ଘନଶ୍ୟାମ ପଲେଇ

ଶ୍ରବଣ କୁମାର ଅନ୍ଧ ବାପାମା’ର
କରୁଥିଲା ସଦା ସେବା
କାନ୍ଧରେ ଭାରକୁ ବୋହିଣ ଦିହିଁଙ୍କୁ
କରଇ ଆଣିବା ନେବା । (୧)

ତାଙ୍କରି ଶରଧା ଦୂର କରେ ବାଧା
ସଞ୍ଚାରେ ନୂତନ ପ୍ରାଣ
ଏ ସ୍ଥାନୁ ସେ ସ୍ଥାନ କରଇ ଗମନ
ମନକୁ କରିଣ ଟାଣ । (୨)

ବହୁଦିନ ଧରି ଧାମଧାମ ବୁଲି
କରାଉଥିଲା ଦର୍ଶନ
କେଜାଣି କାହିଁକି ଉଦ୍ଭଟ ଚିନ୍ତାଟି
ଗ୍ରାସି ନେଲା ତା’ର ମନ । (୩)

ତମେ ଦିହେଁ ସିନା ଅଟ ଦୃଷ୍ଟିହୀନା
ଚାଲି ତ ପାରିବ ନିଜେ
ଗୋଡ଼ହାତ ତମ ଅଟଇ ସକ୍ଷମ
ଆଗକୁ ଯିବ ସହଜେ । (୪)

ଚଲାଇଚଲାଇ ସେ ସ୍ଥାନ ଛାଡ଼ଇ
ପହଞ୍ଚିଲେ ଅନ୍ୟ ସ୍ଥାନେ
ମନ ବଦଳିଲା ପ୍ରମାଦ ଗଣିଲା
ପଡ଼ିଗଲା ସବୁ ମନେ । (୫)

କାନ୍ଦିକାନ୍ଦି କହେ ବାପାମା’ ଆହେ
ମୋତେ ତମେ କ୍ଷମା କର
ସେବାକୁ ପାଶୋରି ଅଧର୍ମ ଆଦରି
ମତି ଭ୍ରମ ହେଲା ମୋର (୬)

ଲୁହତକ ପୋଛି କହନ୍ତି ବୁଝାଇ
ଚିନ୍ତା କରିବାର ନାହିଁ
ତୋହର ଏଥିରେ କି ଦୋଷ ବାବୁରେ
ଦୋଷ ତ ସେ ସ୍ଥାନେ ଯାଇ । (୭)

ବହୁବର୍ଷ ତଳେ ମାୟାସୁର ନାମେ
ଥିଲା ଅସୁରଟେ ଜାଣ
ବାପାମା’କୁ ତାର କରେ ମାରଧର
ଦେଉଥିଲା ସେ କଷଣ । (୮)

ତା’ରି ଆଚରଣ ପ୍ରଭାବେ ଆସିଣ
ଘଟିଲାଟି ମତିଭ୍ରମ
ଦୂରେଇ ସେ ମାଟି ଭ୍ରମ ଗଲା ହଟି
ଫେରେ ତୋର ଭକ୍ତି ପ୍ରେମ । (୯)

ବଡ଼ ଆମୁଁଣି, କେନ୍ଦୁଝର, ମୋ – ୯୪୩୭୭୧୮୫୦୦

ଲେଖକ ପରିଚୟ

ଛୋଟବେଳୁ ଶିଶୁ ସାହିତ୍ୟ ଲେଖାଲେଖି କରୁଥିଲେ ବି ୨୦୨୦ରୁ ଅନ୍ୟ ବିଭାଗ ପାଇଁ ମନ ବଳେଇଛି । ବିଶେଷ ଭାବେ ମୁଁ କ୍ଷୁଦ୍ର ଗଳ୍ପ ଲେଖିବାକୁ ଭଲପାଏ । ପେଷାରେ ଜଣେ ଇଞ୍ଜିନିୟର ହେଲେ ନିଶା ହେଉଛି ବହି ପଢିବା ଆଉ ସାହିତ୍ୟ ସର୍ଜନା କରିବା । ବେଶୀ ଲେଖିବାରେ ବିଶ୍ୱାସ କରେ ନାହିଁ । ଅଳ୍ପ ଲେଖେ ଯାହା ସମାଜ ପାଇଁ ଉପଯୋଗୀ । ଏଯାବତ ଦୁଇଟି ଗଳ୍ପ ସଂକଳନ ‘ତଳ ପାହାଚର ମଣିଷ’ ଏବଂ ‘କର୍ମଫଳ’ ପ୍ରକାଶିତ ହୋଇଛି ।

Related Posts

Leave a Reply

Your email address will not be published. Required fields are marked *