ପଣ୍ଡିତ ନୀଳମଣି ବିଦ୍ୟାରତ୍ନ

ଓଡିଆ ଜାତି, ଭାବ ଏବଂ ରାଜ୍ୟ ଗଠନର ଅମର ବିନ୍ଧାଣୀ

ଓଡି଼ଆ ଭାଷାଭାଷୀ ଅଞ୍ଚଳକୁ ପଡ଼ୋଶୀ ରାଜ୍ୟମାନଙ୍କରେ ମିଶାଇଦେଇ ଓଡି଼ଆ ଭାଷା ଓ ସଂସ୍କୃତିର ବିଲୋପନ ପାଇଁ ଚକ୍ରାନ୍ତ ଚାଲିଥିବା ବେଳେ କେତେଜଣ ସ୍ୱାଭିମାନୀ ଓଡି଼ଆ ଏହା ବିରୋଧରେ ଅବିଶ୍ରାନ୍ତ ସଂଗ୍ରାମ କରିଥିଲେ । ସେମାନଙ୍କ ମଧ୍ୟରୁ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଅନ୍ୟତମ । ୧୮୬୭ ଡିସେମ୍ବର ଆଜି ଦିନରେ କଟକ ଜିଲ୍ଲାର ବାଙ୍କି ଅନ୍ତର୍ଗତ ବୈଦ୍ୟେଶ୍ୱର ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ । ଛାତ୍ର ଜୀବନରୁ ସେ ଖବରକାଗଜ ଓ ପତ୍ରପତ୍ରିକା ପଠନ ପ୍ରତି ଆଗ୍ରହୀ ଥିଲେ । ଶିକ୍ଷକ ଭାବେ ତାଙ୍କର ପେସାଦାର ଜୀବନ ଆରମ୍ଭ ହୋଇଥିଲା । ବାମଣ୍ଡା ରାଜା ସାର୍‍ ବାସୁଦେବ ସୁଢ଼ଳଦେବ ତାଙ୍କ ପ୍ରତିଭାର ପରିଚୟ ପାଇ ତାଙ୍କୁ ନିଯୁକ୍ତ କରିଥିଲେ । ଓଡି଼ଆ ଜାତି, ଓଡି଼ଆ ଭାବ ଏବଂ ଓଡି଼ଶା ରାଜ୍ୟ ଗଠନର ଅମର ବିନ୍ଧାଣୀ ସେ । ବାମଣ୍ଡା ରାଜା ସାର୍‍ ବାସୁଦେବ ସୁଢ଼ଳଦେବ ୧୮୮୭ ପ୍ରକାଶନ ଆରମ୍ଭ କରିଥିବା ‘ସମ୍ବଲପୁର ହିତୈଷିଣୀ’ ପତ୍ରିକା ପଶ୍ଚିମ ଓଡି଼ଶାର ସାଂସ୍କୃତିକ ଜାଗରଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଏହି ସାପ୍ତାହିକ ପତ୍ରିକାକୁ ପ୍ରସିଦ୍ଧ କରାଇବାରେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କର ପ୍ରମୁଖ ଭୂମିକା ଥିଲା । ‘ସମ୍ବଲପୁର ହିତୈଷିଣୀ’ର ସମ୍ବାଦକ ହେବା ପରେ ସେଥିରେ ରାଧାନାଥ ରାୟ, ଫକୀରମୋହନ ସେନାପତି, ଗଙ୍ଗାଧର ମେହେର, ମଧୁସୂଦନ ରାଓ, ବିଶ୍ୱନାଥ କର, ଜଳନ୍ଧର ଦେବ ପ୍ରମୁଖଙ୍କ ଲେଖା ନିୟମିତ ପ୍ରକାଶ ପାଉଥିଲା । ଅଳ୍ପ ଦିନରେ ଏହା ଓଡି଼ଆ ଭାଷାର ବିଶିଷ୍ଟ ପତ୍ରିକା ପାଲଟିଥିଲା । ସେ ଥିଲେ ଅତ୍ୟନ୍ତ ସ୍ପଷ୍ଟବାଦୀ ଓ ନିର୍ଭୀକ ସମ୍ପାଦକ । ଲେଖା ପ୍ରକାଶନକୁ କେନ୍ଦ୍ର କରି ରାଜାଙ୍କ ସହ ଅସହମତି ଯୋଗୁଁ ସେ ବାମଣ୍ଡା ଛାଡି଼ ଚାଲିଯାଇଥିଲେ । ବାମଣ୍ଡା ଛାଡି଼ବା ପରେ ସେ ଓଡି଼ଶାର ବିଭିନ୍ନ ଅଞ୍ଚଳରେ ରହି ‘ପ୍ରଜାବନ୍ଧୁ’, ‘ଗଞ୍ଜାମ ଗୁଣ ଦର୍ପଣ’, ‘ଉତ୍କଳ ଦୀପିକା’ ଓ ‘ଉତ୍କଳ ମଧୁପ’ ଆଦିର ସମ୍ପାଦନା କରିଥିଲେ । ସେ ଆଧୁନିକ ଓଡି଼ଶାର ଅନ୍ୟତମ ନିର୍ମାତା । ନୀଳମଣି ହିଁ ପ୍ରଥମେ ‘ଗଞ୍ଜାମ ସମ୍ମିଳନୀ’ ଗଠନ ମାଧ୍ୟମରେ ଉତ୍କଳ ସମ୍ମିଳନୀର ପରିକଳ୍ପନା କରିଥିଲେ । ତାଙ୍କ ଉଦ୍ୟମରେ ଆୟୋଜିତ ଗଞ୍ଜାମ ଜାତୀୟ ସମ୍ମିଳନୀରେ ଉତ୍କଳଗୌରବ ମଧୁସୂଦନ ଦାସ ଯୋଗ ଦେଇ ଅନୁଭବ କରିଥିଲେ ଯେ ଓଡି଼ଶାର ବିଚ୍ଛିନ୍ନାଞ୍ଚଳମାନଙ୍କୁ ଏକତ୍ରିତ କରି ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବାର ଲକ୍ଷ୍ୟ ସାଧନ କରିବାକୁ ଅନୁରୂପ ସମ୍ମିଳନୀ ଲୋଡ଼ା । ଏହା ପରେ ଉତ୍କଳ ସମ୍ମିଳନୀ ଜନ୍ମଲାଭ କରିଥିଲା । ନୀଳମଣି ବିଦ୍ୟାରତ୍ନ ଥିଲେ ଓଡି଼ଆ ଭାଷା ତଥା ଉତ୍କଳ ପ୍ରଦେଶର ଆଜୀବନ ସେବକ । ସମାଜରୁ କୁସଂସ୍କାର ଦୂର କରିବାକୁ ସେ ଅହରହ ଉଦ୍ୟମ ଚଳାଇଥିଲେ । ବିଧବା ବିବାହ ପ୍ରଚଳନ ଓ ବାଲ୍ୟ ବିବାହ ବନ୍ଦ ପାଇଁ ତାଙ୍କର ଅବଦାନ ସ୍ମରଣୀୟ । ସେ ପୁରୀ ସହରରେ ଏକ ବିଧବାଶ୍ରମ ପ୍ରତିଷ୍ଠା କରିଥିଲେ । ଓଡି଼ଶା ସଂସ୍କୃତି ଓ ଭାଷାର ପ୍ରସାର ପାଇଁ ନିଜ ହାତରୁ ଖର୍ଚ୍ଚ କରୁଥିଲେ । ୧୯୨୩ ମସିହା ଜୁଲାଇ ୨୬ରେ ଏହି ମହାପୁରୁଷଙ୍କର ପରଲୋକ ଘଟିଥିଲା ।

Related Posts

Leave a Reply

Your email address will not be published. Required fields are marked *