ଭୁବନେଶ୍ଵର : ଉତ୍କଳ ବିଶ୍ଵବିଦ୍ୟାଳୟ ଏବଂ ଇନଷ୍ଟିଚ୍ୟୁଟ ଅଫ୍ ମିଡ଼ିଆ ଷ୍ଟଡ଼ିଜ ପକ୍ଷରୁ ଜାତୀୟ ସଂହତି ଓ ସଂସ୍କୃତି ପର୍ବ ‘ଉତ୍ସବ ଓଡ଼ିଶା’ ବିଶ୍ଵବିଦ୍ୟାଳୟ ଏମକେସିଜି ପ୍ରେକ୍ଷାଳୟରେ ମଙ୍ଗଳବାର ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଲେଖକ ତଥା ପୂର୍ବତନ ପ୍ରଶାସକ ହରପ୍ରସାଦ ଦାସ ମାତୃଭାଷାର ବ୍ୟବହାର ଓ ପ୍ରଚାର ପ୍ରସାର ଉପରେ ଗୁରୁତ୍ଵ ଦେଇଛନ୍ତି । ଏହାକୁ ବିଶ୍ଵ ଭାଷା ଭାବେ ବ୍ୟବହାର କରିବାକୁ ଭାଷାର ଅବସ୍ଥା ବିଷୟରେ ଅବଗତ ହୋଇ ତଦନୁଯାୟୀ ନୀତି ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ସମ୍ମାନିତ ଅତିଥି ଭାବେ ସଂସ୍କୃତ ବିଭାଗର ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀ ଯୋଗ ଦେଇ ଭାଷାକୁ ସଂସ୍କୃତିର ବାହକ ବୋଲି ଅଭିହିତ କରିଛନ୍ତି ।
ସେହିପରି ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମାତୃଭାଷାରେ ଶିକ୍ଷାଦାନ ଅବା ସାହିତ୍ୟ ସୃଷ୍ଟି କରିବା ହେଉ, ବିଶ୍ଵବିଦ୍ୟାଳୟଗୁଡ଼ିକରେ ଗୁରୁଦାୟିତ୍ଵ ରହିଥିବା କହିଛନ୍ତି । ଭାରତୀୟ ଭାଷା ସମିତିର ବରିଷ୍ଠ ଉପଦେଷ୍ଠା ନିଷମଣି କର, ସାଧାରଣ ଉଦ୍ୟୋଗ ବିଭାଗର ସ୍ଵତନ୍ତ୍ର ସଚିବ ନିହାର ରଞ୍ଜନ ଦାସ, ବିଶ୍ଵବିଦ୍ୟାଳୟର ଛାତ୍ର ମଙ୍ଗଳ ନିର୍ଦ୍ଦେଶିକା ମିତାଲି ଚିନାରା, ଉତ୍ସବ ଓଡ଼ିଶାର ଆବାହକ ଉପେନ୍ଦ୍ର ପାଢୀ ଏବଂ ମୃତ୍ୟୁଞ୍ଜୟ ରଥ ପ୍ରମୁଖ ମତବ୍ୟକ୍ତ କରିଛନ୍ତି । ପ୍ରଥମ ବୈଷୟିକ ଅଧିବେଶନରେ ଓଡ଼ିଶାର ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ଅଶୋକ ଦାସ, ସ୍ନାତକୋତର ପରିଷଦ ଅଧ୍ୟକ୍ଷା ନବନୀତା ରଥ ଏବଂ ଲେଖକ ତଥା ଶିକ୍ଷାବିତ ନିରଞ୍ଜନ ପାଢୀ ପ୍ରମୁଖ ‘ଜାତୀୟ ସଂହତିରେ ଜାତୀୟ ଶିକ୍ଷାନୀତିର ଭୂମିକା’ ଶୀର୍ଷକରେ ମତବ୍ୟକ୍ତ କରିଥିଲେ ।