ସହଜରେ କଣ ‘ହଁ’ ମିଳେ !

ଉଷା ଶତପଥି

ପିଲାଦିନ କଥା ମନେପଡେ..
ବଣଭୋଜି କରିବାକୁ ଯିବା ପାଇଁ ଅନୁମତି
ବାପାଙ୍କ ସେ ଗାମ୍ଭୀର୍ଯ୍ୟ ଠାଣି,
ମା’ର କାକୁତିମିନତି
ସବୁ ବୃଥା ହୁଏ
ମିଳେନା ‘ହଁ’ ଟିଏ ..

ମନେଥିବ … ଆଦ୍ୟ ଯୌବନରେ
ପ୍ରେୟସୀଟି ପାଇଁ ସାଇତି ଥିବା
ସ୍ନିଗ୍ଧ ସମର୍ପଣ ଭାବ
ମନେମନେ ମରେ …
ଶିଥିଳ ହେଇଯାଏ
ପ୍ରେମସିକ୍ତ ଅନୁଭବ
ସେ ଦୁର୍ଲଭ ‘ହଁ’ ଟେ ମିଳେନା ବୋଲି
ଜୀବନ ତମାମ ମନ ଝୁରେ …
ପ୍ରାଣ ଝୁରେ
ସାଇତା ଥାଏ ପୁରୁଣା ଚିଠି ସବୁ
ସ୍ମୃତି ହୋଇ ମଖମଲି ରେଶମୀ କନାରେ ।

କନକାଞ୍ଜଳି ଦେଇ
ତିନି ଗାର ଡେଇଁ ଆସିଥିବା
ଝିଅଟିଏ ପାଇଁ
ବାପଘର ପର ହୁଏ
ଇଛା ମୁତାବକ ଜୀଇଁ ହୁଏ ନାହିଁ
‘ହଁ’ ଟିଏ ମିଳେ ନାହିଁ …
ଯିବା ପାଇଁ …
ଆତ୍ମୀୟକୁ ସାହା ହେବା ପାଇଁ ।

କାହା ପାଇଁ ‘ହଁ’ … ସମର୍ପଣ
କାହା ପାଇଁ ‘ହଁ’… ହିଁ ଜୀବନ
ପୁଣି କାହା ପାଇଁ ହଁ’ଟି ପାଇଁ ଅପେକ୍ଷିତ
ସକଳ ଜୀବନ
କିଏ ପୁଣି ଉଲ୍ଲସିତ
ତରୁ ପରି ପଲ୍ଲବିତ
ହଁ ଖୁସିରେ …
କିଏ ପାଏ ସୁରକ୍ଷାର ଆଶ୍ଵାସନା
ତ କିଏ ପାଏ ସ୍ଵପ୍ନେଇ ଯିବାର ପ୍ରେରଣା ।

କିନ୍ତୁ କିଛି ‘ହଁ’ ବିନା
ଲୁହ ଆଉ କୋହରେ
ପଥରଟେ ପରି
ଜୀବନ ଜୀଇଁବା ଛଡ଼ା …
ମିଳେ ନାହିଁ …
ଲୁହ ଝରାଇବାର ଅଲଭ୍ୟ ଅବସର …
ସେ ଛାତି ତ ସବୁରି ଭାଗ୍ୟରେ ନଥାଏ ଯେ …
ଆଶ୍ଳେଷିତ କରି
ମଥା ଥାପି … ତା’ପରେ
ଲୁହ ସବୁ
ନିଃଶେଷିତ କରି ଦେଇ ହେବ !!

ଦୁର୍ଗାମେଘୀ ବର୍ଷା
ବରଷିଗଲା ପରି
ମୁକୁଳି କି ହେବ !!!

ସବୁ କଥାରେ ‘ହଁ’ କଣ ସହଜେ ମିଳେ ?

ବେତନଟୀ, ମୟୂରଭଞ୍ଜ

ଲେଖକ ପରିଚୟ

ଅବସର ପ୍ରାପ୍ତ ଅର୍ଥନୀତି ପ୍ରାଧ୍ୟାପିକା । ସାହିତ୍ୟରେ ରହିଛି ପ୍ରବଳ ରୁଚି । କବିତା, ପ୍ରବନ୍ଧ ଲେଖିବା ସହିତ ନୂଆ ପୁସ୍ତକ ସମୀକ୍ଷା ମଧ୍ୟ କରେ । କିନ୍ତୁ କବିତା ମୋର ଅତି ପ୍ରିୟ । ସମାଜ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଦୁଇଥର ରାଷ୍ଟ୍ରପତି ପୁରସ୍କାର ମିଳିଛି । ଏତଦବ୍ୟତୀତ ବିଭିନ୍ନ ବିଷୟରେ ପ୍ରେରଣାଦାୟକ ଶ୍ରେଣୀ ବି ନିଏ ।

Related Posts

Leave a Reply

Your email address will not be published. Required fields are marked *