‘ନନ୍ଦିନୀ ଶତପଥୀ : ଦ ଆଇରନ ଲେଡ଼ି ଅଫ୍ ଓଡ଼ିଶା’ ଉନ୍ମୋଚିତ

ଭୁବନେଶ୍ଵର : ବିଶ୍ଵର ପ୍ରାୟ ପ୍ରତିଟି ସ୍ଥାନରେ ସବୁବେଳେ ନାରୀ ନେତ୍ରୀମାନଙ୍କର ଯୋଗଦାନ ପ୍ରଚାର ପ୍ରସାରର ଅଭାବ ଯୋଗୁ ଅଜ୍ଞାତ ହୋଇ ରୁହେ । ତାଙ୍କର ସଂଘର୍ଷର କାହାଣୀ ପରବର୍ତ୍ତୀ ପିଢି ଠିକ ଭାବରେ ଜାଣିପାରନ୍ତି ନାହିଁ । ସେହି କାରଣରୁ ପୁରୁଷବାଦୀ ସମାଜର ମାନଦଣ୍ଡକୁ ଆହ୍ଵାନ କରି ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିବା ନନ୍ଦିନୀ ଶତପଥୀଙ୍କୁ ତାଙ୍କର ଉପଯୁକ୍ତ ସମ୍ମାନ ମିଳିପାରି ନାହିଁ । ଜରୁରୀକାଳିନ ସ୍ଥିତି, ଆଦିବାସୀଙ୍କ କେନ୍ଦୁପତ୍ର ବ୍ୟବସାୟ ଓ ମାନବାଧିକାର ପାଇଁ ସ୍ଵର ଉତ୍ତୋଳନ ହେଉ ଅଥବା ବାଂଲାଦେଶରେ ରେଡ଼ିଓର ବ୍ୟବସ୍ଥା ଆଦି ବହୁ କୀର୍ତ୍ତି କରି ବିଦେଶରେ ମଧ୍ୟ ସୁନାମ ଅର୍ଜନ କରିଥିବା ଏହି ନାରୀଙ୍କୁ ଯୁବପିଢି ଜାଣିବା ଉଚିତ । କଳିଙ୍ଗ ସାହିତ୍ୟ ଉତ୍ସବ ଓ ଅକ୍ସଫୋର୍ଡ ବୁକ ଷ୍ଟୋରରେ ନନ୍ଦିନୀ ଶତପଥୀଙ୍କ ଉପରେ ଲିଖିତ ପୁସ୍ତକ ‘ନନ୍ଦିନୀ ଶତପଥୀ : ଦ ଆଇରନ ଲେଡ଼ି ଅଫ୍ ଓଡ଼ିଶା’ର ଉନ୍ମୋଚନ ଉତ୍ସବରେ ପୁସ୍ତକର ଲେଖିକା ତଥା ସମ୍ବାଦିକା ପଲ୍ଲବୀ ରେବପ୍ରଗଡ଼ା ଏହା କହିଛନ୍ତି ।

ବର୍ତ୍ତମାନ ଶ୍ରୀମତୀ ଶତପଥୀଙ୍କ ପରି ବହୁ ମହାନ ନାରୀମାନଙ୍କୁ ତାଙ୍କ ସଂଘର୍ଷ ପାଇଁ ଉପଯୁକ୍ତ ସମ୍ମାନ ଦେବାର ସମୟ ଆସିଛି ବୋଲି ସେ କହିଥିଲେ । ତାଙ୍କ ଜୀବନ କାହାଣୀକୁ ନେଇ ଏକ ଫିଲ୍ମ ତିଆରି ହେବା ଉଚିତ ବୋଲି ଲେଖିକା କହିଥିଲେ । କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଶିକ୍ଷାବିତ ପଞ୍ଚମୀ ମନୁ ଉକିଲ । ସେଥିରେ ‘ଧରିତ୍ରୀ’ ତଥା ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ଶତପଥୀ, ବୁକ ଷ୍ଟୋର ପରିଚାଳକ ଜଗଦୀଶ ବେହେରା ତଥା କଳିଙ୍ଗ ସାହିତ୍ୟ ଉତ୍ସବ ପକ୍ଷରୁ ବେଦ ପ୍ରକାଶ ନଯାକ ଓ ଦେବମିତ୍ରା ପ୍ରମୁଖ ଉପସ୍ଥିତ ଥିଲେ ।

ସେହିଭଳି ସନ୍ଧ୍ୟାରେ ବକୁଳ ଫାଉଣ୍ଡେସନ ପକ୍ଷରୁ ମଧ୍ୟ ପୁସ୍ତକର ଅନ୍ୟ ଏକ ଉନ୍ମୋଚନ ସମାରୋହ ଅନୁଷ୍ଠିତ ହୋଇଥିଲା । ସେଥିରେ ଯୋଗଦେଇ ଲେଖିକା ଉପରୋକ୍ତ ମତ ସହିତ ଆହୁରି ଯୋଡ଼ିଥିଲେ ଯେ ବିଦ୍ୟାଳୟ ପାଠ୍ୟକ୍ରମରେ ଶ୍ରୀମତୀ ଶତପଥୀଙ୍କ ବିଷୟରେ ଉଲ୍ଲେଖ ରହିଲେ ପରବର୍ତ୍ତୀ ବହୁ ପିଢି ତାଙ୍କ କୃତି ବିଷୟରେ ଜାଣିପାରିବେ । ବକୁଳ ଫାଉଣ୍ଡେସନରେ ପ୍ରତିଷ୍ଠାତା ସୁଜିତ ମହାପାତ୍ର ସଂଯୋଜନା କରିଥିଲେ ଯେତେବେଳେ କି ଶ୍ରୀମତୀ ଶତପଥୀଙ୍କ ରାଜନୈତିକ ଜୀବନ ଉପରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଠାରେ ‘ଧରିତ୍ରୀ’ ତଥା ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ଶତପଥୀ ସମେତ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ଶତପଥୀ, ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ ଓ ପ୍ରଖ୍ୟାତ ଭାଷାବିତ ଦେବୀପ୍ରସନ୍ନ ପଟ୍ଟନାୟକ ଉପସ୍ଥିତ ଥିଲେ ।

Related Posts

Leave a Reply

Your email address will not be published. Required fields are marked *