ମହାଶ୍ଵେତା ସାହୁ ପାଇବେ ୧୬ତମ ‘ଟାଇମପାସ୍‍ ବୁକର ପୁରସ୍କାର’

ଭୁବନେଶ୍ୱର : ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ଟାଇମପାସ୍‍’ ପକ୍ଷରୁ ଗତ ୧୬ ବର୍ଷ ଧରି ପ୍ରଦାନ କରାଯାଇ ଆସୁଥିବା ‘ଟାଇମପାସ୍‍ ବୁକର ପୁରସ୍କାର’ ଚଳିତବର୍ଷ ଗାଳ୍ପିକା ମହାଶ୍ଵେତା ସାହୁଙ୍କୁ ତାଙ୍କ ଗଳ୍ପ ପାଣ୍ଡୁଲିପି ‘ଅକ୍ଟୋପସ୍‍ର ଆତ୍ମା’ ପାଇଁ ପ୍ରଦାନ କରାଯିବ । ୪୫ ବର୍ଷ ବୟସ ସୀମା ମଧ୍ୟରେ ଯୁବ କଥାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତିବର୍ଷ ପ୍ରଦାନ କରାଯାଉଛି । ଚଳିତ ବର୍ଷ ଏହି ପୁରସ୍କାର ଡିସେମ୍ବର ମାସରେ ଆୟୋଜିତ ଏକ ସାହିତ୍ୟ ଉତ୍ସବରେ ପ୍ରଦାନ କରାଯିବା ସହ ପୁରସ୍କୃତ ପାଣ୍ଡୁଲିପିଟି ପୁସ୍ତକାକାରରେ ଲୋକାର୍ପିତ ହେବ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ ବଳ ଏହି ସୂଚନା ପ୍ରଦାନ କରିଛନ୍ତି । ଏଥିସହିତ ପାଠକମାନଙ୍କ ଦ୍ୱାରା ସର୍ବାଧିକ ଆଦୃତ ପୁସ୍ତକକୁ ପ୍ରଦାନ କରାଯାଉଥିବା ‘ଟାଇମପାସ୍‍ ବେଷ୍ଟସେଲର ପୁରସ୍କାର’ ପାଇଁ ଚଳିତ ବର୍ଷ ଫିଚର ବିଭାଗରେ କ୍ଷୀରୋଦ ପରିଡ଼ାଙ୍କ ‘ନୋବେଲ ବିଜୟୀ କଥାକାରଙ୍କ ଆତ୍ମକଥନ’, ଗଳ୍ପ ବିଭାଗରେ ବିୟତ୍‍ପ୍ରଜ୍ଞା ତ୍ରିପାଠୀଙ୍କ ‘ଶ୍ରେଷ୍ଠ ଗଳ୍ପ’, କବିତା ବିଭାଗରେ କୃଷ୍ଣକୁମାର ମହାନ୍ତିଙ୍କ ‘ରୁବି ରାୟ’ ଏବଂ ଉପନ୍ୟାସରେ ଦେବବ୍ରତ ଦାସଙ୍କ ‘ଠ’ ପୁସ୍ତକ ଏବଂ ନିରନ୍ତର ସାହିତ୍ୟର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରୁଥିବା ସରଳ କୁମାର ଦାସଙ୍କୁ ଚଳିତ ବର୍ଷର ‘ଟାଇମପାସ୍‍ ବହିବନ୍ଧୁ ସମ୍ମାନ’ ପ୍ରଦାନ କରାଯିବ ।

ମିଳିଥିବା ସୂଚନାନୁସାରେ ଚଳିତ ଡିସେମ୍ବର ୨୪ ତାରିଖରେ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଚତୁର୍ଥ ‘ଉତ୍‍ସାହିତ୍ୟ’ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବଙ୍ଗଳା ଲେଖକ ଜୟନ୍ତ ଦେଙ୍କ ସମେତ ଓଡ଼ିଶାର ବହୁ ଲବ୍ଧପ୍ରତିଷ୍ଠ ଓ ତରୁଣ ଲେଖକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସାହିତ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ମତମତାନ୍ତର, କବିତା କ୍ୟାଟ୍‍ୱାକ୍‍, ଗୀତ-ସଙ୍ଗୀତର କକ୍‍ଟେଲ୍‍, ଚଳଚ୍ଚିତ୍ର ପର୍ଦ୍ଦାୟନ, ଲେଖକଙ୍କ ସହ ଗପସପ, ଛବି ଓ କବିତାର ଯୁଗଳବନ୍ଦୀ, ପୁସ୍ତକ ଲୋକାର୍ପଣ, ସାକ୍ଷାତକାର, ପ୍ରଶ୍ନୋତ୍ତର ଆଦି କାର୍ଯ୍ୟକ୍ରମ ରହିବ ।

Related Posts

Leave a Reply

Your email address will not be published. Required fields are marked *