ଶରତ କୁମାର ରାଉତ


ରୋଜ ବାଥ୍‌ରୁମ୍‌ରୁ ଆସି ଦେଖିଲା, ଭୁବନେଶ୍ୱରରୁ ଗନ୍ଧର୍ବ ବାବୁର ଏକ ମିସ୍ କଲ୍ । ସେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଜଣେ ପଦସ୍ତ ଅଫିସର୍ । ସରୋଜ ଓ ନିଜ ପରିବାର ଏବେ ଦିଲ୍ଲୀ ଭ୍ରମଣରେ ଅଛନ୍ତି । ମନ ଗୁଡ଼େଇ ତୁଡ଼େଇ ହେଲା । କିଛି ଅଘଟଣ ନୁହେଁ ତ ?… ହସ୍ପିଟାଲ୍‌ରେ କ’ଣ ପୁଣି କିଛି କାଣ୍ଡ ହେଲା ?….ମଂଚେଶ୍ୱର ଶିଳ୍ପାଂଚଳ ଠାରେ ସହରର ଏକ ପ୍ରମୁଖ ସରକାରୀ ହସ୍ପିଟାଲ୍ ରହିଛି । ସମୟକ୍ରମେ ଡ଼ାକ୍ତର, ସେବିକା ଓ ଅନ୍ୟାନ୍ୟ କର୍ମଚାରୀ ବଦଳି ହୋଇ ଅନ୍ୟତ୍ର ଯାଆନ୍ତି ଓ ନୂଆ ମୁହଁ ଏଠାରେ ଦେଖା ଯାଆନ୍ତି । ହେଲେ ସେବିକା କବିତାର ବଦଳି ହୁଏନା । ସେ ଖୁବ୍ ଶାନ୍ତ ଓ ସରଳ ସ୍ୱଭାବର ବୋଲି ହସ୍ପିଟାଲ୍‌ର ପୁରୁଣା କର୍ମଚାରୀ ମାନେ କୁହନ୍ତି । ସେ କୁଆଡ଼େ ନିଜ ପରିବାର ପାଇଁ ଉତ୍ସର୍ଗ କରିଥିଲା ନିଜ ଜୀବନ । ବିବାହ କରିନଥିଲା । କିନ୍ତୁ ଏମିତି ଏକ ଦୁର୍ବଳ ମୁହର୍ତରେ କବିତା ରୋଗୀ ସେବା କରୁକରୁ ତା’ ଠାରୁ ୧୮ ବର୍ଷ ବୟସର ଅଧିକ ଜଣେ ବୟସ୍କ ରୋଗୀ ଶ୍ୟାମ ସୁନ୍ଦର ଠାକୁରର ପ୍ରେମ ଜାଲରେ ଫସି ଯାଇଥିଲା ।
କବିତା ଏବେ ଶ୍ୟାମର ରକ୍ଷିତା । ସେ ପରେ ଜାଣିଥିଲା, ଶ୍ୟାମର ସ୍ତ୍ରୀ, ବଡ଼ ବଡ଼ ପୁଅ,ଝିଅ ଓ ଏକ ପରିବାର ଅଛି, କିଛି କାମଧନ୍ଦା ନାହିଁ, ସେ ପ୍ରାୟତଃ ଅସାମାଜିକ କାର୍ଯ୍ୟରେ ଲିପ୍ତ । ସରକାରୀ କର୍ମଚାରୀମାନଙ୍କୁ ନେତା, ମନ୍ତ୍ରୀ ଓ ସଚିବାଳୟର ଭୟ ଦେଖାଇ ସେମାନଙ୍କୁ ନିଜର ବଶୀଭୂତ କରାଏ । ନିଜେ ନକଲୀ ମନ୍ତ୍ରୀ, ନେତା ଓ ଅଫିସର ସାଜି ବିଭିନ୍ନ ସରକାରୀ ଅଫିସ୍‌କୁ ଫୋନରେ୍ ଧମକ ଦିଏ ଓ ତା’ ଭଳି କୌଣସି ଅନଭିଜ୍ଞ ନେତା ଓ ଅଫିସରଙ୍କୁ ପ୍ରଭାବିତ କରି କାହାର ସର୍ବନାଶ କରେ । ପ୍ରଥମେ ପ୍ରଥମେ କବିତାକୁ ଏସବୁ ଭଲ ଲାଗୁ ନଥିଲା । ମାତ୍ର ପରେ ସବୁକିଛି ତା’ର ଦେହସୁଆ ହୋଇଗଲା ।
ଏହି ହସ୍ପିଟାଲ୍‌ଟି କୌଣସି ଦିନ କିଛିନା କିଛି ବିବାଦରୁ ମୁକ୍ତ ନୁହେଁ । ହସ୍ପିଟାଲ୍‌ର ବିଭିନ୍ନ କାର୍ଯ୍ୟରେ ଅଯଥା ହସ୍ତକ୍ଷେପ କରିବା ଶ୍ୟାମର ଅଭ୍ୟାସ । ତାକୁ ଭୟ କରନ୍ତି ଡ଼ାକ୍ତର ଓ କର୍ମଚାରୀ । କେତେକ ତା’ ଅସାମାଜିକତା ପାଖରେ ଆତ୍ମ ସମର୍ପଣ କରନ୍ତି । ଅନ୍ୟଥା ସେମାନଙ୍କ ନାଁରେ ବିଭାଗୀୟ ଅଫିସରଙ୍କ ପାଖରେ ପ୍ରତିବାଦ ହୋଇପାରେ କିମ୍ବା ସାଧାରଣ ଜନତା କି ରୋଗୀଙ୍କ ନାଁରେ ବେନାମୀ ଅଭିଯୋଗ ପତ୍ର ଉପର ମହଲକୁ ପଠା ଯାଇପାରେ । ମିତା ଏହି ହସ୍ପିଟାଲ୍‌ର ଜଣେ ସେବିକା । ତିନିବର୍ଷ ତଳେ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ କବିତାକୁ ଗ୍ରାମାଂଚଳର ଏକ ହସ୍ପିଟାଲ୍‌କୁ ବଦଳି କରିଥିଲେ ଓ ସେହି ସ୍ଥାନରେ ମିତାକୁ ଅବସ୍ଥାପିତ କରିଥିଲେ ।
ବର୍ଷକ ପରେ କବିତା ପୁଣି ସେହି ହସ୍ପିଟାଲ୍‌କୁ ବଦଳି ହୋଇ ଆସିଲା । ଶ୍ୟାମର ପୁଣି ଆରମ୍ଭ ହୋଇଗଲା ଗୁଣ୍ଡାରାଜ ଓ କୂଟନୀତି । ଶ୍ୟାମ ସେମାନଙ୍କୁ ଟାର୍ଗେଟ କରିଛି ଓ କୌଣସି ସମୟରେ ଆକ୍ରମଣ କରିପାରେ ବୋଲି କର୍ମଚାରୀଙ୍କ ଠାରୁ ସରୋଜ ଓ ମିତା ଶୁଣିଲେ । ସେମାନେ ନିଜ କର୍ମ ଉପରେ ବିଶ୍ୱାସ ରଖୁଥିଲେ ଓ ମଣିଷକୁ ଆପଣାର କରିବାର ଗୁଣ ସେମାନଙ୍କ ଭିତରେ ଜୀବନ୍ତ ଥିଲା । ଗଣତାନ୍ତ୍ରିକ ଢଙ୍ଗରେ ଏହାର ବିରୋଧ କରିବାକୁ ସରୋଜ ସ୍ଥିର କଲା । ପ୍ରଶାସନ କିପରି ଅସାମାଜିକତା କବ୍‌ଜାରେ ରହିଛି, ବେଆଇନ ଭାବେ କବିତାକୁ କିପରି ପୁଣି ଉକ୍ତ ସ୍ଥାନକୁ ବଦଳି କରାଗଲା, ସେ ସଂପର୍କରେ ସମ୍ବାଦପତ୍ର ପୃଷ୍ଠା ମଣ୍ଡିତ ହେଲା । ଡ଼୍ୟୁଟୀରେ ଥିଲାବେଳେ ମିତାକୁ ହସ୍ପିଟାଲ୍ ଭିତରେ ପଶି ଶ୍ୟାମ ଓ କ଼ବିତା ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କଲେ । ମରଣାନ୍ତକ ଆକ୍ରମଣ ବି । କିଛି କର୍ମଚାରୀ ହସ୍ତକ୍ଷେପ କରିବାରୁ ମିତା ମୃତ୍ୟୁ ମୁଖରୁ ବଂଚିଗଲା । ହେଲେ ନୀରବ ରହିଲେ ହସ୍ପିଟାଲ୍ କର୍ତୃପକ୍ଷ । ସରକାରୀ ନିୟମ ଅନୁଯାୟୀ ଡ଼୍ୟୁଟୀରେ ଥିବା ଜଣେ ମହିଳା କର୍ମଚାରୀଙ୍କୁ ଆକ୍ରମଣ ଓ ଗାଳିଗୁଲଜ ଏକ ଗର୍ହିତ ଅପରାଧ । ସରୋଜ ବୁଝିପାରୁ ନଥିଲା ଯେ, ସତରେ କ’ଣ ଅସାମାଜିକତା ଓ ଅପରାଧକୁ ମଧ୍ୟ ସମାଜର କିଛି ଲୋକ ସମର୍ଥନ କରନ୍ତି, ଏପରିକି ଗଣତାନ୍ତ୍ରିକ ରାଷ୍ଟ୍ରର ପ୍ରଶାସନ ବି?….ତଥାପି ମିତା ଓ ସରୋଜ ଘଟଣାକୁ ବଢେଇବାକୁ ଚାହିଁଲେନି । ସାମାଜିକ ପ୍ରାଣୀ ସର୍ବଦା ଧୀର, ଗମ୍ଭୀର, ଶାନ୍ତ ପରିବେଶ ଓ ଟେନ୍‌ସନ୍ ମୁକ୍ତ ରହିବାକୁ ଚାହିଁଥାଏ ।
ହସ୍ପିଟାଲ୍‌ରେ ଆଉ କିଛି ଅଘଟଣ ହୋଇଥିବା ସରୋଜର ମନେ ହେଲା । ସରୋଜ କଲ୍ କଲା । ଗନ୍ଧର୍ବ ବାବୁର ସ୍ୱର ଶୁଭିଲା । ସେ ଯାହା ସୂଚନା ଦେଲେ, ତାହା ସରୋଜ ପାଇଁ ଅତ୍ୟନ୍ତ ମର୍ମାନ୍ତିକ ଥିଲା । ପରେ ପରେ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀଙ୍କ ଅଫିସ୍‌ର ଜଣେ ବରିଷ୍ଠ କର୍ମଚାରୀ ଅକ୍ଷୟ ବାବୁ ସମାନ ଧରଣର ସୂଚନା ଦେଲେ । କେହି ଜଣେ ରୋଗୀଙ୍କୁ ମିତା ଦିଦି, ସାରତୀ ଦିଦି ଓ ଫାର୍ମାସିଷ୍ଟ କେଶବ ସାମଲ ଅସଦ୍ ବ୍ୟବହାର କରିଛନ୍ତି । ରୋଗୀଟି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛି । ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଉପଶାସନ ସଚିବ ଏହାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଏବଂ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀଙ୍କ ନିକଟକୁ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପଠାଇ ଦେଇଛନ୍ତି ।…..ସରୋଜ ଓ ମିତା ଏଥିନେଇ ବିଚଳିତ ହୋଇ ନଥିଲେ । ସ୍ୱାଭାବିକ ଭାବେ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଓ ଦେବୀଦେବତାଙ୍କ ପବିତ୍ର ପୀଠସ୍ଥଳ ପରିଭ୍ରମଣ କରି ନିର୍ଦ୍ଧାରିତ ତାରିଖରେ ଭୁବନେଶ୍ୱର ଫେରିଲେ ।
ଦୀର୍ଘ ସାମ୍ବାଦିକତା ଅଭିଜ୍ଞତା ତଥା ସଚିବାଳୟରେ ସରକାରୀ କଳର ଗୋଲକଧନ୍ଦା ଓ ଶାସନ ବ୍ୟବସ୍ଥାର ଅସୁମାରୀ ଆଇନ-କାନୁନର ମୂକସାକ୍ଷୀ ଭାବେ ସରୋଜ ଆରମ୍ଭ କଲା ଏହି ଷଡ଼ଯନ୍ତ୍ରର ତର୍ଜ୍ଜମା । ଅଭିଯୋଗକାରୀ ଇନ୍‌ଡ଼ୋର କି ଆଉଟ୍‌ଡ଼ୋର୍ ରୋଗୀ ବୋଲି ପ୍ରମାଣ ପତ୍ର ନାହିଁ! ସରକାରୀ ବ୍ୟବସ୍ଥା ଅନୁଯାୟୀ ହସ୍ପିଟାଲ୍‌ରେ ଇନ୍‌ଡ଼ୋର ରୋଗୀ ମାନଙ୍କର କେବଳ ସେବିକା ସହିତ ଚିକିତ୍ସା ସେବା ଯୋଗାଣର ସଂପର୍କ, ଆଉଟ୍‌ଡ଼ୋର୍ ରୋଗୀ ମାନଙ୍କର ଫାର୍ମାସିଷ୍ଟ ସହିତ! ଅଭିଯୁକ୍ତ ତିନି ଜଣ ମିଶି କିପରି ଜଣେ ରୋଗୀର ଅସଦ୍ ବ୍ୟବହାର କରିବେ? ଯଦିଓ ଅସଦ୍ ବ୍ୟବହାର ହୋଇଥାନ୍ତା, ତେବେ ଅନ୍ୟ ରୋଗୀ, ସାଧାରଣ ଲୋକେ, ଡ଼ାକ୍ତର, କର୍ମଚାରୀ ନିଶ୍ଚୟ ଦେଖିଥାନ୍ତେ! ହସ୍ପିଟାଲ୍‌ରେ କାର୍ଯ୍ୟରତ ଡ଼ାକ୍ତର, ଡ଼୍ୟୁଟୀ ମେଡ଼ିକାଲ୍ ଅଫିସର୍ ଓ ସୁପରିଟେଣ୍ଡେଂଟଙ୍କ ପାଖରେ ଅଭିଯୋଗ ହେଲାନି କାହିଁକି? ନ୍ୟାୟ ମିଳିନଥିଲେ ହୁଏତ ସେ ନିର୍ଦ୍ଦେଶକ, ପରେ ଶାସନ ସଚିବଙ୍କ ପାଖରେ ଅଭିଯୋଗ କରିଥାନ୍ତେ! କିନ୍ତୁ ରୋଗୀଟି ମଜଭୁତ ସିକ୍ୟୁରିଟି ଜାଲକୁ ଭେଦ କରି ସିଧା କିପରି ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ପର୍ଯ୍ୟନ୍ତ ଯାଇ ପାରିଲା? ଆଉ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟ ଅଭିଯୋଗର ତର୍ଜ୍ଜମା ନକରି ସେହି ଏକା ଦିନେ କିପରି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ? ଏସବୁ ଯୋଜନାବଦ୍ଧ ଷଡ଼ଯନ୍ତ୍ର ନୁହେଁ କି?..ସରକାରୀ ନିୟମକୁ ନେଇ ଏମିତି ବ୍ୟାପକ ବିଶ୍ଲେଷଣ କଲା ସରୋଜ ।
ହସ୍ପିଟାଲ୍ କର୍ତୃପକ୍ଷ ତଦନ୍ତରୁ ଜାଣିବାକୁ ପାଇଲେ ଯେ, ଅଭିଯୋଗକାରୀ ନାମଧାରୀ କୌଣସି ବ୍ୟକ୍ତି ଏହି ହସ୍ପିଟାଲ୍ ଇତିହାସରେ ଚିକିତ୍ସା ସେବା ପାଇଁ କେବେ ମଧ୍ୟ ଆସି ନାହାଁନ୍ତି! ଏହା ଏକ ମିଥ୍ୟା ଓ ଭିତିହୀନ ପତ୍ର! ଏଭଳି ପତ୍ର ଏଠାକୁ ନ ଆସୁ, କର୍ମଚାରୀମାନେ ଏତେ ଅସାଧୁ, ଅଜ୍ଞାନୀ ଓ ପାରିବାରିକ ଶିକ୍ଷାରୁ ବଂଚିତ ନୁହଁନ୍ତି!….ତଦନ୍ତ ରିପୋର୍ଟରେ ଲେଖା ହୋଇ ନପାରିବା କଥାର ଆଭାସରୁ ଜଣାପଡ଼ୁଥିଲା ଯେ, ବରଂ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ର ଅଧିକାରୀମାନଙ୍କ ଭିତରେ ପ୍ରଶାସନିକ ଜ୍ଞାନର ଅଭାବ ରହିଛି! ସେମାନେ ଅସାମାଜିକତା ସହ ସାଲିସ୍ କରିଛନ୍ତି! ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ରେ ଥିବାରୁ ମନଇଚ୍ଛା ଯାହା ବି ନିର୍ଦ୍ଦେଶ ଦେଉଛନ୍ତି! ….
ତଦନ୍ତ ରିପୋର୍ଟକୁ ନେଇ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଲା । ବିଷୟବସ୍ତୁ ଥିଲା, ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ର ସ୍ୱାସ୍ଥ୍ୟ ବ୍ୟବସ୍ଥା ବାବଦରେ ଅନଭିଜ୍ଞ ଉପସଚିବ ଅସାମାଜିକ ରାକେଟ୍ ସହ ମିଶି ଏକ ଅଭିଯୋଗପତ୍ର ନିଜେ ପ୍ରସ୍ତୁତ କରି ସେବିକା ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହୀନ ଉଦ୍ୟମ କରିଥିଲେ ହେଁ ତାହା ପଣ୍ଡ ହୋଇ ଯାଇଛି । ସମସ୍ୟା ଜର୍ଜ୍ଜରିତ ପ୍ରଜା ମାନଙ୍କର ଚିଠି ଡ଼ଷ୍ଟବିନ୍‌ରେ ଫିଙ୍ଗା ଯାଉଛି । କିନ୍ତୁ ବେନାମୀ ପତ୍ରର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ତତ୍ପର କାହିଁକି? ଏଭଳି ଭିତିହୀନ ପତ୍ରର ତଦନ୍ତ ପାଇଁ ସରକାରୀ ରାଜକୋଷରୁ ବହୁ ଅର୍ଥ ବ୍ୟୟ ହେଉଛି । ଅଫିସର ଓ କର୍ମଚାରୀଙ୍କ ବହୁମୂଲ୍ୟ ସମୟ ନଷ୍ଟ ହେଉଛି! ମିଥ୍ୟା ଅଭିଯୁକ୍ତ କର୍ମଚାରୀମାନେ ମାନସିକ ସ୍ତରରେ କ୍ଷତିଗ୍ରସ୍ତ ହେଉଛନ୍ତି । ଏହାର କ୍ରାଇମ୍ ବ୍ରାଂଚ୍ ତଦନ୍ତ କରାଯାଇ ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ପରଦିନ ଏହାର ତଦନ୍ତ ପାଇଁ କ୍ରାଇମ୍ ବ୍ରାଂଚ୍‌କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ।
ଗୋଟିଏ ସପ୍ତାହ ଭିତରେ ଶେଷ ହେଲା ତଦନ୍ତ । ଜଣା ପଡ଼ିଲା ଯେ, ଉକ୍ତ ଅଭିଯୋଗ ପତ୍ରଟି ପ୍ରସ୍ତୁତ କରିଥିଲା ନିଜେ ଶ୍ୟାମ । ଏକ ଲକ୍ଷ ଟଙ୍କା ଲାଂଚ ବଦଳରେ ଉପସଚିବଙ୍କ ଦ୍ୱାରା ସ୍ୱାସ୍ଥ୍ୟ ସଚିବ ଓ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ସିଧା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଆଉରି ଜଣାପଡ଼ିଥିଲା ଯେ, ଅଭିଯୁକ୍ତ କର୍ମଚାରୀଙ୍କ ବଦଳି ପରେ ସେଠାକୁ ବଦଳି କରାଇ ଆଣିବାକୁ ତିନିଜଣ ଅନ୍ୟ କର୍ମଚାରୀଙ୍କ ଠାରୁ ଶ୍ୟାମ ଦେଢଲକ୍ଷ ଟଙ୍କା ଆଦାୟ କରିଥିଲା । ବେଆଇନ ଭାବେ ଚିଠି କରିଥିବାରୁ ଉପସଚିବଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଗଲା । ଶ୍ୟାମର ଅପରାଧ ପାଇଁ ତାକୁ ଗିରଫ୍ କରାଯାଇ କୋର୍ଟ ଚାଲାଣ କରାଗଲା ।
କବିତା କିଛିଦିନ ତଳୁ ଅନ୍ୟ ମନସ୍କ ଓ ଚିନ୍ତିତ ରହୁଛି । ସେ ଅସାମାଜିକ ସାମ୍ରାଜ୍ୟକୁ ପଶି ଆସିଥିବାରୁ ସେଥିରୁ ମୁକୁଳି ପାରୁନି । ତିନିଟି ଜିଲ୍ଲା ପାର ହେଲେ ରାଜ୍ୟର ଶେଷ ସୀମାନ୍ତରେ ତା’ ଘର । ଗାଁରେ ଏକୁଟିଆ ମା’ ବୁଢୀଟି । ସେ ମୋଟେ ଜାଣିନଥିଲା, ନିଜର ନିସ୍ୱ ପରିବାର ପାଇଁ ଜୀବନ ଉତ୍ସର୍ଗ କରିଥିବା ତା’ ଝିଅ ଯେ ଅସାମାଜିକ ଆଡ୍ଡା ଭିତରକୁ ପଶିଯାଇ କାହାର ରକ୍ଷିତା ପାଲଟି ଯାଇଛି ଓ ସବୁ ଘଟଣାର ମୂକସାକ୍ଷୀ-ସବୁ ବଦ୍‌ନାମର କେନ୍ଦ୍ର ବିନ୍ଦୁ ହୋଇ ଯାଇଛି! କବିତା ସହସା ଆଖି ବନ୍ଦ୍ କରି ଆକାଶ ଆଡ଼କୁ ମୁହଁ କରି ପଡ଼ିଗଲା, ଯେମିତି ସେ ପ୍ରାର୍ଥନା କରୁଛି! …କ’ଣ କହୁଥିଲା ସେ ସେଇ ନିରବ ପ୍ରାର୍ଥନାରେ?..ତାହା ହୋଇପାରେ ଶ୍ୟାମକୁ ନିଜ ଅପରାଧର ଉଚିତ ଦଣ୍ଡ ପାଇଁ ଈଶ୍ୱରଙ୍କୁ ବିନତି ବା ନିଜର ପ୍ରାୟଶ୍ଚିତ ପାଇଁ ଠାକୁରଙ୍କୁ ପ୍ରାର୍ଥନା !


କୋରିଆପଲା, ଓଉପଦା, ପଟ୍ଟାମୁଣ୍ଡାଇ,
କେନ୍ଦ୍ରାପଡ଼ା, ମୋ-୦୯୩୩୭୩୬୯୪୪୮

Related Posts

Leave a Reply

Your email address will not be published. Required fields are marked *