ଚିନ୍ମୟୀ ବାରିକ
କେଉଁ ଜିନିଷ ମୋର ଥିଲା ଯେ ଆଜି ମୋ ହାତରୁ କିଛି ଚାଲିଯାଉଛି ବୋଲି ଦୁଃଖ କରିବି ? ନିଜର ଯାହା ବୋଲି ମଣିଷ ଭାବେ ସେଇଟା ହିଁ ତା’ହାତରୁ ଖସିଯାଏ ।
ସବୁ ତ ଭାଗ ଭାଗ ହେଉଥିଲା । ଘରର ଆଗପଛ, ଧାନ କିଆରିର ଏ ଫାଳ ସେ ଫାଳ, ଆମ୍ବ ଗଛର ମୁଣ୍ଡଗଣ୍ଡି, ପୋଖରୀର ଏପାରି ସେପାରି ସବୁ କିଛି । ଏମିତି ଭାଗ ତ ଅନେକ ଦେଖିଥିଲି ଆଗରୁ ଗାଁ ପଞ୍ଚାୟତରେ ହେଲେ ଆଜି ଭାଗ ହେଉଛି ଆମ ଘରେ । ମୁଁ ଆଉ ମୋ ସାନ ଭାଇ ଭିତରେ ।
ବାପା ଚାଲି ଯାଇଛନ୍ତି । ତା’ ପଛେପଛେ ବୋଉ ବି । କାନ୍ଥରେ ଫଟୋ ହୋଇ ଝୁଲୁଛନ୍ତି । ସେ ଫଟୋରେ ବି ଧୂଳି ମେଞ୍ଚାଏ ଲାଗି ଧୂଆଁଳିଆ ହୋଇଯାଇଛି । ଭଲ ହୋଇ ହୋଇଛି । ଏଇ ଧୂଳି ବାହାନାରେ ହୁଏତ ସେମାନେ ଆମକୁ ଠିକ୍ ଭାବରେ ଦେଖି ପାରୁନଥିବେ । ନହେଲେ ସତରେ କେତେ ଲାଜର କଥା ହୋଇଥାଆନ୍ତା !
ଆକାଶର ଜହ୍ନ ଆଜି ବି ଗୋଟାଳିଆ ଅଛି । ଭାବୁଥିଲି ଛୋଟ ଥିଲାବେଳେ ଏଇ ଜହ୍ନକୁ ଆମେ ଦୁଇ ଭାଇ ଏକା ସାଙ୍ଗରେ ବସି ଦେଖୁଥିଲୁ । ଆଜି ଆମେ ଦୁହେଁ ଏଇ ଜହ୍ନକୁ ଦେଖୁଛୁ ହେଲେ ଅଲଗା ଅଲଗା ଭାବରେ ।
ସାନ ଭାଇର ଦୁଇ ବର୍ଷର ପୁଅ ପୁତୁଲ୍ ଆସି ମୋ କୋଳରେ ବସୁଛି । ମୋ ଛାତିରେ ମୁହଁ ଘସୁଛି । ତାକୁ କ’ଣ ଜଣା ଯେ ଭାଗ ହେବାର ମାନେ କ’ଣ । ସେ ଜାଣେ ମୁଁ ତା’ର ବଡ ବାପା । ତାଙ୍କ ସଂସାରର ଏକ ଅବିଭକ୍ତ ଅଙ୍ଗ । ସେ ହୁଏତ କାଲି ସକାଳେ ବି ମୋ କୋଳ ଖୋଜିବ । ମୋତେ ପାଇବାକୁ ସକାଳୁ ସକାଳୁ ମୋ ଦରଜା ଖଟଖଟ କରିବ । ମୋତେ ବଡବାପା ..ବଡବାପା ବୋଲି ଡାକିବ । ହେଲେ ମୁଁ ଜବାବ୍ ଦେବିନି । ଆଦୌ ଦେବିନି । କାରଣ ମୁଁ ସେତେବେଳେ ସେଠି ନଥିବି । ତା’ସାମ୍ନାରେ ଘର ଛାଡି ଯାଇପାରିବିନି ବୋଲି ରାତି ଚାରିଟାରୁ ଉଠି ଚୋରଙ୍କ ଭଳି ଲୁଚିଲୁଚି ଘର ଛାଡି ଦେଇଥିବି । କାରଣ ଏବେ ଆମେ ସବୁ ଅଲଗା । ଏ ଘର ଦୁଆର ସବୁ କିଛି ଭାଗ ହୋଇ ସାରିଛି । ରାତି ପାହିଲେ ଆମେ ଦୁଇ ଭାଇ ଏବେ ପରସ୍ପରର ପଡୋଶୀ ପାଲଟି ସାରିଥିବୁ ।
* * * * *
ସାନ ଭାଇ କହୁଥିଲା “ଭାଇ, ବେଳ ଥାଉଥାଉ ଅଲଗା ହୋଇଯିବା ଭଲ । ବେଳକାଳ କିଛି ଠିକ୍ ନାହିଁ । କିଛି ହେବା ଆଗରୁ ସବୁ କ୍ଲିୟର୍ ହୋଇଗଲେ ଆଗକୁ ଆଉ କିଛି ଝାମେଲା ନଥିବ । ତୋର ସିନା ପିଲାପିଲି ନାହାଁନ୍ତି । ହେଲେ ମୋର ତ ଦୁଇ ଦୁଇଟା ପିଲା । ତାଙ୍କ ପାଇଁ ଆଗକୁ କିଛି କରିବାକୁ ପଡିବ । ଏ ଘର ଭାଙ୍ଗି ଚାରିତାଲା ଘର କରିବି ।”
ମୁଁ ତା’ମୁହଁକୁ ଅନାଇଲି । ସେ କେଉଁ ବେଳକାଳର କଥା କହୁଛି ? ବେଳ ଅବେଳ ବୋଲି କଥା କିଛି ନଥାଏ ବୋଲି କହିବାକୁ ଇଛା ହେଉଥିଲା । ହେଲେ କହି ପାରିଲିନି । କାଲି ଯେତେବେଳେ କଟକ ଭୂବନେଶ୍ୱରର ରାସ୍ତାରେ କାର୍ ଡ୍ରାଇଭିଂ କରି ଆସୁଥିଲି ମୋ ସାମ୍ନାରେ ଗୋଟିଏ ବାଇକ୍ ବାଲା ପିଟି ହୋଇଗଲା ଗୋଟିଏ ଟ୍ରକ୍ ସହ । ଟ୍ରକ୍ ତଳେ ପିଲାଟିର କେବଳ ଦୁଇଟି ଗୋଡ ଦେଖା ଯାଉଥିଲା । ଏଇ ହେଉଛି ବେଳକାଳରେ ମୋ ଭାଇ । ତୁ ଆଉ ବେଳ ଅବେଳର କଥା ମୋତେ କହନି । ବରଂ ପରସ୍ପରର କାନ୍ଧରେ ହାତ ରଖି ବାକିତକ ଜୀବନ କାଟିଦେବା ବୋଲି ଭାବ। ଏତକ ଭାବିଲି ହେଲେ କହିପାରିଲିନି । ସେ ଘରର ନକ୍ସା ଦେଖି ହିସାବ କରୁଥିଲା କାହା ଭାଗରେ କେତେ ଡିସମିଲି ପଡିବ ବୋଲି ।
କହିବି ବା କେମିତି ? କେଉଁଠି ଗୋଟିଏ ଆମ ପରସ୍ପର ଭିତରେ ବିଶ୍ୱାସ ହରାଇ ସାରିଛୁ । କେଉଁଠି ହରାଇଲୁ ଏତକ ? ଆମ ଗାଁ ପାଠଶାଳାରେ ନା ଆମ ଗାଁ ହାଟରେ ? ନା ସହରର କୋଳାହଳ ଭିତରେ ? କେଉଁଠି କେମିତି ଆମ ଭିତରେ ଗୋଟିଏ ଅବିଶ୍ୱାସର ଗଛର ଚେର ନିଜର ଅସ୍ତିତ୍ୱ ସୃଷ୍ଟି କରି ଚାଲିଥିଲା ଆଉ ଆମେ ତାକୁ ଓପାଡି ପାରୁନଥିଲୁ !
ପୁତୁଲ୍ କାନ୍ଦୁଥିଲା । ସବୁବେଳ ପରି ମୋ ସହ ଖାଇବ ବୋଲି । ଡାଇନିଂ ଟେବୁଲ୍ ର ଚେୟାରରେ ବସିଲେ ବି ଟେବୁଲ୍ ଉପରକୁ ଖାଇବାକୁ ତା’ର ହାତ ପାଏନି । ତେଣୁ ସେ ମୋ କୋଳରେ ବସେ ଆଉ ଟେବୁଲ୍ ଉପରେ ଏକ ପ୍ରକାର ହାମୁଡେଇ ହୋଇ ଖାଏ ସବୁବେଳେ । ଖାଇସାରିଲା ବେଳକୁ ସେ ଆଉ ମୁଁ ଗୋଟାକ ଯାକ ଅଇଁଠା ହୋଇ ସାରିଥାଉ । ଆଜି ବି ସେ କାନ୍ଦୁଥିଲା ମୋ କୋଳରେ ବସି ଖାଇବାକୁ । ମୁଁ ଗଲି । ବସିଲି ଚେୟାରରେ । ସେ ମୋ ଗୋଡକୁ ସାହାରା କରି ମୋ କୋଳ ଯାଏଁ ଉଠିଲା ଆଉ ଖାଇବା ଆରମ୍ଭ କଲା । ଗୋଟାକ ଯାକ ଅଇଁଠା ମୋ ଦେହରେ ପଡୁଥିଲା । ମୋତେ ଲାଗୁଥିଲା ଯେମିତି ମୋ ଦେହ ସାରା ନିର୍ମାଲ୍ୟ ବୋଳି ହୋଇଯାଉଛି । ଯେମିତି ପୁତୁଲ୍ ର ଅଇଁଠାରେ ଧୋଇ ହୋଇ ମୋ ଜୀବନ ଧନ୍ୟ ହୋଇଯାଉଛି ।
ଦୀର୍ଘ ନିଃଶ୍ୱାସ ପକାଇ ଉପରକୁ ଅନାଇ ଭାବୁଥିଲି “କାଲିର ସକାଳଟା ନଆସନ୍ତା କି ଆଉ ?”
କିନ୍ତୁ ସକାଳ ଆସିଲା । ଅନ୍ଧାର ରାତି ସଂପୂର୍ଣ୍ଣ ଫର୍ଚ୍ଚା ହେବା ଆଗରୁ ମୁଁ ବାହାରିଲି ଠିକ୍ ଚୋରଙ୍କ ଭଳି ପାଦ ଚିପିଚିପି ନିଃଶବ୍ଦରେ । କାଳେ ପୁତୁଲ୍ ଉଠି ପଡିବ ଆଉ ଅଣ୍ଟାକୁ ଜାବୁଡି ଧରି ରାହା ଧରି ଜୋରରେ କାନ୍ଦିବ । ମୋଟେ ଛାଡିବନି ପ୍ରତିଥର ଭଳି । କିନ୍ତୁ ଏବେ ମୁଁ ତା’ର ନିଜର ହୋଇ ରହିନି । କେଉଁଠି ନା କେଉଁଠି ଗୋଟିଏ ବାଡ ବସି ଯାଇଛି ଆମ ଦୁଇ ଭାଇଙ୍କ ଭିତରେ । ପୁତୁଲ୍ ଶୋଇଛି ତ ଶୋଇଥାଉ । ସେ ଆଦୌ ଜାଣି ନପାରୁ ଆମ ଭାଇ ଭାଗ କଥା ।
ଆସିଲା ବେଳକୁ ସାନ ଭାଇ ମୋ ଘର ପରସ୍ତର ଚାବିକାଠି ଗୁଞ୍ଜି ଦେଲା ହାତରେ । ମୁଁ ହାତ ମୁଠେଇ କରି ଫେରିଲି ।
ପଛକୁ ଥରେ ବୁଲି ଚାହିଁଲି । ଏ ଘରେ ଆମର ସମୟ ଖୁବ୍ କମ୍ କଟିଛି । ଆମେ ତ ପିଲା ବେଳରୁ ବାପା ଯେଉଁଠି ଚାକିରି କରୁଥିଲେ ସେଇଠୁ ରହୁଥିଲୁ । କେବେ କେମିତି ଏ ଗାଁକୁ ଆସୁଥିଲୁ । ବାପାବୋଉ ଗଲାପରେ ଜଣେ ମୂଲିଆ ଏ ଘରର ସବୁ ଦାୟିତ୍ୱ ନେଉଥିଲା । ଆଜି ସାନ ଭାଇ ତାର ଭାଗ ଅଲଗା କରିବାକୁ ଚାହୁଁଛି । ସେଥିଲାଗି ଆମେ ଦୁହେଁ ଗାଁ ଆସିଛୁ । ସେ ଆସିଛି ବାଙ୍ଗାଲୋରରୁ ଆଉ ମୁଁ ନୂଆପଡାରୁ । ତେଇଶ୍ ଦିନ ହେଲା ଆମେ ସାଙ୍ଗରେ ଖାଉଛୁ, ରହୁଛୁ, ପରସ୍ପରକୁ ପାଖରେ ଅନୁଭବ କରୁଛୁ । ଏସବୁ ସତ୍ତ୍ୱେ ବି ମୂଳ ଉଦ୍ଦେଶ୍ୟ ଥିଲା ଭାଗବାଣ୍ଟ ହେବା । ଏସବୁ ଭାଗବଣ୍ଟା ଦେଖି ମୋ ସ୍ତ୍ରୀ ଟିକେ ଭାବବିହ୍ୱଳ ହୋଇ ଲୁହ ଝରାଇ ପକାଇଲା । କେଜାଣେ ସେ ଲୁହଗୁଡ଼ା ସତରେ କି ମିଛରେ ? ତା’ର ହିସାବ କରି ମୋତେ କିଛି ମିଳିବନି । ମୁଁ ଗାଡି ଷ୍ଟାର୍ଟ କଲି ସବୁଦିନ ପରି । ଯେମତି ମୋର କିଛି ହୋଇନି, କିଛି ବି ବାଧିନି ମୋତେ, କି ଭାଙ୍ଗି ପଡିନି ମୁଁ ଭିତରେ ଭିତରେ ।
* * * * *
ଗାଡି ସ୍ପିଡ୍ ରେ ଚାଲୁଥିଲା । ମୁଁ ନୀରବ ଥିଲି ଆଉ ମୋ ସ୍ତ୍ରୀ ଶ୍ୱେତା ହାଇ ମାରୁଥିଲା । ଅନେକ ସମୟ ଏମିତି ଚୁପ୍ ଚାପ୍ ଯିବା ପରେ ସେ କଥା କହିବା ଆରମ୍ଭ କଲା । ମୋତେ ତା’କଥା କିଛି ଶୁଭୁ ନଥିଲା ଅଥବା ତା’କଥା ଶୁଣି ମୁଁ ବୋଧେ କିଛି ବୁଝିପାରୁ ନ ଥିଲି । ଶେଷରେ ସେ ତା’ର ବ୍ରହ୍ମାସ୍ତ୍ର ପ୍ରୟୋଗ କଲା ଭଳି କହିଲା “ଏତେ କଣ ଭାବୁଛ ଯେ ? ଯେତେ ଭାଇ ସେତେ ଘର । ତୁମେ କଣ ଏକଥା ଜାଣି ନଥିଲ ?”
ଏଥର ମୋ ପାଟି ଖୋଲିଲା ଆଉ ତାହା ବି ଖୁବ୍ ଅଶ୍ଲୀଳ ଭାବରେ । ଚିତ୍କାର କଲା ଭଳି କହିଲି “ଏ ଡ୍ୟାସ୍ କଥା କଉ ଡ୍ୟାସ୍ ଲୋକ କହିଛି କହିଲ ଶୁଣେ ?”
-ଆରେ, ତୁମେ ଏମିତି ଖରାପ ଭାଷା କଣ କହୁଛ ? ଏମିତି ତ ଆଗରୁ କେବେ କୁହନି ..
-କେବେ କହିନି ନା ? ହେଲେ ଆଜି କହୁଛି ଶୁଣ..ଡ୍ୟାସ୍ ଡ୍ୟାସ୍..ଡ୍ୟାସ୍…। କହିଲ କଣ ନା ଯେତେ ଭାଇ ସେତେ ଘର ? କାଇଁ ସେ ଡ୍ୟାସ୍ ଲୋକଟା ଏକଥା ତ କହି ପାରିଲାନି “ଶହେ ଭାଇରେ ଗୋଟେ ଘର”ବୋଲି ?
-ମୋ ଉପରେ କାଇଁ ରାଗୁଛ ? ଯାହା ଲୋକକଥା ଅଛି ତାହା ମୁଁ କହିଲି ।
-ଚୁପ୍ କର । ବିଲକୁଲ୍ ଚୁପ୍ କର । ମୁଁ ଗର୍ଜିଲା ଭଳି ଶ୍ୱେତା ଉପରେ ବର୍ଷିଲି ।
ସେ ଚୁପ୍ ରହିଲା । କେବଳ ବେଳେବେଳେ ସୁଁ ସାଁ ଶୁଭୁଥିଲା ଯାହା ।
ମୋ ଗନ୍ତବ୍ୟ ପଥ ଆଡକୁ ମୋ ଗାଡି ଚାଲୁଥିଲା । ରାତି ହୋଇ ଆସଲାଣି । ସବୁବେଳେ ଏଇ ରାସ୍ତା ଦେଇ ଯାଇଛି ହେଲେ କେବେ କିଛି ଭାବିନି । ଆଜି କିନ୍ତୁ ନୂଆପଡାରେ ପହଞ୍ଚିବା ଆଗରୁ ମୋ ଗାଡି ଅଟକିଗଲା ଗୋଟିଏ ସ୍କୁଲ୍ ଆଗରେ । ସ୍କୁଲ୍ ଆଗରେ ଲେଖାଥିଲା “ଉତ୍କଳମଣି ଗୋପବନ୍ଧୁ ସ୍କୁଲ୍, ଖଡିଆଳ” । ଏଇଠି ମୁଁ ଆଉ ମୋ ସାନଭାଇ ପଢୁଥିଲୁ । ସେତେବେଳେ ଏହା ଖପର ଘର ଥିଲା । ଠାଏଠାଏ ପାଣି ଗଳୁଥିଲା ବର୍ଷା ଦିନେ । ସେଇ ଓଦା ଘର ଭିତରେ କୁଞ୍ଚିକାଞ୍ଚି ବସି ଆମେ ସବୁ ପଢୁଥିଲୁ । ସ୍କୁଲ୍ ର ବାରଣ୍ଡାରେ ବି ପଢା ହେଉଥିଲା । ଟୟଲେଟ୍ ବୋଲି କଛି ନଥିଲା । ପଛପଟେ ଫାଙ୍କା ପଡିଆ ଥିଲା ଆମର ସବୁ ସୁବିଧା ଲାଗି । ସ୍କୁଲର ବାଡକୁ ଲାଗି ଆମ ଘର ଥିଲା ।
ଆଃ..ଆମ ଘର ! ହଁ,ତ …ଏଇଠି ହିଁ ବାପାଙ୍କର ଅଫିସ୍ ଓ କ୍ୱାଟର୍ ଥିଲା । ମୁଁ ଟିକେ ଚାରିଆଡେ ଆଖି ବୁଲାଇଲି । ସ୍କୁଲ୍ ରେ ତାଲା ପଡିଛି । ଏଥର ଶ୍ୱେତାକୁ କିଛି ନକହି ଓହ୍ଲାଇ ପଡିଲି ଗାଡିରୁ । ପାଖ ଦୋକାନୀକୁ ଯାଇ ପଚାରିଲି “ଏଠି ସଏଲ୍ କନଜରଭେସନ୍ ଅଫିସ୍ ଟେ ଥିଲା । କାହିଁ ଦେଖା ଯାଉନି ତ ?”
ଲୋକଟି ମୋତେ କିଛି ସମୟ ଅନାଇଲା ପରେ ପଚାରିଲା “କେତେ ବର୍ଷ ପରେ ଆସୁଛନ୍ତି ଆପଣ ?”
ତା’କଥା ଶୁଣି ମୁଁ ମନେ ପକାଇଲି । ଏକ ଦୁଇ କରି ମସିହା ଗଣିଲି ଆଉ ତା’ପରେ କହିଲି “ପାଖାପାଖି ତିରିଶ୍ ବର୍ଷ ହୋଇଯିବ ବୋଧେ ।”
ହାଁ…ସେଇଆ ମୋତେ ମୂଳରୁ ମାଲୁମ ହେଉଥିଲା । ଏଠି ସେ ଅଫିସ୍ ଆଉ ନାହିଁ । ସେଇଟା ଆଉଗୋଟେ ଜାଗାକୁ କେବେଠୁ ଉଠିଗଲାଣି । ଏଇ ଦୋକାନ ଯେଉଁସବୁ ଅଛି ତା’ପଛ ପାଖକୁ ଚାଲି ଯାଆନ୍ତୁ । ଟିକେ ଅନ୍ଧାର ହୋଇଥିବ । ଦେଖିକି ଯିବେ । ପୁରୁଣା କ୍ୱାଟର୍ ଟା ଏବେ ବି ଅଛି । ଦେଖନ୍ତୁ କିଏ ରହୁଥିବେ କି କଣ ?
ମୁଁ ଏଥର ଶ୍ୱେତାକୁ ଗାଡିରେ ବସିବା ପାଇଁ କହି ଏକ ପ୍ରକାର ଧପଡି ଗଲାଭଳି ଗଲି ସେ କ୍ୱାଟର୍ ଆଡକୁ । ବଡ ଗୋଟିଏ ଲୁହା ଗେଟ୍ । ଭିତରପଟୁ ତାଲା ଦିଆଯାଇଛି । ଗେଟ୍ ଭଗ୍ନ ଅବସ୍ଥାରେ । ପାଖକୁ ଲାଗି ଛୋଟ ଗେଟ୍ ଟିଏ । ସେଇଟା ଖୋଲା ଥିଲା । ଖୋଲି ପଶିଲି । ମୋର ସବୁ ମନେଥିଲା । ଏ ଘର ଓ ଅଫିସ୍ ର ସବୁ ନାକ ନକ୍ସା । ଭିତରେ କିଟିକିଟି ଅନ୍ଧାର । ମୋବାଇଲ୍ ର ଟର୍ଚ୍ଚ ଜାଳି ଗଲି କ୍ୱାଟର୍ ଆଡକୁ । ଦେଖଲି ଭିତରୁ ମିଞ୍ଜିମିଞ୍ଜି ଆଲୁଅ ଜଳୁଛି । ମୁଁ କବାଟ ଖଟଖଟ କଲି । କେହି ଶୁଣିଲେନି । ପୁଣିଥରେ ଖଟଖଟ କଲି । ଜଣେ ବୟସ୍କ ଲୋକ ବାହାରି ଆସିଲେ । ପଚାରିଲେ “କାହାକୁ ଖୋଜୁଛନ୍ତି ?”
-ଆମ ଘରକୁ… । ମୋ ପାଟିରୁ ଏତକ ବାହାରି ଆସିଲା ।
-ମାନେ ? ବୁଝିପାରିଲିନି । ଭଦ୍ରବ୍ୟକ୍ତି ଜଣଙ୍କ ପୁଣିଥରେ ପ୍ରଶ୍ନ କଲେ ।
ତାଙ୍କ ପ୍ରଶ୍ନ ଶୁଣି ଏଥର ମୁଁ ସଜାଗ ହୋଇଗଲି । ଜାଣିପାରିଲି ଯେ ମୋ କଥା ତାଙ୍କୁ ଉଦ୍ଭଟ ଲାଗୁଛି । ଏଥର ସବୁ କଥା ସଫାସଫା କହିବାକୁ ପଡିବ । ମୁଁ ଟିକେ ଗଳା ଝାଡି କହିଲି “ଆମ ଘର ମାନେ ମୋ ପିଲାଦିନ ଏଇଠି କଟିଛି । ବାପା ଏଇ ସଏଲ୍ କଞ୍ଜରଭେସନ୍ ଅଫିସ୍ ରେ ଆସିଷ୍ଟାଣ୍ଟ ଇଞ୍ଜିନିୟର୍ ଥିଲେ । ଏଇ କ୍ୱାଟରରେ ଆମେ ରହୁଥିଲୁ । ଆଜି ଏହିବାଟ ଦେଇ ଯାଉଥିଲି । ଅନେକ ଇଛା ହେଲା ଏ ଘରଟିକୁ ଟିକେ ଦେଖିବାକୁ ।”
ମୋ କଥା ଶୁଣିଲା ପରେ ଭଦ୍ରବ୍ୟକ୍ତି ଜଣଙ୍କ ବାପାଙ୍କ ନାମ ପଚାରିଲେ ଆଉ ଶୁଣିଲାପରେ ଖୁବ୍ ଖୁସିରେ ଘର ଭିତରକୁ ଡାକିନେଇ ନିଜର ପରିଚୟ ଦେଲେ । ସେ ଏବେ ଏହି ଅଫିସ୍ ରେ ଆସିଷ୍ଟାଣ୍ଟ ଇଞ୍ଜିନିୟର୍ ଅଛନ୍ତି ଓ ସେ ବାପାଙ୍କୁ ଜାଣନ୍ତି ବୋଲି କହିଲେ । ଘରେ ସେ ଏକା ରହୁଥିଲେ ପିଅନ୍ ମାନଙ୍କ ସହ । ସେ ପିଅନ୍ କୁ ଇସାରାରେ ଚା’ ବସାଇବାକୁ କହି ମୋତେ ଘର ଦେଖାଇବାକୁ ନେଇଗଲେ । ମୁଁ ତାଙ୍କ ଶୋଇବା ଘର ଦେଖିଲି । ଦେଖିଲି ତାଙ୍କ ଖଟ ଯେଉଁଠି ପଡିଛି ଆମ ଖଟ ବି ଦିନେ ସେଇଠି ପଡୁଥିଲା । ମୁଁ ଆଉ ନିଜକୁ ସମ୍ଭାଳି ପାରିଲିନି । ସିଧା ପେଟେଇ ପଡି ଖଟ ତଳେ ପଶିଗଲି ଆଉ ଖଟ କୋଣରେ ଥିବା କାନ୍ଥକୁ ଅଣ୍ଡାଳିଲି । ଭଦ୍ରବ୍ୟକ୍ତି ଜଣଙ୍କ ପଚାରିଲେ “କିଛି ଖୋଜୁଛନ୍ତି କି ଆପଣ ?”
ତାଙ୍କ କଥାରେ ମୁଁ ସେଇ ଏକା ଜବାବ ଦେଲି “ଆମ ଘର” ।
-ମାନେ ? ସେ ପଚାରିଲେ ମୋ ପାଖରେ ନଇଁ ପଡି ।
-ଏଇ ଖଟ ତଳେ ଲୁଚି କାନ୍ଥରେ ମୁଁ ଓ ମୋ ଭାଇ ଦୁହେଁ କାଳିରେ ସେତେବେଳେ ଲେଖିଥିଲୁ “ଆମ ଘର “। ସେଇଟା ଏବେ ଖୋଜୁଥିଲି ।
-ଆରେ, ସେଇଟା କଣ ଏବେ ମିଳିବ ? ଏ କାନ୍ଥରେ ପରା କେତେଥର କେତେ ରଙ୍ଗ ଦିଆ ସରିଥିବ ?
-କାନ୍ଥରେ ରଙ୍ଗ ଦେଇଦେଲେ କ’ଣ “ଆମ ଘର”ଟା ବଦଳିଯିବ ?
ମୋ କଥା ଶୁଣି ସେ ଟିକେ ମୁଣ୍ଡ କୁଣ୍ଢେଇ ହେଲେ ଆଉ ତା’ପରେ ଦାଢିରେ ହାତ ମାରିଲେ । ସେ ବୋଧହୁଏ ଭାବୁଥିଲେ ମୁଁ ନିଶ୍ଚୟ ଗୋଟିଏ ବଦ୍ଧ ପାଗଳଟିଏ । ଆଉ ସତରେ ମୁଁ ପାଗଳ ହୋଇ ସାରିଥିଲି । କହିଲି ମୁଁ ଏ ଘର, ବାଡିବଗିଚା ସବୁ କିଛି ଦେଖିବାକୁ ଚାହେଁ । ଭଦ୍ରଲୋକ ଜଣଙ୍କ ନିଶ୍ଚିତ ଭାବରେ ଅତିଭଦ୍ର ମଣିଷ ଥିଲେ । ସେ ପିଅନ୍ ମାନଙ୍କୁ କହି ଚାରିଆଡେ ଆଲୁଅର ବ୍ୟବସ୍ଥା କରିଦେଲେ ତା’ସହ ଦୁଇଟି ଚାର୍ଜ ଲାଇଟ୍ ମଧ୍ୟ ଦେଲେ । ଏତକ ବ୍ୟବସ୍ଥା ଦେଖି ମୁଁ ଡିଆଁଟିଏ ମାରି ଦେଇ ପହଞ୍ଚିଗଲି ବାଡିପଟ କୂଅ ପାଖକୁ । ଯେଉଁଠି ଗୋଟିଏ ବଡ ପିଜୁଳି ଗଛ ଥିଲା । ସେ ଗଛ ଏବେ ବି ଥିଲା । ଏତେ ବର୍ଷ ପରେ ବି । ଏଥର ମୁଁ ଆଉ ସମ୍ଭାଳି ପାରିଲିନି ନିଜକୁ । କୁଣ୍ଢାଇ ଧରିଲି ଗଛଟିକୁ । କାନ୍ଦିବାକୁ ଇଛା ହେଉଥିଲା କିନ୍ତୁ ଚୁପ୍ ରହିଲି । ମୋବାଇଲ୍ ଲଗାଇ ଭିଡିଓକଲ କଲି ସାନଭାଇ ବୁଲୁ ପାଖକୁ । ବୁଲୁ ସେପଟରୁ ପଚାରୁଥିଲା କଣ ହୋଇଛି ବୋଲି ।
ମୋବାଇଲ୍ ଭିତରୁ ମୁଁ ଏଥର ତା’ର ଛୋଟବେଳର ମୁହଁଟି ଦେଖି ପାରୁଥିଲି । ଖୁବ୍ କୋମଳ ଓ ନୀରିହ ମୁହଁଟି ତା’ର । କହିଲି ଦେଖ୍ ଏଇ ଘର…ଚିହ୍ନି ପାରୁଛୁ ? ଆମ ଘର ବୁଲୁ …ଆମ ଘର… । ଏଇ ପିଜୁଳିଗଛ ଏବେ ବି ଅଛି, ଯେଉଁ ଗଛ ଉପରେ ମୁଁ ଚଢେ ଆଉ ମୋ ଗୋଡକୁ ଧରି ତୁ ଓହଳି ହୋଇ ଦୋଳି ଖେଳୁଥିଲୁ । ଆଉ ହେଇ ଦେଖ..ସେ କୂଅକୁ । ଯେଉଁ କୂଅର ପାଣି ଖୁବ୍ ମିଠା ଥିଲା । ଆଉ ସେ ଅନ୍ଧାର ଗ୍ୟାରେଜ୍ ରେ କଣ ଅଛି ଦେଖିଲୁ …? ସେଇଠି ବାପାଙ୍କର ଜିପ୍ ଥିଲା । ଯେଉଁ ଜିପ୍ ରେ ଆମେ ବସି ବୁଲୁଥିଲୁ । ସେ ଜିପ୍ ଟା ଏବେ ଭଙ୍ଗାରୁଜା ହୋଇପଡିଛି । ତୋର ମନେଅଛି ନା ବୁଲୁ, କେମିତି ଦିନେ ଜିପ୍ ପଛପଟ ସିଟ୍ ରେ ଆମେ ଲୁଚି ଯାଇଥିଲେ । ବାପା ଟୁର୍ ଯିବାର ଅଧ ରାସ୍ତାରେ ଆମକୁ ଜିପ୍ ର ପଛପଟ ସିଟ୍ ରୁ ଆବିଷ୍କାର କଲେ ଓ ସେଠୁ ଆମକୁ ଘରକୁ ଫେରାଇ ଆଣି ଅମୃତଭଣ୍ଡା ଗଛର ଡାଳରେ ଆମ ପିଠିକୁ ଭଲକି ପାହାର କଷି ଦେଇ ଥିଲେ । ଆଉ ତ ଆଉ ଏଇ ଜିପ୍ ତଳେ ଆମ ପ୍ରିୟ କୁକୁର” ସୁଲୁ ” ବି ଚାପି ହୋଇ ମରି ଯାଇଥିଲା । ସବୁ ମନେପଡୁଛି ମୋର । ହେଇ ଦେଖ୍ ବୁଲୁ …ପାଚେରୀ ଆରପାଖେ ଆମ ସ୍କୁଲ୍ ଦେଖା ଯାଉଛି । ଏଇ ସ୍କୁଲ୍ କୁ ଆମେ ଦୁହେଁ ହାତ ଧରାଧରି ହୋଇ ଯାଉଥିଲେ । କେତେ ବର୍ଷା, କେତେ ଶୀତ, କେତେ ଖରା ଆସୁଥିଲା ଆଉ ଯାଉଥିଲା, ହେଲେ ମୋ ହାତରୁ ତୋ ହାତକୁ କେହି ଅଲଗା କରି ପାରୁ ନଥିଲେ । ହେଲେ ଆଜି ଯାହାକୁ ଆମେ ଘର ବୋଲି କହୁଛୁ ସେ କେମିତି ଅଲଗା ହୋଇଗଲା ତୋ ଘର ଆଉ ମୋ ଘର ହୋଇ ? ଅସଲ କଥା କଣ ଜାଣୁ ବୁଲୁ ? ଆମ ଅକ୍ତିଆର ଭିତରେ ଥିବା ସବୁ ଜିନିଷକୁ ଆମେ ଟୁକୁଡା ଟୁକୁଡା କରିବାକୁ ଭଲପାଉ । ନିଜର ତୁଚ୍ଛ ସନ୍ଦେହ, ଅହମିକାରେ “ଆମେ” ଠାରୁ ଆମେ ସବୁ “ମୁଁ” କୁ ପାଲଟି ଯାଉ । ଆଉ ଏଇ “ମୁଁ” ଭିତରେ କେତେ ଅସହାୟତା ଥାଏ ଏବେ ମୁଁ ବୁଝୁଛି । ଅଥଚ ଦେଖ୍, ଏଇ ଆମ ଅଫିସ୍ କ୍ୱାଟର୍ ଟା ଆମ ଆକ୍ତିରରେ ନ ଥିଲେ ବି ଏହା ଭିତରେ “ଆମ ଘର” ର ଅସ୍ତିତ୍ୱ ନେଇ ସେ କେମିତି ଠିଆ ହୋଇଛି । ଏଇଟା ତୋ ଘର… ମୋ ଘର… ଆଉ ଆମ ଘର…ବି । ଏହାକୁ ଆଉ ବାଣ୍ଟି ହେବନି ତୋ ଫାଳ ଓ ମୋ ଫାଳ କରି । ଯାହା ବାଣ୍ଟି ହୋଇଯାଏ, ଫାଳ ହୋଇଯାଏ, ଶେଷ ହୋଇଯାଏ ତାହା “ଘର” ନୁହେଁ ବୋଧେ ।ତୁ ସେଠି ଭଲରେ ରହ ବୁଲୁ, ମୁଁ ଆଉ ଫେରିବିନି ସେଠିକୁ କେବେ । କେବେ ଯଦି ମନେପଡେ “ଆମଘର”କୁ ତେବେ ମୁଁ ଏଇଠିକୁ ହିଁ ଆସିବି । ଏଇଠି ହିଁ ଆଘ୍ରାଣ କରିବି ମୋର ସବୁ ପରିଚୟ ଓ ପରିଚିତଙ୍କର ସ୍ମୃତିକୁ ।
* * * * *
ବୁଲୁ ବୋଧେ ମୋତେ କିଛି କହିବାକୁ ଚାହୁଁଥିଲା । ତା ପାଟି ଥଙ୍ଗଥଙ୍ଗ ହେଉଥିଲା । ହେଲେ ମୁଁ ତାକୁ କିଛି କହିବାକୁ ଦେଲିନି । ବିଲକୁଲ୍ କିଛି ବି ନୁହେଁ । ବରଂ ସେ କିଛି କହିବା ଆଗରୁ ମୁଁ ମୋର ଶେଷ ବକ୍ତବ୍ୟ ଶୁଣାଇ ଦେଲି । କହିଲି “ହେଇ ବୁଲୁ …ତୋର ମନେ ଅଛି ନା, ତୁ କେମିତି ସବୁବେଳେ ମୋ ପିଠିରେ ନାଉ ହୋଇ ବୁଲୁ ଥିଲୁ ଆଉ ଯେତେବେବେଳେ ତୋ ହାତର ଚାପରେ ମୋ ବେକଟା କାଟୁଥିଲା ମୁଁ କହୁଥିଲି “ମୋ ବେକ ଛାଡି ଦେ ବୁଲୁ, ମୋତେ କାଟୁଛି”। ସେତେବେଳେ ତୁ କହୁଥିଲୁ ଯେ ମୋ ବେକଟା ତୋର ବୋଲି । ସବୁବେଳେ ମୋ ବେକ ଧରି ନାଉ ହେବୁ ବୋଲି କହୁଥିଲୁ ନା ? ହଁ …ରେ ବୁଲୁ, ତୁ ସେତେବେଳେ ଠିକ୍ କହୁଥିଲୁ । ମୋ ବେକଟା କେବଳ ତୋର, ସବୁବେଳେ ହିଁ ତୋର ହୋଇ ରହିବ । ନେ..ରେ …ବୁଲୁ, ନେ…ମୋ ବେକଟା । ଏବେ ତୁ ନେଇ ଯା…. । ଏଇଟା କେବଳ ବାକି ରହିଗଲା ଯାହା ।
ବୁଲୁ ସେପଟରୁ କଣ କହୁଥିଲା ମୁଁ କିଛି ଶୁଣି ପାରୁ ନଥିଲି । ସାରା ପୃଥିବୀଟା ଯେମିତି ମୋତେ ହଠାତ୍ ନିଃଶବ୍ଦ ଲାଗୁଥିଲା । ମୋ କାନଟା ଶୂନ୍ ହୋଇଗଲା । ମୁଁ ଏଥର ଏକ ଭୟ, ଆଶଙ୍କା ଓ ଅସହାୟତାରେ ଯେମିତି ଥରୁଥିଲି ଓ ତତ୍ କ୍ଷଣାତ୍ ଭିଡିଓକଲ୍ କୁ ଅଫ୍ କଲି ।
ପାଣିକୋଇଲି, ଯାଜପୁର
ଲେଖକ ପରିଚୟ
ଗପ କେମିତି ଲେଖାଯାଏ ତା’ର କିଛି ନିୟମ କି ଧାରା କି ପ୍ରଣାଳୀ ଜଣା ନଥିଲେ ବି ମନକୁ ଯାହା ଆସେ ମୁଁ ଲେଖିଦିଏ । ଭାବେ ଏହା ବୋଧେ ଗପ । କିନ୍ତୁ ଅସଲ ଗପ ତ ସେତେବେଳେ ହୁଏ ଯେତେବେଳେ ତାହା ପାଠକ ହୃଦୟକୁ ଛୁଇଁଯାଏ । ଗପ ଯଦି କାହାକୁ ଅନ୍ୟମନସ୍କ ନକରାଇଲା ତାହେଲେ ସେ କି ଗପ ? ଜାଣେନି ମୋ ଗପ କାହାକୁ ଅନ୍ୟମନସ୍କ କରାଏ କି ନାହିଁ, ହେଲେ ଭଲ ଗପଟିଏ ଜନ୍ମ ଦେବାକୁ ସବୁବେଳେ ଚେଷ୍ଟା କରିଥାଏ ।