ସୁଚରିତା ପାତ୍ର

ନୀରବତାର ଢେଉ ଏତେ ଶୀଘ୍ର ନିରବି ଯିବ!
କେହି ଅବା କଣ ଜାଣିଥିଲା?
ଚଳଚଞ୍ଚଳ ସହର ଜନଶୂନ୍ୟର ରାହା ଧରିବ
ସେକଥା କେ ଅବା ଜାଣିଥିଲା ?
ରାତିର ଅନ୍ଧକାରରେ ତାରାର ଚିକମିକ୍ କିରଣ
କେବେ କଣ ନିଆଁ ଝୁଲା ଭଳି ତଳକୁ ଖସିପାରେ ?
ପବନ ଶାନ୍ତ ହେବାରେ ଲାଗିଛି,
କାରଣ ସେ ଧୂଆଁଳିଆ ରାସ୍ତାରେ ମଣିଷ ଖୋଜୁଛି!
ହେଲେ ଇଏ କ’ଣ ?
ଚାରିଆଡେ ତ ଖାଲି ପାଉଁଶ
ଗଦାଗଦା ମଣିଷର ପାଉଁଶ, ସୁଉଚ୍ଚ ଅଟ୍ଟାଳିକାର ପାଉଁଶ
ରାତିର ସେଇ ନୀରବତାକୁ,
ଯୁଦ୍ଧର ସେଇ ଭୟଙ୍କର ସାଇରନ ଛାତିରେ ଛନକା ପଶୁଛି।
ସହର ଏବେ ଅଣ୍ଟା ସଳଖି ଚାଲିପାରୁନି
ବିରାଟ କାୟ ଇମାରତ ମୁହୂର୍ତ୍ତକରେ ଧ୍ୱଂସ ହେବା ପରି
ଗୁରୁଣ୍ଡି ଗୁରୁଣ୍ଡି କାହାର ସାହାରା ଖୋଜୁଛି
ଆଉ ଏକାକାର ହେଇଯାଉଛି।
ହେଲେ ସେ କଣ ଜାଣିପାରୁନି,
ତାକୁ ପଛରୁ ଧକ୍କା ଦେଇ ଠେଲି ଦିଆଯାଇଛି
ନିଃଶେଷ ହେବା ପାଇଁ
ଏଇ ତ ସେଇ ଇମାରତ ଯେତେବେଳେ ତଳେ କଚାଡି ହୋଇ ପଡ଼ିଲା
କେତୋଟି ଜିଅନ୍ତା ଶରୀରକୁ ଗିଳିଦେଲା
ଚିପି ଧରିଲା ସେମାନଙ୍କର ଦୁକ୍ ଦୁକ୍ ସ୍ପନ୍ଦନକୁ
ରକ୍ତାକ୍ତ ହାତ ଗୋଟି ଗୋଟି ଦିଶୁଛି ତା ଭିତରୁ
ସତେ ଅବା ଏବେବି ଡାକୁଛି
ସେଇ ଭଗ୍ନ ଲୁହାଛଡ଼ ଭିତରୁ ଟାଣି ନେବାକୁ
ଆକାଶ ଲାଲ୍ କୁହୁଡିରେ ଘୋଡେ଼ଇ ହୋଇଛି
ହେଇ ଏବେ ଏବେ ପବନରେ ଭାସି ଆସୁଛି କାହାର ଚିତ୍କାର
ଗୋଳାବାରୁଦର ଅଣନିଃଶ୍ୱାସୀ ବାସ୍ନା
ଆଉ ଲାଲ୍ ରକ୍ତର କୁହୁଡି ସଦୃଶ୍ୟ ଛିଟା।

ସୁଚରିତା ଏବେ ସାମ୍ବାଦିକତା କରୁଛନ୍ତି । ଭାରତୀୟ ଜନ ସଂଚାର ସଂସ୍ଥାନ, ଢେଙ୍କାନାଳରୁ ସାମ୍ବାଦିକତା ଶିକ୍ଷାଲାଭ କରିଛନ୍ତି । ସାମ୍ବାଦିକତା ସହ ସେ କବିତା ରଚନାରେ ମନୋନିବେଶ କରନ୍ତି । ତାଙ୍କ ରଚିତ କବିତାଗୁଡିକ ପ୍ରେମ, ପ୍ରଣୟ ଉପରେ ଆଧାରିତ ଥାଏ । କିନ୍ତୁ ତତ୍କାଳୀନ ସମୟର ପ୍ରେକ୍ଷାପଟ୍ଟରେ ତାଙ୍କର ଏ କବିତାଟି ଅତି ଉଚ୍ଚକୋଟିର । 

Related Posts

Leave a Reply

Your email address will not be published. Required fields are marked *