ଶରତ କୁମାର ରାଉତ   
                                

ବାରିପଦାର ମଧୁବନ ପଡ଼ିଆରେ ଆଜିଠାରୁ ଆରମ୍ଭ ହେଉଛି ଠାକୁର ନିଗମାନନ୍ଦଙ୍କ ପ୍ରାଦେଶିକ ଭକ୍ତ ସମ୍ମିଳନୀ । ପଚିଶ ହଜାର ଭକ୍ତ ଯୋଗ ଦେଇଛନ୍ତି । ସମ୍ମିଳନୀ ତିନିଦିନ ଧରି ଚାଲିବ । ସମସ୍ତଙ୍କ ପାଇଁ ରହିବା ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ଭକ୍ତ ମାନଙ୍କ ମଧ୍ୟରେ ଖୁବ୍ ଆନନ୍ଦ-ଉଦ୍ଦୀପନା! ଜୀବନକୁ ସାର୍ଥକ ମଣୁଛନ୍ତି ଭକ୍ତ ।............
   ସମ୍ମିଳନୀର ଉଦ୍‌ଯାପନୀ ଦିବସର ଅପରାହ୍ନରେ କୌଣସି କାରଣରୁ ଭକ୍ତ ମାନେ ରହୁଥିବା ନଡ଼ାଛପରର ଅସ୍ଥାୟୀ ଶିବିରରେ ହଠାତ୍ ଲାଗିଗଲା ନିଆଁ! ନିମିଷକେ ଭକ୍ତିର ମହାର୍ଘ୍ୟ ଭାବନା ରୂପାନ୍ତରିତ ହୋଇଗଲା ଶୋକ ଆଉ ଲୁହର ବୁକୁଫଟା ଆର୍ତ୍ତ ବିଳାପରେ....! ମୃତ୍ୟୁର ତାଣ୍ଡବଲୀଳା...! ଆହା..କି ବିଭତ୍ସ ସେ ଦୃଶ୍ୟ!...ନିଆଁର ଲେଲିହାନ ଶିଖାରେ ପୋଡ଼ି ପାଉଁଶ ହୋଇଗଲା ମଧୁବନ ପଡ଼ିଆର ଚଟାଣ! ମୁହୂର୍ତ୍ତକ ମଧ୍ୟରେ ପବିତ୍ର ସ୍ଥଳୀଟି ପାଲଟିଗଲା କୁଢ କୁଢ ଶବର ପାହାଡ଼ରେ!...ପୋଡ଼ି ପାଉଁଶ ହୋଇଗଲା କେତେ ଗହଣା, ଟଙ୍କା, କପଡ଼ା,ଖାଦ୍ୟ ପଦାର୍ଥ ଓ ଆଉ କେତେ କଅଣ! ପାଉଁଶ ତଳର ନିଆଁ ଭିତରେ ଗମୁରି ଗୁମୁରି କାନ୍ଦୁଥିବା ମଣିଷ ମାନଙ୍କ ମଧ୍ୟରୁ କାହାର ପ୍ରାଣ ବାୟୁ ଉଡ଼ିଯାଇଛି ତ କିଏ ମୃତ୍ୟୁ ସହ ସଂଗ୍ରାମ କରୁଛି! ଚାରିଆଡ଼େ ଉତ୍କଟ ପୋଡ଼ା ମାଂସର ଗନ୍ଧ! ମୁମୂର୍ଷ ମାନଙ୍କ ଆର୍ତ୍ତ ଚିତ୍କାରରେ ପ୍ରକମ୍ପିତ ମଧୁବନର ବାୟୁମଣ୍ଡଳ! ଲହୁଲୁହରେ ଚିତ୍ରିତ ବାରିପଦାର ମାଟି! ଅଚେତନ ବାରିପଦା ସହର!...ସହର ଖାଲି ନୁହେଁ ସାରା ଭାରତ!........
   ଯଥାଶୀଘ୍ର ଘଟଣା ସ୍ଥଳରେ ପହଞ୍ଚିଗଲେ ଡ଼ାକ୍ତରୀଦଳ,ସ୍ୱେଛାସେବୀ ଓ ପ୍ରଶାସନ! ତୁରନ୍ତ ଆହତ ମାନଙ୍କୁ ପଠାଇ ଦିଆଗଲା ବିଭିନ୍ନ ଡ଼ାକ୍ତରଖାନା । ଅଗ୍ନିକାଣ୍ଡର କାରଣ ସଂପର୍କରେ ଆରମ୍ଭ ହୋଇଗଲା ଅନୁସନ୍ଧାନ! ପ୍ରଧାନମନ୍ତ୍ରୀ,ମୁଖ୍ୟମନ୍ତ୍ରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଆସି ଘଟଣାସ୍ଥଳ ଓ ଡ଼ାକ୍ତରଖାନା ପରିଦର୍ଶନ କଲେ । ମୃତ ଓ ଆହତ ମାନଙ୍କୁ କ୍ଷତି ପୂରଣ ଦିଆଯିବାକୁ ଘୋଷଣା କରାଗଲା ଓ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବା ନିମନ୍ତେ ନିର୍ଦ୍ଦେଶ ଦିଆଗଲା । ଅଧିକାଂଶ ଶବ ଚିହ୍ନଟ ହୋଇ ନପାରିବାରୁ ଗଣଦାହ କରାଗଲା ନିକଟସ୍ଥ ବାରୁଣୀ ଘାଟରେ । 
       ଏହି ଅପ୍ରତ୍ୟାଶିତ ଘଟଣା ଯୋଗୁ ଶହ ଶହ ଶିଶୁ ଅନାଥ ହେଲେ । ବାପ ମା’ ଏକାଧିକ ସନ୍ତାନ ହରାଇଲେ । ବିଧବା ହେଲେ ଅନେକ । କେତେକଙ୍କର ବଂଶ ନିର୍ମୂଳ ହୋଇଗଲା! ଦେଶ ହରେଇ ବସିଲା ବହୁ ମାନବିକ ପୁଞି! କେବଳ ଦେଶ କାହିଁକି,ସମଗ୍ର ଜାତି ହରେଇ ବସିଲା ବର୍ତ୍ତମାନର ଓ ଭବିଷ୍ୟତର କେତେ ବୈଗ୍ୟାନିକ, ଡ଼ାକ୍ତର,ଯନ୍ତ୍ରୀ, ଶିକ୍ଷାବିତ୍‌,ଧର୍ମ ସଂସ୍କାରକ, ସ୍ୱେଛାସେବୀ, ବୁଦ୍ଧିଜୀବୀ, ଇତ୍ୟାଦିଙ୍କୁ! 
       ଆତ୍ମୀୟମାନେ ବ୍ୟସ୍ତ ବିବ୍ରତ । ଡ଼ାକ୍ତରଖାନାରେ କିଏ ଶବ ଚିହ୍ନଟ କରୁଛି ତ କିଏ ଦାହ କରୁଛି, କିଏ ବି ଖୋଜୁଛି ଡ଼ାକ୍ତରଖାନାରେ ନିଜର ଆତ୍ମୀୟଙ୍କୁ! କାହାର କାନ୍ଦଣା ବନ୍ଦ୍ ହେଉନି ତ କିଏ କେଉଁ ମନ୍ଦିର-ଆଶ୍ରମରେ ପ୍ରାର୍ଥନାରତ ଆତ୍ମୀୟଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ବା ଆରୋଗ୍ୟ ପାଇଁ!!....କ୍ଷୟକ୍ଷତିର ହିସାବ ଚାଲିଛି ପ୍ରଶାସନ ପକ୍ଷରୁ । କିଏ ଠାକୁରଙ୍କର ବିରୋଧୀ ଧ୍ୱନି ଦେଉଛି ତ କିଏ କହୁଛି ଏହା ଠାକୁରଙ୍କର ଏକ ପରିକ୍ଷା ତ ସମ୍ମିଳନୀରେ ଅନ୍ୟାୟ କାର୍ଯ୍ୟ ହୋଇଛି ବୋଲି ଆଉ କିଏ କହୁଛି! ପୁଣି ଶିବିର ମଧ୍ୟରେ ମଦ କାରବାର ଓ ବ୍ୟଭିଚାର ହୋଇଛି ବୋଲି କେତେକ କହୁଛନ୍ତି ତ ଆତଙ୍କବାଦୀଙ୍କର ଏହା ଏକ ଅନ୍ତର୍ଘାତୀ କାର୍ଯ୍ୟ ବୋଲି କେତେକ କହୁଛନ୍ତି!....
   ଗାଁ ଗାଁରେ ଶୋକର ଛାୟା! ଆତ୍ମୀୟ ତଥା ବନ୍ଧୁ ବାନ୍ଧବଙ୍କ ଆଖିରୁ ଲୁହ ଶୁଖୁନି! ସଂପର୍କୀୟ ମାନେ ଅପ୍ରକୃତିସ୍ଥ! ସେମାନଙ୍କ ମଧ୍ୟରୁ କେତେକ ପାଗଳ ପ୍ରାୟ ହୋଇ ନିଜ ଘରୁ ଠାକୁରଙ୍କ ବିଗ୍ରହ ବାହାର କରି ଦେଉଛନ୍ତି!...........
   ବଙ୍ଗୋପସାଗର କୂଳବର୍ତ୍ତୀ ଏକ ଦୁର୍ଗମ ମଫସଲ ଗାଁ କୋରିଆପଲ୍ଲାରେ ତିନି ଦିନ ହେଲା କାହାରି ଘରେ ରନ୍ଧାବଢା ନାହିଁ! ସମସ୍ତେ ନିରବ! ଗାଁର ମାଟି ପାଣି, ପବନ ସବୁକିଛି ସ୍ଥିର! କେହି କାହା ସହ କଥା ହେଉନାହାଁନ୍ତି! ନିକଟରେ ଶିବରାତ୍ରି । ମହାଦେବଙ୍କ ପୂଜା କାର୍ଯ୍ୟ କିପରି ହେବ ଜାଣି ହେଉନାହିଁ । ଅମ୍ବି, କମଳା ଓ ଶମ୍ଭୂ ଅବଚେତନ ଅବସ୍ଥାରେ...! ପରିବାରର ସମସ୍ତେ ଘୂଙ୍ଗା ପାଲଟି ଯାଇଛନ୍ତି ଯେମିତି! ବାସ୍ତବିକ କିଏ ବା ବରଦାସ୍ତ କରିପାରିବ ଏତେ ବଡ଼ ଅଘଟଣକୁ?....କିଏ ବା ଜାଣିଥିଲା ଶ୍ରୀକାନ୍ତ ବାବୁଙ୍କ ଭଳି ଜଣେ ଅମାୟିକ,ସମାଜସେବୀ,ନିଷ୍ଠାପର ମଣିଷ ମଧୁବନର ଭକ୍ତ ସମ୍ମିଳନୀରେ ଆକସ୍ମିକ ଭାବେ ପ୍ରାଣ ତ୍ୟାଗ କରିବେ!...
    ଶ୍ରୀକାନ୍ତ କେବଳ ନିଜ ୨୭ ଜଣିଆ ପରିବାରର ଜଣେ ସଦସ୍ୟ ନଥିଲେ, ଥିଲେ ପରିବାରର ପରିଚାଳକ-ଯେମିତିକି ଶମ୍ଭୂଙ୍କର ସେ ବଡ଼ ପୁଅ ନଥିଲେ, ଥିଲେ ବଡ଼ ଭାଇ ଭଳିଆ!!...ଖାଲି ନିଜ ପରିବାରରେ ନୁହେଁ ସାରା ଅଞ୍ଚଳରେ ସେ ଥିଲେ ଜଣେ ଆଦର୍ଶ ମଣିଷ! ନିଜର ସେହି ଗୁଣରେ ସେ କେବଳ ନିଜ ପରିବାରକୁ ନୁହେଁ,ଗାଁ ତିନି ଗାଁକୁ ମଧ୍ୟ ବାନ୍ଧି ରଖିଥିଲେ ଏକତା ରଜ୍ଜୁରେ!.....କେବେ ବି ଦେଖା ଯାଇନି ତାଙ୍କ ବାପା ଓ ଦୁଇ ଦାଦାଙ୍କ ଭିତରେ ମନ ମାଳିନ୍ୟ! ପରିବାରର ଐକ୍ୟତା ଓ ଶ୍ରୀକାନ୍ତଙ୍କ ଆଦର୍ଶକୁ ନେଇ ଚାଳିଶବର୍ଷ ବୟସ୍କା ଅନି ଯେତିକି ଖୁସି, ତାଠାରୁ ବେଶୀ ଖୁସି ଗାଁ ତିନି ଗାଁ ଲୋକଙ୍କ ଠାରୁ ତା’ର ଭୂୟସୀ ପ୍ରଶଂସା ଶୁଣି! ଗୋଟିଏ ସ୍ତ୍ରୀ ପାଇଁ ସ୍ୱାମୀର ପ୍ରଶଂସା ତ ମହାର୍ଘ୍ୟ! ସ୍ୱାମୀର ସତ୍ କାର୍ଯ୍ୟରେ ସ୍ତ୍ରୀ ତ ସାହସୀ, ବଳବାନ,ଧୈର୍ଯ୍ୟଶୀଳା ଓ ଗର୍ବିତା ହୋଇଥାଏ! ଶ୍ରୀକାନ୍ତ ବାବୁ ନିଜ ଗାଁ,ପଞ୍ଚାୟତ ଓ ଆଖପାଖ ଗାଁ ପାଇଁ ଯାହା ସବୁ କରିଯାଇଛନ୍ତି, ସେଥିପାଇଁ ତ ସେହି ଅଞ୍ଚଳରେ ସେ ରହିଯିବେ ଚିରସ୍ମରଣୀୟ ହୋଇ! ମାଇନର୍ ସ୍କୁଲ୍‌, ହାଇସ୍କୁଲ୍‌, ସଂସ୍କୃତ ଟୋଲ୍‌, ଶିବ ମନ୍ଦିର,ନିଗମାନନ୍ଦ ଆଶ୍ରମ ଆଦି ତାଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଛି! ପୁଣି ନିକଟରେ ଗୋଟିଏ ସର୍ବସାଧାରଣ ପାଠାଗାର,ସ୍ୱେଛାସେବୀ ଅନୁଷ୍ଠାନ ଓ ଡ଼ାକ୍ତରଖାନା ସ୍ଥାପନ ପାଇଁ ଉଦ୍ୟମ ଜାରି ରଖିଛନ୍ତି! ଏପରିକି ସେହି ଅଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶ ଦିଗରେ ତାଙ୍କ ଅବଦାନକୁ କେହି ଅସ୍ୱୀକାର କରିପାରିବେ ନାହିଁ! ସମସ୍ତଙ୍କ ମୁହଁରେ ଗୋଟିଏ କଥା ଶ୍ରୀକାନ୍ତଙ୍କ ପାଇଁ ଏ ଅଞ୍ଚଳର ବିକାଶ ହୋଇଛି! ବାସ୍ତବିକ ସେ ସମସ୍ତଙ୍କ ପାଇଁ ସେହି ଅଞ୍ଚଳ ପାଇଁ ହିଁ ଗର୍ବ ଓ ଗୌରବ!.....
    ଆଜି ଶ୍ରୀକାନ୍ତ ବାବୁଙ୍କ ଏକାଦଶାହ! ଏକ ବିଶାଳ ଶୋକସଭାର ଆୟୋଜନ । ସ୍ଥାନୀୟ ବହୁ ନେତାଙ୍କ ସମେତ ବିଶିଷ୍ଟ ପ୍ରବଚକ, ଆଧ୍ୟାତ୍ମିକବାଦୀ ଓ ନିଗମାନନ୍ଦଙ୍କ ଭକ୍ତମାନେ ଯୋଗ ଦେଇଛନ୍ତି । ଅମ୍ବି, କମଳା ଓ ଶମ୍ଭୂଙ୍କର ତଥାପି ଅବଚେତନ ଅବସ୍ଥା!..... 
    ଅଧିକାଂଶ ବକ୍ତା ଉପସ୍ଥିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ନିଜ ନିଜର ଅନୁଭୂତି, ଆଶ୍ୱାସନା,ସାହସ, ପ୍ରେରଣା, ଉତ୍ସାହ ଇତ୍ୟାଦି ନିଜ ବକ୍ତବ୍ୟରେ ରଖିଲେ । ଏଥର ପାଳି ଗୁରୁସ୍ୱାମୀ ପରମହଂସ ଶ୍ରୀ ଶ୍ରୀ ଦାମୋଦର ଦାସଙ୍କର ।
     ସେ ନିଜ ପ୍ରବଚନରେ ମୁଖ୍ୟତଃ କହିଲେ, “ସବୁକିଛି ପ୍ରକୃତିର ଇଛା! ବିଧିରବିଧାନ! ଯୁଗେ ଯୁଗେ ବହୁ ଧର୍ମପ୍ରାଣ ମଣିଷ ବିଭିନ୍ନ ସମସ୍ୟାର ସନ୍ମୁଖୀନ ହୋଇଛନ୍ତି ଏପରିକି ମୃତ୍ୟୁ ମୁଖରେ ପଡ଼ିଛନ୍ତି! ମହାଭାରତରେ ଦ୍ରୌପଦୀଙ୍କର ସବୁଠୁ ବେଶୀ କ୍ଷତି ହୋଇଥିଲା! କିନ୍ତୁ ସେ ଥିଲେ ଭଗବାନ କୃଷ୍ଣଙ୍କର ପ୍ରିୟ ଭକ୍ତ! ପୁଣି ରାମଚନ୍ଦ୍ରଙ୍କର ତୀରରେ ପ୍ରାଣ ହରାଇଥିବା ସମସ୍ତେ ଥିଲେ ତାଙ୍କର ପ୍ରିୟ ଭକ୍ତ! ସେହିପରି ଅତୀତରେ ହରିଦ୍ୱାର, ଅମରନାଥ, ଗଙ୍ଗାସାଗର, ଉଜ୍ଜୟିନୀ, ପୂରୀ ଭଳି ମହାନ୍ ତୀର୍ଥ କ୍ଷେତ୍ରରେ ଦଳାଚକଟା ଓ ଅନ୍ୟାନ୍ୟ କାରଣରୁ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ପ୍ରାଣ ହରାଇଛନ୍ତି! କିଛି ବର୍ଷ ତଳେ ପୂରୀରେ ଶ୍ରୀ ଜଗନ୍ନାଥଙ୍କର ନାଗାର୍ଜ୍ଜୁନ ବେଶ ସମୟରେ ଏକାଧିକ ଭକ୍ତ ପ୍ରାଣ ହରାଇଥିଲେ!.... ତେବେ?...ସମାଲୋଚନା କରିବା ଜଗନ୍ନାଥଙ୍କୁ?.....ନା, ଛାଡ଼ିଦେବା ଆମର ଧର୍ମ, ବିଶ୍ୱାସ ଓ କର୍ମକୁ?....ଏଣୁ ବାରିପଦା ଅଗ୍ନିକାଣ୍ଡ ପାଇଁ ଆମେ ଈଶ୍ୱରଙ୍କୁ ଦୋଷାରୋପ କରିବା ଠିକ୍ ନୁହେଁ! ଠାକୁରଙ୍କୁ ସମାଲୋଚନା କରିବା କିମ୍ବା ଛାଡିଦେବା ଭଳି ଅପରାଧ ଆଉ କିଛି ନାହିଁ!.......
    “ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ଅନୁସାରେ ସଂସାରରେ ସତ୍ୟଯୁଗ ପ୍ରବେଶ କରିଛି! ମାତ୍ର ଏପର୍ଯ୍ୟନ୍ତ କଳି ସଂପୂର୍ଣ୍ଣ ଭାବେ ଯାଇନାହିଁ! କଳି ତା’ର ମହାଶକ୍ତି, ମାୟାଶକ୍ତି ଓ ମୋହଶକ୍ତି ବଳରେ ପୁନଶ୍ଛ ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଛି ପୃଥିବୀରେ! ନିଜର ମହାଶକ୍ତି ଦ୍ୱାରା କଳି ପ୍ରତି ମୁହୂର୍ତ୍ତରେ ମଣିଷକୁ ପଥ ଭ୍ରଷ୍ଟ କରିବାକୁ ଉଦ୍ୟମ କରୁଛି! ଅନ୍ୟ ପକ୍ଷରେ କହିଲେ, ବିଦାୟ ନେବା ପୂର୍ବରୁ କଳି ତା’ର ଭୟଙ୍କର ରୂପ ଦେଖାଉଛି! ବିଭିନ୍ନ ଅଘଟଣ ଘଟାଇ ମଣିଷ ମନରେ ଧର୍ମ ବିରୋଧୀ ଭାବ ସୃଷ୍ଟି କରିବାକୁ ଚେଷ୍ଟା କରୁଛି! ଅର୍ଥାତ୍ ସେ ସତ୍ୟକୁ ଏଡ଼ାଇ ନିଜେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଛି! ମଧୁବନ ଅଗ୍ନିକାଣ୍ଡ ଏହାର ଏକ ଉଦାହରଣ ମାତ୍ର! ଏହି ଅଘଟଣ କଳି ଦ୍ୱାରା ପ୍ରାୟୋଜିତ ମହାଶକ୍ତିର କାମ! ଏଭଳି ଅଘଟଣ ଫଳରେ ମଣିଷ ଧର୍ମ ପଥରୁ ବିଚ୍ୟୁତ ହେବ ଓ ନିଜର ଆରାଧ୍ୟ ଗୁରୁଙ୍କୁ ତ୍ୟାଗ କରିବ ବୋଲି କଳିର ଉଦ୍ଦେଶ୍ୟ! କିନ୍ତୁ ଏହା ସତ୍ୟ ଯେ, ସବୁଦିନ ପାଇଁ କଳି କଦାପି ନିଜର କାୟା ବିସ୍ତାର କରିପାରିବ ନାହିଁ! ପ୍ରଥମେ ସେ ନିଜର ମାୟାଶକ୍ତି ବଳରେ ମଣିଷର ମନକୁ ଭ୍ରମ କରୁଥିଲେ ହେଁ ମଣିଷ ପୁଣି ସତ୍ୟର ପ୍ରଭାବରେ ନିଜର ଭୁଲ୍ ବୁଝି ପାରୁଛି! ତେଣୁ ସମସ୍ତେ ବୁଝିବା ଦରକାର,ଅପେକ୍ଷା କରିବା ଉଚିତ, ଖୁବ୍ ଶୀଘ୍ର କଳିର ପ୍ରାଧାନ୍ୟ ଲୋପ୍ ପାଇବ ଏବଂ ସତ୍ୟର ପ୍ରଭାବ ସବୁଆଡ଼େ ଅନୁଭବ ହେବ!.....”
   ଉପସ୍ଥିତ ଭକ୍ତ ଓ ଶ୍ରଦ୍ଧାଳୁ ସ୍ତମ୍ଭୀଭୂତ ହୋଇ ଯାଇଥିଲେ ସଭା ଶେଷ ବେଳକୁ! ପ୍ରବଚକ ମାନଙ୍କ ପ୍ରବଚନ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା! ଏପରିକି ସେମାନଙ୍କର ଇୟତ୍ତା ନଥିଲା,ସଭା ଶେଷ ହୋଇଗଲାଣି  ଓ ସେମାନେ ଭୋଜନ ମଣ୍ଡପରେ ପହଞ୍ଚିବେ ବୋଲି! ........
      ଇତିମଧ୍ୟରେ ଅମ୍ବି,କମଳା ଓ ଶମ୍ଭୂଙ୍କ ମୁହଁରେ କିଛିଟା ପରିବର୍ତ୍ତନର ଆଭାସ ସ୍ପଷ୍ଟ ହେଉଥିଲା । ଭକ୍ତମାନେ ଭୋଜନ ମଣ୍ଡପକୁ ଯାଉଥିବା ବେଳେ ଅମ୍ବି,କମଳା ଓ ଶମ୍ଭୂ ଧିରେ ଧିରେ ଠାକୁର ନିଗମାନନ୍ଦଙ୍କ ବିଗ୍ରହ ଥିବା ଆସ୍ଥାନ ଆଡ଼କୁ ଅଗ୍ରସର ହେଉଥିଲେ ।
     ଭକ୍ତମାନେ ଠାକୁର ନିଗମାନନ୍ଦଙ୍କ ଆସ୍ଥାନ ଆଡ଼େ ଏକ ଲୟରେ ଅନେଇଥିଲେ ଓ ଠାକୁରଙ୍କୁ ଧନ୍ୟବାଦ୍ ଦେଉଥିଲେ, ଯେତେବେଳେ ଅମ୍ବି,କମଳା ଓ ଶମ୍ଭୂ ଆଖି ବନ୍ଦ୍ କରି ଠାକୁରଙ୍କ ନିକଟରେ ନିରବ ପ୍ରାର୍ଥନା କରୁଥିଲେ!.........
                                                                                              

 କୋରିଆପଲ୍ଲା, ଓଉପଦା, ପଟ୍ଟାମୁଣ୍ଡାଇ,
କେନ୍ଦ୍ରାପଡ଼ା-୭୫୪୨୧୭, ମୋ-୯୩୩୭୩୬୯୪୪୮ 

Related Posts

Leave a Reply

Your email address will not be published. Required fields are marked *