ବିଶ୍ଵେଶ୍ଵର ମାଝୀ

ରମାକାନ୍ତ ଜଣେ ସଚ୍ଚୋଟ ପଦସ୍ଥ ବ୍ୟାଙ୍କ ଅଧିକାରୀ ଭାବରେ ଚଉତିରିଶ ବର୍ଷ ବିଭିନ୍ନ ଦାୟିତ୍ଵ ସୂଚାରୁରୂପେ ତୁଲାଇ ତଥା ବହୁ ପ୍ରଶଂସା ସାଉଁଟି ଅବସର ନେଇଛନ୍ତି ଏଇ ଛଅ ମାସ ତଳେ । ଦୀପାବଳି ଦିନ ସକାଳୁ ମନଟା କାହିଁକି ଖଟକା ଲାଗିଲା । ଏତେବେଳକୁ କେତେ ମିଠା, ଡ୍ରାଏ ଫ୍ରୁଟ୍ ପ୍ୟାକେଟ୍ ତାଙ୍କ ଘରେ ଗଦା ହୋଇଥାଆନ୍ତା । ସଚ୍ଚୋଟ ଅଧିକାରୀ ଭାବରେ କାହା କାମର ବିନିମୟରେ କାହାଠାରୁ କିଛି ବି ଗ୍ରହଣ କରନ୍ତି ନାହିଁ । କିନ୍ତୁ ଦୀପାବଳି ମିଠା ସୌଜନ୍ୟତା ଦୃଷ୍ଟିରୁ ମନା କରି ହୁଏନା, ତେଣୁ ଏଇଟା ଅଭ୍ୟାସରେ ପଡ଼ି ଯାଇଥିଲା । ରମାକାନ୍ତ ମଧ୍ୟ ଘରକୁ ଆସିଥିବା ଲୋକଙ୍କ ଆତିଥ୍ୟରେ ଆଦୌ କାର୍ପଣ୍ୟତା କରନ୍ତି ନାହିଁ । ହେଲେ, ଅବସର ପରେ ଏପରି ଶୂନଶାନ ଦୀପାବଳିକୁ ନେଇ ମନଟା ଭାରି ହୋଇଗଲା ଟଙ୍କାର । କିନ୍ତୁ କହିବେ କାହାକୁ ? ଚା’ କପଟା ଧରି ଓଡ଼ିଆ ଖବରକାଗଜ ଖୋଲିଲେ, ଆଖିରେ ପଡ଼ିଲା ଚିନ୍ତାକଳ୍ପର ଗପଟିଏ :

ଗୋଟିଏ ଗଧ, ପିଠିରେ ବୋଝ ବୋହି ମାଲିକ ସହ ନିତି ହାଟକୁ ଯାଏ । କେଉଁଦିନ କେଉଁ ପଦାର୍ଥ ପିଠିରେ ଲଦା ହୁଏ ସେ ବାବଦକୁ ତା’ର ଭ୍ରୁକ୍ଷେପ ନଥାଏ । କାରଣ ଗଧର କାମ ବୋଝ ବୋହିବା । ଦିନେ କିନ୍ତୁ ତା ଭାଗ୍ୟ ବଦଳିଗଲା, ବାଟସାରା ଲୋକ ସେ ଗଧକୁ ନମସ୍କାର କରୁଥାଆନ୍ତି । କେତେକ ଚପଲ ଉତାରି ଷାଷ୍ଟାଙ୍ଗ ପ୍ରଣାମ କରୁଥାଆନ୍ତି । ଗଧ ବଡ଼ ଗମ୍ଭୀର ହୋଇ ମନେମନେ ଆଶୀର୍ବାଦ ଦେଉଥାଏ । ହାଟ ସାରି ଫେରିଲାବେଳକୁ ପରିସ୍ଥିତି ସେଇଆ ନଥିଲା, କେହି ଆଡ଼ ଆଖିରେ ବି ଅନାଉ ନଥାନ୍ତି ତାକୁ । ଗଧଟି ରାଗରେ ରାସ୍ତାରେ ଠିଆହୋଇ ରହିଲା । ଦୃଷ୍ଟି ଆକର୍ଷଣ କରିବାକୁ ଶେଷରେ କର୍କଶ ରଡ଼ି କଲା । ମାଲିକ ଦୁଇ ପାହାର ବସାଇବାରୁ ଗଧ ଚାଲୁଥାଏ ସତ ହେଲେ ଆଖିରୁ ଲୁହ ବୁହାଇ ବୁହାଇ । ଏ ଲୁହ ମାଡ଼ ପାଇଁ ନୁହେଁ । ମାଡ଼ ତ ନିତିଦିନିଆ କଥା । କିନ୍ତୁ ସେ ଭାବୁଥାଏ, ଗଲାବେଳେ ଯେଉଁ ଖାତିର, ଫେରିଲାବେଳକୁ ବେଖାତିର କାହିଁକି ?

ମାଲିକ କିଛି ଚିନ୍ତା କରି ଗଧକୁ ଆଉଁସି ଦେଲେ, “ଧନ, ତୁ ଭାବୁଛୁ କି ଲୋକେ ଗଲାବେଳେ ତତେ ନମସ୍କାର କରୁଥିଲେ ? ନାହିଁରେ, ଆଜି ତୋ ପିଠିରେ ଠାକୁର ମୂର୍ତ୍ତିଗୁଡ଼ିକ ନଦା ହୋଇଥିଲେ, ତେଣୁ ଲୋକେ ନମସ୍କାର କରୁଥିଲେ। ଏବେ କିଏ କାହିଁକି ନମସ୍କାର କରିବ ? ଯେଉଁଦିନ ମଇଳା ଲୁଗା ନଦା ହୋଇଥାଏ, ଲୋକେ ନାକ ଟେକନ୍ତି ନା ! ତୋର ଦୋଷ ଥାଏ କି ? ତୁ ଗଧ ପରା, ନିର୍ବିକାର ହେବା ଶିଖ ।”

ଗପଟି ପଢ଼ିସାରି ରମାକାନ୍ତ ମନେପକାଇ ହସିଦେଲେ, ତାଙ୍କ ଚାକିରି ଜୀବନର ପ୍ରଶଂସା କାହାଣୀ କହିଲେ ସ୍ତ୍ରୀ ହସିହସି ଗଧ କାହିଁକି କୁହନ୍ତି ! ଏବେ ଏଇ ଗଧ ଜୀବନ ଅଭ୍ୟାସ କରିବାକୁ ନିଜକୁ ପ୍ରସ୍ତୁତ କଲେ ରମାକାନ୍ତ । ଶ୍ରୀମଦ୍ଭଗବତଗୀତାରେ ନିଷ୍କାମ ଯୋଗୀର ସାଧନା :
ଦୁଃଖେଷ୍ଵନୁଦ୍ ବିଗ୍ନମନାଃ ସୁଖେଷୁ ବିଗତସ୍ପୃହଃ | ବୀତରାଗଭୟକ୍ରୋଧଃ ସ୍ଥିତଧୀର୍ମୁନିରୁଚ୍ଯତେ ||

ଚନ୍ଦ୍ରଶେଖରପୁର, ଭୁବନେଶ୍ୱର, ମୋ: ୯୪୩୭୬୯୭୧୬୧

ଲେଖକ ପରିଚୟ

ମହାନଦୀ କୂଳରେ ଜନ୍ମ ହେବାର ସୌଭାଗ୍ୟ ପ୍ରକୃତିର ଅପରୂପ ଶୋଭା ଦେଖିବାର ଅନେକ ସୁଯୋଗ ଦେଇଛି । ପେସାରେ ବ୍ୟାଙ୍କର ହେବାର ଦାୟ ମଧ୍ୟରେ ସାହିତ୍ୟକୁ ଜାରି ରଖିଥିଲି ।  ଛନ୍ଦୋବଦ୍ଧ କବିତା କିଛି ଆମ ମାଟିର, ସଂସ୍କୃତିର ତଥା ଐତିହ୍ୟର ଜୟଗାନ ସହ ଅସ୍ମିତା ସ୍ମରଣ କରିବା ଲକ୍ଷରେ ଲେଖନୀ ଚାଳନା କରେ ।

Related Posts

Leave a Reply

Your email address will not be published. Required fields are marked *