ସାହିତ୍ୟ ଏକାଡ଼େମୀ ପକ୍ଷରୁ ନିର୍ମଳପ୍ରଭା ନାୟକଙ୍କୁ ସମ୍ବର୍ଧନା

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ବିଶିଷ୍ଟ ସାହିତ୍ୟିକା ନିର୍ମଳପ୍ରଭା ନାୟକଙ୍କୁ 2020 ମସିହା ପାଇଁ ସାରସ୍ଵତ ସମ୍ବର୍ଧନା ଜ୍ଞାପନ କରାଯାଇଛି । କରୋନା କଟକଣା ଯୋଗୁଁ ଏକାଡ଼େମୀର ସଭାପତି ହୃଷୀକେଶ ମଲ୍ଲିକ, ସଚିବ ପ୍ରବୋଧ କୁମାର ରାଉତ ପ୍ରମୁଖ ଆଜି ତାଙ୍କ ସତ୍ୟନଗର ସ୍ଥିତ ବାସଭବନକୁ ଯାଇ ଶ୍ରୀମତୀ ନାୟକଙ୍କୁ ମାନପତ୍ର, ଉପଢୌକନ ଓ ପୁରସ୍କାର ରାଶି ଦେଇ ସମ୍ମାନିତ କରିଥିଲେ ।

ଏହି ଅବସରରେ ପାଟକୁରା ଗାନ୍ଧୀ ଭାବେ ପରିଚିତ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ବିଧାୟକ ରାଜକିଶୋର ନାୟକଙ୍କ ସ୍ମୃତିରେ ଲିଖିତ ନିର୍ମଳପ୍ରଭା ଦେବୀଙ୍କ ବହୁଚର୍ଚ୍ଚିତ ପୁସ୍ତକ “ସାୟାହ୍ନର ସ୍ମୃତି” ଏବଂ ଏହାର ଇଂରାଜୀ ଅନୁବାଦ ପୁସ୍ତକ “ଟ୍ୱାଇଲାଇଟ୍ ମେମୋରିଜ୍” ସମ୍ପର୍କରେ ଅତିଥିମାନେ ଆଲୋଚନା କରିଥିଲେ । ଏକାଡ଼େମୀର ସଭାପତି ଶ୍ରୀ ମଲ୍ଲିକ କହିଥିଲେ ଯେ ଏହି ପୁସ୍ତକରେ ଘଟଣାଗୁଡ଼ିକର କ୍ରମାନ୍ୱୟତା ନାହିଁ । କାରଣ ଏଗୁଡ଼ିକ ଭିନ୍ନଭିନ୍ନ ସମୟରେ ଲେଖାଯାଇଛି । ଯେଉଁଦିନ ଯେଉଁ ଘଟଣାଟି ଉତପ୍ରେରକ ଭୂମିକା ନିର୍ବାହ କରିଛି, ଲେଖିକା ସେହି ପ୍ରକାର ଘଟଣାବଳୀକୁ ଫେରି ଯାଇଛନ୍ତି । ଏକାଡ଼େମୀ ସଚିବ ଶ୍ରୀ ରାଉତ କହିଥିଲେ ଯେ ନିର୍ମଳପ୍ରଭା ଦେବୀ ଜଣେ ଉଚ୍ଚକୋଟୀର ସାହିତ୍ୟିକା । ତାଙ୍କ ରଚିତ “ସାୟାହ୍ନର ସ୍ମୃତି” ପ୍ରେମ ଓ କରୁଣାରେ ଗଢା ଏକ ଅତୁଲ୍ୟ ସାରସ୍ଵତ କୀର୍ତ୍ତି । କାର୍ଯ୍ୟକ୍ରମରେ ଏକାଡ଼େମୀର ଓଏସଡ଼ି ରବି ରାୟ, ପ୍ରହ୍ଲାଦ କୁମାର ସିଂହ, ନିର୍ମଳପ୍ରଭାଙ୍କ ପୁଅ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଶାନ୍ତନୁ କୁମାର ନାୟକ, ଝିଅ ସୁବ୍ରତା ନାୟକ, ସଂଘମିତ୍ରା ନାୟକ ଓ ନାତି/ ନାତୁଣୀଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।    

Related Posts

Leave a Reply

Your email address will not be published. Required fields are marked *