ବହି: ବୁଲେଟସ୍‍ ଓଭର ବମ୍ବେ
ଲେଖକ : ଉଦୟ ଭାଟ୍ଟିଆ
ପ୍ରକାଶକ: ହାରପର କଲିନ୍‍ସ
ପୃଷ୍ଠା: ୨୪୩, ମୂଲ୍ୟ: ୩୯୯ଟଙ୍କା

ହିନ୍ଦୀ ବାଣିଜ୍ୟିକ ଚଳଚ୍ଚିତ୍ରରେ ନାୟକ ପରି ଖଳନାୟକ ବି ଏକ ଗୁରୁତ୍ୱପୁର୍ଣ୍ଣ ସ୍ଥାନରେ ଅବସ୍ଥାପିତ । ଆଉ ସମୟ ସହିତ ଖଳନାୟକମାନଙ୍କ ସାମଗ୍ରିକ ଚରିତ୍ରାୟନରେ ଅନେକ ପରିବର୍ତ୍ତନ ହୋଇଛି । ଖଳନାୟକମାନେ କ୍ରମଶଃ ଅତି-ନାଟକୀୟ ଚରିତ୍ରରୁ ବାସ୍ତବୋଚିତ ବା ରିୟାଲିଷ୍ଟିକ୍‍ ହୋଇଛନ୍ତି । ଖଳନାୟକକୁ ସମ୍ପୂର୍ଣ୍ଣ ଖଳ ବୋଲି ଚିତ୍ରଣର ଧାରା ବଦଳିଛି । ଧଳା ଆଉ କଳା ଭିତରେ ଧୂଷର ରଙ୍ଗ ଅଛି । ମଣିଷର ଚରିତ୍ରରେ ବି ଧୂଷର ରଙ୍ଗ ଅଧିକ ଏହା କ୍ରମଶଃ ଖଳନାୟକମାନଙ୍କ ଚରିତ୍ରାୟନରେ ଦୃଶ୍ୟମାନ କରାଯାଇଛି ।

୧୯୮୦-୯୦ବେଳକୁ ହିନ୍ଦୀ ଚଳଚ୍ଚିତ୍ରରେ ଖଳନାୟକ ଭାବେ ଗ୍ୟାଙ୍ଗଷ୍ଟରମାନେ ଉଭାହୋଇ ଆସିଲେ । ସେ ସମୟରେ ବାସ୍ତବ ଜୀବନରେ ବମ୍ବେରେ କରୀମ ଲାଲା, ହାଜୀ ମସ୍ତାନ୍‍, ବର୍ଧରାଜନ ମୁଦଲୟର ପରି ସ୍ମଗଲରମାନଙ୍କର ରାଜତ୍ୱ ଚାଲୁଥିଲା । ସେମାନେ ସ୍ମଗଲିଙ୍ଗ୍‍ କରୁଥିଲେ, ସୁପାରୀ କିଲର (ଭଡ଼ାଟିଆ ହତ୍ୟାକାରୀ) ଥିଲେ ଆଉ ରାଜନୈତିକ ଦଳମାନଙ୍କୁ ମଧ୍ୟ ନିର୍ବାଚନରେ ସାହାଯ୍ୟ କରୁଥିଲେ । କିନ୍ତୁ ତା ସହିତ ସେମାନେ ଗରିବଙ୍କୁ ସାହାଯ୍ୟ କରନ୍ତି, ଏମିତି ଗୋଟେ ଧାରଣା ମଧ୍ୟ ସାଧାରଣରେ ହେଇଯାଇଥିଲା । ସ୍ମଗ୍‍ଲରମାନଙ୍କ ଏଇ ରବିନ୍‍ହୁଡ୍‍ ପରି ଚେହେରାକୁ ନେଇ ବେଶ୍‍ କିଛି ହିନ୍ଦୀ ସିନେମା ସେତେବେଳେ ହୋଇଥିଲା । ଯେମିତି ଦିୱାରରେ ଅମିତାଭ ବଚ୍ଚନ (୧୯୭୫), କମଲ ହସନଙ୍କର ନାୟକନ (୧୯୮୭) । ପରବର୍ଷ ହିନ୍ଦୀରେ ମଧ୍ୟ ଏହି ସିନେମାଟି ହୋଇଥିଲା, ତା ନାଁ ଥିଲା ଦୟାବାନ ।

୧୯୯୦ ବେଳକୁ ଗ୍ୟାଙ୍ଗଷ୍ଟର ମାନଙ୍କର ଏହି ଚିତ୍ର ଥିଲା ତାହା ବଦଳିବାକୁ ଲାଗିଲା । ବାସ୍ତବ ଜୀବନରେ ସେ ସମୟରେ ଦାଉଦ୍‍ ଇବ୍ରାହିମ୍‍, ଟାଇଗର ମେମନ ଭଳି ଗ୍ୟାଙ୍ଗଷ୍ଟରମାନେ ଉଭାହେଲେ ଏବଂ ସେମାନେ ଆତଙ୍କବାଦଆଡକୁ ଢ଼ଳିଲେ । ୧୯୯୩ରେ ବମ୍ବେରେ ଧାରାବାହିକ ଭାବେ ବୋମା ବିସ୍ଫୋରଣ ହେଲା । ସେଥିରେ ଅନେକ ସାଧାରଣ ଲୋକ ପ୍ରାଣ ହରେଇଲେ । ତା ପରଠୁ ବମ୍ବେ ଅଣ୍ଡରୱାର୍ଲଡକୁ ନେଇ ଯେଉଁ ସିନେମା ସବୁ ହେଲା ସେଥିରେ ଗ୍ୟାଙ୍ଗଷ୍ଟରମାନଙ୍କର ରିଅଲିଷ୍ଟିକ୍‍ ଚେହେରା ଦେଖେଇବାର ଗୋଟେ ପ୍ରବଣତା ଆରମ୍ଭ ହେଲା ।

ହିନ୍ଦୀ ବାଣିଜ୍ୟିକ ଚଳଚ୍ଚିତ୍ରରେ ଖଳନାୟକର ଚରିତ୍ରରେ ଏହି ପରିବର୍ତ୍ତନର ଗୋଟେ ଉଦାହରଣ ହେଉଛି ୧୯୯୭ରେ ମୁକ୍ତିଲାଭ କରିଥିବା ରାମଗୋପାଳ ବର୍ମାଙ୍କ ନିର୍ଦ୍ଦେଶିତ ସିନେମା- ସତ୍ୟା । ଏଥିରେ ଅଭିନୟ କରିଥିଲେ ମନୋଜ ବାଜପେୟୀ, ଏ ଡିଚକ୍ରବର୍ତ୍ତୀ, ଉର୍ମିଳା ମାତୋଣ୍ଡକର, ଶେଫାଳି ଶାହ ପ୍ରମୁଖ । ଏଥିରେ ଗ୍ୟାଙ୍ଗଷ୍ଟରମାନଙ୍କୁ ଅତ୍ୟନ୍ତ ବାସ୍ତବଚିତ ଭୁମିକାରେ ଦେଖାଗଲା । ଏହାପରେ ରାମଗୋପାଳ ବର୍ମା ଗ୍ୟାଙ୍ଗଷ୍ଟର ମାନଙ୍କୁ ନେଇ ବେଶ୍‍ କିଛି ସିନେମା କରିଛନ୍ତି, ଯେମିତି କମ୍ପାନୀ (୨୦୦୨), ସରକାର (୨୦୦୫), ଡି କମ୍ପାନୀ(୨୦୧୩) । କିନ୍ତୁ ତାଙ୍କର ଆଉ କୌଣସି ଗ୍ୟାଙ୍ଗଷ୍ଟର ସିନେମା ସତ୍ୟାର ସ୍ତରକୁ ଛୁଇଁପାରି ନଥିଲା ।

ଉଦୟ ଭାଟ୍ଟିଆଙ୍କର ବହି ବୁଲେଟ୍‍ସ ଓଭର ବମ୍ବେ ସତ୍ୟା ଚଳଚ୍ଚିତ୍ରଟି କେମିତି ତିଆରି ହେଲା ଏବଂ ଖଳନାୟକ ଚରିତ୍ରରେ କେମିତି ପରିବର୍ତ୍ତନ ଆଣିଦେଲା ତାହାରି ଉପରେ ପର୍ଯ୍ୟବେସିତ । ଏମିତି ଗୋଟିଏ ସିନେମାକୁ ବିଭିନ୍ନ ଦୃଷ୍ଟିକୋଣରୁ ବିଶ୍ଳେଷଣ କରି ନେଇ ବେଶ୍‍ କିଛି ବହି ଲେଖାଯାଇଛି । ଅମର ଆକବର ଆନ୍ଥୋନୀକୁ ନେଇ ବହି ଲେଖିଛନ୍ତି ଅନୁପମା ଚୋପ୍ରା, ଶୋଲେକୁ ନେଇ ବହି ଲେଖିଛନ୍ତି ବିନୟଲାଲ୍‍, ଦିୱାରକୁ ନେଇ ଲେଖିଛନ୍ତି କ୍ରିଷ୍ଣା ଗୋପାଳନ୍‍, ଡନକୁ ନେଇ ବହି ଲେଖିଛନ୍ତି ଜୟ ଅର୍ଜୁନ ସିଂ । ଏ ତାଲିକା ବେଶ ଦୀର୍ଘ । ଏହି ଧାରାରେ ଉଦୟ ଭାଟ୍ଟିଆଙ୍କ ବହିଟି ଏକ ଉଜ୍ୱଳ ସଂଯୋଜନ ।

ଏ ବହିଟିରେ ଗବେଷଣାର ଦିଗଟି ବଡ ଋଦ୍ଧିମନ୍ତ ଏବଂ ଏ ବହିଟି ପଢ଼ିବାପାଇଁ ବଡ ସାବଲୀଳ । ସାତୋଟି ଅଧ୍ୟାୟରେ ଏ ବହିଟି ବିଭକ୍ତ । ପ୍ରତ୍ୟେକ ଅଧ୍ୟାୟ ସିନେମାର ଗୋଟିଏ ବିଷୟ ଉପରେ ପର୍ଯ୍ୟବେଷିତ । ଯେମିତି ଦ ମୋମେଣ୍ଟ ଅଫ ସତ୍ୟ, ହିନ୍ଦୀ ଫିଲ୍ମ୍‍ ଗ୍ୟାଙ୍ଗଷ୍ଟର, ବମ୍ବେ ଅନ ଫିଲ୍‍ମ ଇତ୍ୟାଦି । ଏ ବହିରେ ସତ୍ୟା ସିନେମାଟିର ସାମାଜିକ ଏବଂ ସାଂସ୍କୃତିକ ପ୍ରେକ୍ଷାପଟ ଏବଂ ବମ୍ବେର ଚଳଚ୍ଚିିତ୍ର ଜଗତରେ ଖଳନାୟକଙ୍କୁ ନେଇ ଯେଉଁ ସିନେମା ହେଇଛି ତାର ଗୋଟେ ଚିତ୍ର ବି ଦିଆଯାଇଛି ।

ଏ ପୁସ୍ତକରେ ଲେଖକ ସତ୍ୟା ସିନେମାଟି ଯେଭଳି ଭାବରେ ଗଢ଼ି ଉଠିଛି ସେଥିରେ ୧୯୪୦ ଏବଂ ୧୯୫୦ର କେତୋଟି ସିନେମାର ମଞ୍ଜି ରହିଛି ବୋଲି କହିଛନ୍ତି । ଯେମିତି ୧୯୪୩ରେ ମୁକ୍ତିଲାଭ କରିଥିବା କିସ୍‍ମତ । କିସ୍‍ମତ୍‍ରେ ଅଶୋକ କୁମାର ଆଣ୍ଟି ହିରୋର ଭୂମିକାରେ ଥିଲେ । ଏ ସିନେମାଟି ତାଙ୍କୁ ଆଗ ଧାଡିର ନାୟକ ଭାବେ ପ୍ରତିଷ୍ଠିତ କରିଥିଲା । ଏହାଛଡା ବାଜି (୧୯୫୧), ଟ୍ୟାକ୍‍ସି ଡ୍ରାଇଭର (୧୯୫୪), ହାଓଡା ବ୍ରିଜ୍‍(୧୯୫୮) ଏବଂ କାଲା ବଜାର (୧୯୬୦) ଆଦି ସିନେମାର ପ୍ରଭାବ ରହିଛି ବୋଲି ସେ କହନ୍ତି ।

ବମ୍ବେ ଚଳଚ୍ଚିତ୍ର ଜଗତରେ ଧିରେ ଧିରେ ଗ୍ୟାଙ୍ଗଷ୍ଟର ସିନେମା କେମିତି ବଢ଼ିଛି ଏବଂ କେମିତି ରୂପ ବଦଳେଇଛି ସେକଥା ମଧ୍ୟ ସେ ବର୍ଣ୍ଣନା କରିଛନ୍ତି ।୧୯୮୯ରେ ହତିଆର, ସେହିବର୍ଷ ପରିନ୍ଦା ଏବଂ ୧୯୯୬ରେ ଇସ୍‍ ରାତକି ସୁବହ ନେହିଁ ଜାତୀୟ ସିନେମାରେ ଗ୍ୟାଙ୍ଗଷ୍ଟରମାନଙ୍କୁ ଜଣେ ରକ୍ତ ମାଂସର ମଣିଷ ଭାବରେ ଦର୍ଶାଯାଇଛି । ପରବର୍ତ୍ତୀ ସମୟରେ ସତ୍ୟାରେ ରାମ ଗୋପାଳ ବର୍ମା ଏହା କରିଛନ୍ତି । ସତ୍ୟାର ମୁଖ୍ୟ ଖଳନାୟକ ଚରିତ୍ର ଭିକୁ ମହାତ୍ରେ ହେଲା ଗ୍ୟାଙ୍ଗ୍‍ଷ୍ଟାର । ତାର ବି ପରିବାର ଅଛି, ପରିବାର ପ୍ରତି ସ୍ନେହ, ପ୍ରେମ ଭଲପାଇବା ଅଛି ଏହା ମାର୍ମିକ ଭାବେ ଦର୍ଶାଯାଇଛି ।

ବହିର ଆଉ ଗୋଟେ ଅଧ୍ୟାୟରେ ସତ୍ୟାରେ ଯେଉଁଭାଷା ବ୍ୟବହାର କରାଯାଇଛି ତାକୁ ବିଶ୍ଳେଷଣ କରାଯାଇଛି । ଉଦୟ ଭାଟ୍ଟିଆଙ୍କ କହିବା କଥା ହେଉଛି ଯେ ଭିକୁ ମହାତ୍ରେ ଯେଉଁଭଳି ଭାଷାରେ କଥା ହେଉଛନ୍ତି ଅମର ଆକବର ଆନ୍ଥୋନୀରେ ଅମିତାଭ ବଚ୍ଚନ ଅନେକଟା ସେହି ଶୈଳିରେ କଥାବାର୍ତ୍ତା କରିଛନ୍ତି ।

ଏ ବହିରେ ସତ୍ୟା ସିନେମା ବିଷୟରେ ଅନେକ କୌତୁହଳପ୍ରଦ କଥା ସେ ଲେଖିଛନ୍ତି ଯାହା ହିନ୍ଦୀ ସିନେମାପ୍ରେମୀମାନଙ୍କୁ ଭଲ ଲାଗିପାରେ । ଯେମିତି ଧରନ୍ତୁ ସତ୍ୟା ସିନେମାରେ ଚଳଚ୍ଚିତ୍ର ତିଆରିର ସବୁଗୁଡିକ ବିଭାଗରେ ଦୁଇ ଦୁଇ ଜଣ ବା ଯୋଡି ହୋଇ ଲୋକ ଥିଲେ । ଯେମିତି ଏହାକୁ ଲେଖିଛନ୍ତି ଅନୁରାଗ କଶ୍ୟପ ଏବଂ ସୌରଭ ଶୁକ୍ଳା । ଏହାର ଚିତ୍ର ଉତ୍ତୋଳନ କରିଛନ୍ତି ଜେରଡ ହୁପର ଆଉ ମଝର କମ୍ରାନ, ସଂପାଦନା କରିଛନ୍ତି ଅପୂର୍ବ ଆଶ୍ରାନୀ ଏବଂ ଭାନୁଦୟା, ସଂଗୀତ ଦେଇଛନ୍ତି ବିଶାଳ ଭରଦ୍ୱାଜ ଏବଂ ସନ୍ଦୀପ ଚୌଥା ।

ଯେଉଁମାନେ ସାଂପ୍ରତିକ ହିନ୍ଦୀ ସିନେମା ବିଷୟରେ ଜାଣିବା ପାଇଁ ଚାହାନ୍ତି ତା ବିଷୟରେ ଗବେଷଣା କରୁଛନ୍ତି ଏବଂ ଯେଉଁମାନେ ଏଭଳି ଟ୍ରିଭିଆ ଭଲପାଆନ୍ତି ସେମାନଙ୍କପାଇଁ ଏ ବହିଟି ଅବଶ୍ୟ ପାଠ୍ୟ ।

ବହି ଜଗତର ତାଜା ଖବର

ବିଜ୍ଞାନ ଓ କୁୁସଂସ୍କାର
ଓଡ଼ିଶାରେ କୁସଂସ୍କାର ବିରୋଧରେ ଏବଂ ବୈଜ୍ଞାନିକ ଚେତନାର ପ୍ରସାର ପାଇଁ ଦେବେନ୍ଦ୍ର ସୁତାର ଗତ ତିନି ଦଶନ୍ଧି ଧରି ପ୍ରୟାସ କରୁଛନ୍ତି । ହେତୁବାଦୀ ପ୍ରବନ୍ଧ ପତ୍ରିକା ବୈଜ୍ଞାନିକ ଚର୍ଚ୍ଚାର ସେ ସମ୍ପାଦକ ଏବଂ ଗତ କୋଡ଼ିଏ ବଷଁ ଧରି ଏହାକୁ ସେ ନିୟମିତ ପ୍ରକାଶ କରି ଆସୁଛନ୍ତି । ଓଡ଼ିଶାରେ ମୃତ୍ୟୁ ପରେ ଅଙ୍ଗଦାନ ଆନ୍ଦୋଳନର ସେ ଜଣେ ପମୁଖ ପ୍ରବକ୍ତା । କୁସଂସ୍କାର ବିରୋଧରେ ସେ ବେଶ କେତେଗୁଡ଼ିଏ ବହି ପ୍ରକାଶ କରି ସାରିଛନ୍ତି । ସମ୍ପ୍ରତି ତାଙ୍କର ୪୦ଟି ପ୍ରବନ୍ଧକୁ ନେଇ ଏକ ସଙ୍କଳନ ପ୍ରକାଶ ପାଇଛି: ବିଜ୍ଞାନ ଓ କୁୁସଂସ୍କାର । ପ୍ରକାଶକ: ଚର୍ଚ୍ଚା ପ୍ରକାଶନ ।

କିମାଶ୍ଚର୍ଯ୍ୟମ୍‍
କବି ଓ କଥାକାର ଭାବେ ପରଂବ୍ରହ୍ମ ତ୍ରିପାଠୀ (ଜନ୍ମ: ୧୯୮୨) ଓଡ଼ିଶାରେ ପରିଚିତି ଲାଭ କଲେଣି । ଲଳିତ ନିବନ୍ଧ ଲେଖିବାରେ ବି ସେ ବେଶ ଦକ୍ଷ । ତାଙ୍କର ଏପ୍ରକାର ନିବନ୍ଧମାନ ଓଡ଼ିଶାର ଅଗ୍ରଣୀ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି । ଲଳିତ ନିବନ୍ଧର ତିନୋଟି ସଙ୍କଳନ ମଧ୍ୟ ତାଙ୍କର ପ୍ରକାଶିତ ହୋଇଛି । ଏବେ ତାଙ୍କର ଆଉ ଏକ ପ୍ରବନ୍ଧ ସଙ୍କଳନ ପ୍ରକାଶ ପାଇଛି: କିମାଶ୍ଚର୍ଯ୍ୟମ୍‍ । ସାମାଜିକ ପ୍ରସଙ୍ଗ ଓ ଘଟଣାର ପରିପ୍ରେକ୍ଷୀରେ ତାଙ୍କର ବକ୍ତବ୍ୟ ଓ ମନ୍ତବ୍ୟ ଏ ପ୍ରବନ୍ଧଗୁଡ଼ିକର ମୁଖ୍ୟ ବିଷୟ ।

Related Posts

Leave a Reply

Your email address will not be published. Required fields are marked *