ଭବାନୀ ଶଙ୍କର ନାଥ

ଗାଁ ସ୍ମୃତି ଏକ ଅପାସୋରା
ଆଈମା’ର କାହାଣୀ ପେଡ଼ି,
ଯେତେ ସାଉଁଟିବ ସେତେ ଭାଳି ହବ
ମନୁ ନହୋଇବ ଫେଡ଼ି ।

ଗାଁ ଚାଟଶାଳୀ, ତା’ ଧାନକିଆରୀ
ମନହୁଏ ତାକୁ ଝୁରି,
ତା’ ମାଟିପବନ ଚନ୍ଦନର ସମ
ମାଥେ ବୋଳି, ମନଯାଏ ଭରି ।

ଗୋଧୂଳି ସଞ୍ଜର ପଶ୍ଚିମ ଆକାଶ
ତାଜା ରକ୍ତ ପରି ହୋଇ ପରକାଶ
ମନ ନେଇଯାଏ ଜିଣି,
ସଞ୍ଜବତୀ ଧରି ନବବଧୂ ଆସେ
ହାତେ ଓଢ଼ଣୀକୁ ଟାଣି ।

ପକ୍ଷୀ ବାହୁଡ଼ଇ ତା’ ନିଡ଼ ମଧ୍ୟକୁ
ମୁଖେ ଆହାରକୁ ଧରି,
ଚାଷୀ ବାହୁଡ଼ଇ ତା’ ଘରକୁ ପୁଣି
ଚାଷ କାମ ଶେଷ କରି ।

ଆକାଶର ଜହ୍ନ ଖିଲିଖିଲି ହସେ
ଶିଥିଳ ଯୋଛନା ଢାଳି
ମିଟିମିଟି ତାରା ମନ ମୋହୁଥାନ୍ତି
ଲୁଚକାଳି ଖେଳିଖେଳି ।

ଗଙ୍ଗଶିଉଳିର ଭୁରୁଭୂରୁ ବାସେ
ନୂତନ ସୁରୁଜ ଉଅନ୍ତି ଆକାଶେ
ସୁନେଲି କିରଣ ଢାଳି,
ଆଈମା’ ଖୋଲେ ତା’ ପାନ ପସରା
ତା’ ଘରପିଣ୍ଡାକୁ ଡେରି ।

ସାମନ୍ତରାପୁର, ତିର୍ତ୍ତୋଲ, ଜଗତସିଂହପୁର

ଲେଖକ ପରିଚୟ

ମୁମ୍ବାଇରେ ପ୍ରାୟ ପାଞ୍ଚ ବର୍ଷ ଏକ କମ୍ପାନୀରେ କାର୍ଯ୍ୟ କଲାପରେ, ବର୍ତ୍ତମାନ ବିଦେଶରେ ଜଣେ ଇଞ୍ଜିନିୟର ରୂପେ କାର୍ଯରତ । ମାତ୍ର କେବଳ ପନ୍ଦର ବର୍ଷ ବୟସରୁ ହିଁ କବିତା ଓ କ୍ଷୁଦ୍ର ଗଳ୍ପ ଲେଖାରେ ପାରଦର୍ଶିତା ହାସଲ କରିଥିଲେ ଲେଖକ ମହାଶୟ । କ୍ଷୋବର ବିଷୟ ଏହିକି ଯେ ସେସବୁକୁ ପ୍ରକାଶିତ କରିବାର କୌଣସି ସୁଯୋଗ ତାଙ୍କୁ ମିଳି ପାରିନାଇଁ । ତଥାପି ସେ ଅବିରତ ଲେଖି ଚାଲିଛନ୍ତି ନିଜର ଆତ୍ମ ସନ୍ତୋଷ ନିମନ୍ତେ ।

Related Posts

Leave a Reply

Your email address will not be published. Required fields are marked *