ହେବ ଲେଖାଲେଖି ଆରମ୍ଭ କରିଛି ।