ଭାଗୀରଥି ବେହେରା

ବାରମ୍ବାର ଖସିଯିବାକୁ ଇଚ୍ଛା ହୁଏ
ଯଦି କିଏ ସଂଭାଳିବାକୁ ଥାଏ ।
ଏମିତି ବି ତ ହୋଇପାରେ
ଖସିବାର-ନ ଖସିବାର ଚିନ୍ତା ହିଁ ନଥାଏ
ଯେହେତୁ ସମ୍ଭାଳି ହେବାର ଆଶ୍ଵସ୍ତତା
ପାଖେପାଖେ ଥାଏ ।

ପ୍ରଶ୍ନ ଉଠେ କେତେ ଖସି ହେବ ?

ପାତାଳର ପିଶାଚିକ ନର୍କ ଯାଏଁ
କିମ୍ବା ପାପର ପରିସୀମା ଡେଇଁ
କେଉଁ ଆପଣଙ୍କୁ ଲହୁଲୁହାଣ କରିବାର ସ୍ଵର୍ଗ ଯାଏଁ,
ଏମିତି କେତେ ଖସି ହେବ କି
ସମ୍ଭାଳି ନେଉଥିବା ଲୋକର
ସଞ୍ଚିତ ପ୍ରେମ ଟିକକ ନଷ୍ଟ ହେବା ଯାଏଁ ।

ବାରମ୍ବାର ପାପର ପଥରେ
ପୁଣ୍ୟର ରଥରେ
ଯେଉଁ ଘମାସାନ ଲଢେଇ ହୁଏ
ସେଥିରେ ସମ୍ଭାଳୁଥିବା ଥିବା ଲୋକର
ସ୍ଥିତି କେଉଁଠି ?
ପୁନଶ୍ଚ ତା’ର ଖସିଯିବାର ସୀମା କେ ଯାଏଁ ?

ଯଦି ସେ ପଥ ହୁଡ଼େ
ତେବେ କିଏ କାହାକୁ ସମ୍ଭାଳିବ ଏବେ ?

ଇଏ ଏକ ସାପସିଡ଼ି ଖେଳର ପ୍ରହେଳିକା
ଯିଏ ଯେଉଁଠି ରହିଥାଏ ଯେ ଯା ସ୍ଥାନରେ
ଟିକେ ଏପଟ ସେପଟ ହେଲେ ବି ଜୀବନ
ନିଜ ସଂସାରକୁ ସମ୍ଭାଳି ହୁଏ ।

ତେବେ ସବୁ ନିୟନ୍ତ୍ରଣ କରୁଛି କିଏ
-ଜୀବନର ଏ ଖେଳ
-ସହିବାର ବେଳ
କ୍ଷଣକେ ସବୁ ଝାଡିଝୁଡ଼ି ଖସିଯିବାର ବେଳ
ପୁଣି ନିଜକୁ ସମ୍ଭାଳି
ସେହି ଆପଣା ଲୋକ ପାଖକୁ
-ଫେରି ଆସିବାର ବେଳ ।

ସ୍ଵୟଂ ମୁଁ ନିଜେ
କି ମୋ ପାଇଁ ତୁମେ !

ଏମିତି ଲୁଚକାଳି ଖେଳୁଥିବା
ଅଛିଣ୍ଡା ପ୍ରଶ୍ନର ଉତ୍ତର ପାଇଁ
ବୋଧେ ପୁଣି ଥରେ ଖସିବାକୁ ହେବ ।

ହେ ସମ୍ଭାଳିବା ଲୋକ !
ନିଜକୁ ପ୍ରସ୍ତୁତ କର ପୁଣି ଥରେ
ସମ୍ଭାଳିବାକୁ ।

ବ୍ରହ୍ମପୁର, ଗଞ୍ଜାମ, ମୋ – ୮୭୬୩୨୦୨୬୨୨

ଲେଖକ ପରିଚୟ

୪ ଟି କବିତା ସଂକଳନ ସହିତ ୭ ଟି ଗଳ୍ପ ସଂକଳନ ଓ ୪ ଟି ଉପନ୍ୟାସର ସଫଳ ରଚୟିତା ଲେଖକ ସାହିତ୍ୟ ଅନୁଷ୍ଠାନ ‘ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟ, ବ୍ରହ୍ମପୁର’ର ପ୍ରତିଷ୍ଠାତା ସମ୍ପାଦକ ଓ ପତ୍ରିକା ‘ଭାଗୀରଥୀ –କବିତାର ଗଙ୍ଗା ‘ ଯଥା ‘ଗଳ୍ପ ଗଞ୍ଜାମ‘ ସମ୍ପାଦିତ ସଙ୍କଳନର ସଫଳ ସମ୍ପାଦକ ।

Related Posts

Leave a Reply

Your email address will not be published. Required fields are marked *