ଘୋଷଣା ହେଲା ‘ମନୋଜ୍ଞ ଦିଗ୍ବଳୟ’ ଟ୍ରଷ୍ଟ
ପ୍ରକାଶିତ ହେଲା ୧୦ଟି ପୁସ୍ତକ

ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସଙ୍କ ଆଜି ହେଉଛି ୮୮ତମ ଜନ୍ମବାର୍ଷିକୀ । ଏହି ଅବସରରେ ‘ମନୋଜ୍ଞ ଦିଗ୍ବଳୟ’ ଟ୍ରଷ୍ଟର ଘୋଷଣା ହୋଇଛି । ପୁଡୁଚେରୀରେ ମନୋଜ ଦାସଙ୍କ ଅନୁଗାମୀମାନେ ଏହି ଟ୍ରଷ୍ଟ ଗଢ଼ିଛନ୍ତି । ଜନ୍ମ ଦିନ ଅବସରରେ ଟ୍ରଷ୍ଟର ଘୋଷଣା ସହ ୧୦ଟି ନୂତନ ସଙ୍କଳନ ପ୍ରକାଶିତ ହୋଇଛି । ଏଥିରେ ରହିଛି ୯ଟି ଇଂରାଜୀ ଓ ଗୋଟିଏ ଓଡି଼ଆ ପୁସ୍ତକ ।
ଟ୍ରଷ୍ଟ ମନୋଜ ଦାସଙ୍କ ସାହିତ୍ୟ କୃତି ପ୍ରତି ଉତ୍ସର୍ଗୀକୃତ । ଲେଖକଙ୍କ ରଚିତ ସାହିତ୍ୟର ସଂରକ୍ଷଣ ଓ ପ୍ରସାର ପାଇଁ ବିଶେଷ ଭାବେ ଏହି ଟ୍ରଷ୍ଟ କାମ କରିବ । ଏକ ଅଭିଯାନ ଭାବେ ଲେଖକଙ୍କ କୃତିକୁ ପରପିଢ଼ି ସହିତ ପରିଚିତ କରିବା ପାଇଁ କାମ କରାଯିବ ବୋଲି ଟ୍ରଷ୍ଟର ୱେବସାଇଟ୍ରେ ଉଲ୍ଲେଖ କରାଯାଇଛି ।
ଜନ୍ମ ଦିନରେ ଟ୍ରଷ୍ଟ ପକ୍ଷରୁ ପ୍ରକାଶିତ ଓଡି଼ଆ ପୁସ୍ତକଟି ହେଉଛି, ‘କେତେ ବାତାୟନ, କେତେ ମୂଲ୍ୟାୟନ’ । ଏ ସଙ୍କଳନରେ ମନୋଜ ଦାସଙ୍କ ସହ ବ୍ୟକ୍ତିଗତ ଅନୁଭୂତିର ଅଭୁଲା ଆଲେଖ୍ୟଗୁଡି଼କ ସ୍ଥାନ ପାଇଛି । ଇରଂଜୀରେ ‘ଦ ଏକ୍ସୋରସିଷ୍ଟସ’, ‘ଦ ସବମର୍ଜଡ ଭ୍ୟାଲି ଆଣ୍ଡ୍ ଅଦର ଷ୍ଟୋରୀଜ’, ‘ଏକ୍ସପ୍ଲୋରିଙ୍ଗ ଦ ଲାଙ୍ଗୁଏଜ ଅଫ୍ ସାଇଲେନ୍ସ’, ‘ଦ ହେରିଟେଜ୍ କମ୍ଲିଟ୍ ଏଡିଟୋରିଆଲସ୍’, ‘କିଲିଙ୍ଗ ଏ ମିଲିୟନ ମୋକିଙ୍ଗବାର୍ଡସ ଆଣ୍ଡ୍ ଅଦର ଏସେଜ’, ‘ଦ ୱାର୍ଲଡସ ମୋଷ୍ଟ ୱାଣ୍ଡରଫୁଲ ବୁକ୍ସ’, ‘ଷ୍ଟୋରୀ ଅଫ୍ ବୁଦ୍ଧ’, ‘ଷ୍ଟୋରୀ ଅଫ୍ ରାମ’, ‘ଲିଜେଣ୍ଡସ ଅଫ୍ ଇଣ୍ଡିଆସ୍ ରିଭରସ୍’ ପ୍ରକାଶିତ ହୋଇଛି । ବହିଗୁଡି଼କ କିଣିବା ପାଇଁ ମଧ୍ୟ ଉପଲବ୍ଧ ହୋଇଛି । ସୁସାହିତ୍ୟମ ୱେବସାଇଟ୍ରେ ଯାଇ ପାଠକମାନେ ଅନ୍ଲାଇନରେ ମଗାଇପାରିବେ ।
୧୯୩୪ ମସିହା ଆଜିର ଦିନରେ ବାଲେଶ୍ୱର ଜିଲ୍ଲାର ଶଙ୍ଖାରୀ ଗାଁରେ ମନୋଜ ଦାସ ଜନ୍ମ ଗ୍ରହଣ କରିଥିଲେ । ଗତ ବର୍ଷ ୮୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା । ସେ ସମାନ୍ତରଳ ଭାବରେ ଉଭୟ ଓଡି଼ଆ ଓ ଇଂରାଜୀ ଭାଷାରେ ସାହିତ୍ୟ ସୃଷ୍ଟି କରୁଥିଲେ । ତାଙ୍କ ରଚିତ କଥା ସାହିତ୍ୟ ଅନ୍ତର୍ଜାତୀୟ କ୍ଷେତ୍ରରେ ପ୍ରସିଦ୍ଧି ଅର୍ଜନ କରିଛି । ଶିଶୁଠାରୁ ବୃଦ୍ଧ ପର୍ଯ୍ୟନ୍ତ, ସବୁ ପିଢ଼ି ମନୋଜ ଦାସଙ୍କ ସାହିତ୍ୟରେ ମୁଗ୍ଧ । ଆଜି ତାଙ୍କ ଜନ୍ମଦିନ ରାଜ୍ୟ ଓ ବାହାରେ ବିଭିନ୍ନ ସ୍ଥାନରେ ପାଳନ ହେଉଛି ।