ରମାକାନ୍ତ ରଥ ପାଇବେ ‘ଆମ ଗୌରବ’ ସମ୍ମାନ

ପ୍ରବାସୀ ଭାଷା ସମ୍ମାନ-୨୦୨୨ ଘୋଷିତ

ଭୁବନେଶ୍ୱର: ନୂଆଦିଲ୍ଲୀ ସ୍ଥିତ ଓଡି଼ଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ସସ’ ଦ୍ୱାରା ପ୍ରତିବର୍ଷ ଆୟୋଜିତ ହେଉଥିବା ମାତୃଭାଷା ସମ୍ମିଳନୀ ଅବସରରେ ପ୍ରବାସୀ ଭାଷା ସମ୍ମାନ-୨୦୨୨ ଘୋଷଣା କରାଯାଇଛି ।
ଅନୁଷ୍ଠାନର ସର୍ବୋଚ୍ଚ ପୁରସ୍କାର ଆମ ଗୌରବ ସମ୍ମାନ ପ୍ରଥିତଯଶା କବି ଡ. ରମାକାନ୍ତ ରଥଙ୍କୁ ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ତାଙ୍କ ଜୀବନବ୍ୟାପୀ ଅବଦାନ ଲାଗି ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି । ଚଳିତ ବର୍ଷ ପାଇଁ ସ୍ତମ୍ଭ ସାହିତ୍ୟ ସମ୍ମାନ ବିଶିଷ୍ଟ କଥାକାର ତଥା ସ୍ତମ୍ଭକାର ଡ. ଗୌରହରି ଦାସଙ୍କୁ ପ୍ରଦାନ କରାଯିବ । ବିଦେଶରେ ଓଡି଼ଆ ଭାଷା, ସାହିତ୍ୟ ତଥା ସ୍ୱାଭିମାନ ରକ୍ଷା ପାଇଁ କାର୍ଯ୍ୟରତ ଜର୍ମାନର ଡ. ରାଜେନ୍ଦ୍ର ନାରାୟଣ ଦାସ, ବୈଦିକ ଭାବଧାରାକୁ ନିଜ ମାତୃଭାଷାରେ ସାଧାରଣ ଜୀବନରେ ପହଞ୍ଚାଇବାର ବିରଳ ପ୍ରୟାସରେ ବ୍ରତୀ ଇଂ. ପ୍ରିୟବ୍ରତ ଦାସ, ସାରସ୍ୱତ ସାଧନା ଓ ସାରସ୍ୱତ ସଂଗଠନ ପାଇଁ ଉତ୍ସର୍ଗୀକୃତ ବ୍ୟକ୍ତିତ୍ୱ ଡ. ବିଜୟାନନ୍ଦ ସିଂଙ୍କୁ ଚଳିତ ବର୍ଷ ସମ୍ମାନିତ କରାଯିବ । ଓଡି଼ଆ ଭାଷାକୁ ହିନ୍ଦୀରେ ଅନୁବାଦ କରିବାରେ ବିଶେଷ ଅବଦାନ ପାଇଁ ପ୍ରଫେସର ହରୀଶ ଚନ୍ଦ୍ର ମିଶ୍ର, ଓଡି଼ଆ ଭାଷା ବିଶେଷଜ୍ଞ ଡ. କୈଳାସ ଚନ୍ଦ୍ର ଟିକାୟତରାୟ, ଓଡି଼ଆ ଭାଷାକୁ ପାଲା ସଂସ୍କୃତି ମାଧ୍ୟମରେ ଲୋକପ୍ରିୟ କରିଥିବା ଗାୟକ ଶେଖର ଜଗନ୍ନାଥ ବେହେରା, ଓଡି଼ଆ ଭାଷାର ପୁରାତନ ସଙ୍ଗୀତ, ଚଳଚ୍ଚିତ୍ର ତଥା ବିରଳ କୃତିକୁ ସଂରକ୍ଷଣ କ୍ଷେତ୍ରରେ ସଂରକ୍ଷଣ ପାଇଁ ସୂର୍ଯ୍ୟ ଦେଓ, ଓଡି଼ଆ ସଙ୍ଗୀତ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଓମପ୍ରକାଶ ମହାନ୍ତି ଓ ଶିକ୍ଷା କ୍ଷେତ୍ରରେ ଓଡି଼ଆ ଭାଷାର ପ୍ରଚାର ପ୍ରସାର ପାଇଁ ବିଶେଷ ଅବଦାନ ରଖିଥିବା ଶିକ୍ଷକ ଦ୍ୱିତୀଚନ୍ଦ୍ର ସାହୁଙ୍କୁ ମଧ୍ୟ ସମ୍ମାନିତ କରାଯିବ । ଓଡି଼ଆ ଭାଷାର ଉନ୍ନତି ପାଇଁ ଯୁବପିଢ଼ିଙ୍କ ମଧ୍ୟରୁ ସୂର୍ଯ୍ୟସ୍ନାତ ତ୍ରିପାଠୀ ସାହିତ୍ୟ ପାଇଁ, ବଳଭଦ୍ର ରଥଙ୍କୁ ଓଡି଼ଆ ସଂସ୍କୃତିର ପ୍ରସାର ପାଇଁ ଓ ଅନୁରାଧା ମହାରଣାଙ୍କୁ ସାମ୍ବାଦିକତା ପାଇଁ ଯୁବ ପ୍ରେରଣା ସମ୍ମାନ ପ୍ରଦାନ କରାଯିବ ।
ଓଡି଼ଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଓ ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ଅନୁଷ୍ଠାନ ତରଫରୁ ଫେବ୍ରୁଆରି ୨୦ ଓ ୨୧ ତାରିଖରେ ଆୟୋଜିତ ହେବାକୁ ଯାଉଥିବା ମାତୃଭାଷା ମହାକୁମ୍ଭ ‘ଲାଙ୍ଗଫେଷ୍ଟ’ ଅବସରରେ ଏହି ସମ୍ମାନ ପ୍ରଦାନ କରାଯିବ ।
ସଂଗଠନର ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ରାଉତଙ୍କ ଆବାହକତ୍ୱରେ ଡ. ଭଗବାନ ପ୍ରକାଶ, ବିଶିଷ୍ଟ ସାହିତ୍ୟିକା ପଦ୍ମବିଭୂଷଣ ଡ. ପ୍ରତିଭା ରାୟ, ସୁନାମଧନ୍ୟ ଲେଖକ ଓ ପ୍ରଶାସକ ଦେବଦାସ ଛୋଟରାୟ, ଆଦିକବି ଶାରଳା ଦାସ ଚେୟାରର ମୁଖ୍ୟ ପ୍ରଫେସର ଡ. ଉଦୟ ନାଥ ସାହୁ, ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ ଏବଂ ବିଶିଷ୍ଟ କବି ତଥା ପୂର୍ବତନ ବୈଦେଶିକ ସଚିବ ଅମରେନ୍ଦ୍ର ଖଟୁଆଙ୍କ ମାର୍ଗଦର୍ଶନରେ ଏହି ପୁରସ୍କାର ଘୋଷଣା କରାଯାଇଛି ।

Related Posts

Leave a Reply

Your email address will not be published. Required fields are marked *