ରାମକୃଷ୍ଣ

ବୁଝି ହେଉନି
ମୁଁ ଖେଳୁଛି ଶବ୍ଦକୁ
ନା ଶବ୍ଦ ଖେଳୁଛି ମୋତେ
କିଏ କାହାର ଅକ୍ତିଆରରେ

ଏଡ଼େ ସୁରକ୍ଷିତ ଶବ୍ଦର ବିଶାଳ ଦୁର୍ଗ
ସମୁଦ୍ର କୂଳର ବାଲିଘର ପରି ଧୋଇନିଏ
ନିରବତାର ଢେଉ,
ନିର୍ବାକ ଛିଡ଼ା ହୋଇ ରହେ
ମୋର ନଥିବା ପଣରେ

କଳ୍ପନାର ଦୁର୍ଭେଦ୍ୟ ପିରାମିଡ଼ ଭିତରେ
ସତେ ବା ଅମରତ୍ଵ ଭୋଗୁଥାଏ ମୋର ଶବ
ଅଟକାଇ ରଖିଥାଏ ସମୟର ସନ୍ତ୍ରାସକୁ,
କିନ୍ତୁ କେତେ କାଳ ?

ବୁଝି ହେଉନି
ଶବ୍ଦର ସିଡ଼ିରେ ମୁଁ ଆରୋହଣ କରୁଛି
ନିରବତାର ଶିଖର
ନା ଶବ୍ଦର କବଚରେ ସରଂକ୍ଷିତ ରଖୁଛି ନିଜକୁ
ନିରବତାର ନିଶ୍ଚିହ୍ନ ହେବାର ଭୟରୁ ?

ଉର୍ଣ୍ଣନାଭ ପରି
ବନ୍ଦୀ ହେଉନି ତ ନିଜେ ନିଜର ଜାଲରେ ?
କେଉଁ ଝଡ଼କୁ ବା ଅଟକାଇ ହେବ
ଭୋକର ବଳୟରେ ?

ବୁଝି ହେଉନି
ମୋର ଚକ୍ରବ୍ୟୁହରେ ଶବ୍ଦ
ନା ମୁଁ ଶବ୍ଦର ଚକ୍ରବ୍ୟୁହରେ !

କୁଦୋପାଲି, ବରଗଡ଼

ଲେଖକ ପରିଚୟ

ଏଯାବତ ୯ ଖଣ୍ଡ କବିତା ସଂକଳନ ପ୍ରକାଶିତ ହୋଇସାରିଥିବାବେଳେ ୧୦ମ କବିତା ସଂକଳନ ‘ଅଛି’ ପ୍ରକାଶନ ଅପେକ୍ଷାରେ । ଦୁଇଟି ପ୍ରବନ୍ଧ ଓ ଗୋଟିଏ ଗଳ୍ପ ସଂକଳନ ସହିତ ଦୁଇଟି ଇଂରାଜୀ ନନ୍ ଫିକ୍ସନ୍ ପ୍ରକାଶିତ ହୋଇସାରିଛି । ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଥିବା ଲେଖକ ଦ୍ଵିତୀୟ ଶ୍ରେଣୀ ପଢିବାବେଳେ ପାଠ୍ୟକ୍ରମରେ ଥିବା ଗଳ୍ପର ପ୍ରଭାବରେ କିଛି ଗଳ୍ପ ଲେଖିଥିଲେ । କିଛି କବିତା ଲେଖିଥିଲେ ସମ୍ବଲପୁରୀ ଭାଷାରେ । ସେତେବେଳେ ସେସବୁ ସାହିତ୍ୟ ବୋଲି ଯଦିଓ ଜାଣି ନଥିଲେ ସେ । ମଝିରେ ମଝିରେ ଦୀର୍ଘ ଶୂନସ୍ଥାନ । ଗପ, ଉପନ୍ୟାସ, କବିତାର ପରେବେଶଟି କିନ୍ତୁ ରହିଥାଏ ସବୁବେଳେ ତାଙ୍କ ଜୀବନର ଚଲାବାଟରେ । ହାଇସ୍କୁଲ ସମୟରେ ପୁଣି ଲେଖାହୁଏ କିଛି କବିତା । ପୁଣି ଏକ ଦୀର୍ଘ ନିରବତା । କବିତାର ପ୍ରକୃତ ମୂଳଦୁଆ ପଡ଼େ ଛାତ୍ର ଜୀବନରେ ସତୁରି ଦଶକର ଶେଷଭାଗରେ ।

Related Posts

Leave a Reply

Your email address will not be published. Required fields are marked *