ଶରତ କୁମାର ରାଉତ

ଡମନ୍ ଗଣ୍ଡର ଅକାଳ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା । ମୃତ୍ୟୁ ଅନାହାର ଜନିତ କି ସ୍ୱାସ୍ଥ୍ୟ ସମସ୍ୟା ଜନିତ କି ଦୁର୍ଘଟଣା ଜନିତ ଥିଲା, ଏହା ହିଁ ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ ଥିଲା । ଅନାହାର ଜନିତ ମୃତ୍ୟୁ ବୋଲି ସବୁ ଖବରକାଗଜ ପୃଷ୍ଠା ମଣ୍ଡିତ ହୋଇଥିଲା । କିନ୍ତୁ ଜିଲ୍ଲା ପ୍ରଶାସନ ଏହି ଅଭିଯୋଗକୁ ଅସ୍ୱୀକାର କରୁଥିଲା । ତଥାପି ରାଜଧାନୀ ରାଜନୀତି ଚଳଚଞ୍ଚଳ ହୋଇ ଉଠିଥିଲା । ବିଧାନସଭା ଆଲୋଚନାରେ ଏଘଟଣା ପ୍ରମୁଖ ବିଷୟ ହୋଇ ଯାଇଥିଲା । ବିରୋଧୀ ଦଳ ସଦସ୍ୟମାନେ ଗୃହ କାର୍ଯ୍ୟକୁ ଅଚଳ କରିଦେଇଥିଲେ । ଶେଷରେ ଏହାର ବାସ୍ତବତା ଅନୁଧ୍ୟାନ ପାଇଁ ବାଚଷ୍ପତି ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଘଟଣାସ୍ଥଳ ପରିଦର୍ଶନ ପାଇଁ ପାଂଚ ଜଣ ବିଧାୟକଙ୍କୁ ନେଇ ଏକ ଗୃହ କମିଟି ଗଠନ କରାଯାଇଥିଲା ।
ଏକ ଦୁର୍ଗମ ଆଦିବାସୀ ଅଂଚଳରେ ଡ଼ମନ୍‌ର ଗାଁ ସିରାଗୁଡ଼ା । ସ୍ତ୍ରୀ ଲଚ୍‌ମା, ତିନି ଝିଅ ଓ ଦୁଇ ପୁଅକୁ ନେଇ ତା’ର ସଂସାର । ମୂଲ ଖଟି ପରିବାର ଚଳାଏ । ଯେଉଁ ଦିନ ତା’ ଦେହ ଖରାପ ରହେ କି କାମଧନ୍ଦା ନମିଳେ, ସେଦିନ ସେ ଓ ତା’ ପରିବାର ଅନାହାରରେ ରୁହନ୍ତି । ସରକାରୀ ସେବା ଓ ସୁବିଧା-ସୁଯୋଗ ମିଳିବା ବିଷୟରେ ସେ କିଛି ଜାଣେନା । କେବଳ ଥରେ ସରକାରୀ ବାବୁମାନେ ତା’କୁ ଶହେ ଟଙ୍କା ମାଗିଥିଲେ ଓ ତା’କୁ ସବୁ ସରକାରୀ ସୁବିଧା-ସୁଯୋଗ ମିଳିବ ବୋଲି କହିଥିଲେ । କିନ୍ତୁ ଡ଼ମନ୍ ସେମାନଙ୍କୁ ଶହେ ଟଙ୍କା ଦେଇ ପାରି ନଥିଲା ଓ ସୁବିଧା-ସୁଯୋଗରୁ ବଂଚିତ ହୋଇଗଲା!
ଏବର୍ଷ ଭୟଙ୍କର ମରୁଡ଼ି ଯୋଗୁ ଆଦୌ ଫସଲ ନଥିଲା କି କାମଧନ୍ଦା ମିଳୁ ନଥିଲା । ତିନିଦିନ ଧରି ସେ ଓ ତା’ ପରିବାର ଅନାହାରରେ ରହିଲେ । ପରଦିନ ଭୋକ ଦାଉରୁ ରକ୍ଷା ପାଇବା ପାଇଁ ତା’ ପରିବାରର ସମସ୍ତେ ଆଦିବାସୀ ପରମ୍ପରା ଭଳି କିଛି ଚାକୁଣ୍ଡା ପତ୍ର ସିଝାଇ ଖାଇଲେ । ଆଉ ସକାଳେ ଡ଼ମନ୍ ମରି ପଡ଼ିଥିଲା! ଏ ଖବର ଚାରିଆଡ଼େ ପ୍ରଚାରିତ ହେବା ପରେ ଦୁଇ ଦିନ ଧରି ସାମ୍ବାଦିକ, କୁଜି ନେତା ଓ ଜିଲ୍ଲା ତଥା ବ୍ଲକ୍ ପ୍ରଶାସନର ବାବୁମାନେ ସିରାଗୁଡ଼ା ଗାଁକୁ ଆସିବାରେ ଲାଗିଲେ । ସରପଂଚ ଓ ୱାର୍ଡ଼ ମେମ୍ବର ଡ଼ମନ୍ ଘରେ ଡ଼େରା ପକାଇ ରହିଲେ ଓ ଲଚ୍‌ମାକୁ ବୁଝାସୁଝା କଲେ ।
ଡମନ୍ ମୃତ୍ୟୁର ଚତୁର୍ଥ ଦିନରେ ବିଧାୟକ ଦଳର ଗୃହ କମିଟି ସିରାଗୁଡ଼ାରେ ପହଂଚିଲେ । ନିର୍ଦ୍ଧାରିତ ଔପଚାରିକତା ପରେ ସ୍ୱାସ୍ଥ୍ୟ ବିଭାଗର ଅବହେଳା ଯୋଗୁ ଡ଼ମନ୍‌ର ମୃତ୍ୟୁ ହୋଇଥିବା ଜିଲ୍ଲାପାଳ ଗୃହ କମିଟି ପାଖରେ ଦାବୀ କଲେ । ସେ କହିଲେ ଯେ, ଡ଼ମନ୍ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ସରକାର ଜାଣନ୍ତି ଓ ତା’କୁ ନିର୍ଦ୍ଧାରିତ ସରକାରୀ ସେବା-ସୁବିଧା-ସୁଯୋଗ ଯୋଗାଇ ଦିଆ ଯାଇ ଆସୁଛି! ସଙ୍ଗେ ସଙ୍ଗେ ଗୃହ କମିଟି ପାଖକୁ ଲଚ୍‌ମାକୁ ଡ଼କା ଗଲା । ସେ କାନ୍ଦି କାନ୍ଦି କହିଲା, “ ଆମେ ୟା’ ଭିତରେ କେବେ ବି ଓପାସ ରହିନାହୁଁ! ଆମକୁ ସବୁ ସରକାରୀ ସୁବିଧା ମିଳେ!! ଚାରି ଦିନ ତଳେ ମୋ ଅଣ୍ଡିରାକୁ ଡ଼ାଇରିଆ ହେଲା! ଏଏନ୍‌ଏମ୍ ଦିଦି ଆମ ଘରକୁ ଆସି ଦେଖିଲେ, ଆଉ କହିଲେ, “ମୁଁ ଏବେ କିଛି ଔଷଧ ଧରିନି, କାହାକୁ ମୋ ସାଙ୍ଗରେ ପଠା, ଉପ-ସ୍ୱାସ୍ଥ୍ୟକେନ୍ଦ୍ରରୁ ଓ.ଆର୍‌.ଏସ୍‌. ଏବଂ ଔଷଧ ଦେବି!….ଆଉ ସେଦିନ ରାତିରେ ହିଁ ମୋ ଅଣ୍ଡିରା ମରିଗଲା!……”
ୟା’ ଭିତରେ କେତେକ ସାମ୍ବାଦିକ ଓ ଅନ୍ୟମାନେ ୱାର୍ଡ଼ ମେମ୍ବରଙ୍କ ସହିତ ତା’ ଘର ଭିତରକୁ ଯାଇ ତନଖି କରି ସାରିଥିଲେ ଓ ତା’ ପରିବାର ପାଇଁ ଆବଶ୍ୟକ ଅନୁଯାୟୀ ପନ୍ଦର କୋଡ଼ିଏ ଦିନ ଖାଇବା ଭଳି ଚାଉଳ, ରୋଷେଇ ସାମଗ୍ରୀ ଆଦି ଦେଖିବାକୁ ପାଇଥିଲେ!
କମିଟିର ସୁପାରିଶ କ୍ରମେ ଏଏନ୍‌ଏମ୍ ଦିଦିଙ୍କୁ କର୍ତ୍ତବ୍ୟରେ ଅବହେଳା ଯୋଗୁ କାର୍ଯ୍ୟରୁ ବହିଷ୍କାର ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଲେ! ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, ସରପଂଚ, ୱାର୍ଡ଼ ମେମ୍ବର ଓ ସଚେତନଶୀଳ ଲୋକେ ସରକାରୀ ନିଷ୍ପତ୍ତିକୁ ବିରୋଧ କରିବାକୁ ଚାହିଁଥିଲେ ମଧ୍ୟ କିଛି କରି ପାରିଲେ ନାହିଁ! ବାଧ୍ୟ ଶିଶୁ ଭଳି ସମସ୍ତେ ଏଇ ନିଷ୍ପତ୍ତିରେ ନିଜ ସମ୍ମତିର ମୋହର ଲଗାଇ ଦେେଲେ । ଭାରତ ଭଳି ଏକ ବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ରରେ ସରକାରୀ ଶାସନ ବ୍ୟବସ୍ଥା, ଏହାର କାର୍ଯ୍ୟକାରୀ ପ୍ରକ୍ରିୟା ଓ ପରିଣତିକୁ ନେଇ ସେମାନେ ନିଜ ନିଜ ଭିତରେ ଗଭୀର ସମୀକ୍ଷା କରୁଥିଲେ ଓ କ୍ଷୋଭ ପ୍ରକାଶ କରୁଥିଲେ ।


କୋରିଆପଲ୍ଲା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡା, ମୋ-୯୩୩୭୩୬୯୪୪୮

Related Posts

Leave a Reply

Your email address will not be published. Required fields are marked *