ଗୌରପ୍ରିୟା ଦାଶ

ବୋଉ ମାତ୍ର ଏକ ଶବ୍ଦ ନୁହେଁ ମାୟା ମମତାର
ବୋଉର ବର୍ଣ୍ଣନା ପାଇଁ ଶବ୍ଦ ଥରହର,
ଓଠରେ ମୋ ଦରୋଟି ଶବ୍ଦ ଖଞ୍ଜିଥିବା
ଅସରନ୍ତି ଶବ୍ଦର ଭଣ୍ଡାର। ।

ବୋଉ ମୋ ସର୍ବସ୍ୱ ପଞ୍ଚତତ୍ତ୍ଵ ବ୍ରହ୍ମାଣ୍ଡର
କି ଉପମା ଦେବି ତାକୁ
କି ଗୁଣ ତା’ ବଖାଣିବି
ମୋ ପାଇଁ ସେ ଚଳନ୍ତି ଠାକୁର ।

ଜନନୀ, ବସୁଧା, ଧରା କେତେ ନାମ ତା’ର
ମାଟି ପରି ମୁଣ୍ଡେ ଲଦି ବୋଝ ସଂସାର ଯାକର
ସହୁଥାଏ କେତେ ଦୁଃଖ, ଅଳି ଅର୍ଦଳି, ମାଡ଼
ରାଗରୁଷା ଜିଦିର ପ୍ରହାର ।

ପାଣି ପରି ମାନେ ନାହିଁ ବନ୍ଧବାଡ଼ ସେ ଦୁଃଖର
ଜୀବନ ପଥରେ ଚାଲେ ନଈଟିଏ ପରି
ପଥ ହେଉ ଯେତେ ଦୁର୍ଗମ ଅବା ବନ୍ଧୁର …
ଓଠ ଯା’ର ପିଇପାରେ ଆଖି ଲୁହ ଧାର
ମସ୍ତକରୁ ଗଳା ଦେଇ ବହୁଥାଏ ସ୍ୱେଦ ବିନ୍ଦୁ ଝର
ତଥାପି ପରଷି ଦିଏ ବ୍ୟଞ୍ଜନ ଅମୃତର ।

ତା’ କୋଳରେ ମଥା ରଖି ଶୋଇଗଲେ
ତୁଚ୍ଛ ଲାଗେ ଆଲଟ ଚାମର
ଚାରିପାଖେ ତାର ବହୁଥାଏ ସୁଶୀତଳ ମଧୁର ସମୀର
ପଣତରେ ବିଞ୍ଚିଦେଲେ ଥରେ
କ୍ଳାନ୍ତପଣ ହୋଇଯାଏ ଦୂର ।

ଅଗ୍ନି ଯା’ ଶରୀରେ ପ୍ରବାହ
ଚୁଲି ମୁଣ୍ଡେ ବସିବାକୁ ତା’କୁ କିବା ଡର
ନିଆଁ ସାଙ୍ଗେ ଖେଳେ ନିତି
ଦେହହାତ ପୋଡ଼େ ବାରମ୍ବାର
ତଥାପି ସେ ହସିହସି ଅଗ୍ନି ସହ ଯୁଝୁଥାଏ
ଭରିବାକୁ ଆମ ଅଧରେ ଆହାର ।

ଦୟା କ୍ଷମା ସ୍ନେହ ଶ୍ରଦ୍ଧା ମମତାର ସାଗର
ଆକାଶଠୁଁ ମହାକାଶ ବ୍ୟାପ୍ତ ଯା’ର କରୁଣା ଅପାର
ମହୀଠାରୁ ଅନ୍ତରୀକ୍ଷ ଜ୍ଞାନର ଭଣ୍ଡାର
ତା’ ପଣତ ତଳେ ଥିଲେ ଛୋଟ ଲାଗେ ଅମ୍ବର ।

ସତ୍ୟବିହାର, ଭୁବନେଶ୍ୱର

ସ୍କୁଲ ସମୟରେ ଗଳ୍ପ, କବିତା ଲିଖନ ପ୍ରତିଯୋଗିତାରେ ଭାଗ ନେଇଥିଲି । କେବେ ପ୍ରଥମ କେବେ ଦ୍ଵିତୀୟ ସ୍ଥାନ ଅଧିକାର କରି ପୁରସ୍କାର ଲାଭ କରିଥିଲି । ସେବେଠୁ ଲେଖିବା ପ୍ରତି ଦୁର୍ବଳତା ଆସିଥିଲା । କିନ୍ତୁ କଲେଜ ସମୟରେ ସମୟ ଅଭାବରୁ ଅଭ୍ୟାସ ଛାଡ଼ି ଯାଇଥିଲା । ପୁଣି ୩ ବର୍ଷ ହେବ, ଲେଖାଲେଖି କରିବା ସହ ଏକ ସାହିତ୍ୟ ପତ୍ରିକା ‘ଆଭା’ ର ସମ୍ପାଦନା କରୁଛି ।

Related Posts

Leave a Reply

Your email address will not be published. Required fields are marked *