ନୃସିଂହ ତରାଇ

କେବେ କେବେ ରାତି
ରକ୍ତାକ୍ତ ହେଉଥାଏ
କେବେ କାନ୍ଦେ
କେବେ କାତର ହୁଏ
କେବେ କେବେ ବଖାଣୁଥାଏ
ବିବସତା, ବ୍ୟର୍ଥତାକୁ ।

ଅବରୁଦ୍ଧ ଆକାଶର
ପ୍ରତିବିମ୍ବମାନେ
ପ୍ରତିଭାତ ହେଉଥାନ୍ତି
ରାତିର ରଙ୍ଗରେ ।

ଅନ୍ଧାରର ଆଖିମାନେ
ଖୋଜୁଥାନ୍ତି ପୁଳାଏ
କଅଁଳ ପାପ
ନଚେତ ଗୋଟେ ନିରିହପଣର
ଶିକାର କରିବାକୁ ।

ସାମ୍ନାରେ ଅନ୍ଧାରର
ଅଜସ୍ର ଆସର ।

ପାଗଳପଣର ଦଳେ ଠିକାଦାର
ଉନ୍ମାଦ, ଅସହିଷ୍ଣୁତାରେ
ଖେଳୁଛନ୍ତି ଖେଳ
ଅଭିସନ୍ଧିର ଆଖଡ଼ାଶାଳରେ ରଚି
ଘୃଣାର ନାଟକ ।

ଏବେ ରାତିର ରଙ୍ଗରେ ଦେଖ
ଚହଟୁଛି ଚିତ୍ର
ଅସାମର୍ଥ୍ୟ ମଣିଷର
କ୍ଷୁଧା, ଶୋକ
ନିର୍ମମତା, ଯନ୍ତ୍ରଣା ଓ
ଲୁହର ନିର୍ଝର ।

   ପୂର୍ବତଟ ରେଳବାଇ, ଭୁବନେଶ୍ୱର, ମୋ- ୭୯୭୮୩୮୧୨୧୩

ଲେଖକ ପରିଚୟ

ପ୍ରେମ, ପ୍ରତିବାଦ ହିଁ ନୃସିଂହ ତରାଇଙ୍କ କାବ୍ୟ ଚେତନାର ମୂଳଭିତ୍ତି । ଏଯାବତ ତାଙ୍କର ୫ ଗୋଟି କବିତା ସଙ୍କଳନ ପ୍ରକାଶିତ ହୋଇ ବେଶ ପାଠକ ଆଦୃତି ପାଇଛି ।

Related Posts

Leave a Reply

Your email address will not be published. Required fields are marked *