ଓଡ଼ିଆ ଚଳଚ୍ଚିତ୍ର ଜଗତର ସ୍ଵର୍ଣ୍ଣିମ ଯୋଡ଼ି

ବହି: ଗୌର ଓ ପାର୍ବତୀ
ଅବଧାରଣା ଓ ସଙ୍କଳନ: ରାତ୍ରୀ ଘୋଷ-ବର୍ମନ୍‍
ପ୍ରକାଶକ: ଜିପିଜି ଏଣ୍ଟରପ୍ରାଇଜ୍‍
ମୂଲ୍ୟ: ଉଲ୍ଲେଖ ନାହିଁ

ଓଡି଼ଆ ଚଳଚ୍ଚିତ୍ର ଜଗତରେ ଗୌର ପ୍ରସାଦ ଘୋଷ (୧୯୨୯-୧୯୯୪) ଓ ପାର୍ବତୀ ଘୋଷ(୧୯୪୨- ୨୦୧୮) ହେଲେ ପ୍ରଥମ ଅଭିନେତା, ଅଭିନେତ୍ରୀ ଯୋଡି଼ ଯିଏ ବୈବାହିକ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପରେ ବହୁ ବର୍ଷ ଧରି ଏକତ୍ର ଚଳଚ୍ଚିତ୍ରରେ କାମ କରିଥିଲେ । ଉଭୟେ ବଡ଼ ପ୍ରତିଭାଶାଳୀ ଅଭିନେତା ଓ ନିର୍ଦ୍ଦେଶକ ଥିଲେ ଏବଂ ଓଡି଼ଆ ଚଳଚ୍ଚିତ୍ର ଜଗତକୁ ଅନେକ ଭାବରେ ଋଦ୍ଧିମନ୍ତ ଓ ପ୍ରଭାବିତ କରିଛନ୍ତି ।

ଗୌର ପ୍ରସାଦ ଘୋଷ ଜନ୍ମ ସୂତ୍ରରେ ବଙ୍ଗାଳୀ । ଏକ ସମ୍ଭ୍ରାନ୍ତ ପରିବାରର ସନ୍ତାନ ଥିଲେ ସେ । ତାଙ୍କ ପରିବାର ଓଡି଼ଶାରେ ସ୍ଥାୟୀ ଭାବରେ ବସବାସ କଲେ । ଅଭିନୟ ପ୍ରତି ତାଙ୍କର ଆକର୍ଷଣ କଲେଜରେ ପଢ଼ିଲା ବେଳୁ । ରେଭେନ୍ସା କଲେଜରେ ଅଭିନୟ କରୁଥିବା ବେଳେ ସେ ପ୍ରଜା ସୋସିଆଲିଷ୍ଟ ପାର୍ଟିର ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଯୋଡି଼ ହୋଇପଡ଼ନ୍ତି । ପ୍ରଜା ସୋସିଆଲିଷ୍ଟ ପାର୍ଟି ସେତେବେଳେ ବିଭିନ୍ନ ସାମାଜିକ ପ୍ରସଙ୍ଗ ଓ ସ୍ୱାଧୀନତା ସଂଗ୍ରାମରେ ଜନମତ ସଂଗଠିତ କରିବା ପାଇଁ ନାଟକ କରୁଥିଲେ । କଟକରେ ଗୌର ପ୍ରସାଦଙ୍କ ଘର ବି ଥିଲା ପ୍ରଜା ସୋସିଆଲିଷ୍ଟ ପାର୍ଟିର ଅଫିସ ପାଖାପାଖି ।

ନାଟକ କରିବା ବେଳେ ଗୌର ପ୍ରସାଦ ତତ୍କାଳୀନ ନାଟ୍ୟ-ଜଗତର ବିଶିଷ୍ଟ ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସନ୍ତି ଏବଂ ନାଟକ ପ୍ରତି ତାଙ୍କର ଅଧିକ ଆକର୍ଷଣ ସୃଷ୍ଟି ହୁଏ । ୧୯୪୭ରେ ଜନ ସଂସ୍କୃତି ସଂଘ ଗୋଟେ ନାଟକ କଲେ ‘ଅଗଷ୍ଟ ୯’ । ମନୋରଞ୍ଜନ ଦାସ ତାକୁ ଲେଖିଥିଲେ । ଗୌର ପ୍ରସାଦ ଘୋଷଙ୍କୁ ସେତେବେଳେ ରାୟ ଘୋଷ ବୋଲି ସମସ୍ତେ ଡାକୁଥିଲେ । ସେ ତା’ର ପ୍ରଧାନ ଚରିତ୍ରରେ ଅଭିନୟ କରିଥିଲେ । ଏ ନାଟକର ସାଫଲ୍ୟ ତାଙ୍କ ଜୀବନରେ ଗୋଟେ ମୋଡ଼ ଆଣିଦେଲା ।

ଏହା ପରେ ଓଡ଼ିଶା ଥିଏଟର୍ସ ପକ୍ଷରୁ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କର ନାଟକ ‘ଭାତ’ ମଞ୍ଚସ୍ଥ କଲା । ଏଥିରେ ଗୌର ଅଭିନୟ କଲେ । ନାଟକରେ ଅଭିନୟ କରୁ କରୁ କ୍ରମଶଃ ସେ ସିନେମା ଆଡ଼କୁ ମୁହାଁଇଲେ । ତାଙ୍କର ପ୍ରଥମ ସିନେମା ଥିଲା ‘ଶ୍ରୀ ଜଗନ୍ନାଥ‘ । ସେଥିରେ ଶକ୍ତିଧର ଭୂମିକାରେ ଅଭିନୟ କରୁଥିଲେ । ଏହି ସିନେମା ଅଭିନୟ ସମୟରେ ତାଙ୍କ ସହିତ ଚପଳା ନାୟକଙ୍କ ସାକ୍ଷାତ ହୋଇଥିଲେ । ବୟସରେ ଚପଳା ତାଙ୍କଠାରୁ ୧୩ବର୍ଷ ସାନ ଥିଲେ । କିନ୍ତୁ ପ୍ରେମ ତ ଆଉ ବୟସ ମାନେନି । ଉଭୟଙ୍କ ମଧ୍ୟରେ ପ୍ରେମ ହୁଏ । ପରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି । ଚପଳା ନାୟକଙ୍କ ନାଁ ବଦଳି ହେଇଯାଏ ପାର୍ବତୀ ଘୋଷ ।

‘ଶ୍ରୀ ଜଗନ୍ନାଥ’ରେ ମୁଖ୍ୟ ଭୂମିକାରେ ଥିଲେ ଗୋପାଳ ଘୋଷ ଓ ଗ୍ଲୋରିଆ ରାଉତ । ଏଠି ଚପଳା ନାୟକ ଶିଶୁ କଳାକାର ଭାବେ ଅଭିନୟ କରୁଥିଲେ । ଗୌର ପ୍ରସାଦଙ୍କ ଅଭିନୟ ଜୀବନ ଶ୍ରୀ ଜଗନ୍ନାଥରୁ ଆରମ୍ଭ ହୋଇ ଆଗକୁ ଆଗକୁ ବଢ଼ିଚାଲିଲା । ଅଭିନେତା ଭାବରେ ଏବଂ ପରବର୍ତ୍ତୀ ସମୟରେ ନିର୍ଦ୍ଦେଶକ ଭାବରେ ଗୌର ପ୍ରସାଦ ଅନେକ ସୁନ୍ଦର ସିନେମା କରିଛନ୍ତି । ଓଡ଼ିଆ ଚଳଚ୍ଚିତ୍ରକୁ ଜାତୀୟ ସ୍ତରରେ ଏକ ମାନ୍ୟତାପୂର୍ଣ୍ଣ ସ୍ଥାନରେ ପହଞ୍ଚାଇବା ଦିଗରେ ତାଙ୍କର ଅନେକ ଅବଦାନ ଥିଲା ।

୧୯୫୬ରେ ‘ଭାଇ ଭାଇ’ ତାଙ୍କର ପ୍ରଥମ ପ୍ରଯୋଜିତ ସିନେମା । ସେତେବେଳେ ତାଙ୍କୁ ୨୭ ବର୍ଷ ବୟସ । ତା’ ପରେ ପରେ ସେ ବେଶ୍‍ କିଛି ଅତ୍ୟନ୍ତ ସଫଳ ସିନେମା ନିର୍ଦ୍ଦେଶନା ସହ ପ୍ରଯୋଜନା କରିଛନ୍ତି- ‘ମା’’(୧୯୬୦), ‘ଲକ୍ଷ୍ମୀ’(୧୯୬୨), ‘କା’(୧୯୬୫), ‘ସ୍ତ୍ରୀ’(୧୯୬୮), ‘ସଂସାର’(୧୯୭୧) । ‘ସଂସାର’ ପରେ ସେ ଟେଲିଭିଜନ କ୍ଷେତ୍ରକୁ ପ୍ରବେଶ କରିଥିଲେ ଏବଂ ବେଶ୍‍ କିଛି ଓଡି଼ଆ ଟେଲି ଫିଲ୍ମ- ‘ସମାଧାନ’, ‘ହକର’ ଇତ୍ୟାଦି ପ୍ରଯୋଜନା କରିଥିଲେ । ୧୯୮୫ରେ ‘ପ୍ରଶ୍ନ’ ବୋଲି ଓଡି଼ଶାର ପ୍ରଥମ ହିନ୍ଦୀ ଟେଲିଫିଲ୍ମ କରିଥିଲେ । ଏହାପରେ ପରେ ଆହୁରି ବେଶ୍‍ କିଛି ଟେଲିଫିଲ୍ମ କରିଛନ୍ତି ।

‘କଣ୍ଟ୍ରିବ୍ୟୁସନ ଅଫ୍‍ ଓଡି଼ଶା ଇନ ଫ୍ରିଡମ ମୁଭମେଣ୍ଟ’- ଏମିତି ଗୋଟେ ଇଂରାଜୀ ପ୍ରାମାଣିକ ଚଳଚ୍ଚିତ୍ର କରିବାକୁ ଫିଲ୍ମ ଡିଭିଜନ ତାଙ୍କୁ ଦାୟିତ୍ୱ ଦେଇଥିଲେ । ଭକ୍ତ ସାଲବେଗଙ୍କର ଜୀବନୀ ଚଳଚ୍ଚିତ୍ର ମଧ୍ୟ ସେ ନିର୍ମାଣ କରିଛନ୍ତି । ଏହା ପରେ ପରେ ୧୯୯୩ରୁ ତାଙ୍କର ଦେହ ଖରାପ ହୁଏ । ଚିକିତ୍ସା ପାଇଁ ସେ ଆମେରିକା ଯାଆନ୍ତି । କିନ୍ତୁ ସେଠୁ ଫେରିବା ପରେ ତାଙ୍କର ଦେହାନ୍ତ ହୁଏ ।

ପାର୍ବତୀ ଘୋଷଙ୍କର ନାଁ ଥିଲା ଚପଳା । ତାଙ୍କୁ ଚନ୍ଦନା ବୋଲି ବି ଅନେକ ଡାକୁଥିଲେ । ଓଡି଼ଆ ସିନେ ଜଗତରେ ସେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ତାଙ୍କର । ୮ ଭାଇ ଭଉଣୀ । ତାଙ୍କ ପରିବାରରେ ସାହିତ୍ୟ, ସଂସ୍କୃତିର ପରିବେଶ ଥିଲା । ଓଡି଼ଶୀ ଶିଖୁଥିଲେ କେଳୁଚରଣ ମହାପାତ୍ରଙ୍କଠାରୁ । ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଉଥିଲେ । ଶିଶୁ କଳାକାର ଭାବରେ ତାଙ୍କର ଚଳଚ୍ଚିତ୍ରରେ ପ୍ରବେଶ । ୧୯୪୯ ମସିହା ‘ନୀଳମାଧବ’ରେ ଶିଶୁ କଳାକାର ଭାବେ ତାଙ୍କର ପ୍ରବେଶ । ସେଥିରେ ଗୌର ପ୍ରସାଦ ଘୋଷ ମଧ୍ୟ ଏକ ଭୂମିକାରେ ଥିଲେ । ୧୯୫୩ରେ ‘ଆମରି ଗାଁ ଝିଅ’ରେ ଗୌର ପ୍ରସାଦ ଘୋଷଙ୍କ ସହିତ ନାୟିକା ହୋଇ ଗୋଟେ ସିନେମା କଲେ । ୧୯୫୬ରେ ‘ଭାଇ ଭାଇ’ରେ ଚପଳାଙ୍କୁ ଗୌର ପ୍ରସାଦ ନାୟିକା ଭାବରେ ନେଲେ । ତା’ ପରେ ୧୯୫୯ରେ ‘ମା’’ ସିନେମାରେ ମଧ୍ୟ ଚପଳାଙ୍କୁ ସେ ନେଲେ । ଏହି ବର୍ଷ ତାଙ୍କର ବିବାହ ହେଲା ଏବଂ ଚପଳା ନାୟକ ପାର୍ବତୀ ଘୋଷ ନାମରେ ପରିଚିତ ହେଲେ ।

ପାର୍ବତୀ ଘୋଷ ଏବଂ ଗୌର ପ୍ରସାଦ ଘୋଷଙ୍କର ଯୋଡି଼ ଓଡି଼ଆ ସିନେ ଜଗତରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ଅନେକ ଗୁଡି଼ଏ ଜାତୀୟ ପୁରସ୍କାର ପ୍ରାପ୍ତ ସିନେମା ସେମାନେ ଦୁଇ ଜଣ ମିଶି କରିଛନ୍ତି- ୧୯୬୨ ‘ଲକ୍ଷ୍ମୀ’, ୧୯୬୫ରେ ‘କା’, ୧୯୬୮ ‘ସ୍ତ୍ରୀ’, ୧୯୭୧ରେ ‘ସଂସାର’ । ‘ସଂସାର’ ପରେ ‘ଛ ମାଣ ଆଠ ଗୁଣ୍ଠ’ କରିବେ ବୋଲି ସେମାନେ ଘୋଷଣା କରିଥିଲେ । କିନ୍ତୁ ତାକୁ କରିବା ପାଇଁ ବେଶ କିଛି ସମୟ ଲାଗି ଯାଇଥିଲା ।

ପାର୍ବତୀ ଘୋଷଙ୍କର ମୃତ୍ୟୁ ହେଲା ୨୦୧୮ରେ । ଗୌର ପ୍ରସାଦ ଘୋଷ ଏବଂ ପାର୍ବତୀ ଘୋଷଙ୍କର ଜୀବନ ଏବଂ ଓଡି଼ଆ ଚଳଚ୍ଚିତ୍ର ଇତିହାସକୁ ସେମାନଙ୍କ ଅବଦାନକୁ ନଥିଭୁକ୍ତ କରିବା ପାଇଁ ତାଙ୍କ ଝିଅ ରାତ୍ରି ଘୋଷ ବର୍ମନ ‘ଗୌର-ପାର୍ବତୀ’ ନାଁରେ ଏକ ପ୍ରାମାଣିକ ପୁସ୍ତକ ପ୍ରକାଶ କରିଛନ୍ତି ।

କଫି-ଟେବୁଲ୍‍ ବହି ଢ଼ାଞ୍ଚାରେ ପ୍ରକାଶିତ ଏହି ଶାଳୀନ ଏବଂ ସୁମୁଦ୍ରିତ ବହିଟିରେ ଗୌର ପ୍ରସାଦ ଘୋଷ ଏବଂ ପାର୍ବତୀ ଘୋଷଙ୍କର ଜୀବନ ବିଷୟରେ ତଥ୍ୟ ଅଛି । ସେମାନେ କରିଥିବା ସିନେମାର ବିଷଦ ବିବରଣୀ ଅଛି । ବେଶ କିଛି ଦୁଷ୍ପ୍ରାପ୍ୟ ଫଟୋଚିତ୍ର ରହିଛି । ଗୌର ପ୍ରସାଦ ଘୋଷ ଓ ପାର୍ବତୀ ଘୋଷଙ୍କୁ ନେଇକି ଗବେଷଣା କରୁଥିବା ଗବେଷକ ଓ ଓଡି଼ଆ ଚଳଚ୍ଚିତ୍ରକୁ ଜାଣିବା ପାଇଁ ଇଚ୍ଛା କରୁଥିବା ଲୋକମାନଙ୍କ ପାଇଁ ଏହା ଅତ୍ୟନ୍ତ ଉପଯୋଗୀ ପୁସ୍ତକ ।

ବିଭିନ୍ନ କାରଣରୁ ଓଡି଼ଆ ଚଳଚ୍ଚିତ୍ରର ଇତିହାସକୁ ପ୍ରାମାଣିକ ଭାବରେ ଏ ପର୍ଯ୍ୟନ୍ତ ନଥିଭୁକ୍ତ କରାଯାଇପାରିନାହିଁ । ଏହା ଅତ୍ୟନ୍ତ ଜରୁରୀ । କାରଣ ଗୋଟେ ଭାଷାରେ ନିର୍ମିତ ଚଳଚ୍ଚିତ୍ରର ଇତିହାସ ସେ ଭାଷା କହୁଥିବା ଏବଂ ସେ ଭାଷା କୁହାଯାଉଥିବା ଅଞ୍ଚଳର ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ତେଣୁ ତାର ପ୍ରାଣାମିକ ତଥ୍ୟ ସଂଗ୍ରହ କରି ତାକୁ ନଥିଭୁକ୍ତ କରି ରଖିବା ଜରୁରୀ । ରାତ୍ରୀ ଘୋଷ-ବର୍ମନ ଏ କାର୍ଯ୍ୟଟି ବଡ଼ ନିଷ୍ଠାର ସହ କରିଛନ୍ତି । ଏ ପୁସ୍ତକଟି ଚଳଚ୍ଚିତ୍ର ପଢ଼ା ଯାଉଥିବା ସବୁ ପ୍ରତିଷ୍ଠାନ, ସଂସ୍ଥାନରେ, ବିଶ୍ଵବିଦ୍ୟାଳୟରେ ରଖାଯିବା ଦରକାର ।

+++

Related Posts

Leave a Reply

Your email address will not be published. Required fields are marked *