ମୁଁ ଯଦି ବୋହୂଟେ ହୁଅନ୍ତି

ଅରୁଣ କୁମାର ତ୍ରିପାଠୀ

ଛୁଆବେଳେ ପଢିଥିବା କଥାମାନ ପ୍ରାୟତଃ ସେରବ୍ରୋମ୍ ରେ ରହିଯାଏ । ଅଧ୍ୟାପନା କାଳରେ ଚାଟଙ୍କୁ ସେଥିଲାଗି ନିୟମିତ କୁହେ, ସୁଷମ୍ନାକାଣ୍ତକୁ ଠିଆ କରି ରଖ । ବୋଧହୁଏ ସେୟା ୨୦୦୬ ମସିହାର କଥା । ସେହି ଉଦାହରଣ ଆଜି ମୁଁ ପ୍ରାୟ ସମସ୍ତଙ୍କୁ କୁହେ । ଗୋଟିଏ ଖବରକାଗଜ ସ୍ତମ୍ଭ ସହକାରେ ଗପଟିଏ ବାହାରିଥାଏ । ସେଥିରେ ଗୋଟିଏ ପ୍ରଶାସନିକ ଅଧିକାରୀ କଲୋନୀର ବିହଙ୍ଗାବଲୋକନରେ ବାହାରିଥାଏ । ସମସ୍ତେ ଉଚ୍ଚ ଦରମା ତଥା ଗଭୀର ଉପୁରି ସହକାରେ ବିରାଟ ବଡ଼କୋଠା, ଛୁଆଙ୍କୁ ବିଦେଶରେ ଶିକ୍ଷା, ତଥା ନିଇତି ଇଞ୍ଜେକ୍ସନ ନିଆ ଦେହ ସବୁ ଗଠନ କରି ରଖିଥିଲେ । ସେ ଭିତରୁ ଜଣଙ୍କ ଛୁଆଟେ ବାତରା ହେଇଗଲା । ପାଠ ଅଧାରୁ ଛାଡ଼ିଦେଲା । ପ୍ରଶାସକ ବାପାଟେ କିନ୍ତୁ ତା ପାଇଁ ଦୋକାନଟେ ଖୋଲିଦେଲା । ସେହି ଜଣଙ୍କର ହିଁ ପୁଅ ନିଜ ଦେଶରେ ବାପା ପାଖରେ ରହିଲା, ବଳକା ସମସ୍ତଙ୍କର ସନ୍ତାନ ବିଦେଶରେ ସେଟଲ ହେଇଗଲେଣି । ଏହି କ୍ରମରେ ଜଣେ ବନ୍ଧୁ ସେହି ଦୋକାନିଆର ଘରକୁ ବୁଲିବାକୁ ଯାଇଥା’ନ୍ତି । ଜେଜଙ୍କ କୋଳରେ ସେହି ସମୟରେ ନାତି ଟୋକାଟେ ବସିଥାଏ । ବନ୍ଧୁଜଣକ ସେହି ଦୃଶ୍ୟ ଅବଲୋକନ କରି ଭୋଭୋ ହେଇ କାନ୍ଦି ଉଠିଲେ । କାରଣ ପୃଚ୍ଛନ୍ତେ କହିଲେ, “ମୋ ନାତି ଆଜି ଯାଏଁ ମୋ ଗୋଡ଼ରେ ହଗିନିରେ..।“

ଏହା ହେଉଛି ଅଧୁନା ସମାଜର ବାସ୍ତବ ଚିତ୍ର । ସମସ୍ତେ ସହର ମୁହାଁ । ମେଟ୍ରୋ ମୁହାଁ । ନତୁବା ସାତଦରିଆ ପାରି ବିଦେଶ ମୁହାଁ । ବୃଦ୍ଧ ଶାଶୂ ଶ୍ଵଶୁରଙ୍କୁ ପଚାରେ କିଏ ? ହଁ…ପଚାରୁଛନ୍ତି କେତେକ ହେଲେ ମାସ ପୁରିଲେ ରେମିଟେନ୍ସ କରିଦେଇ । ପୁଣି ସେ ପଇସା କାହାକୁ ଦରକାର ? ଏବାବଦକୁ ଗଞ୍ଜାମରେ ଲୋକ କଥାଟେ ଅଛି – “ହଳୁଆ ଘରମାନଙ୍କରେ ଶାଶୂ ବୋହୂଙ୍କୁ ବଡ଼ ଅତ୍ୟାଚାର କରେ । ବୋହୂଟି ପ୍ରଥମ ଛୁଆ ହେଲା ଯାଏଁ ସମ୍ଭାଳି ଯାଏ । ଆଉ ତାପରେ କିଛି ଦିନ କଥା କଟାକଟି ହୁଏ । ପରେ ଶ୍ଵଶୁର ବଳ ଖସି ଯାଇଥାଏ । ସେତେବେଳେ ଚୁଟି କେତେଇକି ଗଣ୍ତୋଗଳ ନିୟମିତ ଦେଖିବାକୁ ମିଳେ ।“

ଯୌତୁକ ପ୍ରଥା ପୂର୍ବେ ବହୁଳ ଭାବେ ଗ୍ରାମ୍ୟ ଜୀବନକୁ ପ୍ରଭାବିତ କରୁଥିଲା । କିନ୍ତୁ ଆଜିକାଲି ସହରରେ ଏଭଳିକି ବିଦ୍ୟାଦାତ୍ରୀଗଣ ନିଜ କଳା କଚମଚ କଥାକୁହା କଣ୍ଢେଇକୁ ୧୦ ଲକ୍ଷ୍ୟ ଟଙ୍କାରେ ବିକ୍ରି  କରିଦଉଛନ୍ତି । ଯୌତୁକ କାହାର ଜୀବନ ସାରା ପୁଞ୍ଜିକୁ ଗୋଟିଏ ଉତ୍ସବରେ ସାରିଦେଉଥିବା ସ୍ଥଳେ ଆଉ କେଉଁଠି ବାପଘର ହାୱାରେ ଶାଶୂଶ୍ଵଶୁରକୁ ବୁଲା କୁକୁରଠାରୁ ଅଧିକ ଇତର କରିଦେବାକୁ ପଛଉ ନାହାନ୍ତି କିଛି ନାଗୁଣୀ । “ହଁ ମ…! କାହିଁକି କରିବ ସେ ? ବୋପାଘରୁ ପଇସା ଆଣି ତ ଘର କଲା, ସ୍ୱାମୀ ତ ଲାଜକୁଳା ଅପରଛନିଆଟେ,  ଆଉ ସବୁବେଳେ ଶାଶୂଶ୍ଵଶୁର ହେଲେ ସେମାନେ ବା ମର୍ଯ୍ୟାଦା ବୁଝିବେ ନାହିଁ; ସମସ୍ତଙ୍କୁ ସମ୍ମାନ ହଜମ ହୁଏ ନାହିଁ । ସେପଟେ ପୁଅକୁ ଲାଜ ଅଛି ନା ସରମ ଅଛି ? ବୋପା ଶଯ୍ୟାଶାୟୀ ହୋଇଥିଲାବେଳେ ଇଏ ବେହିପ ମାଇକିନାକୁ ବୋପାଘରକୁ ଯିବାକୁ କହୁଛି, ରାତି ରାତି ଚେତା ରହି ବାପାର ସେବା କରୁଛି, ପୁଣି ସେମାନଙ୍କୁ ରାନ୍ଧିବାଢି ଦେଇ ଅଫିସ୍ ଯାଉଛି । ମୁଁ ତାଙ୍କ ଜିନିଷ ଜମା ଛୁଉଁନି ହେ ଝିଅ, ୟାଙ୍କ ପେନସନ ପଇସାରେ ଯାହା ମିଳିଲା ସେତିକରେ ଧାଇଁଯାଇଁ ଚାଉଳ ଡାଲି ଆଣୁଛି, ବେଳେବେଳେ ପରିବା ଆଣୁଛି । ଘୁଷୁରି ଖିରରେ ଯଦିଓ ମୋହିନି କଲେ, ଇଏ କଣ ଜାରଜ ହେଇଛି କି, ବୋପାମା’ର କଷ୍ଟ ଦେଖାଯାଉନି ତାକୁ ? ଲକ୍ଷେ ଟଙ୍କା ଦରମା ପାଉଛି ଯେ, ଟଙ୍କାଟେ ଉଠଉନି । ଶ୍ଵଶୁରଘର ପଇସାରେ ଚଳୁଛି ।“ ଏମିତି କିଛି ଉକ୍ତି ସେଦିନ ଶୁଣିଲି, ଆଚମ୍ବିତ ହେଲି । ଗୋରା ତକତକ ଚେହେରା ରଖିଥିବା ହୃଦୟଟି କେମିତି ଏମିତି ହେଲା !

ଆଉ ଏକ ଘରେ ଶାଶୂ ତ ନିଜ ବଳ ବୟସରେ ଗୋସେଇଁ ଶାଶୂକୁ ପଚାରୁ ନଥିଲା, ଦେଇଥିଲେ ପାଇ ନା ! ଭୁଲ କିଛିଦିନରେ ନିୟମ ହେଇଯାଏ, ଆଉ ସେହି  ନିୟମକୁ ଧରାବନ୍ଧା କରି ଚଳିଲେ, ବିପୁଳ କ୍ଷତି ହେବ ସମାଜର । ପୁଣି ଅବାରିତ ବିକାଶ ମୁହାଇଁ ଧାଉଁଥିବା ସାଧାରଣ ଜୀବନରେ ଆମେ ନୀତି, ନିୟମ, ଆଚାର, ବ୍ୟବହାର, ସଂସ୍କୃତି, ଶିଷ୍ଟାଚାର, ସମ୍ବେଦନଶୀଳତା ତଥା ଦୂରଦୃଷ୍ଟି ସମ୍ପର୍ଣ୍ଣ ହେଇପାରିଲେ ଯାଇ ସମାଜର ନାନାଦି ଉନ୍ନତି ଘଟିବ ।

ଜୟପୁର, ମୋ – ୯୦୭୮୮୩୮୬୨୭

ଲେଖକ ପରିଚୟ

ନବମ ଶ୍ରେଣୀ ପଢିଲା ସମୟରେ କବିତାରୁ ନିଜର ସାରସ୍ୱତ ଯାତ୍ରା ପ୍ରାରମ୍ଭ କରିଥିଲେ । ଅର୍ଥଶାସ୍ତ୍ର, ଲୋକ ପ୍ରଶାସନ, ସମାଜ ଶାସ୍ତ୍ର, ସାମ୍ବାଦିକତା ଏବଂ ଗଣଯୋଗାଯୋଗରେ ସ୍ନାତକୋତ୍ତର ହାସଲ କରିଥିବା ଶ୍ରୀ ତ୍ରିପାଠୀ ଆଦିବାସୀ ଅଧ୍ୟୟନରେ ବିଦ୍ୟାନିଶାନ୍ତ ହାସଲ କରିଅଛନ୍ତି । ସାମ୍ପ୍ରତିକ ବିଷୟକୁ ନେଇ ରାଜ୍ୟର ବିଭିନ୍ନ ଖବରକାଗଜରେ ସ୍ତମ୍ଭ, ଗଳ୍ପ ତଥା କବିତାମାନ ଲେଖନ୍ତି । ଓଡ଼ିଆ ଏବଂ ଇଂରାଜୀ ମିଶାଇ ୩ ଟି ପୁସ୍ତକ ପ୍ରକାଶିତ ହୋଇ ସାରିଥିବାବେଳେ ନିକଟରେ ତାଙ୍କର ଆଉଏକ ପୁସ୍ତକ “ସ୍ମୃତି ଓ ବିସ୍ମୃତି” ପ୍ରକାଶିତ ହୋଇଯାଇଛି ।

Related Posts

Leave a Reply

Your email address will not be published. Required fields are marked *