କର୍ପୋରେଟ୍‍ ଦୁନିଆର କଥା

ବହି : କ୍ରନିକଲ୍‍ସ ଅଫ ଏ କରପୋରେଟ୍‍ ଏକଜକ୍ୟୁଟିଭ୍‍ ଆଣ୍ଡ ଇନସାଇଡରସ୍‍ ଟେକ୍‍ ଅନ ଦି ଇଣ୍ଡିଆନ ଏଣ୍ଟରପ୍ରାଇଜ୍‍
ଲେଖକ : ରମେନ୍ଦ୍ର କୁମାର
ପ୍ରକାଶକ: ବ୍ଲୁ ପେନସିଲ୍‍
ମୂଲ୍ୟ: ୨୪୯ ଟଙ୍କା

ରମେନ୍ଦ୍ର କୁମାରଙ୍କୁ ମୁଁ ବ୍ୟକ୍ତିଗତ ଭାବରେ ପ୍ରାୟ ୨୦ ବର୍ଷରୁ ଊର୍ଦ୍ଧ୍ୱ କାଳ ହେଲା ଚିହ୍ନିଛି । ରମେନ୍ଦ୍ର କୁମାର ଜଣେ ପବ୍ଲିକ୍‍ ରିଲେସନ ଅଫିସର ବା ଜନ ସଂପର୍କ ଅଧିକାରୀ ଭାବେ କର୍ପୋରେଟ୍‍ ଜଗତରେ ବେଶ୍‍ ଜଣାଶୁଣା । ଗତବର୍ଷ ଚାକିରୀରୁ ସ୍ୱେଛାକୃତ ଅବସର ନେଲାବେଳେ ସେ ରାଉରକେଲା ଇସ୍ପାତ କାରଖାନାର କର୍ପୋରେଟ କମ୍ୟୁନିକେସନ ବିଭାଗର ମୁଖ୍ୟ ଥିଲେ । ଇଏ ରମେନ୍ଦ୍ରଙ୍କର ପେଶାଗତ ଦିଗ । ରମେନ୍ଦ୍ର କୁମାରଙ୍କର ଆଉ ଗୋଟେ ପରିଚୟ ଅଛି ଲେଖକ ଭାବରେ । ସେ ଇଂରାଜୀ ଭାଷାରେ ବିଭିନ୍ନ ଧରଣର ଲେଖା ଲେଖନ୍ତି । ବୟସ୍କମାନଙ୍କ ପାଇଁ ଉପନ୍ୟାସ ଲେଖିଛନ୍ତି । ପିଲାମାନଙ୍କ ପାଇଁ ଅନେକ ଗପବହି ଲେଖିଛନ୍ତି । ପିଲାମାନଙ୍କ ଲାଳନପାଳନ (ପ୍ୟାରେଣ୍ଟିଂ) ବିଷୟରେ ବହି ଲେଖିଛନ୍ତି । ତାଙ୍କ ଲେଖା ବହି ବିଶ୍ୱର ଅନେକ ଭାଷାରେ ଅନୁଦିତ ହୋଇଛି । ଅନେକ ପାଠ୍ୟପୁସ୍ତକରେ ମଧ୍ୟ ସ୍ଥାନିତ ହୋଇଛି ।

ତାଙ୍କର ଲେଖାର ଗୋଟେ ବଡ ବିଭବ ହେଉଛି ହାସ୍ୟ ଏବଂ ବ୍ୟଙ୍ଗ । ତାଙ୍କର ଅଧିକାଂଶ ଲେଖାରେ ଏ ଦୁଇଟି ବିଭବର ଉପସ୍ଥିତି ପାଠକ ଅନୁଭବ କରିପାରିବେ । ପିଲାଙ୍କ ପାଇଁ ଲେଖା ବହିରେ ବିମଳ ହାସ୍ୟ ଅଧିକ । ବୟସ୍କଙ୍କ ପାଇଁ ଲେଖା ବହିରେ ବ୍ୟଙ୍ଗ ଅଧିକ ।

କ୍ରନିକଲ୍‍ସ ଅଫ ଏ କରପୋରେଟ୍‍ ଏକଜକ୍ୟୁଟିଭ୍‍ ବହିଟିରେ ସେ କର୍ପୋରେଟ ଦୁନିଆର ନାନା ପ୍ରକାର ଘଟଣା, ଅଘଟଣା, ବିସଙ୍ଗତି, ଇତ୍ୟାଦିକୁ ସୁନ୍ଦର ଭାବରେ ବେଶ୍‍ ହାସ୍ୟ ଉଦ୍ଦୀପକ ଏବଂ ବ୍ୟାଙ୍ଗାତ୍ମକ ଭାବରେ ଉପସ୍ଥାପନ କରିଛନ୍ତି । ଏ ବହିଟିର ଉଦ୍ଦେଶ୍ୟ ହେଉଛି: ଭାରତୀୟ କର୍ପୋରେଟ ଦୁନିଆଟାକୁ ପାଠକଙ୍କ ଆଗରେ ତାର ଭଲ ମନ୍ଦ ତାର ବିଚିତ୍ର ଚରିତ୍ରମାନଙ୍କ ସହ ସ୍ପଷ୍ଟ ଏବଂ ମୁଖାହୀନ ଭାବେ ତୋଳିଧରିବା । ଏ ବହିର ଆଉଗୋଟେ ଉଦ୍ଦେଶ୍ୟ ମଧ୍ୟ ରହିଛି । ତାହା ହେଲା ଜନସଂପର୍କ ପେଷା ସମ୍ପର୍କରେ ସାଧାରଣ ଲୋକଙ୍କୁ ଜଣାଇବା । ଜନସଂପର୍କ ପେଷାର ମୂଳ ଉଦ୍ଦେଶ୍ୟ ଏବଂ କିପରି ତାହା ସାଧିତ ହୋଇ ପାରିବ ସେ ବିଷୟରେ ଏକ ସ୍ପଷ୍ଟ ଧାରଣା ଦେବା ।

ମ୍ୟାନେଜମେଣ୍ଟ ବା ପରିଚାଳନା ବୃତ୍ତିରେ ଅନେକଗୁଡ଼ିଏ ବିଭାଗ ଅଛି: ହ୍ୟୁମାନ ରିସୋରସେସ୍‍, ଆକାଉଣ୍ଟିଂ. ମାଟେରିଆଲ ମ୍ୟାନେଜମେଣ୍ଟ, ଲଜିସ୍‍ଟିକ୍ସ ମ୍ୟାନେଜମେଣ୍ଟ୍‍, ଇତ୍ୟାଦି । ସେଥିରୁ ସବୁଠୁ ଧୁଆଁଳିଆ ବିଷୟଟି ହେଉଛି ଜନ ସଂପର୍କ । ପରିଚାଳନା କ୍ଷେତ୍ରରେ ଥିବା ଅନେକଙ୍କର ଏହାର ଉଦ୍ଦେଶ୍ୟ ଏବଂ ଭୂମିକା ସଂପର୍କରେ ସ୍ପଷ୍ଟ ଧାରଣା ନାହିଁ । ଏହା ଜନ ସଂପର୍କ ବିଭାଗରେ କାମ କରୁଥିବା ଲୋକମାନଙ୍କ ପାଇଁ ଅନେକ ସମୟରେ ଏକ ବିକଟ ଏବଂ ବିଷମ ସମସ୍ୟା ହେଇଉଠେ । ରମେନ୍ଦ୍ର କୁମାର ତାଙ୍କ ପୁସ୍ତକରେ ଏ ବିଷୟରେ ଅନେକ ଗୁଡ଼ିଏ ଅତ୍ୟନ୍ତ ହାସ୍ୟଉଦ୍ଦିପକ ଘଟଣା (ଯାହା ହୁଏତ ତାଙ୍କ ଜୀବନରେ ଘଟିଛି ବା ସେ ପ୍ରତ୍ୟକ୍ଷ କରିଛନ୍ତି) ମାଧ୍ୟମରେ ଏହାର ଉଦାହରଣ ଗୁଡିକ ଦେଇଛନ୍ତି ।

ରମେନ୍ଦ୍ର କୁମାରଙ୍କର ଲେଖା ବଡ ସରଳ । ଶୀଘ୍ର ଏବଂ ସାବଲୀଳ ଭାବରେ ପଢ଼ି ହୋଇଯାଏ । ଏ ବହିରେ ପୁଣି ବିଚିତ୍ର ସବୁ ଚରିତ୍ରମାନେ ଅଛନ୍ତି ଏମିତି ଚରିତ୍ର ଅଛନ୍ତି ଯେଉଁ ମାନଙ୍କର ଇଂରାଜୀ ରୁôଢ଼ିଟିଏ ପ୍ରୟୋଗକଲେ କହିବାକୁ ପଡେ ଯେ ସେମାନଙ୍କର ଗୋଡ ଗୁଡାକ କୁଟାର, ଅର୍ଥାତ ବିଶାଳ ଚେହେରା କିନ୍ତୁ ଭିତରଟି ଫମ୍ପା । ପୁଣି ଏମିତି ଚରିତ୍ରର ବି ବର୍ଣ୍ଣନା କରିଛନ୍ତି ଯେଉଁମାନେ ଶତପ୍ରତିଶତ ପେଷାଦାର ଏବଂ ଏ ବୃତ୍ତିର ଭୂମିକାକୁ ଠିକ୍‍ ଭାବରେ ବୁଝିପାରିଛନ୍ତି । ଏ ବହିରେ ଲେଖକ ଅନେକ ବିଷମ ପରିସ୍ଥିତିର ଅବତାରଣା କରିଛନ୍ତି ଏବଂ ସେଥିରେ ରେଖାଙ୍କିତ କରିବା ପାଇଁ ଚାହିଁଛନ୍ତି ଯେ ଜନସଂପର୍କ ଅଧିକାରୀ ମାନେ ଏଭଳି କ୍ଷେତ୍ରରେ କଣ କରିବା ଉଚିତ୍‍ ।

ଏ ବହିର ଶେଷ ଦୁଇଟି ଅଧ୍ୟାୟ କଳେବରରେ ଛୋଟ । ଏଥିରେ ଲେଖକ ଅନେକଟା ପାଠ ପଢ଼ିବା ପଢ଼େଇବା ଭଙ୍ଗିରେ ଜନ ସଂପର୍କ ଅଧିକାରୀମାନେ କେମିତି କାମ କରିବା କଥା, ଜରୁରୀକାଳିନ ପରିସ୍ଥିତିରେ କଣ କରିବେ ଏ ସଂପର୍କରେ ଲେଖା ଯାଇଛି ।

ଏ ଦୁଇଟି ଛୋଟ ଅଧ୍ୟାୟକୁ ଛାଡ଼ିଦେଲେ ବାକି ବହିଟି ଆପଣ ଗପ ପଢ଼ିଲା ଭଳିଆ ପଢିଦେଇ ଯାଇପାରନ୍ତି, ଉପଭୋଗ କରିପାରନ୍ତି । ଜନ ସଂପର୍କ ବୃତ୍ତିର ମୌଳିକ ତତ୍ୱ ସଂପର୍କରେ ଜାଣିବା ଏବଂ ବୁଝିବା ପାଇଁ ଏ ବହିଟି ଆପଣଙ୍କୁ ସାହାଯ୍ୟ କରିବ ।

+++

Related Posts

Leave a Reply

Your email address will not be published. Required fields are marked *