କୁରେଇ ଫୁଲର ବାସ୍ନା 

କୈଳାସ ଚନ୍ଦ୍ର ସାହାଣୀ

କୁରେଇ ଫୁଲର ବାସ୍ନାରେ
ବାସ୍ନାୟିତ ସବୁଜ ଅରଣ୍ୟ,
କେଉଁ ଧାଙ୍ଗିଡ଼ୀର ଗଭା ମଣ୍ଡନ କରି
ସେ ସାର୍ଥକତା ଲଭେ ନିଜ ଜୀବନର;
କେବେ ବଣମଲ୍ଲୀର ନାମରେ ନାମିତ
କେବେ ମୁନିଋଷି ଅଧ୍ୟୁଷିତ ଉଟଜ
କୁଟଜର ଶୋଭାରେ ଶୋଭାମୟ !

କୁରେଇ ଫୁଲ ପାଇଁ
କେବେ ଲୋଡ଼ା ନାହିଁ ମାଳିର ଯତ୍ନ
ଲୋଡ଼ା ନାହିଁ
କେଉଁ ଧନୀର ବିତାନ ,
ସେ ହସୁଥାଏ ପ୍ରାଣବନ୍ତ ହସ
ପ୍ରକୃତି କୋଳରେ ।
ତା ଲାସ୍ଯରେ ଲାଜବତୀ ଋତୁ
ତା ଭାଷ୍ଯରେ ମୁଖର ତଟିନୀ
କେବେ ପକ୍ଷୀର କାକଳିରେ
ହସେ ସୁରମ୍ୟ ବନାନୀ ।

କରେଇ ଫୁଲରେ କେବେ
ନଇଁ ଆସେ ଆକାଶର ଛାଇ
ଭାଙ୍ଗୁଥାଏ ଅଭିମାନ,
କୁରେଇ ଫୁଲରେ ଫୁଲେଇ ଫୁଲମତୀ
ମାଦଳର ତାଳେତାଳେ ନାଚେ
ଛନ୍ଦ ତୋଳି କେଉଁ ଧାଙ୍ଗଡାର
ହାତ ସହ ହାତ ଛନ୍ଦି !
କୁରେଇ ଫୁଲ ବି ଲାଜେଇ ଯାଏ
ଗର୍ଭବତୀ ହୁଏ ,
ଫେନ୍ଥାପେନ୍ଥା ଫଳର ସମ୍ଭାରରେ
ମାତୃତ୍ବ ଲଭେ
ପ୍ରକୃତି ସମାହିତ ହୁଏ କାଳକାଳ ପାଇଁ !

ଏବେ କିଏ ଜାଳି ଦେଇଛି ଜଙ୍ଗଲ
ପୋଡ଼ି ଯାଉଛି ସକଳ ବୈଭବ
ଝଡିପଡୁଛି ଗୋଟି ଗୋଟି ସବୁଜ ପତ୍ରର ସମ୍ଭାର,
କିଏ ଲେଖୁଛି ମାଟିର କବିତା ଏଠି
ଶୋକମୟ ସଚରାଚର ,
ବେଠି,ଦାଦନ ଖଟଣିର ବିମର୍ଷତାରେ
ଉଜୁଡ଼ି ଯାଉଛି ସରଳ ଜୀବନ
ଫିକା ପଡ଼ି ଯାଉଛି କୁରେଇ ଫୁଲର ମନ
ନିଦାଘର ନିର୍ମମତାରେ
ଝାଉଁଳି ପଡ଼ିଛି ଆଜିର କୁରେଇ ଫୁଲର ସ୍ଵପ୍ନ ।

ଗଡ଼ପଳାଶୁଣୀ, ଢେଙ୍କାନାଳ, ମୋ-୯୪୩୭୮୪୩୨୧୯

ଲେଖକ ପରିଚୟ

ବୃତ୍ତିରେ ଅଧ୍ୟାପନା ମାତ୍ର ତାଙ୍କର ସାହିତ୍ୟ ଅନୁରାଗୀ ଭାବ ନିଶାରେ ପରିଣତ ହୋଇଛି କହିଲେ ଭୁଲ ହେବନି । ‘ନୀଳକଇଁର ସ୍ଵପ୍ନ’, ‘ଶୀତ ରାତିର ଗୀତ’, ‘ଭୂମି’ ତିନୋଟି କବିତା ସଂକଳନ ପ୍ରକାଶିତ ହୋଇସାରିଥିବାବେଳେ ନିକଟରେ ଚତୁର୍ଥ କବିତା ସଂକଳନ ‘ଶବ୍ଦମନ୍ତ୍ର’ ପ୍ରକାଶିତ ହୋଇଯାଇଛି । ରାଜ୍ୟସ୍ତରୀୟ କବିତା ସମ୍ମାନ, ନୀହାର କନ୍ୟା କବିତା ସମ୍ମାନ, ଜାତୀୟ ସେବା ଯୋଜନାର  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପୁରସ୍କାର, ରାଜ୍ୟ ସ୍ତରୀୟ ଶ୍ରେଷ୍ଠ କାର୍ଯ୍ୟକ୍ରମ ଅଧିକାର ପୁରସ୍କାର ଏବଂ ଜାତୀୟ ସେବା ଯୋଜନାର ଜାତୀୟ ପୁରସ୍କାର ପ୍ରାପ୍ତ କାର୍ଯ୍ୟକ୍ରମ ଅଧିକାରୀ ଆଦି ପୁରସ୍କାରରେ ବିମଣ୍ଡିତ ତାଙ୍କ ସାହିତ୍ୟ ସାଧନା ।

Related Posts

Leave a Reply

Your email address will not be published. Required fields are marked *