ସୁନନ୍ଦା ବି ମହାପାତ୍ର

ନିଜ ଢୋଲ ନିଜେ ପିଟି
କେତେ ଆଉ ଜାହିର କରିବି
ନିଜ ବଡ଼ପଣ, ନିଜର ଶ୍ରେଷ୍ଠତା
ଯୋଗାଡ଼ିବି ପ୍ରମାଣ !
କେତେ ଆଉ ଦେଖେଇବି
ଯୁଗଯୁଗ ଧରି
କେବଳ ସାମ୍ନା ପଟ,
ଯାହା ଖୁବ୍ ଚିକ୍କଣ,
ଏକଦମ ତୋଫା ଦିଶେ
ସଂସାରର ସ୍ଥୁଳ ଆଖିମାନଙ୍କୁ !

ଅବଶ୍ୟ ଅଛି କିଛି ପ୍ରାରବ୍ଧ,
କିଛି ପାଇଛି ଭାଗ୍ୟ ବଳରୁ
କିଛି ଉତ୍ତରାଧିକାରୀ ସୂତ୍ରରୁ
କିଛି ଗାଦି କୃପାରୁ
ଆଉ କିଛି କର୍ମବଳରୁ
ମୁଁ ନିଜେ ଯୋଗାଡ଼ିଛି
ବଡ଼ ଚତୁରତାର ସହିତ ।

କମ୍ ପରିଶ୍ରମ କରିନି ଏଥିପାଇଁ,
କେତେ ହାରି ଗୁହାରି
ତେଲମରା, ଚାପୁଲିସି
ଢେର୍ ଅର୍ଥ ଶ୍ରାଦ୍ଧ କରି
ଯୋଗାଡ଼ିଛି ମାଳମାଳ ମାନପତ୍ର,
ଥାକଭର୍ତ୍ତି ସୁନା-ରୁପା ପାଣିଛିଞ୍ଚା ଫଳକ,

ଟୋପାଏ ପ୍ରସିଦ୍ଧି ପାଇଁ,
ସମୁଦ୍ରେ ଅନିଚ୍ଛାକୃତ ଜହର ପିଇଛି ।
ହେଉ !
ପ୍ରଭୁ ବି ତ ଦିନେ ଧରିଥିଲେ
ଗଧ ବାପୁଡ଼ାର ପାଦ, ସ୍ୱାର୍ଥ ଲାଗି !
ମୁଁ ଛାର ମଣିଷ !
କୋଉ ଧନସମ୍ପତ୍ତି ଇଛୁଛି ଯେ !
ଏଇ ଟିକେ ପାଞ୍ଚଲୋକଙ୍କ
ବାଃ ବାଃ…!

ପାଇଲି ବି !
ପ୍ରବଳ କରତାଳି,
ସାଧୁ ! ସାଧୁ ! ଧ୍ୱନୀରେ
ସତେକି ମେଦିନୀ କମ୍ପିଲା,
ଭିତରେ ଭିତରେ
ଖୁସିରେ କୁରୁଳିଲି !
ଆଃ !
ଭୁରିଭୁରି ପ୍ରଶଂସାରେ
ଗୋଟାପଣେ ଓଦା ମୁଁ !
କୃତ୍ୟକୃତ୍ୟ ହୃଦୟ ମୋ’
ସତେକି କୃତାର୍ଥ ଜୀବନ…!

କିନ୍ତୁ, କେମିତି ଜାଣିଲି ନାହିଁ
ସେ ତାଳିର ଆଙ୍ଗୁଳି ଫାଙ୍କରେ
ଅଟ୍ଟହାସ୍ୟ, ଉପହାସଗୁଡ଼ା
ନୀରବରେ ଟପ୍ ଟାପ୍
ଗଳି ପଡ଼ିବାର !!

କଇଁଛର ଖୋଳପା ଭିତରେ ଥାଏ
ମିଛ ମଣିଷର ଅସଲି ଚରିତ୍ର
ହାତୀର ଭିତର ଆଉ ବାହାର ଦାନ୍ତ ପରି
ଉପରକୁ କିଛି, ଭିତରେ ଆଉ କିଛି ।

ଧାଇଁଧାଇଁ ଥକିଗଲା ପରେ ବୁଝିଲି
କେଡ଼େ ନିରର୍ଥକ, ମୂଲ୍ୟହୀନ
ଅକାରଣେ ଅର୍ଜିଥିବା ଏସବୁ ସମ୍ପତ୍ତି !
ଏତେ ସମୟ, ଶ୍ରମ, ନାକ ରଗଡ଼ିବା
ବିବେକର ଗୋଟାଏ ଛାଟରେ
ପାଣିରେ ମିଳେଇ ଗଲା ।
ପ୍ରସିଦ୍ଧି ଲାଳସାରେ
ହରେଇଲି ଅନେକ…
ଖୁବ୍ ପଛରେ ରହିଗଲେ
ପ୍ରିୟ ପରିଜନ,
ଅବହେଳିତ ଘର ପରିବାର ।
ସମ୍ବିତ ଫେରିଲା ବେଳକୁ ,
ସବୁ ମୋହ
ତୁଟିଲା ବେଳକୁ,
ନେଡ଼ିଗୁଡ଼ କହୁଣୀକି
ବୋହି ଯାଇଥିଲା ।

ବାଙ୍ଗାଲୋର, ମୋବାଇଲ – ୭୦୦୮୫୧୩୯୧୩

ଲେଖକ ପରିଚୟ

ମାତ୍ର ନଅବର୍ଷ ବୟସରୁ ସାହିତ୍ୟ ପ୍ରତି ରୁଚି ରଖିଥିବା ସୁନନ୍ଦା ବି ମହାପାତ୍ର ଉଭୟ ଓଡ଼ିଆ ଗଳ୍ପ ଓ କବିତାର ଏକ ପରିପକ୍ୱ ଓ ଶାଣିତ ସ୍ଵର । ତା’ଙ୍କର ପ୍ରଥମ ପ୍ରକାଶିତ ଗଳ୍ପ ସଂକଳନ ‘ଝଞ୍ଜାବର୍ତ୍ତ’ । ନୂଆ ମାନସିକତାର ଅନ୍ତର୍ଗମନ ତା’ଙ୍କ ଗଳ୍ପ ସୃଷ୍ଟିର ଏକ ବିଭାସିତ ଦିଗ ।

Related Posts

Leave a Reply

Your email address will not be published. Required fields are marked *