ବହି: ଦେଖିନଥିବା ଘରପୋଡିର ଦୃଶ୍ୟ
ଲେଖକ: ଭାନୁଶଙ୍କର ମହାନ୍ତି
ପ୍ରକାଶକ: ବର୍ଷା ପବ୍ଲିକେସନ, ଭୁବନେଶ୍ୱର
ମୂଲ୍ୟ: ୨୦୦ ଟଙ୍କା, ପୃଷ୍ଠା: ୧୨୦
ଦେଖିନଥିବା ଘରପୋଡିର ଦୃଶ୍ୟ, ଭାନୁଶଙ୍କର ମହାନ୍ତିଙ୍କର ପ୍ରଥମ ଗଳ୍ପ ସଂକଳନ । ଯେ କୌଣସି ଲେଖକ ପାଇଁ ଏବଂ ସେ ଯେଉଁ ଭାଷାରେ ଲେଖିଛନନ୍ତି ସେ ଭାଷା ପାଇଁ ଏବଂ ସାମଗ୍ରିକ ଭାବେ ସାହିତ ଜଗତ ପାଇଁ ପ୍ରଥମ ବହିଟି ବିଶେଷ ଗୁରୁତ୍ୱ ବହନ କରେ । ବିଭିନ୍ନ କ୍ଷେତ୍ର ପାଇଁ ଗୁରୁତ୍ୱର କାରଣ ଭିନ୍ନ । ଲେଖକ ପାଇଁ ତାହା ବ୍ୟକ୍ତିଗତ- ପାଠକେ ମୋ ଗଳ୍ପକୁ ପସନ୍ଦ କରିବେ କି ନାହିଁ! ଭାଷା ଏବଂ ସାହିତ୍ୟ ଜଗତ ପାଇଁ- ମୋତେ ଋଦ୍ଧିମନ୍ତ କରିବା ପାଇଁ ନୂଆ କେହି ଆସିଲେ କି- ଏ ଆଶା । ତାଙ୍କର ପ୍ରଥମ ଗଳ୍ପ ସଙ୍କଳନ ଓଡ଼ିଆ କଥାସାହିତ୍ୟ ଜଗତ ପାଇଁ ଏ ଆଶା ସଂଚାରରେ ସକ୍ଷମ ହୋଇଛି ।
ଭାନୁଶଙ୍କର ଭାରତୀୟ ଜନ ସଂଚାର ସଂସ୍ଥାନର ଛାତ୍ରଥିଲେ, ସାମ୍ବାଦିକ ଥିଲେ । ଏବେ ସାମ୍ବାଦିକତାରୁ ଅବ୍ୟାହତି ନେଇଛନ୍ତି, ବ୍ୟାଙ୍କରେ କାମ କରନ୍ତି । ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ରହନ୍ତି । ଭାନୁଶଙ୍କର ମହାନ୍ତି ଗାଁରେ ବଢ଼ିଛନ୍ତି, ଏକ ବଡ ଯୌଥ ପରିବାରର ସନ୍ତାନ । ଏ କଥାଗୁଡିକ କହିବାର ଆବଶ୍ୟକତା ପଡିଲା ଏଥିପାଇଁ ଯେ ଭାନୁଶଙ୍କର ମହାନ୍ତିଙ୍କ ଗଳ୍ପ ଭିତରେ ଏସବୁ ପରିଚୟର ନିର୍ଯାସ ରହିଛି ।
ଏ ସଂକଳନରେ ଥିବା ଗଳ୍ପ ଗୁଡିକ ବା କହିବାକୁ ଗଲେ ଭାନୁଶଙ୍କରଙ୍କର ଗଳ୍ପରେ ସବୁଠୁ ଯେଉଁକଥା ପାଠକ ମାନଙ୍କ ପାଇଁ ଭଲ ଲାଗିବ ମୋତେ ଅନ୍ତତ ଲାଗିଛି ତାହାହେଲା ତାଙ୍କର ସାବଲୀଳତା ଏବଂ ଗଳ୍ପ ଶେଷରେ ଏକ ଅପ୍ରତ୍ୟାଶିତ ମୋଡ । ଓ ହେନେରିଙ୍କର ଗଳ୍ପରେ ଯେମିତି ଥାଏ ସେମିତି ଭାନୁଶଙ୍କରଙ୍କର ଅଧିକାଂଶ ଗଳ୍ପରେ ଶେଷକୁ ଗୋଟେ ଅପ୍ରତ୍ୟାଶିତ ମୋଡ ଅଛି ଏବଂ ଏହି ଅପ୍ରତ୍ୟାଶିତ ମୋଡହିଁ ତାଙ୍କ ଗଳ୍ପକୁ ଏକ ବିଶେଷ ସ୍ଥାନକୁ ନେଇଯାଏ ।
ଭାନୁଶଙ୍କରଙ୍କର ଗଳ୍ପର କାହାଣି ଗୁଡିକ ଆମର ଆଖପାଖରେ ଦେଖିଥିବା ଅଙ୍ଗେ ନିଭାଇଥିବା ଚରିତ୍ରମାନ, ଅଙ୍ଗେ ନିଭାଇଥିବା ଘଟଣାମାନ । ପ୍ଲଟ ଗୁଡିକ ଖୁବ୍ ଚମକପ୍ରଦ ନୁହନ୍ତି କିନ୍ତୁ ଯାହା ପାଠକଙ୍କ ଛାତିରେ ରେଖାପାତ କରିବ, ଚମକେଇ ଦେବ ଗଳ୍ପ ପଢ଼ିସାରିଲା ପରେ ବହୁତ ସମୟ ସେ ଗଳ୍ପ ବିଷୟରେ ଭାବିବା ପାଇଁ ବାଧ୍ୟ କରିବ ତାହା ହେଉଛି ତାହାର ଅପ୍ରତ୍ୟାଶିତ ମୋଡ଼ । ଏହା ଛଡ଼ା ତାଙ୍କର କାହାଣି କହିବାର କଳାଟି ବି ଚମତ୍କାର। ଛୋଟ ବାକ୍ୟ, ସରଳ ଶବ୍ଦ। ଆରୋପିତ ଆଳଙ୍କାରିକ ଭାଷାର ପ୍ରୟୋଗ ଆଦୌ ନାହିଁ । ଗଳ୍ପ ପଢ଼ିଲା ବେଳେ ଅଳଙ୍କାରର ଦ୍ୟୁତି, ଭାଷାର ଚମକ ପାଠକଙ୍କୁ କାହାଣୀକୁ ଦୂରକୁ ନେଇ ଯିବ ନାହିଁ । ଅତ୍ୟନ୍ତ ସରଳ ଭାବରେ ଏବଂ ଭାଷାରେ ସେ ଗଳ୍ପଗୁଡିକ କହନ୍ତି । କିନ୍ତୁ ଛୋଟ ସରଳ ବାକ୍ୟ ଭିତରେ ଅନେକ ସମୟରେ ବଡ ଗହନ କଥା ସେ କହିଦେଇ ଚାଲିଯାଆନ୍ତି ।
କେତେଗୁଡ଼ିଏ ଉଦାହରଣ ଦିଏ । ‘ଦେଖିନଥିବା ଘରପୋଡିର ଦୃଶ୍ୟ’ ଗଳ୍ପଟିର ପ୍ଲଟଟି ଖୁବ୍ ନୂଆ ନୁହଁ । ଏମିତି କାହାଣି ପାଠକେ ଆଗରୁ ବି ପଢ଼ିଥିବେ । କିନ୍ତୁ ଯେଉଁଭଳି ଭାବରେ ଗଳ୍ପଟି ଶେଷ ହୋଇଛି ତାହା ସଂପୂର୍ଣ୍ଣ ସଂପୂର୍ଣ୍ଣ ନୂଆ । ସେ ଚମକ ନୂଆ ।
‘ନିଷ୍ଫଳା’ ବୋଲି ଗୋଟେ ଗଳ୍ପ ଅଛି ତାର ପ୍ରଥମ ବାକ୍ୟ ହେଉଛି- ସୁଖପାଇଁ ନହେଲେବି କର୍ତ୍ତବ୍ୟ ଭାବି ସ୍ୱାମୀକୁ ଦେହ ଯାଚେ । ଏ ଗଳ୍ପର ନାୟିକା ମା ହେବାପାଇଁ ଚାହୁଁଛି କିନ୍ତୁ ମା ହୋଇପାରୁନି । ଗୋଟେ ସମୟରେ ଜଣେ ତା ସହିତ ସହବାସ କରୁଛି । ସେ ଅନ୍ତରରେ ରାଜି ନହେଲେ ବି ମା ହେବା ପାଇଁ ତାହା କରୁଛି । ତା ସହିତ ସହବାସ କରୁଥିବା ଲୋକଟି ନାୟିକାକୁ କହୁଛି ଯେ ତୋ ସ୍ୱାମୀ ଜାଣିବେ କେମିତି! କିନ୍ତୁ ଶେଷରେ ଦେଖାଯାଉଛି ଯେ ତା ସ୍ୱାମୀ ଡ଼ାକ୍ତରଙ୍କଠୁ ପରୀକ୍ଷାକରି ଆସିଛ ିଯେ ସେ ଆଉ ବାପା ହୋଇପାରିବ ନାହିଁ । ଗଳ୍ପ ଶେଷରେ ସନ୍ତାନ ଲୋଭରେ ଅନିଛା ସହ ସହବାସକରି ଆସିଥିବା ନାୟିକା ଲକଥା ଜାଣିବା ପରେ – ତାର ମାନସିକ ଅବସ୍ଥାର ବର୍ଣ୍ଣନା ହୋଇଛି । ଶେଷ ଚାରୋଟି ବାକ୍ୟ ହେଲା “ମାଳତି ମା ଠାକୁରାଣୀଙ୍କୁ ମନାସିଲା, ମାଲୋ ଗଛଟା ସେମିତି ନିଷ୍ଫଳା ଥାଉ । କେବେବି ଫଳଟେ ନଝୁଲୁ ତା ଦେହରେ ନହେଲେ ପାପ ଦିଶିଯିବ ସଭିଙ୍କୁ । ଭଗବାନଙ୍କୁ ବି ।” ଶେଷ ବାକ୍ୟଟି ଛାତିରେ ଗାର ଟାଣି ଦିଏ ।
ସମାନ କଥା ତା ପରବର୍ତ୍ତୀ ଗଳ୍ପ ଶବରେ । ‘ଶବ’ ଗଳ୍ପର ଆରମ୍ଭ ଗୋଟେ ସଂଳାପରୁ । “ବିଶ୍ୱାସ କରନ୍ତୁ ଡ଼କ୍ଟର ମୁଁ ଗୋଟେ ଶବ ।” ତାପରେ ଗୋଟେ ସାଧାରଣ ମଣିଷର ଜୀବନର କାହାଣି । ଶବ କଣ ମେଡିସିନ୍ ଖାଇପାରିବ? ମେଡିସିନ୍ ଖାଇ ଶବ ପୁଣି ଜୀବନ ଫେରିପାଇବ? କୁହନ୍ତୁ ଡ଼କ୍ଟର କୁହନ୍ତୁ। କିଏ ଡ଼କ୍ଟର କଲା ଆପଣଙ୍କୁ ନା ଲାଂଚଞ୍ଚଦରକାର ସାର୍ଟିଫିକେଟ ଦେବାପାଇଁ ଯଦି ଦରକାର ତାହାହେଲେ କୁହନ୍ତୁ । ଏ ଗଳ୍ପରେ ବଡ ମର୍ମଷ୍ପର୍ଶୀ କଥାଟି ରହିଛି ଯେ ଶବ ହେବାପାଇଁ ଚାହୁଁଛି ଡାକ୍ତରଙ୍କ ପାଖକୁ ଆସିଛି ଏବଂ କହୁଛି ମୁଁ ମରିଯାଇଛିବୋଲି ମୋତେ ସାର୍ଟିଫିକେଟ ଦିଅ । ସେ ଏଥିପାଇଁ ଶବ ହେବାପାଇଁ ଚାହୁଁଛି ଯେ ସେ ପ୍ରତିବାଦ କରିପାରୁନି । “ମୋତେ ବଳାତ୍କାର କଲେବି ମୁଁ ପ୍ରତିବାଦ କରିପାରେନି।” ଡ଼ାକ୍ତର କହୁଛନ୍ତି ଆପଣ ତ ପୁରୁଷ । ସେ ଉତର ଦେଉଛି “ପୁରୁଷର କଣ ବଳାତ୍କାର ନାହିଁ ।” ଯେତେବେଳେ ମଣିଷଟେ ପ୍ରତିବାଦ କରିପାରେ ନାହିଁ ତାକୁ ସେଇ କଷ୍ଟ ବୋଧହୁଏ ହୁଏ । ଏ ପ୍ରତ୍ୟେକ ମଣିଷର କଷ୍ଟ ଯାହାର ଛାତିଭିତରେ ଯା ମୁଣ୍ଡ ଭିତରେ କେଉଁଠି ଗୋଟେ ବିବେକ ଏପର୍ଯ୍ୟନ୍ତ ଜାଗ୍ରତ ରହିଛି ।
ଏମିତି କେତୋଟି ବିଷୟକୁ ନେଇ ଗଳ୍ପ ଲେଖିଛନ୍ତି ଭାନୁ ଶଙ୍କର ଯାହାକୁ ନେଇ ଓଡ଼ିଆ କଥା ସାହିତ୍ୟରେ ବିଶେଷ ଲେଖା ଯାଇ ନାହିଁ । ବୈବାହିକ ଜୀବନୋର ଧର୍ଷଣ- ମ୍ୟାରିଟାଲ ରେପକୁ ନେଇ ଗଳ୍ପଟିଏ ଅଛି ।
ବେଶ ଭଲ ଗଳ୍ପ ଲେଖିଛନ୍ତି ଭାନୁ ଶଙ୍କର ମହାନ୍ତି ।
+++