‘କବି ବସନ୍ତ ମୁଦୁଲି କବିତା ପୁରସ୍କାର’ ଘୋଷଣା

ଭୁବନେଶ୍ୱର : କବି ବସନ୍ତ ମୁଦୁଲି ସ୍ମୃତି ସଂସଦର ସଭାପତି ପବିତ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ରବିବାର ଦିନ ଭଦ୍ରକଠାରେ ଅନୁଷ୍ଠିତ ଏକ ବୈଠକରେ ବସନ୍ତ ମୁଦୁଲି ସ୍ମୃତି ସଂସଦ ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ତଥା ଯୁବପିଢିଙ୍କ ବହୁ ଆକାଂକ୍ଷିତ ‘କବି ବସନ୍ତ ମୁଦୁଲି କବିତା ପୁରସ୍କାର’ର ଫଳାଫଳ ଘୋଷଣା କରାଯାଇଛି । ଦୁଇ ବର୍ଷ ପାଇଁ ଏହି ପୁରସ୍କାର ଦିଆଯିବ । ୨୦୨୨ ପାଇଁ କବି ନରେନ୍ଦ୍ର ଭୋଇ ଏବଂ ୨୦୨୩ ପାଇଁ କବି ଚିତ୍ତରଞ୍ଜନ ନାୟକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ୨୦୨୨ରେ ଉତ୍ସବ ହୋଇପାରି ନଥିବାରୁ ଚଳିତ ବର୍ଷକୁ ମିଶାଇ ଦୁଇ ବର୍ଷ ପାଇଁ ଏହି ପୁରସ୍କାର ଦିଆଯିବ ବୋଲି ସଂସଦ ପକ୍ଷରୁ ସମ୍ପାଦକ କୃଷ୍ଣ କୁମାର ମହାନ୍ତି ଘୋଷଣା କରିଛନ୍ତି ।

ବୈଠକରେ ଗାଳ୍ପିକ ରଜନୀକାନ୍ତ ମହାନ୍ତି, କବି କିଶୋର ପାଣିଗ୍ରାହୀ ଓ ଅରୁଣ ଖିଲାର ପ୍ରମୁଖ ଉପସ୍ଥିତ ଥାଇ ବିଚାରକଙ୍କ ଠାରୁ ପ୍ରାପ୍ତ ମତ ଭିତ୍ତିରେ ଅଧିକ ମତ ଆସିଥିବା କବିଙ୍କୁ ଯୋଗ୍ୟ ଘୋଷଣା କରାଯାଇଥିଲା । ନଭେମ୍ବର ୫ ତାରିଖରେ ଭଦ୍ରକ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହେବାକୁ ଥିବା ୩୭ ତମ କବି ବସନ୍ତ ମୁଦୁଲି ସ୍ମୃତି ସମାରୋହ ପାଳନ ଅବସରରେ ପୁରସ୍କାର ସ୍ଵରୂପ ନଗଦ ଅର୍ଥରାଶି ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯିବ ବୋଲି ସଂସଦ ପକ୍ଷରୁ ସଂଯୋଜକ ଅରୁଣ ଖିଲାର ସ୍ପଷ୍ଟ କରିଛନ୍ତି । ବୌଦ୍ଧ ଜିଲ୍ଲାରେ ଜନ୍ମିତ ନରେନ୍ଦ୍ରଙ୍କ ୩ ଟି କବିତା ପୁସ୍ତକର ସ୍ରଷ୍ଟା । ଏହି ପୁରସ୍କାର ପ୍ରଦାନ ଉତ୍ସବରେ କବି ଅମରେଶ ପଟ୍ଟନାୟକ, କବି ଆଶୁତୋଷ ପରିଡ଼ା, କବି ବାସୁଦେବ ସୁନାନୀ, ଅଧ୍ୟାପକ ଦତ୍ତାତ୍ରେୟ ଦାଶ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Related Posts

Leave a Reply

Your email address will not be published. Required fields are marked *