ରଜୀତ ଦାସ
କାଲି ହୁଏତ ମୁଁ ନଥିବି
ତମେ ଥିବ, କିମ୍ବା
ତମ ପରେ ଥିବ ଆଉ କିଏ
ତା’ ସହ ଥିବ ଏଇ ସମୁଦ୍ର ଗର୍ଜନ
ପକ୍ଷୀଙ୍କର ମଧୁର କୁଜନ ।
ବହୁଥିବ ନଈ
ଗାଁମୁଣ୍ଡ ପୋଖରୀରେ ଫୁଟୁଥିବ କଇଁ
ଗଛ ସାରା ଫୁଟୁଥିବ ଫୁଲ
ପବନରେ ଖେଳୁଥିବ
ତଳମୁଣ୍ଡ ଗାଁ ଧାନବିଲ ।
ମୁଁ ଯେବେ ପିଲା ଥିଲି
ଭାଙ୍ଗିଗଲା ମାଟିଖଞ୍ଜା ମୋର
ତା’ ସହ ମାଟିରେ ମିଶିଲା,
ବୁଢ଼ୀ ମା’ ଆଙ୍କିଥିବା କଉଡ଼ିର ଜନ୍ମ ଷଠିଘର ।
ମୋ ପରେ ଯାହା ସବୁ ଘଟିଯିବ ଏଇ ସଂସାରରେ
ଦେଖିବାକୁ ନଥିବି ମୁଁ ଅବା ଲଭିବାରେ
ସତ୍ତା ବି ହରେଇଥିବି ଗାଁମୁଣ୍ଡ ମଶାଣିର
ପାଉଁଶ ଭିତରେ ।
କାଲି ମୁଁ ନଥିବି ହୁଏତ
କିନ୍ତୁ ବର୍ଷସାରା ଆସୁଥିବ
ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ
ତା’ ସହ ହାଡ଼ଭଙ୍ଗା ଶୀତ ଓ ବସନ୍ତ ।
ମୁଁ ସିନା ଆସିବିନି,
କିନ୍ତୁ ସବୁଦିନେ ଆସୁଥିବ କଅଁଳି ସକାଳ
ଘଣ୍ଟଘଣ୍ଟା ଶୁଭୁଥିବ ମନ୍ଦିର ବେଢାରୁ
ମୋ ଗାଁରେ ବୁଡ଼ିଗଲେ ବେଳ
ଦିନରାତି ହେଉଥିବ
ହେଉଥିବ ସଞ୍ଜ ଓ ସକାଳ ।
ଶୁଣିବିନି ଆଉ କେବେ
ବାଛୁରୀର ହମ୍ମlହମ୍ମl ରଡ଼ି
ଖେଳିବିନି ବୋହୂଚୋରି
ନଈକାଲି ଗୁଲି ଓ ବାଗୁଡ଼ି
ଦେଖିବାକୁ ନଥିବି ମୁଁ ଗାଁମୁଣ୍ଡ ଦୂର ତାଳବଣ
ଭୁଲିଯିବି ଜେଜେଙ୍କର ସ୍ମୃତି ଭିଜା ଦି’ ହାତି ପାଞ୍ଚଣ ।
ଥରେ ଚାଲିଗଲା ପରେ
ଆଉ କେବେ ଆସିବିନି ଫେରି
ବାର ଦିନ ଗଲାପରେ ଧୀରେଧୀରେ
ତମେ ସବୁ ଯିବ ବି ପାଶୋରି ।
ମୁଁ କାଲି ଥିବି କି ନଥିବି
ତମେ ବୋଧେ ଥିବ……କିମ୍ବା ତା ପରେ ଆଉ କିଏ…..
ସିଙ୍ଗିଟାଳି, କୁଜଙ୍ଗ, ପାରାଦ୍ୱୀପ
ଲେଖକ ପରିଚୟ
ପେସା ଔଷଧ ବ୍ୟବସାୟ, ନିଶା ଓଡ଼ିଆ ସାହିତ୍ୟକୁ ଭଲପାଇବା । ଭଲ ପାଠକଟେ ହେବା । କବିତା ଓ ଗଳ୍ପ ଲେଖିବା । ସ୍କୁଲ ସମୟରୁ ଲେଖାଲେଖି ଆରମ୍ଭ କରିଥିଲେ ବି ସମୟର କସାଘାତରେ ସେସବୁ ରହିଯାଇଥିଲେ ପୁରୁଣା ବହିଥାକର ରଦ୍ଦିକାଗଜ ତଳେ । ଧୀରେଧୀରେ ପ୍ରକାଶ ପାଏ ମୋର ଚାରୋଟି କବିତା ସଙ୍କଳନ ‘ଶ୍ୱେତପଦ୍ମା’, ‘ସେଇ ଗାଁକୁ ନେଇ ଯା’, ‘ପିଲାବେଳ ଧୂଳିଖେଳ’ ଓ ‘ତନୁପ୍ରିୟା ସେଇ ଝିଅର ନାଁ’ ।