ଦେବଯାନୀ ରାୟ


ସେ ପୃଥିବୀର ସମସ୍ତ ସ୍ୱପ୍ନକୁ ମୁକୁଟ କରି ପିନ୍ଧିନିଏ
ସ୍ମୃତି ସବୁକୁ ଜୀବନ୍ତ ରୂପ ଦିଏ
ପ୍ରସ୍ଫୁଟିତ ସକାଳର ମହ ମହ ବାସ୍ନାରେ
ନିଜକୁ ଫୁଟାଉଥାଏ ସାରାଟା ବଗିଚାରେ । ।
ସଜ ମଲ୍ଲିର ବାସ୍ନା ନେଇ
ପର୍ଯ୍ୟାପ୍ତ ଦିନକୁ ମୋର ସୁରଭିତ କରିବାର
ଆନ୍ତରିକତା ପଣରେ
ନିଜକୁ ଦୁକୁଳ ପିନ୍ଧାଉଥାଏ । ।
ଯେତେସବୁ ଅପର୍ଯ୍ୟାପ୍ତ ସାଜ ସଜ୍ଜାରେ
ହଜାରେ ଫଲଗୁର ରଙ୍ଗ ମାଖି
ପ୍ରତ୍ୟେକଟି ଋତୁକୁ ଦେଇଥାଏ
ବସନ୍ତର ସ୍ପର୍ଶ
କେବେ ପୁଣି ନିସର୍ତ୍ତ ପ୍ରେମର ନିଆଁରେ
ତେଜୋଦିପ୍ତାର ରୂପ ନିଏ ତ
ଆଗୁସାର ପ୍ରତିଟି ପାଦେ ପାଦେ
ଜିଉଥାଏ…ଜିଣୁଥାଏ
ବଞ୍ଚି ବଞ୍ଚାଉଥାଏ । ।
ଅପ୍ରାପ୍ତିର ଦାବାନଳରେ
ସେ ହିଁ ତ ଫୁଟାଏ ପ୍ରାପ୍ତିର ଚୁନା ଚୁନା ଫୁଲ
ସଙ୍କୋଚନର କ୍ଷୁଦ୍ର ସାାଁବଳୁଆରୁ
ପରିବ୍ୟାପ୍ତର ରଙ୍ଗୀନ ପ୍ରଜାପତି ହୋଇ ଉଡ଼ୁଥାଏ
ଦିଗରୁ ଦିଗନ୍ତର
ଉଜାଣି ବାଆର ସୁଅ କାଟି
ପରଷ୍ପର ସ୍ନେହ, ପ୍ରାଣ ପ୍ରତି ପ୍ରାଣର
ଅହେତୁକ ଲୋଭ ଅଭିପ୍ସାରେ
ରୋଗ ଶୋକକୁ ବିଲୁପ୍ତ କରାଇ
ଯନ୍ତଣା ଧୋଇନିଏ । ।
ଯେଉଁଠି ନାରୀଟିଏ ନିଜ ମର୍ଜ୍ଜିର ମାଲିକାନାରେ
ପିଇଯାଏ ହଳାହଳ ବିଷ
ସଭିଁଙ୍କୁ ସଙ୍ଗୋପି ଦେଇ ଆଶ୍ୱସ୍ତିର ହସ
ନିର୍ଲିପ୍ତତାରେ ବି ପାଲଟିଯାଏ ସର୍ବସଂହାର
ପୂର୍ଣ୍ଣ ସାମର୍ଥ୍ୟଟିଏ । ।
ସେଇଠି କିନ୍ତୁ, ଅପତ୍ୟ ସ୍ନେହର
ଦୁଃଖ ବିଜୟନୀ ରାଜ କନ୍ୟା
କାଳେ ସଂସାରର ସବୁଠୁ ଉଚ୍ଚ ସୁଖ
ଈଶ୍ୱରଙ୍କ ଲେଖନୀରେ ଲିଖିତ ତାହାର । ।
ଜନ୍ମ ଜାତକ । ।
ଅଜସ୍ର ସମ୍ଭାବନାର ସୁନେଲି ଭାବନା ଆଉ
ଜହ୍ନ ଆଲୁଅରେ ସ୍ୱପ୍ନକୁ ଆଙ୍କିଲା ପରି
ବଂଶୀର ପଞ୍ଚମ ତାନରେ ତୋଳି ଧରେ ସଭିଁଙ୍କ
ମନ ପସନ୍ଦର ରସ କଲ୍ଲୋଳ ନାଦଟିଏ । ।


ମାର୍ଫତ୍‌-ସ୍ୱରୂପ ରଂଜନ ରାୟ, ରାମଚନ୍ଦ୍ରପୁର ବଜାର,
ଜଟଣୀ, ଖୋର୍ଦ୍ଧା, ମୋ-୯୪୩୭୪୧୩୩୧୪

Related Posts

Leave a Reply

Your email address will not be published. Required fields are marked *