ଗୁଣସାଗର ଦାଶଙ୍କ କବିତା ସଂକଳନ ‘ଭୂମିରୁ ଭୂମାକୁ’ ଉନ୍ମୋଚିତ

ଭୁବନେଶ୍ଵର : ବସୁମତୀ ସାହିତ୍ୟ ସଂସଦ, ସମ୍ବଲପୁର ଆନୁକୂଲ୍ୟରେ ସ୍ଥାନୀୟ ଭାରତୀୟ ବିଦ୍ୟା ଭବନର ସଭାଗୃହରେ କବି ଗୁଣସାଗର ଦାଶଙ୍କ କବିତା ସଂକଳନ ‘ଭୂମିରୁ ଭୂମା’କୁ ଉନ୍ମୋଚିତ ହୋଇଯାଇଛି । ଗିରିଜା ଶଙ୍କର ଶର୍ମାଙ୍କ ସଭାପତିତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କବି ଅମରେଶ ପଟ୍ଟନାୟକ ଉଦଘାଟକ, ବିଶିଷ୍ଟ କବି ପ୍ରସନ୍ନ କୁମାର ମହାନ୍ତି ମୁଖ୍ୟଅତିଥି ଏବଂ ଭାଷାବିତ ଦେବାଶିଷ ମହାପାତ୍ର ଆଲୋଚକ ଭାବରେ ଯୋଗ ଦେଇଥିଲେ ।

ଜଣେ ଚକ୍ଷୁ ବିଶେଷଜ୍ଞ ଭାବରେ ଚିକିତ୍ସା କ୍ଷେତ୍ରରେ ଉତ୍କର୍ଷକୁ ଛୁଇଁଥିବା ଶ୍ରୀ ଦାଶ ସାହିତ୍ୟ ସର୍ଜନାରେ ମଧ୍ୟ ଶୀର୍ଷକୁ ଛୁଇଁଛନ୍ତି ଏବଂ ଭାବ ଓ ଭାଷାର ସମନ୍ୱୟରେ ରଚିତ ସମସ୍ତ କବିତା ଆତ୍ମିକ ଓ ଆଙ୍ଗିକ ଉଭୟ ଦୃଷ୍ଟିରୁ ଉଚ୍ଚକୋଟୀର । କବିତାଗୁଡ଼ିକ ଦୁର୍ବୋଧ୍ୟ ନହୋଇ ସରଳ ଓ ସାବଲୀଳ ହୋଇଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ସୁପ୍ରିୟା ପଣ୍ଡାଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ଉନ୍ମୋଚିତ କବିତା ସଂକଳନରୁ ଅତିଥିମାନଙ୍କ ଦ୍ଵାରା କବିତା ଆବୃତ୍ତି କରାଯାଇଥିଲା । ଲେଖକ ତଥା ପ୍ରକାଶକ ରାଜକିଶୋର ଦାସଙ୍କ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନରେ ଆରମ୍ଭ ହୋଇଥିବା ଏହି ସାରସ୍ଵତ ଉତ୍ସବର ପରିଶେଷରେ କବି ଦୁର୍ଗା ଚରଣ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜୀବନୀକାର ସତ୍ୟ ନାରାୟଣ ମହାପାତ୍ର, କବି ଭିକାରୀ ଧଳ, ଗାଳ୍ପିକ ରମେଶ ପଟ୍ଟନାୟକ, କବି ସୂର୍ଯ୍ୟ ମିଶ୍ର, ଗାଳ୍ପିକା ଶ୍ରୁତକିର୍ତ୍ତୀ ତ୍ରିପାଠୀ ଓ ଅମିତାଭ ଖିଲାର ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।

Related Posts

Leave a Reply

Your email address will not be published. Required fields are marked *