ବାଦାମୀ ରଙ୍ଗର ବେଶ୍ୟା

(ଭାଗ – ୨)

ଶିବସୁନ୍ଦର

ମୁଁ ଆଜନ୍ମ ଦ୍ଵିଜ । ସେ ସବୁବେଳେ କୁହେ ତା ବାପା କଥା,

“କେବେ ହାରି ଯିବୁନି କି ମରି ଯିବୁନି । ଯେତେ ଯନ୍ତ୍ରଣା ହେଉଥାଉନା କାହିଁକି, ତୁ ସଂଘର୍ଷ କରିବୁ । ପ୍ରତ୍ୟେକ ଜୀବନର ଗୋଟିଏ ଉଦ୍ଦେଶ୍ୟ ଅଛି । ସେ ଉଦ୍ଦେଶ୍ୟ ଉଚିତ୍ ସମୟରେ ପ୍ରକଟ ହେବ । ତୋ ଉଦ୍ଦେଶ୍ୟରେ ଆଗେଇ ଯିବୁ ।” ମୋତେ ବି ସେ ଏଇ ଶିକ୍ଷା ଦିଏ । ସକାଳୁ ସେ ଆଣୁଥିବା କ୍ଷୀରକୁ ସିଝେଇଲା ପରେ ତାକୁ ସମାନ ଦୁଇଭାଗ କରେ । ଅଧା କୁକୁରର ଆଉ ଅଧା ମୋର । ମୁଁ ଦୃଢ଼ ବିଶ୍ୱାସର ସହ କହୁଛି, ଯେଉଁ ମାଆ କୁକୁର ଆଉ ମଣିଷ ଭିତରେ ପାର୍ଥକ୍ୟ ଦେଖେନି ତାରି କୋଳରେ ଖେଳେ ନ୍ୟାୟ ।

ବାପାଙ୍କ କଥାରେ ବିଶ୍ୱାସ ରଖିଥିବା ଝିଅଟି ଏତେ ଯନ୍ତ୍ରଣା ଭିତରେ ମଧ୍ୟ ଜୀବନ ହାରି ନଥିଲା । ମୁଁ ମିଳିଲା ପରେ ତାକୁ ଲାଗୁଥିଲାକି ତା ବାପାଙ୍କ କଥା ସତ ହେଇଛି । ତାକୁ ତା ଜୀବନର ଉଦ୍ଦେଶ୍ୟ ମିଳିଛି । ମୁଁ କ୍ଲାସ୍ ରେ ଫାଷ୍ଟ୍ ହେବାଟା ହୁଏତ ତା ସ୍ୱପ୍ନ ସାକାର କରୁଥାଏ ଯେମିତି ମୁଁ ତାକୁ ମୁକ୍ତି ଦେବି ସେ ଅନ୍ଧାର ଗଳିରୁ । ହେଲେ ସ୍କୁଲ୍ ସାରା ଚର୍ଚ୍ଚା ଯେ ବେଶ୍ୟାର ଝିଅ କେମିତି ଫାଷ୍ଟ୍ ହେଇପାରେ ! ଏକଥା ସଭ୍ୟ ସମାଜ ପାଇଁ ଆଦୌ ଗ୍ରହଣୀୟ ନୁହେଁ । ଆମ ପଛରେ ରାଜନୀତି ଚାଲେ । ମାଆ ମୋ ଭବିଷ୍ୟତ ଆଉ ଚରିତ୍ରରେ ପଣତ ଘୋଡେ଼ଇ ମୋତେ ଦୂର ଏକ ସ୍କୁଲ୍ କୁ ପଠେଇ ଦିଏ ଯେଉଁଠିକୁ ପହଞ୍ଚିପାରେନି ବେଶ୍ୟାପଡ଼ାର ଖାଇଲାଖାଇଲା ଆଖି । ଖରାଛୁଟିରେ ମୁଁ ଘରକୁ ଯାଏନି ବରଂ ସେ ଆସେ ମୋ ପାଖକୁ । ସାରା ବର୍ଷ କେଉଁ ଅପରିଷ୍କାର ଭିତରେ ଦହଗଞ୍ଚ ହେଇ ସେ ପଇସା ପଠାଏ, ଆଶା ପଠାଏ, ସ୍ୱପ୍ନ ପଠାଏ । ସେଇ ଆଶା ଆଉ ସ୍ୱପ୍ନକୁ ପାହାଚ ବନେଇ ମୁଁ ଟପିଲି ଦଶମ, ଦ୍ଵାଦଶ ଓ ସ୍ନାତକ । ମୋ ମାର୍କ ଆଉ କ୍ୟାରିଅର୍ ବହୁତ ଭଲ ଥିଲା ଆଉ ତାରି ବଳରେ ମୁଁ ଗଢିଲି ସୁନ୍ଦର ସ୍ୱପ୍ନ । ମୋ ମାଆର ବାଦାମୀ ରଙ୍ଗଠୁ ବି ସୁନ୍ଦର ଜୀବନ । ସ୍ନାତକତ୍ତୋର ପରେ ମୁଁ ଦିଲ୍ଲୀ ଆସିଲି ସିଭିଲ୍ ସର୍ଭିସ୍ ପାଇଁ ପ୍ରିପେୟାର୍ ହେବାକୁ । ଖରାଦିନେ ମୋ ମାଆ ଆସେ ଆଉ ବର୍ଷଯାକର କାହାଣୀ କୁହେ । ଅନେକ ଚରିତ୍ରଙ୍କ କଥା, ବେଶ୍ୟା ଜୀବନର ବୃତ୍ତାନ୍ତ, ଯନ୍ତ୍ରଣା ଆଉ ବେଶ୍ୟାପଡ଼ା କଥା କୁହେ । ସେ କୁହେକି ବେଶ୍ୟା ଏକ ଜୀବିକା ନୁହେଁ ବରଂ ଏକ ପରିସ୍ଥିତି । ସେ ପରିସ୍ଥିତିରୁ ସେ ଅନେକ ନାରୀଙ୍କୁ ମୁକୁଳେଇବାକୁ ଚାହେଁ । ସେ ମୋତେ ମନଦେଇ ପାଠ ପଢ଼ିବାକୁ କୁହେ । ମୋତେ ଆଶୀର୍ବାଦ କରେ । ମୁଁ ଆଇ.ଏ.ଏସ୍ ପାଇଲା ପରେ ସେ ଖୁସିରେ ଫାଟି ଉପରକୁ ଅନେଇ କହିଲା, ” ବାପା ତମେ ଠିକ୍ କହୁଥିଲ । ପ୍ରତ୍ୟେକ ଜୀବନ ଏକ ଉଦ୍ଦେଶ୍ୟ ନେଇ ଭୂମିକୁ ଆସନ୍ତି । ମୁଁ ଏତେ ଯନ୍ତ୍ରଣା ଭିତରେ ବି ଜୀବନ ହାରିନି ହୁଏତ ଅଦୃଶ୍ୟ ମୋ ଦ୍ୱାରା ଅନେକ ଜୀବନକୁ ଅନ୍ଧାରରୁ ମୁକ୍ତିଦେବାକୁ ଚାହେଁ । ଦେଖ ମୋ ଝିଅ ଆଜି ଆଇ.ଏ.ଏସ୍ ପାଇଛି । କଣ କରିବି ସେ ଚୋରକୁ ଅଭିଶାପ ଦେବି ନା ଆଶୀର୍ବାଦ ?”

ତାକୁ ମୁଁ ମୋ ସହ ଦିଲ୍ଲୀରେ ରହିଯିବାକୁ କହିଲି, ” ଆଉ ସେ ବେଶ୍ୟାପଡ଼ାକୁ ଯିବା ଦରକାର ନାହିଁ କି ପଇସା ପଠେଇବା ଦରକାର ନାହିଁ । “

“ହଁ, ମୁଁ କିଛିଦିନ ରହିବି ଏଠି ହେଲେ ତାପରେ ପୁଣି ବେଶ୍ୟାପଡ଼ାକୁ ଚାଲିଯିବି ।”

“କାହିଁକି ?”

“ତୁ ଆସିବୁ ସେଇଠିକୁ ମୋତେ ନେବାକୁ । ମୋ ସହିତ ଅନେକ ବେଶ୍ୟାଙ୍କୁ ତାଙ୍କ ପରିସ୍ଥିତିରୁ ମୁକ୍ତି ଦେବାକୁ । ତାଙ୍କ ଜୀବନକୁ ଦେଖିବୁ ପଢିବୁ । ତାଙ୍କ ଛୁଆଙ୍କୁ ପଢେଇବାର ବ୍ୟବସ୍ଥା କରିବୁ ଯେମିତି ବେଶ୍ୟାର ଝିଅ ବେଶ୍ୟା ନହେଇଯାଉ । ତାଙ୍କ ପାଇଁ କିଛି ଜୀବିକା ଖୋଜିବୁ ଯେଉଁଠି ସେ ପାଇବେ ସମ୍ମାନ ଆଉ ଛାଡ଼ିବେ ଅନ୍ଧାରରେ ନାଲିବତୀ ଜାଳିବାର ଅଭ୍ୟାସ । ମୋତେ ଆଣିବାକୁ ଚାହୁଁଚୁ ତ ତୋତେ ବେଶ୍ୟାପଡ଼ା ଆସିବାକୁ ହେବ ଝିଅ ।”

ମୁଁ ମାଆକୁ କୁଣ୍ଢେଇ ପକେଇଥିଲି । ଖୁବ୍ କାନ୍ଦିଥିଲି । ବେଶ୍ୟାଙ୍କ ଜୀବନ ସୁଧାରିବାର ଶପଥ ନେଇଥିଲି । ମୋ ମାଆ ମୋ ସହ ସେଠି କିଛିଦିନ ରହିବା ଭିତରେ ଦିଲ୍ଲୀରେ ଥିବା କିଛି ଓଡ଼ିଆ ଲୋକ ତାକୁ ଚିହ୍ନିଲେ । ଗୋଡ଼ ଭିଡ଼ିବା ତ ଓଡ଼ିଆଙ୍କ ସହଜାତ ପ୍ରକୃତି । ମୋତେବି ସେମାନେ ମୋ ମାଆ ପରି ବେଶ୍ୟା ଭାବିଲେ । ଲୋକଙ୍କ କଥାଗୁଡ଼ା କେତେ କଷ୍ଟଦାୟକ ଥିଲା ମୋ ମାଆ ପାଇଁ । ସେ ବୁଲିକି ପ୍ରତ୍ୟୁତ୍ତର ବି ଦେଉନଥିଲା । ଯେଉଁ ମଣିଷ ରାମରାଜ୍ୟରେ ରାମସୀତାଙ୍କୁ ଛାଡ଼ିନଥିଲା ସେ ଜଣେ ବେଶ୍ୟାକୁ କାହିଁକି ଛାଡ଼ିଥାନ୍ତା ? ମୋ ମାଆ ଚାହୁଁନଥିଲା ମୋ ନାଁରେ ତା ନାଁ କି ତା ପରିଚୟ ଲାଗୁ । ସେ ଭୋଗିଛି ସେ ଯନ୍ତ୍ରଣା । ସେ ଜାଣେ କେମିତି ଲାଗେ ଲୋକଙ୍କ ଅସହନୀୟ କଥା । ସେ ମୋତେ ସେ ଭାଗ୍ୟ ଦେବାକୁ ଚାହୁଁନଥିଲା । ସେ ମୋ ପରିଚୟ ତିଆରି କରିବାକୁ ତା ପରିଚୟ ନଷ୍ଟ କରିବାକୁ ଚାହୁଁଥିଲା । ସେ ମୋତେ ଦେଖି କାନ୍ଦୁଥିଲା ଆଉ ବେଳେବେଳେ ହସୁ ବି ଥିଲା । ସେ ଫେରିଆସିଲା ଦିଲ୍ଲୀରୁ ହେଲେ ଚାହୁଁନଥିଲା ମୋ ପରିଚୟକୁ ପ୍ରଭାବିତ କଲାଭଳି କିଛି ବି ପରିଚୟ ଶେଷ ରହିଯାଉ । ହୁଏତ ସେ ଉପରକୁ ଅନେଇ ତା ବାପା ସହ କଥା ହେଇଥିବ କି ସେ ପୂରଣ କରିସାରିଛି ତା ଜୀବନର ଉଦ୍ଦେଶ୍ୟ । ଏବେ ସେ ମୁକ୍ତ । ତା ବାପା ସହ କଥା ନହେଇ ସେ କଣ ଡେଇଁଥିବ ପାଣିକୁ ? ସେ ଉପରକୁ ଅନେଇ ମୁଁ ଦେଖିନଥିବା ମୋ ଅଜା ସହ ବିଚାର-ବିମର୍ଷ କରି କିଛିଗୋଟେ ଭାବିଥିବ ନିଶ୍ଚିତ । ନଈ ଦେଖିଲେ ଡରୁଥିବା ନାରୀଟି ମୋ ପରିଚୟ ପାଇଁ ନଈକୁ ଡେଇଁଲା ? ଖୁବ୍ କଷ୍ଟ ଲାଗେ ତା ସଂଘର୍ଷକୁ ମନେ ପକେଇଲେ, ତା ବେଶ୍ୟା ଜୀବନର ବୃତ୍ତାନ୍ତ ଶୁଣିଲେ । କେତେଘଣ୍ଟା ପରେ ଶବ ମିଳିଲା ନଦୀରୁ ଉଲଗ୍ନ ଅବସ୍ଥାରେ । ଅନେକ ମିଡ଼ିଆ କ୍ୟାମେରା ବ୍ଲୋର୍ କରି ଭିଡ଼ିଓ କରୁଥାନ୍ତି ହେଲେ କେହି ଦେଖି ପାରୁନଥିଲେ ତା ଛାତିର ବ୍ରେଲି ଅକ୍ଷର । ମୋତେ ଲାଗେ କି ମୁଁ ମୋ ପରିଚୟ ଲୁଚେଇବା ତା ସଂଘର୍ଷର ଅପମାନ ବୋଲି । ମୁଁ ମୋ ଅତୀତ ଆଉ ମୋ ମାଆର ସଂଘର୍ଷ ଖୋଲି କହିବାର ନିଷ୍ପତ୍ତି ନେଲି । କାରଣ ମୋତେ ଦେଖି ହୁଏତ ଅନେକ ବୁଡ଼ି ଯାଉଥିବା ଆଶା ଘଡ଼ିଏ ଅଟକି ଯିବେ । ତୁମ ଜୀବନ କେବଳ ବିତେଇ ଦେବାକୁ ନୁହେଁ ବରଂ ଜୀବନର ଉଦ୍ଦେଶ୍ୟ ବୁଝି ଆଗକୁ ବଢ଼ିବାକୁ । ମୋ ମାଆର ସଂଘର୍ଷକୁ ହିଁ ମୁଁ ଗୀତାର କର୍ମଯୋଗ ଭାବେ । ତା ବୁଝାମଣାରେ ମୁଁ ଦେଖିପାରେ ଜ୍ଞାନ । ତା ସମର୍ପଣରେ ମୁଁ ଦେଖିପାରେ ଭକ୍ତି । ମୋ ମାଆ ଭିତରେ ମୁଁ ଦେଖିପାରେ କୃଷ୍ଣଙ୍କ ବିଶ୍ଵରୂପ । ମୁଁ ଆଜି ଆୱାର୍ଡ ପାଇଥିବା ଗୋଟେ ଆଇ.ଏ.ଏସ୍ ଅଫିସର୍ । ମୁଁ ଯେଉଁଠିକି ବି ବଦଳି ହେଇ ଯିବି ସେଠାକାର ବେଶ୍ୟାପଡ଼ାକୁ ଯିବି । ତାଙ୍କ ସଂଘର୍ଷରେ ମୋ ମାଆକୁ ଭେଟିବି । ତାଙ୍କ ଛୁଆଙ୍କୁ ଶିକ୍ଷା ଦେବି ଆଉ ମୋ ମାଆକୁ ମନେ ପକେଇବି । ଆଜିଠୁ ଏ ସଂକଳ୍ପ ଆଉ ଅଭିଯାନ ଆରମ୍ଭ । ମୋ ମାଆ ବେଶ୍ୟା ଆଉ ମୁଁ ତା ପାଇଁ ଗର୍ବ ଅନୁଭବ କରେ । ଧନ୍ୟବାଦ ।” ଆଇ.ଏ.ଏସ୍ ଅଫିସର୍ ଜଣଙ୍କ ମଞ୍ଚରୁ ତଳକୁ ଆସୁଥାନ୍ତି । ବାଦାମୀ ରଙ୍ଗର ବେଶ୍ୟା ସେଠି ନଥାଏ ହେଲେ ଅନେକ ତାଳିରେ କମ୍ପୁଥାଏ ଅଡିଟୋରିଅମ୍ । କେଉଁ ମହାପୁରୁଷ ନୁହେଁ ବରଂ ମହାନାରୀଙ୍କ ମହାନତାରେ ଯୋଡ଼ି ହେଇ ଯାଉଥିଲା ହସ୍ତ ସମସ୍ତଙ୍କ । ମାଆଟି ନିଜ ପରିଚୟକୁ ଝିଅ ଭାଗ୍ୟରେ ଲେପି ଦେବାକୁ ଚାହୁଁନଥିଲା ଆଉ ଝିଅ ତା’ ମାଆର ପରିଚୟ ବିନା ନିଜ ପରିଚୟ ଗଢ଼ିବାକୁ ଚାହୁଁନଥିଲା । ଖୁବ୍ ମର୍ମସ୍ପର୍ଶୀ ଥିଲା ସେ ଶବ୍ଦ ସେ ମୁହୂର୍ତ୍ତଗୁଡ଼ାକ । କିଛି ଲୋକ ସେଠି ସ୍ତବ୍ଧ ଭାବେ ବସି ରହିଥିଲେ ପଥର ପରି ଆଉ କିଛି ଲୋକ ଆଖିରେ ଲୁହ ଜକେଇ ଅଡିଟୋରିଅମ୍ ରୁ ବାହାରି ଯାଉଥିଲେ…

ତୁଳସୀପୁର, କଟକ

ଲେଖକ ପରିଚୟ

ଯୁବ ଔପନ୍ୟାସିକ ଭାବରେ ପ୍ରସିଦ୍ଧି ଲାଭ କରିଥିବା ଶିବସୁନ୍ଦରଙ୍କ ଲିଖିତ ଦୁଇଟି ଉପନ୍ୟାସ “ଉଲଭା ପରୀ” ଓ “ରକ୍ତସିଂହା” ପ୍ରକାଶିତ ହୋଇ ଖୁବ ପାଠକାଦୃତ ହେଇଛି ।

Related Posts

Leave a Reply

Your email address will not be published. Required fields are marked *