ସୁବଳ ମହାପାତ୍ର

ନା ଅଭି, ଆଉ ନୁହଁ । ଏବେ ତାଙ୍କ ପାଇଁ ଜଣେ ଡୋନର ହିଁ ଖୋଜିବାକୁ ପଡ଼ିବ । ଅଲରେଡ଼ି ଦୁଇ ଥର ହାର୍ଟ ଷ୍ଟ୍ରୋକ ହେଇ ସାରିଲାଣି । ଆଉ ଥରେ ହେଲେ ତାଙ୍କୁ ବଞ୍ଚେଇବା କଷ୍ଟକର ହୋଇପଡ଼ିବ । ଏବେ ଯାଅ, ଜଣେ ଡୋନରର ବ୍ୟବସ୍ଥା କର ।

ହେଲେ, ଡାକ୍ତର ଅଙ୍କଲ, କେଉଁଠୁ ଖୋଜିବି ଏ ଡୋନର । କିଏ କଣ ପଇସା ନେଇ ତା ହାର୍ଟ ଦେବାକୁ ରାଜି ହେବ ? ପୁଣି ଆପଣ କହୁଛନ୍ତି ଯେ, ବାପାଙ୍କ ବ୍ଲଡ଼ ଗ୍ରୁପ ସହ ମ୍ୟାଚ୍ ହେବା ଦରକାର । ବାପାଙ୍କ ଓଜନ ସହ ସେ ଲୋକର ଓଜନ ମିଶିବା ଦରକାର କିମ୍ବା ପାଖାପାଖି ଥିବ । ପୁଣି ମରିଥିବା ଲୋକର, ସେ ପୁଣି ଡାକ୍ତରଖାନାରେ ମରିଥିବା ଦରକାର ଓ ସେ ତା ହାର୍ଟକୁ ଡୋନେଟ କରିବ ବୋଲି ଲେଖିଥିବା ଦରକାର । ଏତେଗୁଡ଼ିଏ ଚଏସ୍ ମ୍ୟାଚ୍ କଲେ ହିଁ ଯାଇ ଯାହାକୁ ଖୋଜିହେବ । ଏହା କଣ ସମ୍ଭବ ?

ଠିକ୍ କଥା ଅଭି । କିନ୍ତୁ ୟା’ ବ୍ୟତୀତ ଆଉ କିଛି ଅପ୍ସନ୍ ଅଛି କି ? ହାର୍ଟର ପାର୍ଟ ସବୁ ଖରାପ ହୋଇ ଆସିଲାଣି । Coronary artery ବ୍ଲକ ତାଙ୍କର । ହାର୍ଟରେ ବ୍ଲକେଜ୍ ଅଛି । ପମ୍ପିଂ ସିଷ୍ଟମ ବି କାମ କରୁନି ଠିକରେ । ଏ ଅବସ୍ଥା ରେ ମୁଁ ନାଚାର । ଅର୍ଗାନ ଡୋନେଶନ ଛାଡ଼, ଖାଲି ହାର୍ଟ ଟ୍ରାସପ୍ଲାଣ୍ଟ ପାଇଁ ପଚାଶ ହଜାର ଲୋକ ଅଛନ୍ତି ୱେଟିଂରେ । କିନ୍ତୁ ଦେବ କିଏ ? ଏହା ଏକ ବଡ଼ ପ୍ରଶ୍ନବାଚୀ । ଆଉ ଜାଣିଛ ? ଯଦି ଶହେ ଜଣ ଅର୍ଗାନ ଡୋନେଶନ ପାଇଁ ରାଜି ହୁଅନ୍ତି ମାତ୍ର ୨୦% ଅର୍ଗାନ୍ ହିଁ ପ୍ରକୃତ କାମରେ ଆସେ । ଲୋକଙ୍କ ଦେହରେ ଲାଗେ । ଆଉ ଡେରି କରନି ଅଭି । ଯେତେ ଶୀଘ୍ର ପାରିବ ଲୋକଟିଏ ଯୋଗାଡ଼ କର ।

କିନ୍ତୁ…

ନା ଅଭି, ଆଟ ଏନି କଷ୍ଟ, ଆମକୁ କରିବାକୁ ପଡ଼ିବ ।

x     x     x     x     x     x

ବାହାରକୁ ଆସିଲେ ଅଭିନାଶ ସାମନ୍ତରାୟ । ଭିତରେ ଆଇସିୟୁରେ ଅଛନ୍ତି ବାପା । ବାହାରେ ଅପେକ୍ଷାରେ ଶୁଭଚିନ୍ତକ ଗଣ, ହଳିଆ, ମୂଲିଆ, ଭାଗୁଆରି, କମ୍ପାନୀର ସବୁ ୱାର୍କର ଓ ଅନ୍ୟମାନେ । ବାପାଙ୍କର ସମସ୍ତଙ୍କ ସହ ଭଲ ସମ୍ପର୍କ ଥିଲା । ସୋସିଆଲି ସେ ବହୁତ ଭଲ ଥିଲେ । ସମସ୍ତଙ୍କୁ ସାହାଯ୍ୟ ସହଯୋଗ । ବନ୍ଧୁଗଣରେ ସେ ଜଣେ ଭଲ ବନ୍ଧୁ । ହଳିଆ, ମୂଲିଆଙ୍କ ପାଇଁ ସେ ଦେବତା । ଭାଗୁଆରିମାନଙ୍କର ଭଗବାନ, ମାଇଁବାପ । ମାଗିବା ପୂର୍ବରୁ ସାହାଯ୍ୟ କରୁଥିଲେ କମ୍ପାନୀର ସବୁ ୱାର୍କର୍ ମାନଙ୍କୁ ।

କାହାର ଦେହ ଖରାପ ତ କାହାର କିଛି ଅସୁବିଧା, ଆଗ ପହଞ୍ଚି ଯାଆନ୍ତି ସେ । ପାରୁପର୍ଯ୍ୟନ୍ତ ସାହାଯ୍ୟ କରନ୍ତି । ସେଥିପାଇଁ ବୋଧେ ଲୋକ ତାଙ୍କୁ ବହୁତ ଭଲପାଆନ୍ତି ।

ଏବେ କିନ୍ତୁ ତାଙ୍କୁ ଦରକାର ଆଉ କାହାର ହାର୍ଟ । ଯାହାକୁ ନେଇ ସେ ବଞ୍ଚିପାରିବେ ଆଉ କିଛି ବର୍ଷ । ହେଲେ କିଏ ? କିଏ ଦେବ ? କେଉଁଠୁ ପାଇବେ ସେ ଲୋକକୁ ???

ବାହାରକୁ ବାହାରିଲା ପରେ ସମସ୍ତେ ପଚାରିଗଲେ ବଡ଼ ବାବୁଙ୍କ କଥା । ଅଭିନାଶ ସବୁ କହିଲେ ଆଉ ଶେଷରେ ଏଇୟା ବି କହିଲେ ଯେ, ଜଣେ ଲୋକର ହାର୍ଟ ଦରକାର ।

ବାବୁ, ଆପଣ ହାତ ରଖନ୍ତୁ । ଆମ ଭିତରୁ କାହାର ବି ହାର୍ଟ ମ୍ୟାଚ୍ କରିବ ଆମେ ଦେବାକୁ ରାଜି ଅଛୁ । ଏତେ ବଡ଼ ହୃଦୟ ଥିବା ଲୋକଟିର ହୃଦୟଟିଏ ତ ଦରକାର । ଆମେ କଣ ଏତିକି କରିପାରିବୁନି ???

ଆଖିରେ ଲୁହ ଜକେଇ ଆସିଲା ଅଭିନାଶର । ଏ ଲୋକଗୁଡ଼ା ବାପାଙ୍କୁ ଏତେ ଭଲପାଆନ୍ତି ?? ସେ କଣ ଏତିକି ସମ୍ମାନ କମେଇ ପାରିବ ?? ବୋଧହୁଏ ନା….

ବାପା ସବୁବେଳେ କୁହନ୍ତି, “ଦୁଃଖର ବନ୍ଧୁ ହିଁ ପ୍ରକୃତ ବନ୍ଧୁ ।“ ଆଜି ହୃଦୟଙ୍ଗମ କଲେ ଅଭିନାଶ । ପ୍ରକୃତରେ କେତେ କଷ୍ଟ କଲେ ଏମିତି ଗୁଡ଼ିଏ ବନ୍ଧୁ ମିଳିପାରିବେ ? ଆଖି ଜକେଇ ଆସିଲା, ଆଉ ଠିକ୍ ସେଇ ସମୟରେ ଡାକ୍ତର ଡକେଇ ପଠେଇଲେ ଅଭିନାଶକୁ  । ଅଭିନାଶ ସହ ବାହାରେ ଅପେକ୍ଷା କରିଥିବା ଲୋକଙ୍କୁ ବି ବହୁତ୍ ଜୋରରେ ଝଟକା ଲାଗିଲା । “ବାବୁ ଆଉ ନାହାନ୍ତି” ଏତିକି ଯଥେଷ୍ଟ ଥିଲା ବୁଝିବା ପାଇଁ । କାନ୍ଦିକାନ୍ଦି ଲୋଟି ଯାଇଥିଲେ ବାହାରେ ଅପେକ୍ଷା କରିଥିବା ଲୋକମାନେ ।

x     x     x     x     x     x

ଯେନତେନ ପ୍ରକାରେ ନିଜକୁ ସମ୍ଭାଳି, ବାପାଙ୍କର ତେର କାମ ସାରିଲେ ଅଭିନାଶ । ଆଜି ଘରୁ ବନ୍ଧୁବାନ୍ଧବ ଖାଲି ହୋଇଗଲେଣି । ଆଉ ଯିଏ ବି ଜଣେ ଦି’ ଜଣ ଅଛନ୍ତି ସେମାନେ ସନ୍ଧ୍ୟାରେ ପଳେଇବେ । ବାପାଙ୍କ ଫୋଟୋ ପାଖରେ ଆସି ବସିଲେ ଅଭିନାଶ । ଫୋଟୋ ଭିତରୁ ବି ବାପାଙ୍କ ମୁହଁର ତେଜ ଜଣା ପଡୁଥାଏ । କାନ୍ଦି ଉଠିଲେ ସେ । “କ୍ଷମା କରିଦେବ ବାପା, ତୁମ ପାଇଁ ହାର୍ଟଟେ ଯୋଗାଡ଼ କରି ପାରିଲିନି । ଏ କୋଟିକୋଟି ଟଙ୍କାର ସମ୍ପତ୍ତି ତୁଚ୍ଛ ହୋଇଗଲା ତୁମ ଜୀବନ ଆଗରେ । କ୍ଷମା କରିଦେବ ବାପା, କ୍ଷମା କରିଦେବ ।”

ସନ୍ଧ୍ୟାବତୀ ଜଳି ଉଠୁଥାଏ । ଫୋଟୋ ଭିତରୁ ବାପାଙ୍କ ହସହସ ମୁହଁ ଦିଶି ଯାଉଥାଏ । ଲାଇଟ୍ ବନ୍ଦ କରି ଅଭିନାଶ ସେମିତି ହିଁ ବସିଥାନ୍ତି ଫୋଟୋ ପାଖରେ । ମୁହଁରେ ଦୁଃଖର ଭାବ ସ୍ପଷ୍ଟ । ମୁଣ୍ଡରେ ଚିନ୍ତିତର ରେଖା । କେମିତି ସମ୍ଭାଳିବେ ଏସବୁ ? ବିନା ବାପର ପୁଅ ତ ସଭାରେ ବି ହାରିଯାଏ । ତାଙ୍କ ମୁଣ୍ଡ ଉପରୁ ବାପାର ଅଭୟ ହାତ ଏବେ ଉଠି ସାରିଛି । ଏବେ ଯାହା କରିବେ ନିଜେ । କିନ୍ତୁ କରିବେ କଣ ?? କିଏ କହିବ କଣ କରିବାର ଅଛି ବୋଲି ?

ହଠାତ୍ ଉଠି ଚାଲିଲେ ଅଫିସ ଆଡ଼େ । ବାପାଙ୍କ ଚୌକିରେ ବସି ଅଣ୍ଡାଳି ଗଲେ ସବୁ କାଗଜପତ୍ର । ଆକାଉଣ୍ଟାଣ୍ଟକୁ ଡାକି ବୁଝିଲେ କେଉଁ ଚାରିଟି ସଂସ୍ଥାକୁ କେତେ ପଇସା ଯାଉଛି ।

ଆକାଉଣ୍ଟାଣ୍ଟ କହିଲା, “ଆଜ୍ଞା, ପୁରା ଦଶ ଲକ୍ଷ ସବୁ ବର୍ଷ ବିଭିନ୍ନ ସଂସ୍ଥାକୁ ଦାନ ହିସାବରେ ଯାଉଛି । ବୃଦ୍ଧାଶ୍ରମ, ଅନାଥାଶ୍ରମ, ମୁକବଧିର ଆଶ୍ରମ, ଭିକାରି ଉନ୍ନୟନ ସଂସ୍ଥା ଆଉ ତା ବାଦ୍,  ମାଗଣା ଭୋଜନ, କମ୍ବଳ ବଣ୍ଟନ, ଅନ୍ନଛତ୍ର, ଜଳଛତ୍ର ବାବଦରେ ମିଶେଇଲେ ପ୍ରତି ବର୍ଷ ପ୍ରାୟ ପନ୍ଦର ଲକ୍ଷ ଟଙ୍କା ।“

ଆଛା, ଏବେ ଆଉ ଗୋଟେ ମିଶେଇ ଦିଅ । ପ୍ରତିବର୍ଷ କମ୍ପାନୀ ଲାଭର ପ୍ରାୟ ୨୫% ପଇସା ଯିବ ଅଙ୍ଗଦାନ ପାଇଁ । ଆମ କମ୍ପାନୀ ଭିତରେ ହିଁ ତିଆରି ହେବ ଏ ସଂସ୍ଥା । କମ୍ପାନୀର କୌଣସି ବି ଲୋକ ଚାହିଁଲେ ନିଜ ଶରୀର ସହ ଯେ କୌଣସି ଅଙ୍ଗ ଦାନ କରିପାରିବେ । ତାଙ୍କ ପାଇଁ ଏକ ସ୍ଵତନ୍ତ୍ର ପାଣ୍ଠି ଗଠନ ହେବ ଓ ତାଙ୍କୁ ପ୍ରତିବର୍ଷ ପୁରସ୍କୃତ କରାଯିବ । ଯିଏ ଅଙ୍ଗଦାନ କରିବେ ତାଙ୍କୁ ସବୁପ୍ରକାର ସୁବିଧା ଦିଆଯିବ । ବାହାରେ ସମସ୍ତଙ୍କ ପାଇଁ ଏ ଅଙ୍ଗଗୁଡ଼ିକ ଉପଲବ୍ଧ ହେବ । ସହରରେ ଯେତେ ହସ୍ପିଟାଲ ଅଛନ୍ତି, ସମସ୍ତଙ୍କୁ ଜଣେଇ ଦିଅ ଏକଥା । ଆଉ କମ୍ପାନୀ କର୍ମଚାରୀ ବ୍ୟତୀତ ତାଙ୍କ ଘରଲୋକ, ବନ୍ଧୁବାନ୍ଧବ ଯଦି କେହି ଚାହାନ୍ତି ତେବେ କର୍ମଚାରୀଙ୍କ ମାର୍ଫତରେ ଆମ ସଂସ୍ଥା ସହ ଯୋଡ଼ି ହୋଇ ଅଙ୍ଗଦାନ କରିପାରିବେ । ଆଜିଠୁ ହିଁ ଏ କାମ ଆରମ୍ଭ କର ।

x     x     x     x     x     x

ଏବେ ଅଳ୍ପ ଅଳ୍ପ ଆଶ୍ଵସ୍ତି ଲାଗୁଥିଲା ଅଭିନାଶକୁ । କମ୍ପାନୀ କର୍ମଚାରୀ ସହ କିଛି ବାହାର ଲୋକ ରେଜିଷ୍ଟ୍ରେସନ୍ କରି ସାରିଥିଲେ । ଏବେ ଦରକାର ଥିଲା ଏ ସଂସ୍ଥା ବିଷୟରେ ବାହାରେ ପ୍ରଚାର ସହ ପ୍ରସାରର । ଡାକ୍ତର ଅଙ୍କଲ ସବୁପ୍ରକାର ସହଯୋଗ କରୁଥିଲେ କିନ୍ତୁ ଅଭିନାଶଙ୍କୁ ଜାଣିବାର ଥିଲା ସବୁ ଡିଟେଲସ୍ ।

ଡାକ୍ତର ଅଙ୍କଲ, ସେଦିନ ଏକ ସଭା କରି କମ୍ପାନୀ କର୍ମଚାରୀଙ୍କୁ ବୁଝାଉଥିଲେ ଅଙ୍ଗଦାନ ବିଷୟରେ । “ଆମେ ଚାହିଁଲେ ଦୁଇ ପ୍ରକାର ଅଙ୍ଗଦାନ କରିପାରିବା । ବଞ୍ଚିଥିବାବେଳେ ଆଉ ମରିଗଲା ପରେ । ବଞ୍ଚିଥିବାବେଳେ ଆମେ ଆମର କିଡ଼ନୀ, ଲିଭରର କିଛି ଅଂଶ ଓ ବିଭିନ୍ନ ପ୍ରକାର ଟିଶୁ ଦାନ କରିପାରିବା । ଏହା କେବଳ ଆମେ ଆମ ନିଜ ଲୋକ, ବନ୍ଧୁବାନ୍ଧବ କିମ୍ବା ଚିହ୍ନାଜଣା ଲୋକଙ୍କୁ ଦେଇପାରିବା । କିନ୍ତୁ ମରିଗଲା ପରେ ଆମେ ପ୍ରାୟ ଆଠ ଜଣ ଲୋକଙ୍କ ଜୀବନ ବଞ୍ଚେଇ ପାରିବା । ଆପଣମାନେ ଜାଣନ୍ତି ? ପ୍ରାୟ ଦଶ ଲକ୍ଷ ଲୋକ ଆଖି ପାଇଁ, ପଚାଶ ହଜାର ଲୋକ ହାର୍ଟ ପାଇଁ ଓ କୋଡ଼ିଏ ହଜାର ଲୋକ ଲଙ୍ଗସ ପାଇଁ ଅପେକ୍ଷାରେ ଅଛନ୍ତି । ଯଦି ମିଳେ ବଞ୍ଚିଯିବେ । ତଥାପି କିଛି ଲୋକ, ଏଇ ଯେମିତି ତୁମ ବାବୁ, ଅଧା ରାସ୍ତାରେ ବାଟ ଛାଡ଼ି ଚାଲି ଯାଆନ୍ତି । ଯଦି ଆମେ ସଚେତନ ହେବା, ଆମର ଅଙ୍ଗଦାନ କରି ପାରିବା ତେବେ ବହୁତ ଲୋକଙ୍କୁ ପୁନର୍ଜନ୍ମ ମିଳିବ।

ସେମିତି ବି ଆମେ ମଲା ଲୋକକୁ ଜଳେଇ ଦେଲେ କଣ ମିଳୁଛି ? ସେଇ ଅଙ୍ଗରେ ଯଦି କେହି ଜଣେ ଉପକୃତ ହୋଇ ପାରିଲା ତେବେ ସେ ଲୋକଟି ତୁମକୁ ଭଗବାନ ଭଳି ଦେଖିବ । ଆପଣ ମାନେ ଭାବନ୍ତୁ, ଆପଣ ଗୋଟିଏ ମଲା ଲୋକକୁ ପୋଡ଼ି ଦେଲେ । ତା ଶରୀରର ସବୁ ଅଂଶ ଜଳିଗଲା । ସରିଗଲା ସବୁ । କିନ୍ତୁ ମଣିଷ ମରିଗଲା ପରେ ଯଦି ତା ଶରୀରର କୌଣସି ଅଙ୍ଗ ଅନ୍ୟ କାହାପାଇଁ ବରଦାନ ହେଲା, ତାକୁ ନୂଆ ଜୀବନ ମିଳିଲା । ତେବେ, କେଉଁଟା ଭଲ ?

ଦଧିଚି ଋଷି ବି ବିଶ୍ଵର ମଙ୍ଗଳ ପାଇଁ ନିଜ ଶରୀର ଦାନ କରିଦେଇ ଥିଲେ । ତାଙ୍କ ହାଡ଼ରୁ ବଜ୍ର ପ୍ରସ୍ତୁତ ହୋଇ ଜନଜୀବନକୁ ରକ୍ଷା ହେଇପାରିବ ବୋଲି ।

ଆପଣ ଜାଣନ୍ତି ? ଯଦି ଆପଣ ଅଙ୍ଗଦାନ କରନ୍ତି ତେବେ ମରିଗଲା ପରେ ବି ଆପଣଙ୍କୁ କେଉଁ ପ୍ରକାର ଖୁସି ମିଳିବ…

୧) ଆପଣ ଜଣଙ୍କ ଜୀବନ ରକ୍ଷା କଲେ, ସେ ଜୀବନ ସାରା ଆପଣଙ୍କୁ ଭଗବାନ ବୋଲି ମାନିବ ।

୨) ଆପଣ ଚାହିଁଲେ ଆପଣ ଆଠ ଜଣଙ୍କ ଜୀବନ ରକ୍ଷା କରିପାରିବେ ।

୩) ଜଣେ ଯେଉଁ କଷ୍ଟ ପାଇ ବଞ୍ଚିଛି, ତାକୁ ଆପଣ ରକ୍ଷା କରିବେ । ତା କଷ୍ଟ ଲାଘବ କରିବେ ।

୪) ତା ଘରଲୋକ ଯେଉଁସବୁ କଷ୍ଟ ସହୁଥିଲେ (କାରଣ ଇଏ ଶୋଇ ରହୁଥିଲା, ୟା ର ଯାବତୀୟ କାମ, ଘରଲୋକ ହିଁ କରୁଥିଲେ) ୟେ, ଚଲାବୁଲା କରିପାରିଲେ ସେମାନେ ମୁକ୍ତ ହେବେ ।

୫) ଆପଣଙ୍କ ସହ ସେ ଘରର ସବୁ ସଦସ୍ୟଙ୍କ ସହ ଏକ ଭଲ ସମ୍ପର୍କ ରହିବ, ସବୁଦିନ ପାଇଁ ।

୬) ଅଙ୍ଗଦାନ ପାଇଁ କୌଣସି ବୟସ ସୀମା ନାହିଁ । ୬ ମାସର ଶିଶୁଠୁ ୧୦୦ ବର୍ଷର ବୃଦ୍ଧ ଯାଏଁ ସମସ୍ତେ କରିପାରିବେ ।

୭) ସବୁ ଅଙ୍ଗ ପ୍ରାୟ ସବୁ ଜାଗାରେ କାମରେ ଆସି ପାରେନି । ତଥାପି ଯେଉଁ ଅଙ୍ଗଗୁଡ଼ିକ ମଣିଷ ଶରୀରରେ ଲାଗିପାରିବ ନାହିଁ, ସେଗୁଡ଼ିକ ରିସର୍ଚ୍ଚ କାମରେ ବ୍ୟବହାର ହେବ ଓ ଆମକୁ ନୂଆନୂଆ ଔଷଧ ଉଦ୍ଭାବନ କରିବାକୁ ସହାୟକ ହେବ ।

୮) ଆପଣ ଆପଣଙ୍କ ଏରିଆ ଭିତରେ ଜଣେ ହିରୋ ହିସାବରେ ଉଦାହରଣ ସୃଷ୍ଟି କରିବେ ।

ବ୍ୟସ୍ତ ହୁଅନ୍ତୁ ନାହିଁ, ଆପଣଙ୍କୁ କୌଣସି ପଇସା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ।

ଜୀବନ୍ତ ଅବସ୍ଥାରେ ଆପଣ କିଡ଼ନୀ ଦାନ କଲେ, ଗୋଟିଏ କିଡ଼ନୀରେ ଆପଣ ସୁସ୍ଥ ଜୀବନଯାପନ କରିପାରିବେ । କୌଣସି ଅସୁବିଧା ହେବନି । ଯଦି ଆପଣ ଲିଭର୍ ର ଅଳ୍ପ କିଛି ଅଂଶ ଦାନ କରୁଛନ୍ତି, ତେବେ କିଛି ସମୟ ପରେ ଆପଣଙ୍କ ଲିଭର ପୁଣି ତିଆରି ହୋଇ ନର୍ମାଲକୁ ଆସିଯିବ । ତେଣୁ ଚିନ୍ତା କରିବାର କୌଣସି କାରଣ ନାହିଁ ।

କଣ କଣ ଜିନିଷ ଆପଣ ଦାନ କରିପାରିବେ ?

କିଡ଼ନୀ, ହାର୍ଟ, ଲିଭର୍, ପାନକ୍ରିଆସ, ଇଣ୍ଟେଷ୍ଟାଇନ, ଲଙ୍ଗସ୍, ବୋନସ୍, ବୋନ ମାରୋ, ସ୍କିନ ଏବଂ ଆଖି ।

କେତେବେଳେ ଏହା ସମ୍ଭବ ?

ଯଦି କୌଣସି ବ୍ୟକ୍ତି ବ୍ରେନ୍ ଡେଡ୍ ରୁହେ, ତେବେ ତା ଶରୀରର ଅଙ୍ଗଗୁଡ଼ିକ ତୁରନ୍ତ କାଢି ଅନ୍ୟ ଶରୀରରେ ଲଗେଇ ହେବ । ଯଦି କୌଣସି ବ୍ୟକ୍ତି ଡାକ୍ତରଖାନାରେ ମୃତ୍ୟୁବରଣ କରେ ତେବେ ତା ଶରୀରର ବିଭିନ୍ନ ଅଙ୍ଗକୁ ଅମ୍ଳଜାନ ଓ ଅନ୍ୟାନ୍ୟ ରସାୟନ ଦ୍ଵାରା ଜୀବିତ ରଖାଯାଏ ଓ ଅନ୍ୟର ଶରୀରରେ ଲଗା ଯାଇପାରେ ।

ଆପଣ ଚାହିଲେ ଆପଣଙ୍କ ପୁରା ଶରୀର ଦାନ କରିପାରିବେ । ତା କି ମଣିଷ ସମାଜର ଭଲ ପାଇଁ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଠପଢାରେ ଏହା ସହାୟକ ହେବ ।

କିନ୍ତୁ ତା ପୂର୍ବରୁ ଆପଣଙ୍କ ରାଜିନାମା ଜରୁରୀ ।

ତାଳିରେ କମ୍ପି ଉଠୁଥିଲା ସେ ଜାଗା ଓ ଲୋକ ଲାଇନରେ ଠିଆ ହୋଇଥିଲେ ଫର୍ମ ପୂରଣ କରିବା ଲାଗି ।

x     x     x     x     x     x

ଏତିକିରେ ରହିଗଲେ ହବନି ଅଭି, ଆମକୁ ଆହୁରି ଲୋକଙ୍କୁ ସଚେତନ କରିବାକୁ ପଡ଼ିବ । ତୁମ ବୁଦ୍ଧି ଅନୁସାରେ ଆଉ କିଛି କର । ପ୍ରଚାର ଓ ପ୍ରସାର ଦ୍ଵାରା ହିଁ ଏସବୁ ସମ୍ଭବ । ମନେରଖ, ଆଗରୁ ଲୋକ ରକ୍ତ ଦେବାକୁ ଡରୁଥିଲେ । ରକ୍ତର ଅଭାବରେ ବହୁତ ଲୋକ ମୃତ୍ୟୁମୁଖରେ ପଡୁଥିଲେ । ଏବେ ପୁରା ନହେଲେ ବି କିଛିକାଂଶରେ ଏସବୁ ଦୂର କରାଯାଇ ପାରିଛି । ତେଣୁ ଏବେଠୁ ଲୋକଙ୍କୁ ସଚେତନ କଲେ ହିଁ ଆଉ ଦଶ ବର୍ଷ ପରେ ଆମେ ଗୋଟେ ସୁନ୍ଦର ସମାଜ ଦେଖିପାରିବା । ତେଣୁ ଲୋକଙ୍କୁ ସଚେତନ କେମିତି କରାଯିବ ଏସବୁ ଚିନ୍ତା କରି ଆଗକୁ ବଢ଼ ….

x     x     x     x     x     x

ଆହୁରି ବି ବହୁତ ଜିନିଷ କହି ଚାଲିଥିଲେ ଡାକ୍ତର ଅଙ୍କଲ, କିନ୍ତୁ ହଠାତ ଗୋଡ଼କୁ ପିମ୍ପୁଡ଼ିଟେ କାମୁଡ଼ି ଦେବାରୁ ନିଦ ଭାଙ୍ଗିଗଲା ଅଭିନାଶଙ୍କର ।

ଉଠି ଦେଖିଲେ, ବାପା ଫୋଟୋ ଭିତରୁ ମୁରୁକି ମୁରୁକି ହସୁଛନ୍ତି । ଯେମିତି କହୁଛନ୍ତି କି ….

“ପଇସା ଦେଲି, ବୁଦ୍ଧି ଦେଲି, ରାସ୍ତା ଦେଖେଇଦେଲି । ଏବେ କାମ କରିବାର ପାଳି ତୋର । ଭଲପାଇବା କମେଇବାର ଅଛି ତ, ଆଜିଠୁ କାମରେ ଲାଗି ଯା ….”

ଖଲାରୀ, ଅନୁଗୋଳ, ଓଡ଼ିଶା – ୭୫୯୧୨୨  

ଲେଖକ ପରିଚୟ

ବୃତ୍ତିରେ ସଫ୍ଟୱାର ଇଞ୍ଜିନିଅର । ଗପ ପଢୁପଢୁ ହଠାତ ମନହୁଏ ମୁଁ ଗୋଟେ ଗପ ଲେଖନ୍ତି ନି ? ଆଉ ୨୦୧୪ ରେ ଲେଖି ବସେ ଏକ ଗଳ୍ପ । କିନ୍ତୁ ଗପଟି କାହିଁକି କେଜାଣି ମନକୁ ପାଏନି । ତାପରେ ଆଉ ଦୁଇଟି ଗଳ୍ପ ପତ୍ରିକାରେ ଆସିବା ପରେ ଚାଲେ ପଢା । ପଢିବା ପାଇଁ ନୁହେଁ ଲେଖିବା ପାଇଁ ପଢା । ଆଉ ଆସ୍ତେଆସ୍ତେ ନିଜ ଭୁଲକୁ ସୁଧାରି ସୁଧାରି ଆଜି ପାଖାପାଖି ୫୦ ଉପରେ ଗଳ୍ପ ଆସିଗଲାଣି ଆହ୍ଵାନ, ଆମେ ଓଡ଼ିଆ, ବେଦାନ୍ତୀ, ପୌରୁଷ ଓ ଷ୍ଟୋରିମିରର ପରି ପତ୍ରିକାରେ ।

Related Posts

Leave a Reply

Your email address will not be published. Required fields are marked *