ଗଣମାଧ୍ୟମର ସାମ୍ପ୍ରତିକ ସ୍ଥିତି ଓ ଧାରା ବିଷୟରେ ଧାରଣା

ବହି: ଗଣମାଧ୍ୟମ ଓଡିଶା ମିଡିଆ ରିପୋର୍ଟ ୨୦୨୨
ଲେଖକ: ଡ଼. ପ୍ରଦୀପ ମହାପାତ୍ର
ପ୍ରକାଶକ: ପିଏମ୍ ଡିଜିଟାଲ୍ ଡକ୍ୟୁମେଣ୍ଟେସନ୍, ବ୍ରହ୍ମପୁର
ମୂଲ୍ୟ: ୪୯ ଟଙ୍କା ।

ବ୍ରହ୍ମପୁର ବିଶ୍ୱିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ଡ଼. ପ୍ରଦୀପ ମହାପାତ୍ର ୨୦୧୭ରୁ କ୍ରମାଗତ ଏବଂ ନିୟମିତ ଭାବରେ ସାମ୍ବାଦିକତା ଓ ଗଣମାଧ୍ୟମ ଉପରେ ଏକ ସାପ୍ତାହିକ ସ୍ତମ୍ଭ ଲେଖି ଆସୁଛନ୍ତି । ଲକ୍ଷ୍ୟ ହେଲା ଓଡିଆ ଭାଷି ସାମ୍ବାଦିକତା ଛାତ୍ରଛାତ୍ରୀ, ପେଶାଦାର ସାମ୍ବାଦିକ ଏବଂ ଏ କ୍ଷେତ୍ରରେ ରୁଚି ରଖିଥିବା ନାଗରିକମାନଙ୍କୁ ଏ କ୍ଷେତ୍ରରେ ଘଟୁଥିବା ଘଟଣା, ନୂଆ ଉଦ୍ଭାବନ, ନୂଆ ପ୍ରଯୁକ୍ତି ଏବଂ ତାହାଦ୍ୱାରା ହେଉଥିବା ବା ହେବାକୁ ଥିବା ପରିବର୍ତ୍ତନ, ଧାରା, ଇତ୍ୟାଦି ସହିତ ପରିଚିତ କରେଇବା । ଡିଜିଟାଲ୍ ମାଧ୍ୟମରେ ଏହା ନିୟମିତ ପ୍ରକାଶ ପାଏ । ଓଡ଼ିଶାର ଅନେକ ଖବରକାଗଜ ପତ୍ରପତ୍ରିକାରେ ଏଗୁଡ଼ିକ ମଝିରେ ମଝିରେ ପ୍ରକାଶିତ ହୋଇଛି । ଗଣମାଧ୍ୟମର ଛାତ୍ରଛାତ୍ରୀମାନଙ୍କ ପାଇଁ ଏବଂ ଗଣମାଧ୍ୟମକୁ ଯେଉଁମାନେ ଗୁରୁତ୍ୱ ଦିଅନ୍ତି ଏବଂ ଯେଉଁମାନେ ଭାବନ୍ତି ଏହା ସମାଜର ଗୋଟେ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସେମାନେ ଗଣମାଧ୍ୟମ ବିଷୟରେ ଜାଣିବା ପାଇଁ ଇଏ ଏକ ସୁନ୍ଦର ଡ଼. ମହାପାତ୍ରଙ୍କର ପ୍ରୟାସ ।

ବର୍ଷସାରା ଲେଖାଯାଇଥିବା ସ୍ତମ୍ଭକୁ ଏକାଠି କରି ପରବର୍ଷ ଆରମ୍ଭରେ ଏକ ସଙ୍କଳନ କରନ୍ତି ସେ । ଏହି ଧାରାରେ ୨୦୨୨ରେ ପ୍ରକାଶିତ ରଚନାଗୁଡିକର ସଂକଳନ ହେଲା ‘ଓଡିଶା ମିଡିଆ ରିପୋର୍ଟ ୨୦୨୨’ । ଏଥିରେ ୫୨ଗୋଟି ରଚନା ରହିଛି । ଏଥିରେ ବିଭିନ୍ନ ଗଣମାଧ୍ୟମର ବିଭିନ୍ନ ବିଷୟ ଓ ବିଭବ ଉପରେ ବିଭିନ୍ନ ଧରଣର ଲେଖା ଅଛି । ଚଳଚ୍ଚିତ୍ରଠୁଁ ଖବରକାଗଜ, ରେଡିଓ, ଟିଭି ଆଦି ପାରମ୍ପରିକ ସମ୍ବାଦବାହୀ ଗଣମାଧ୍ୟମ (ଏହାକୁ ଏକତ୍ର ଏବେ ଲିଗାସି ମିଡିଆ ବୋଲି କହୁାଯାଉଛି) ପୁଣି ସୋସିଆଲ୍ ମିଡିଆ,ଡିଜିଟାଲ୍ ମିଡିଆ ଆଦି ଆଧୁନିକ ମାଧ୍ୟମ ସମ୍ପର୍କରେ ମଧ୍ୟ ଲେଖାଯାଇଛି ।

ଏ ସଙ୍କଳନରେ ବିଭିନ୍ନ ଧରଣର ଲେଖା ଅଛି । ସୂଚନା ଧର୍ମୀ ଲେଖା ଅଛି- ଉଦାହରଣ ସ୍ୱରୂପ: ଫେକ ନିଉଜ୍ ସମ୍ପର୍କରେ ଥିବା ଆଇନ, ଡିଜିଟାଲ ମିଡିଆ ନିୟମାବଳୀ ସମ୍ପର୍କୀୟ ଆଇନ, ଚିଠା ଟେଲିଯୋଗାଯୋଗ ବିଲ୍ ୨୦୨୨, ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍, ଡାଟା ସୁରକ୍ଷା ବିଧେୟକ ଇତ୍ୟାଦି ବିଷୟରେ ଲେଖାମାନ । ବିଶ୍ଳେଷଣାତ୍ମକ ଲେଖାମାନ ରହିଛି । ଉଦାହରଣ ସ୍ୱରୂପ: ସୂଚନା ପ୍ରାଚୁର୍ଯ୍ୟ ପରିବେଶ, ସାମ୍ବାଦିକ ହତ୍ୟା, ସୋସିଆଲ୍ ମିଡିଆର ଆତ୍ମ ଅନୁରାଗ ପ୍ରକାଶନ, ଇତ୍ୟାଦି । ଗବେଷଣାଧର୍ମୀ ଲେଖାମାନ ରହିଛି । ପୁଣି ନୂତନ ପ୍ରଯୁକ୍ତିବିଦ୍ୟା ସମ୍ବଳିତ ଗଣମାଧ୍ୟମର ରୂପରେଖ ସମ୍ପର୍କରେ ଲେଖାମାନ ମଧ୍ୟ ରହିଛି । ଉଦାହରଣ ସ୍ୱରୂପ ଏଆଇ (ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ ବା କୃତ୍ତିମ ମେଧା) ପ୍ରଭାବିତ ବିଜ୍ଞାପନ, ୫ ଜି ରୋଲ୍ ଆଉଟ୍, ଡିଜିଟାଲ୍ ମଞ୍ଚରେ କ୍ରସ୍ୱାର୍ଡ ପଜଲ୍, ଇତ୍ୟାଦି । ପୁଣି ଆଧୁନିକ ପ୍ରଯୁକ୍ତିବିଦ୍ୟାର ଅସୁବିଧାଜନକ ଦିଗଗୁଡ଼ିକ ପ୍ରତି ମଧ୍ୟ ସେ ଦୃଷ୍ଟିପାତ କରିଛନ୍ତି ଓ ବ୍ୟବହାରକାରୀମାନଙ୍କୁ ସାବଧାନ କରିଦେବାର ଚେଷ୍ଟା କରିଛନ୍ତି । ଉଦାହରଣ ସ୍ୱରୂପ: ଇ-ଗେମ୍ ଖେଳାଳିଙ୍କ କେୱାଇସି । ସମ୍ବାଦବାଦୀ ଗଣମାଧ୍ୟମର ସମସ୍ୟାର ଦିଗଗୁଡ଼ିକ ମଧ୍ୟ ସେ କେତେକ ଲେଖାରେ ଉଜାଗର କରିଛନ୍ତି । ଉଦାହରଣ ସ୍ୱରୂପ ‘ବ୍ରାଉନ୍ ଏନ୍ଭେଲପ୍ ଜର୍ଣ୍ଣାଲିଜମ୍’ ସେ ଅର୍ଥ ଏବଂ ଅନ୍ୟାନ୍ୟ ପ୍ରଲୋଭନ ଦେଇ ସାମ୍ବାଦିକମାନଙ୍କୁ ହାତବାରିସି କରିବାର ଦିଗଟି ପ୍ରତି ଆଲୋକପାତ କରିଛନ୍ତି । ଓଡ଼ିଆ ଚଳଚ୍ଚିତ୍ରକୁ ନେଇ କେତୋଟି ଲେଖା ମଧ୍ୟ ଅଛି ଏ ସଙ୍କଳନରେ । ‘ପରିବର୍ତ୍ତନର ଦ୍ୱାରଦେଶରେ ଓଡ଼ିଆ ଚଳଚ୍ଚିତ୍ର’ ଲେଖାଟିରେ ସେ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଆଶାର ଆଲୋକ ଦେଖିଛନ୍ତି । ଏ ସଙ୍କଳନର କେତୋଟି ଲେଖାରେ ୨୦୨୩ରେ ଗଣମାଧ୍ୟମର ରୂପରେଖ କ’ଣ ହେବ ସେ ଭବିଷ୍ୟବାଣୀ ମଧ୍ୟ କରାଯାଇଛି ।

ମୋଟାମୋଟି ଭାବେ ଗଣମାଧ୍ୟମର ବର୍ତ୍ତମାନ ସ୍ଥିତି ଓ ଧାରା ବିଷୟରେ ଜାଣିବା ପାଇଁ ଏବଂ ଭବିଷ୍ୟତର ଆକଳନ କରିବା ପାଇଁ ଏ ସଙ୍କଳନଟି ଏକ ସୁନ୍ଦର ଅବସର ।

ଏ ବହିଟି କେବଳ ଇ-କପି ରୂପରେ ଉପଲବ୍ଧ । ଆଗ୍ରହୀ ପାଠକମାନେ ମୋତେ ଇ-ମେଲ ଯୋଗେ ଅନୁରୋଧ ପତ୍ର ପଠେଇଲେ ବିନା ମୂଲ୍ୟରେ ଆଗ୍ରହୀ ବ୍ୟକ୍ତିମାନଙ୍କ ପାଖକୁ ଏହା ପଠେଇ ଦିଆଯିବ ।

++

Related Posts

One thought on “ଗଣମାଧ୍ୟମର ସାମ୍ପ୍ରତିକ ସ୍ଥିତି ଓ ଧାରା ବିଷୟରେ ଧାରଣା

  1. ଡ ପ୍ରଦିପ ମହାପାତ୍ର ଙ୍କ ଲେଖା ଉପରେ ଆଲୋଚନା ଭଲ ଲାଗିଲା ।କଠିନ ବିଷୟବସ୍ତୁକୁ କେତେ ସହଜରେ ସରଳ ଭାବରେ ବୁଝାଇ ଲେଖିବାରେ ମୃଣାଳ ସ୍ଵତନ୍ତ୍ର। ବଧେଇ।e copy pain anurodh

Leave a Reply

Your email address will not be published. Required fields are marked *