ଶିବାଶିଷ ପାଢ଼ୀ
ଖବଡ଼.. ଖବଡ … ଶବ୍ଦ କରି ଦ୍ରୁତଗତିରେ ଦୌଡୁଥିବା ଘୋଡ଼ାର ଲଗାମକୁ ହଠାତ ଟାଣି ଧରିବା ଭଳିଆ ଅଚାନକ ବ୍ରେକ ଉପରେ ପାଦ ଦେଲି ମୁଁ । ନିଜ ଇଛା ବିରୁଦ୍ଧରେ ଯାଇ ଅଟକୁଥିଲା ଗାଡ଼ି କିନ୍ତୁ କଳା ମଚମଚ ପିଚୁ ରାସ୍ତା ଉପରେ ନିଜ ରାଗକୁ ସୁଝାଉଥିଲା ବୋଧେ ସେ । କାରଣ ଏକସଙ୍ଗେ ଗର୍ଜି ଉଠିଥିଲେ ଚାରିଟିଯାକ ଟାୟାର । ଚେରର……ଶବ୍ଦ ସହ ଅଟକି ଯାଇଥିଲା ଗାଡ଼ି । ହେଲେ ଲକ୍ଷ୍ୟ ସ୍ଥଳରୁ କିଛି ମିଟର ପାରି ହୋଇଯାଇଥିଲା ସେତେବେଳକୁ ।
ଗାଡ଼ିକୁ ନ୍ୟୁ୍ଟ୍ରାଲ କରି ଇଂଜିନକୁ ବନ୍ଦ କରିଦେଇ ମୁଁ ସାମ୍ନା ଦର୍ପଣରେ ଦେଖୁଥିଲି ସେମାନଙ୍କୁ । ଗାଡ଼ି ରହିବା ଦେଖି ଚମକି ଯାଉଥିଲା ସେମାନଙ୍କ ଆଖି । ସେଇ ଆଖିର ବିକଳ ଚାହାଣି ପାଇଁ ତ ଅଟକି ଯାଇଥିଲି ମୁଁ ! ବାହାରେ ରଡ଼ି ଖରାର ତାଣ୍ଡବ । ଏଣୁ ସାଙ୍ଗେସାଙ୍ଗ ଗାଡ଼ିରୁ ନବାହାରି କିଛି ସମୟ ସେମିତି ବସି ରହି ଦର୍ପଣରେ ସେମାନଙ୍କୁ ପଢୁଥିଲି । ଗାଡ଼ି ଆଡକୁ ଚାହୁଁଥିଲେ ଦୁଇଯୋଡ଼ା ନରମ ଆଖି ।
ମନେ ପଡୁଥିଲା, ପଢିଥିବା ଅନେକ କାହାଣୀ । ଶୁଣିଥିବା ଅନେକ କଥା । ଏଇ ଚାହାଣୀ ପଛର କାହାଣୀକୁ ନେଇ କିଛିକିଛି ପୂର୍ବାନୁମାନ କରୁଥିଲି ମୁଁ । ଏମିତି ହିଁ ତ ଦୃଶ୍ୟକୁ ନେଇ ରଚିତ ହୋଇଥିବ ସେ ସବୁ କାହାଣୀ !ପ୍ରତ୍ୟେକ ଦୃଶ୍ୟ ଯାହା ଆମକୁ ଆକର୍ଷିତ କରେ ! ହୃଦୟକୁ ବିହ୍ଵଳିତ କରେ ! ଆଖିକୁ ଓଦା ଆଉ ମସ୍ତିଷ୍କକୁ ଭାରାକ୍ରାନ୍ତ କରେ ! ସେସବୁ ପ୍ରତ୍ୟେକ ଦୃଶ୍ୟ ପଛରେ ଛପିଥାଏ ଏକାଧିକ କାହାଣୀ । ଦରଦୀ ମଣିଷଟିଏ ସେ କାହାଣୀକୁ ଆବିଷ୍କାର କରେ । ଏଇଠି ବି ସେଇ କାରଣ ସବୁ ହିଁ ତ ଥିବ । ଆଉ ଅନ୍ୟ କେଉଁ କାରଣ ବି କଣ ହୋଇପାରେ ?
ଅନୁମାନ କରୁଥିଲି ଦାରିଦ୍ର୍ୟର କଷାଘାତରେ ଜର୍ଜରିତ ଥିବ ପରିବାର । ବାପା ନଥିବ । ଲୋକଲଜ୍ୟା ଭୟରେ ଆସି ନଥିବ ମାଆ । ସେଇଥିପାଇଁ ଘରବାଡ଼ିରେ ଫଳାଇଥିବା ମକା ଓ ବାଇଗଣକୁ ନେଇ ଏଇ ଧୁଧୁ ଖରାରେ ଲିମ୍ବଗଛର ଆଶ୍ରୟରେ ବସିଛନ୍ତି ଦୁଇ ଭାଇ । ଏସବୁ ଭାବିବାର ଯଥେଷ୍ଟ କାରଣ ବି ଥିଲା । ପଢିଥିବା କାହାଣୀ ସବୁ ପରି ହିଁ ଥିଲା ଉଭୟଙ୍କ ବେଶଭୁଷା । ବଡ଼ ଜଣକ ପ୍ରାୟ ଦଶ କି ବାର ବର୍ଷର ଥିବାବେଳେ ଛୋଟ ଟି ଥିଲା ସାତ କି ଆଠ ବର୍ଷର । ପିନ୍ଧିଥିଲେ କେବେଠୁ ସାବୁନର ମୁହଁ ଦେଖି ନଥିବା ସ୍କୁଲ ୟୁନିଫର୍ମ । ଖରାରେ ଶୁଖିଯାଇଥିଲା ଚେହେରା ଉଭୟଙ୍କର । ହେଲେ ମୁଁ ଗେଟ ଖୋଲୁଖୋଲୁ ଯେମିତି ପୁଣି ଓଦା ସରସର ହୋଇ ଯାଉଥିଲା ସେମାନଙ୍କ ଚେହେରା । ମୁଁ ଟିକେ ଆଗରୁ କିଣି ସାରିଥିଲି ମକା । ଦର ଜାଣିଥିଲି । ତଥାପି ପଚାରିଲି- “ଦାମ କେତେ ?”
“ଆଜ୍ଞା ! ପଚାଶ ଟଙ୍କାରେ ସାତଟି ।“ ସାଙ୍ଗେସାଙ୍ଗ କହିଥିଲା ବଡ଼ ପିଲାଟି । “ଆଛା, ମୁଁ ଯଦି ପଚିଶର ନିଏ ତେବେ ?” ମୁଁ ଜାଣିଜାଣି ଲମ୍ବାଉଥିଲି କଥା । କାରଣ ମୋ ମନର କେଉଁ କୋଣରେ ଲୁଚିଥିବା ମୋ ଇଛା ମୋତେ ବାଧ୍ୟ୍ୟ କରୁଥିଲା ସେଥିପାଇଁ । ମୁଁ ଜାଣିବାକୁ ଚାହୁଁଥିଲି କାହିଁକି ଏ ଖରାବେଳରେ ଏମିତି ରାସ୍ତାକଡ଼ରେ ବସି ମକା ବିକିବାକୁ ବାଧ୍ୟ୍ୟ ହେଉଛନ୍ତି ଏମାନେ । ହେଲେ ସେ କଥାକୁ ଯିବା ପାଇଁ ବାଟ ପାଉନଥିଲି ।
“ତେବେ ଚାରିଟି ଦେଇଦେବୁ ଆଜ୍ଞା” ହସିଦେଇ କହିଥିଲା ପିଲାଟି । “ତା ହେଲେ ତ ପଚାଶକୁ ଆଠଟି ହେଲା । ଆଉ ସାତ କେମିତି କହୁଛ ?” କହିଥିଲି ମୁଁ । “ହେଉ ଆଜ୍ଞା ! ଆଠଟି ନେଇଯାନ୍ତୁ“ ସାମାନ୍ୟ ଉଦାସ ହୋଇ କହିଥିଲା ପିଲାଟି । “ଆରେ ! ସେ ବି ତ ଦାମ ହେଉଛି । ଟିକେ ଆଗରୁ ମୁଁ ତ ପଚାଶରେ ବାରଟି କିଣିଛି” ମିଛ କହିଲି ମୁଁ । “ଆଠଟି ହିଁ ହେବ ଆଜ୍ଞା । ସେ ଭଲ ମକା ନଥିବ । ଆମରଟା ବହୁତ ଭଲ ।“ ଏବେ କହିଥିଲା ଛୋଟ ପିଲାଟି ।
“ନା ରେ ଦଶଟି ଦିଅ ।“ ଏବେ ଜୋର କରି କହିଥିଲି ମୁଁ । ହେଲେ ସଫା ମନା କରିଦେଲା ବଡ଼ ପିଲାଟି, କହିଥିଲା- “ହେବନି ଆଜ୍ଞା ।“ କିନ୍ତୁ ସେ କହିବା ପରେପରେ ଏବଂ ତା ମନା କରିବା ସତ୍ତ୍ୱେ ଛୋଟ ପିଲାଟି କହିଲା, “ଦଶଟା ଦେଲେ ବାପା ଗାଳି ଦେବ ।“
ବାଟ ପାଇଗଲି ମୁଁ । ହସି ଦେଇ କହିଲି, “ହେଉ ହେଉ ଶହେ ଟଙ୍କାର ଦିଅ ।“ ଏବେ ତୋ ବାପା ଖୁସି ହେବେ ତ ? କୁଆଡ଼େ ଗଲେ ତୋ ବାପା ? ଏ ମକା ତୁମର ନାଁ କାହାଠୁ କିଣି କି ଆଣନ୍ତି ବାପା ?” ତାଙ୍କୁ ଖୁସି କରିବା ପାଇଁ ଶହେ ଟଙ୍କାର କିଣିବା ସହ ଅନେକ ପ୍ରଶ୍ନ ପଚାରିଦେଲି ମୁଁ ।
“ଆମର ମକା ଆଜ୍ଞା, ବାପା ଘରକୁ ଯାଇଛନ୍ତି । ଏତିକିରେ ତୁଟାଇ ଦେଇ ମକା ବାଛୁଥିଲା ବଡ଼ ପିଲାଟି ହେଲେ ତାପଟେ ମୋ ଧ୍ୟାନ ନଥିଲା । ମୁଁ ତ ଖଣି ପାଇ ଯାଇଥିଲି ଏଣୁ ଛୋଟକୁ ପଚାରିଲି, “କେତେ ଗଛ ଲଗାଇଛ ? ପାଣି କେଉଁଠୁ ଆଣ ?”
ପ୍ରଥମେ କୁଂଥୁ କୁଂଥୁ ହେଉଥିଲା । ବୋଧେ ବଡ଼ଭାଇକୁ ଭୟ କରୁଥିଲା । କିନ୍ତୁ ମୁଁ ବି ଜାଣିଥିଲି କଥା ଆଦାୟ କରିବା ଟେକନିକ । ଏଣୁ ବଡ଼ଭାଇକୁ ପଠାଇ ଦେଲି ଗାଡ଼ିରେ ମକା ଥୋଇ ଦେଇ ଆସିବା ପାଇଁ । ସେ ଯାଉଯାଉ ଛୋଟ କହିଲା- “ଆମର ବଡ଼ ବାଡ଼ି ଅଛି । ଦୁଇଟି କୂଅ ବି । ବାପାମାଆ ସମସ୍ତେ ସେଥିରେ କାମ କରନ୍ତି । ମୋ କାକା ବି କରେ ।“
“ତୁମେ ସ୍କୁଲ ଯାଉଛ ?” ପୁଣି ପଚାରି ଥିଲି ମୁଁ ।
“ହଁ ଯେ ସ୍କୁଲ ତ କେବେଠୁ ଛୁଟି ଅଛି ।“ କହିବା ଭିତରେ ଆସିଯାଇଥିଲା ବଡ଼ ।
ମୋର ଏବେ ଫେରିଯିବା କଥା ହେଲେ ଏଯାଏଁ ମୁଁ ଜାଣି ପାରିନଥିଲି ଅସଲ କଥା । ସମସ୍ତେ ଥାଉଥାଉ କାହିଁକି ଏ ରଡ଼ି ଖରାରେ ରାସ୍ତା କଡ଼ରେ ବସିଛନ୍ତି ପିଲା ଦୁଇଟି । ତା ବାପା କାକା ବି ତ ବସି ପାରନ୍ତେ ? ଏବେ ଆଉ ବୁଲାଇବଙ୍କାଇ ନପଚାରି ବଡ଼ ପିଲାଟିକୁ ସିଧା ପଚାରିଦେଲି । “ତୁମେ ଘରେ ରହିବା ଛାଡ଼ି ଏଠି ବିକୁଛ କାହିଁକି ? ମନା କରୁନ ! ତୋ ବାପା ବିକନ୍ତେ !”
ବାପାଙ୍କୁ ଦୋଷ ଯାଉଥିବା ଦେଖି ତାଙ୍କୁ ସୁରକ୍ଷା ଦେବା ପାଇଁ ଆଗେଇ ଆସିଲା ସେ । କହିଲା, “ନାଇଁ ଆଜ୍ଞା ! ଆଗରୁ ବାପା ବିକୁଥିଲେ ହେଲେ ତାଙ୍କ ହାତ ପରା ଅଶୁଭ ! ଭଲ ବିକ୍ରି ହୁଏନି । ଆଉ ଆମ ଦୁଇଭାଇଙ୍କ ହାତ ଭାରି ଶୁଭ । ସବୁଦିନ ସନ୍ଧ୍ୟା ଆଗରୁ ସବୁ ସରିଯାଏ । ସେଇଥିପାଇଁ ଆମେ ଏଇଠି ଥାଉ !”
ବହୁତ କିଛି ଅନୁମାନ କରି ପକାଇଲି ମୁଁ ! କହିଲି, “ତୁମ ହାତ ଶୁଭ କି ଅଶୁଭ ମୁଁ କହି ପାରିବିନି । କିନ୍ତୁ ତୁମ ଚେହେରା ସବୁ ଭାରି ଶୁଭ ।“ ଭାବୁଥିଲି ସେଇ ଚେହେରା ତ ମୋତେ ଜୋର କରି ଅଟକାଇ ଦେଲା ଓ ନିଶ୍ଚୟ ଅଟକାଉ ଥିବ ମୋ ପରି ଆଉ କେତେକେତେ ଲୋକଙ୍କୁ । ଏଇ ନିରୀହ ଚେହେରା ସବୁଙ୍କୁ ବ୍ୟବହାର କରୁଥିବା ତାଙ୍କ ବାପାଙ୍କ ଉପରେ ରାଗ ମାଡୁଥିଲା ମୋତେ । ହେଲେ ଉପାୟ କିଛି ନଥିଲା ।
ପଇସା ଦେଇ ସାରିଥିଲି ମୁଁ । ତୁମ ହାତ ଶୁଭ ଅଛି ମାନେ ପାଠ ବି ଭଲ ହେବ । ପାଠ ବି ପଢୁଥିବ କହି ମୁଁ ଗାଡ଼ି ଆଡ଼କୁ ଗୋଡ଼ ବଢ଼ାଉଥିଲି କିନ୍ତୁ ହଠାତ ବୁଲି ପଡ଼ି ପଚାରିଲି, “ସେ ତୁମ ନିଜ ବାପା ତ ?”
“ହଁ….. କହି କେମିତି ଗୋଟିଏ ବିଚିତ୍ର ଭଙ୍ଗୀଟେ ମୋ ଆଡ଼କୁ ଫିଙ୍ଗୁଥିଲେ ସେମାନେ । ଯେମିତି ଭାବୁଥିଲେ, ପାଗଳାଟାଏ କି ?
ହେମଗିର, ସୁନ୍ଦରଗଡ଼-୧୩, ମୋବାଇଲ – ୯୭୭୮୧୭୪୯୭୮
ଲେଖକ ପରିଚୟ
ପ୍ରାୟତଃ ତିନି ବର୍ଷ ହେବ ଗଳ୍ପ ଲେଖିବାର ଚେଷ୍ଟାରେ ମୁଁ । ଏ ଯାଏଁ ଚାରୋଟି ଗଳ୍ପ ସଂକଳନ ପ୍ରକାଶିତ ହୋଇସାରିଛି । ବିଭିନ୍ନ ପତ୍ରପତ୍ରିକାରେ ଅନେକ ଗଳ୍ପ ପ୍ରକାଶିତ ହୋଇସାରିଛି । ମୁଖ୍ୟତଃ ସାମାଜିକ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରୁଥିବା ମୋର ଗଳ୍ପ ସବୁ କଳେବରରେ ଛୋଟ ନିଶ୍ଚେ କିନ୍ତୁ ନିଜ ଭିତରେ ଏକ ବୃହତ ସାମାଜିକ ବାର୍ତ୍ତା ବହନ କରିବାର ସାମର୍ଥ୍ୟ ରଖେ । ‘ଚିହ୍ନା ଚିତ୍ର ଅଚିହ୍ନା ଚରିତ୍ର’ ମାଧ୍ୟମରେ ଅନେକ କିଛି ଅନାଲୋଚିତ ଅବହେଳିତ ଚରିତ୍ରଙ୍କ ସହ ମୁହାଁମୁହିଁ ହେବାର ସୁଯୋଗ ଆଣିଦେବ ବୋଲି ଆଶା !!!