ପ୍ରଖ୍ୟାତ ଲେଖକ ରସ୍କିନ ବଣ୍ଡଙ୍କୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀର ଫେଲୋସିପ ପ୍ରଦାନ

ଭୁବନେଶ୍ଵର : କେନ୍ଦ୍ର ସାହିତ୍ୟ ଏକାଡ଼େମୀର ଫେଲୋସିପ (ମହତ୍ତର ସଦସ୍ୟତା) ଗ୍ରହଣ କରିଛନ୍ତି ପ୍ରଖ୍ୟାତ ଲେଖକ ରସ୍କିନ ବଣ୍ଡ । ଲେଖକଙ୍କର ଅସୁସ୍ଥତା ହେତୁ ସାହିତ୍ୟ ଏକାଡ଼େମୀ ସଭାପତି ମାଧବ କୌଶିକ ଓ ସଚିବ କେ. ଶ୍ରୀନିବାସ ରାଓ ତାଙ୍କ ମସୌରୀସ୍ଥିତ ବାସଭବନରେ ଏହି ସମ୍ମାନ ପ୍ରଦାନ କରିଥିଲେ । ଏହି ଅବସରରେ ଲେଖକ ଶ୍ରୀ ବଣ୍ଡଙ୍କ ପୁଅ ମଧ୍ୟ ଉପସ୍ଥିତ ଥିଲେ । ୧୯୩୪ ମସିହା ମଇ ୧୯ରେ ହିମାଚଳ ପ୍ରଦେଶର କସୌଲିରେ ଜନ୍ମଗ୍ରହଣ କରିଥିବା ରସ୍କିନ ବଣ୍ଡ ୫୦ ବର୍ଷରୁ ଅଧିକ ସମୟ ଧରି ସାହିତ୍ୟର ବିଭିନ୍ନ ବିଭାଗରେ କଲମ ଚାଳନା କରିଆସୁଛନ୍ତି । ତାଙ୍କର ଗଳ୍ପ, ଉପନ୍ୟାସ ଏବଂ ଆତ୍ମଜୀବନୀ ଖୁବ ପାଠକୀୟ ଆଦୃତି ଲାଭ କରିଛି ।

ରସ୍କିନ ବଣ୍ଡ ଶିଶୁ ସାହିତ୍ୟ ମଧ୍ୟ ରଚନା କରିଛନ୍ତି । ତାଙ୍କର ଉଲ୍ଲେଖନୀୟ କୃତିଗୁଡ଼ିକ ହେଉଛି ‘ଭାଗ୍ରାଣ୍ଟସ ଇନ ଦ ଭ୍ୟାଲି’, ‘ୱାନ୍ସ ଅପନ ଏ ମନସୁନ ଟାଇମ’, ‘ଏନଗ୍ରି ରିଭର’, ‘ଷ୍ଟ୍ରେଞ୍ଜରସ ଇନ ଦ ନାଇଟ’, ‘ଅଲ ରୋଡ଼ସ ଲିଡ୍ ଟୁ ଗଙ୍ଗା’ ଇତ୍ୟାଦି । ୧୯୭୮ ମସିହାର ହିନ୍ଦୀ ଚଳଚ୍ଚିତ୍ର ‘ଜୁନୁନ’ ରସ୍କିନ ବଣ୍ଡଙ୍କ ଐତିହାସିକ ଉପନ୍ୟାସ ‘ଏ ଫ୍ଲାଇଟ ଅଫ୍ ପିଜିଅନ’ ଉପରେ ଆଧାରିତ । ତାଙ୍କର କାହାଣୀ ଦେଶର ବିଦ୍ୟାଳୟ ପାଠ୍ୟପୁସ୍ତକରେ ଅନ୍ତର୍ଭୁକ୍ତ କରାଯାଇଛି । ୨୦୦୫ରେ ତାଙ୍କର ଲୋକପ୍ରିୟ ଶିଶୁ ଉପନ୍ୟାସ ‘ଦ ବ୍ଲୁ ଆମ୍ବ୍ରେଲା’ ଆଧାରରେ ଏକ ଚଳଚ୍ଚିତ୍ର ନିର୍ମିତ ହୋଇଥିଲା । ୧୯୯୨ ମସିହାରେ ଗଳ୍ପ ସଂକଳନ ‘ଆୱାର ଟ୍ରିଜ ଷ୍ଟିଲ ଗ୍ରୋ ଇନ ଦେହରା’ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ । ସେ ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ଏବଂ ପଦ୍ମଭୂଷଣ ଉପାଧିରେ ବି ସମ୍ମାନତି ହୋଇଛନ୍ତି ।

Related Posts

Leave a Reply

Your email address will not be published. Required fields are marked *