ଅମିତା ମହାନ୍ତି

ମାୟା ମୋହରେ
ଥରେ ଥରେ ବସନ୍ତ
ମଳୟ ବହେ…
ଫଗୁଣ ରଙ୍ଗ ବୋଳେ
ଆଲୁଅର ହସ ଦେଖି
ଅନ୍ଧାର ବାଟ ଜଗିଥାଏ
ଖରାଛାଇ ମିଶା ଅଗଣାରେ
ଖେଳେ ଲୁଚକାଳି ବିନା
ସଂକୋଚରେ ।

କେଉଁଠି କେମିତି
ମୋହଟିଏ କଅଁଳି ଆସେ,
କାହାର ବିଶ୍ଵାସର ଆଶ୍ୱସ୍ତିଟିଏ
ସଂସାରକୁ ଘେରି ରହିଥାଏ ।

ଅମାନିଆ ପବନର
ବେପରୁଆ ହସରେ
କଞ୍ଚା ଧାନ ଗଛରେ
କ୍ଷୀର ପହ୍ନଉଥିବାର ମହକରେ
ଲାଜେଇ ଯାଇ ମୁହଁ
କରିଦିଏ ତଳକୁ ।

ମୋତେ ଆଉ ଦିଶୁନି କାହା
ଅବୁଝାପଣ,
ବିଷକୁ ଅମୃତ ଭାବି
ସମସ୍ତେ ଧାଇଁଛନ୍ତି
ନିଜ ରାସ୍ତାରେ…

ମାଟି ସିନା ତାତି ଯାଏ
ସୂର୍ଯ୍ୟଙ୍କ ତେଜରେ
ହେଲେ ନିଆଁ ଝୁଲ ଉଡୁଥାଏ
ସାରା ବିଶ୍ୱ ମଣ୍ଡଳରେ ।

ସମୟକୁ ଗଣ୍ଠିଲି କରି
ସମସ୍ତଙ୍କ ପଛରେ ମୁଁ ଦୌଡୁଥାଏ
ସମୁଦ୍ର ଜୁଆରର ଠିକଣା
ଆଉ ଦୂରରୁ ଭାସି ଆସୁଥିବା
ଶାଳ ଫୁଲର ବାସ୍ନାର
ଅନୁସନ୍ଧାନରେ ।

କଟକ, ସିଡିଏ , ମୋ – ୭୬୮୧୦୪୯୭୬୭

ଲେଖକ ପରିଚୟ

କଟକ ମାଟିରେ ଜନ୍ମ ନେଇଥିବାରୁ ନିଜକୁ ଭାଗ୍ୟବାନ ମନେକରେ । ଜୀବନମୟତାରେ ବିଶ୍ୱାସ ରଖୁଥିବା କମ୍ ଶବ୍ଦରେ ଖୁବ୍ ସରଳ ଭାବରେ ଜୀବନକୁ ବୁଝି ବଞ୍ଚିପାରିଲେ ମଧୁମୟ ହୁଏ ଜୀବନର ପରିଭାଷା । ଭାବ ଓ ଶବ୍ଦର ଯୁଗଳବନ୍ଦୀରେ ଦୁଇଟି କବିତା ସଂକଳନ ‘ପ୍ରତିଧ୍ଵନି’ ଓ ‘ଶବ୍ଦର ଆବାହନ’ ପ୍ରକାଶ ପାଇଛି । ଜଞ୍ଜାଳମୟ ଜୀବନରେ ସାହିତ୍ୟକୁ ଆପଣେଇବାର ନିଶା ସମାଜକୁ ନୂତନ ବାର୍ତ୍ତା ଦେବାର ଛୋଟ ପ୍ରୟାସ ।

Related Posts

One thought on “ମୋହ

Leave a Reply

Your email address will not be published. Required fields are marked *