ସଂଘମିତ୍ରା ସାମନ୍ତରାୟ

କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଛବି ଭଳି
ପାପୁଲିର ମୁଦ୍ରାରେ ଏକ ଦୀର୍ଘସୂତ୍ରୀ ଜୀବନରେଖା,
ସାଇତି ରଖିବାର ଅଭିପ୍ରାୟରେ ଯେତେଯେତେ
ଶବ୍ଦମାନଙ୍କର ଆତଯାତ ଓ ଅନ୍ୟମନସ୍କତା
ହୁଏତ ହୋଇପାରେ କବିର କବିତା ।
ଏତେ ଦ୍ରୁତ ହୋଇପାରେ ସେମାନଙ୍କ ଗତି
କଳନା ବାହାରେ, ତୁମ ସ୍ଥବିରତାର ଉହାଡ଼ରେ
ଡେଇଁପଡ଼ନ୍ତି ଭାବନାର ଚୌହଦୀ,
ତଥାପି ଚୋରା କବିତାର ଧାଡ଼ି ପରି ସେମାନେ
ସଜିଲ୍ ଦେବତାଙ୍କ ମଥାଫୁଲ ହୋଇ,
ଜଣାନାହିଁ କେତେ ଧାଡ଼ି ଫୁଲଗଛ ମୋର
କେତେ ଯୋଡ଼ା ପ୍ରଜାପତିଙ୍କ ସେଠି ଆତଯାତ,
ଅଥଚ ସବୁକିଛି ଗୋଟେ ସୁରିଲା ଗଜଲ୍ ପରି ବେଶ୍ ଭାବମୟ ।
ସେଇଠି ଯାହାଯାହା ଘଟୁଥିଲା, ଘଟୁଛି ଓ ଘଟୁଥିବ ବାରମ୍ବାର
ସୂର୍ଯ୍ୟଘଡ଼ିର ଛାଇକୁ ପିଠି କରି ପବନ ଗାଇଚାଲେ ଗୀତ,
ଯାହା କିଛି ଖସି ଯାଉଛି ମୁଠାମୁଠା ବାଲି,
ସେମାନେ କୁହନ୍ତି ଫେରିବେନି ଆଉ କାଲି,
କେବଳ ବିଗତ ଦିନର ଫସିଲ୍ ତଳୁ ଚିକ୍ ଚିକ୍ ଦିଶେ ଯାହା
ତାହା ହୋଇ ବି ପାରେ ନହୋଇ ବି ପାରେ ଅଭ୍ରଖଣ୍ଡ,
ଖୋଲା ଆଖି ଓ ମନକୁ ବେଶ୍ ଲୋଭନୀୟ, ସେତିକି ବୁଝିନିଅ ।
ଅପେକ୍ଷାକୁ ଯେ’ କିଆଁ ଏତେ ଡର, ସେଯାଏଁ ଅଛି ସ୍ଥିର
ଚଞ୍ଚଳତାର ଚପଳାମୀରୁ ବହୁଦୂର,
ଢେଉସବୁ ଫେରିଗଲା ପରେ, ଧୋଇ ଯାଉଥିବ ପାଦଚିହ୍ନ ସବୁ
ଫେଡୁଥିବେ ଅନ୍ଧାରର ଦିଶା, ସେପଟୁ ସେତିକିବେଳେ
ଫୁଲଟିଏ ଖସୁଥିବ ଦିଅଁଙ୍କ ମଥାପରୁ, ଅଖଣ୍ଡ ବିଶ୍ଵାସରେ
ପ୍ରାର୍ଥନାର ସ୍ଵର ତୋଳୁଥିବେ ଫୁଲମନା ମୋର ।
ଭୁବନେଶ୍ଵର, ମୋବାଇଲ – ୯୯୩୭୬୧୪୧୬୨
ଲେଖକ ପରିଚୟ
ସ୍କୁଲ ହେଉ ଅବା କଲେଜ, ପଢ଼ା ସମୟରେ କିଛି କିଛି ଲେଖୁଥିଲି ହେଲେ ପ୍ରକୃତ ଲେଖିବା ନିଶା ଘାରିଲା ୧୯୯୫ ମସିହାରୁ । ଅଧିକାଂଶ କବିତା ମୋର ପ୍ରଜାତନ୍ତ୍ର, ସାପ୍ତାହିକି ଓ ଅଫିସ୍ ମ୍ୟାଗାଜିନ୍ ରେ ଗୁଡ଼ିକରେ ପ୍ରକାଶିତ ହୋଇଛି ଓ ହେଉଛି ବି । ବର୍ତ୍ତମାନ ଭାରତୀୟ ଜୀବନ ବୀମା ନିଗମରେ କାର୍ଯ୍ୟରତ । ଚାକିରିରୁ ଯେତେବେଳେ ବି ସମୟ ମିଳିଲା ଲେଖିବା ଆରମ୍ଭ ହୋଇଯାଏ ଓ ତାହା କ୍ରମେ ନିଶାରେ ପରିଣତ ହୋଇଗଲା । “ମଉଳା ମନର ମୁକୁଳା କଥା”, “ନଈ ସେପାଖ ସଞ୍ଜ”, “ଟିପେ ପୃଥିବୀର ମୋହ” ନାମରେ ଏଯାବତ୍ ତିନୋଟି କବିତା ସଂକଳନ ପ୍ରକାଶ ପାଇଛି ।