ଦୀପକ କୁମାର ସ୍ଵାଇଁ

ତମ ଦାଣ୍ତ ଦୁଆରେ ଅଟକିଛି ହଳେ ପାଦ
ପାଦ ତଳେ ଚାପି ଦେଇ ଯେତେ ଅପବାଦ
ତମ ଗାଁ ପ୍ରତି ଗଳିର ଧୂଳିରେ ମୁଁ ଖୋଜୁଛି
ଜାଣି ଜାଣି ହଜାଇ ଥିବା ଜୀବନର ନିଧି ଦରବ
ଆରକ୍ତ ଗୋଧୂଳିର ଧୂଳି ରାସ୍ତାରେ ଶଗଡ଼ିଆ ଗୀତରୁ
ମୁଁ ସାଉଁଟୁଛି ତାଳ, ଲୟ, ଲକ୍ଷ୍ୟ ଆଉ ଜୀବନ କୋରସ୍ …

ତମ ଗାଁ ରଙ୍ଗହୀନ ଆକାଶ ତଳେ
ଜଳିବାକୁ ଥିବା ଗୋଟେ ରକ୍ତର ଜୁଇକୁ
ଲକ୍ଷ୍ୟରଖି ଉଡ଼ି ବୁଲୁଛନ୍ତି କିଛି ମାଂସଲୋଭୀ ଗିଧ
ପ୍ରସ୍ତୁତ ହେଉଛନ୍ତି ଭିଡ଼ି ଆଣିବାକୁ ଦରପୋଡ଼ା ମାଂସ ଖଣ୍ତ
ପାଉଁଶର ମୂଲାୟମ ଆସ୍ତରଣ ଭିତରୁ …

ମୁଁ ଖୋଜୁଛି ପଳାଶ ବଣରେ ବାସ୍ନା
ମୁଁ ଅପେକ୍ଷା କରୁଛି ନଦୀର ଉଜାଣି ସୁଅକୁ
ମୁଁ ଭାଙ୍ଗି ପଡୁଛି ବସନ୍ତର ବିଶ୍ଵାସରେ
କ୍ରମଶଃ କାକୁସ୍ଥ ହେଉଛି ଗୋଟେ ଅନାବିଳ ଅସହାୟତାରେ
ଠିକ୍ ତମ ଗାଁ ମୁଣ୍ତ ବରଗଛ ଓହଳ ତଳେ
ଯେଉଁଠି ପିଶାଚୀମାନେ ରକ୍ତ ଲୋଡ଼ନ୍ତି ଆଦିମ କାଳରୁ …

ହନୁହାଡ଼ ମୋର ଭାଙ୍ଗି ପଡୁଛି ନିଃଶବ୍ଦରେ
ନିଶ୍ଵାସ ସବୁ ନିଆଁହୁଳା ହେଇ ଜଳୁଛନ୍ତି ଅହରହ
ଆଖି, କାନ, ଛାତି ଆଉ ପ୍ରତିଟି ଶିରାପ୍ରଶିରାରେ
ଦେହ କ୍ରମେ ଅବଶ ହୋଇ ଲୋଟୁଛି ମାଟିରେ
ଘୁସୁରୁଛି ଧୂଳିମାଟିରେ, ମାଂସ ଖଣ୍ଡସବୁ ବିକ୍ଷିପ୍ତ ହୋଇ
ପଡ଼ିପଡ଼ି ଚାଲିଛି, ମୋର କିନ୍ତୁ ଖୋଜାଚାଲିଛି ଜୀବନର ନିଧିକୁ …

ମୁଁ କିନ୍ତୁ ଖୋଜିପାଉନି ତୁମକୁ
ପାଉନାହିଁ ଖୋଜି ତୁମ ଛାଇ ଓ ଛଳନା
ତମ ବାସ୍ନା ନାହିଁ ତମ ଗାଁ ରାସ୍ତାରେ, ଫୁଲରେ
ଖୋଜି ପାଉନାହିଁ ମୋର ଏକାନ୍ତ ଜୀବନ ନିଧିକୁ …
ପତ୍ତାନାହିଁ ତୁମ ପ୍ରିତି, ପ୍ରତିଶ୍ରୁତି, ପ୍ରତାରଣା ପାହାଡ଼ର
ମୁଁ କିନ୍ତୁ ଖୋଜିଖୋଜି ଚାଲିଛି ଯୋଜନଯୋଜନ ପଥ
ଶେଷରେ ଭେଟୁଛି ସମୁଦ୍ର, ଭେଟୁଛି ଶାର୍ଦ୍ଦୂଳ-ଶ୍ମଶାନ
ମୋର କିନ୍ତୁ ଖୋଜା ସରିନି ଏଯାବତ ଅବା ଜନ୍ମ ଜନ୍ମାନ୍ତର ।

ଘଷିପୁରା ବ୍ଲକ, ଆନନ୍ଦପୁର, କେନ୍ଦୁଝର, ମୋବାଇଲ – ୯୩୩୭୬୧୦୭୩୫

ଲେଖକ ପରିଚୟ

ଅଷ୍ଟମ ଶ୍ରେଣୀରୁ ମୁଁ ଲେଖାଲେଖି ଆରମ୍ଭ କରିଥିଲି । ସେଦିନ ରବି ସିଂହଙ୍କ ସହିତ ଆମର ଜଣେ ଆଞ୍ଚଳିକ ବିଧାୟକ ଆସିଥାନ୍ତି ଆମ ସ୍କୁଲକୁ । ମୋତେ ମୋ ଶିକ୍ଷକ କହିଥିଲେ ଗୋଟିଏ କବିତା ଲେଖି ଆଣିବାକୁ । ମୁଁ ଯେତେବେଳେ କବିତା ପଢିଲି, ରବି ସିଂହ ମୋ ମୁଣ୍ଡ ଉପରେ ହାତ ମାରିଦେଲେ । ଆଉ ସେଇଦିନୁ ମୋ ସାହିତ୍ୟ ଯାତ୍ରା ଅବ୍ୟାହତ ରହିଛି ଆଜିଯାଏଁ । ‘କାଠଗଡ଼ାରେ ଈଶ୍ଵର’, ‘ନଷ୍ଟ ଈଶ୍ଵରୀ’, ‘ଅଶ୍ରୁର ଅଭିସାର’ ଆଦି ୩ ଖଣ୍ଡ କବିତା ବହି ପ୍ରକାଶିତ ହୋଇସାରିଛି ।

Related Posts

Leave a Reply

Your email address will not be published. Required fields are marked *