ରଞ୍ଜନ କୁମାର ଦାସଙ୍କ “ସମୟର ସାତରଙ୍ଗ” ଉନ୍ମୋଚିତ

ଭୁବନେଶ୍ୱର : ବରିଷ୍ଠ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଦ୍ଵାଦଶ କବିତା ସଂକଳନ “ସମୟର ସାତରଙ୍ଗ” ଆଜି ଉନ୍ମୋଚନ ହୋଇଯାଇଛି । ପେନ୍ ଇନ୍ ବୁକ୍ସ ପକ୍ଷରୁ ଆୟୋଜିତ ଏହି ଉନ୍ମୋଚିତ ଉତ୍ସବରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଭାପତି ଡ. ହୃଷୀକେଶ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ କେନ୍ଦ୍ର ସାହିତ୍ୟ ଏକାଡ଼େମୀର ଓଡ଼ିଆ ଉପଦେଷ୍ଠା ମଣ୍ଡଳୀ ଆବାହକ ଡ. ବିଜୟାନନ୍ଦ ସିଂହ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ।

କବି ଶ୍ରୀ ଦାସ କବିତାରେ ଯେଉଁ ଚିତ୍ର ଓ ଚରିତ୍ରମାନଙ୍କୁ ନେଇଛନ୍ତି ତାହା ତାଙ୍କର ବ୍ୟକ୍ତିଗତ ଅନୁଭବ ହୋଇଥିଲେ ହେଁ ସେଥିରେ ସାର୍ବଜନୀନ ଆବେଦନ ରହିଛି ବୋଲି ମୁଖ୍ୟଅତିଥି ଡ. ମଲ୍ଲିକ କହିଥିଲେ । “ସମୟର ସାତରଙ୍ଗ”ରେ ସମକାଳୀନ ମଣିଷର ବହୁ ଅକୁହା ବେଦନା ଓ ପୁଲକକୁ କବିତାରେ ପରିପ୍ରକାଶ କରିଛନ୍ତି ବୋଲି ମୁଖ୍ୟବକ୍ତା ଶ୍ରୀ ସିଂହ ମତ ଦେଇଥିଲେ ।

ଲେଖାକୀୟ ବକ୍ତବ୍ୟରେ କବି ଶ୍ରୀ ଦାସ କହିଥିଲେ, ନିଜ ଛାତିତଳର କଥାକୁ ସିଧାସଳଖ ବଖାଣି ପାରିଲେ ନାହିଁ ବୋଲି ସେ କବିତା ଭଳି ସୂକ୍ଷ୍ମ କଳାକୁ ଆଦରି ନେଲେ ।

ଅଭିନେତ୍ରୀ ମଧୁମିତା ମହାନ୍ତି ଉତ୍ସବ ପରିଚାଳନା କରିବା ସହିତ “ସମୟର ସାତରଙ୍ଗ” ପୁସ୍ତକରୁ କିଛି କବିତା ପାଠ କରିଥିଲେ । କବିତା ପୁସ୍ତକଟିକୁ ଆଗ୍ରହୀ ପାଠକମାନେ ଆମାଜନ ମାଧ୍ୟମରେ କିଣିପାରିବେ ବୋଲି ପେନ୍ ଇନ୍ ବୁକ୍ସ ପ୍ରକାଶନ ସଂସ୍ଥାର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ସୂଚନା ଦେଇଥିଲେ ।    

Related Posts

Leave a Reply

Your email address will not be published. Required fields are marked *