ମାଆ ଦୂର୍ଗେ ଦୂର୍ଗତିନାଶିନୀ

ସୁନିତା ବଳ

ନିର୍ଜୀବ କୁଟାକାଠି
ମାଟିର ପ୍ରଲେପ ତଳେ
ଲୁକ୍କାୟିତା ବିରାଜିତା
ଶାରଦା ବରଦା
ଦିବ୍ୟରୂପା ଶତରୂପା
ତୁମରି ମଙ୍ଗଳମୟୀ ସତ୍ତା ।

ସାକାର ନିରାକାର ଅଣାକାର
ଚିନ୍ମୟୀ, ମୃଣ୍ମୟୀ
ସତ୍ ଚିତ୍ ଆନନ୍ଦ ସ୍ଵରୂପା,
ସବୁ ଆବାହନ, ବିସର୍ଜନ, ବିଲ୍ଵବରଣ
ପୂର୍ବରୁ ଓ ପରେ
ତୁମେ ରହିଥାଅ ସଦା
ସବୁରି ଅନ୍ତରେ
ଧୂପ ଦୀପ, ପୂଜା ଫୁଲ, ସଂଧ୍ୟାଳତୀ
ସଞ୍ଜ ସକାଳରେ,
ଚୂଆ ଚନ୍ଦନର ମହକରେ ।

ତୁମ ଆଗମନେ,
ଶରତ ଋତୁର
ଏଇ ନୀଳନୀଳ ନିର୍ମଳ ଆକାଶ ତଳେ
ହସେ ଏଇ ଧରା
ସାଜି ଅପସରା
କାଶତଣ୍ଡୀ ଫୁଲେଫୁଲେ
ସଜାଇ ତା ଗଭା
ଦିଶେ କେତେ ତୋରା ।

ଆସ ମାତଃ
ଦୁର୍ଗେ ଦୂର୍ଗତିନାଶିନୀ, ସିଂହବାହିନୀ
ମଙ୍ଗଳକାରିଣୀ, ଜଗତ ଜନନୀ,
ସୃଷ୍ଟ, ସ୍ଥିତି ପ୍ରଳୟର ସଂଚାରିଣୀ

ଆସ ମାତଃ
ବିରାଜିତା ହୁଅ
ନବ ପ୍ରଭାବ ମୁଖରିତ ହେଉ
ଓଁକାର ଧୂନିରେ ।

ମଙ୍ଗଳ ଗୀତ ସ୍ଫୁରିତ ହେଉ
ପକ୍ଷୀର କାକଳିରେ ।

ନବ ତରୁଗଣ ପଲ୍ଲବିତ ହୁଅନ୍ତୁ
ତୁମରି ଶୀତଳ ପରଣରେ
ନବ କଳିକାମାନେ ପ୍ରସ୍ଫୁଟିତ ହୁଅନ୍ତୁ
ଭିଜିଭିଜି ତୁମ ମହକରେ ।

ତୁମ ଆଗମନେ
ଦୂର ହେଉ, ସବୁରି ମନରୁ ଦୁଃଖ ଆଉ ଭୟ
ଅପସରି ଯାଉ ଦୁଃସମୟ
କାଳର କରାଳ ଛାୟା ।

ବାଦାମବାଡ଼ି, କଟକ

ଲେଖକ ପରିଚୟ

ମୁଁ ବର୍ତ୍ତମାନ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଜଣେ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟରତା ଏବଂ ଗତ ଛଅ ବର୍ଷ ଧରି ଜଗନ୍ନାଥ ସାହିତ୍ୟ ସଂସଦର ଜଣେ ସଦସ୍ୟ ଭାବରେ ପରଚିତା । ସ୍ଵରଚିତ କବିତା “ସ୍ୱପ୍ନ” ପାଇଁ ଜଗନ୍ନାଥ ସାହିତ୍ୟ ସଂସଦ ମୋତେ ‘କବିପ୍ରଭା’ ସମ୍ମାନରେ ସମ୍ମାନିତ କରିଛନ୍ତି ।

Related Posts

Leave a Reply

Your email address will not be published. Required fields are marked *